Unknown

 

 

 

 

 

 

 

 

 

୧୪୪ତମ ସଂଖ୍ୟା କୋଣାର୍କ ୨୦୦୭

ଓଡ଼ିଶା ସାହିତ୍ୟ ଏକାଡ଼େମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

କଥାକାର ପୂର୍ଣ୍ଣାନନ୍ଦ ଦାନୀ ବିଶେଷାଙ୍କ

୧୪୪ତମ ସଂଖ୍ୟା

ଫେବୃୟାରୀ- ମାର୍ଚ୍ଚ- ଅପ୍ରେଲ : ୨୦୦୭

 

ଡକ୍ଟର ଗଣେଶ୍ୱର ମିଶ୍ର

ଉପଦେଷ୍ଟା

ଇଂ ପ୍ରଭାକର ସ୍ୱାଇଁ

ସମ୍ପାଦକ

ଶ୍ରୀ ରବୀନ୍ଦ୍ରନାଥ ଦାସ

ପରିଚାଳନା ସମ୍ପାଦକ

 

ଡକ୍ଟର ହୁସେନ୍ ରବିଗାନ୍ଧୀ

ମୁଖ୍ୟ ସମ୍ପାଦକ

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର- ୭୫୧୦୧୪

ଫୋନ୍ / ଫାକ୍ସ : ୨୪୩୧୮୪୦

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ।

ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

ମୁଦ୍ରଣ :

ଟେକ୍‍ନୋ ଆର୍ଟସ୍ ଅଫ୍‍‌ସେଟ୍,

କଲ୍ୟାଣୀ ନଗର, କଟକ– ୧୩

ମୂଲ୍ୟ : ଟ.୩୦.୦୦ (ତିରିଶ ଟଙ୍କା ମାତ୍ର)

ବାର୍ଷିକ ଗ୍ରାହକ ଦେୟ : ଟ.୧୫୦.୦୦ (ଏକଶହ ପଚାଶ ଟଙ୍କା ମାତ୍ର)

 

KONARK

A Quarterly Literary Journal

 

Published by

ORISSA SAHITYA AKADEMI

Sanskruti Bhavan, Bhubaneswar-751014

Issue Price: Rs.30.00 (Rupees Thirty only)

Annual Subscription: Rs. 150.00 (Rupees One hundred fifty only)

 

Image

 

ବିଷୟ ସୂଚୀ

ସମ୍ପାଦକୀୟ

 

ପ୍ରବନ୍ଧ

 

୧.

ପୂର୍ଣ୍ଣାନନ୍ଦ ଦାନୀ, ଜୀବନାନୁରାଗୀ ଦୃଷ୍ଟି ଓ ଦିଗ୍‍ବଳୟ

ପ୍ରଭାତୀ ରଥ

୨.

ଅନ୍ତରଙ୍ଗ ଆଳାପ ଓ ଗାଳ୍ପିକ ପୂର୍ଣ୍ଣାନନ୍ଦ

ଅନୀଲ କୁମାର ଦାସ

୩.

ପୂର୍ଣ୍ଣାନନ୍ଦଙ୍କ ପଡ଼ୋଶିନୀ

ମଙ୍ଗଳୁ ଚରଣ ବିଶ୍ୱାଳ

୪.

ନୀରବତାର ନୀରାଜନା ଓ ପୂର୍ଣ୍ଣାନନ୍ଦଙ୍କ ଗଳ୍ପସ୍ଵର

ଗୌରିଦାସ ପଧାନ

୫.

ଗଳ୍ପକଳାର ଯାଦୁକର, ପୂର୍ଣ୍ଣାନନ୍ଦ ଦାନୀଙ୍କ କୁହୁକ ପେଡ଼ି

ଅଶୋକ କୁମାର ଦାଶ

୬.

ପୂର୍ଣ୍ଣାନନ୍ଦ ଦାନୀଙ୍କ ପ୍ରଥମ ପୁରୁଷରେ ଲିଖିତ ଗଳ୍ପ

ପୁଷ୍ପ କୁମାର ମେହେର

୭.

ପୂର୍ଣ୍ଣାନନ୍ଦ ଦାନୀ ଏକ ବ୍ୟକ୍ତିକ ଆକଳନ

ଗୋପାଳକୃଷ୍ଣ ରଥ

୮.

ପୂର୍ଣ୍ଣାନନ୍ଦଙ୍କ ପ୍ରତି ସ୍ମୃତିର ଚିଠି

ହାଡ଼ିବନ୍ଧୁ ମିର୍ଦ୍ଧା

୯.

ସଂସ୍କୃତିର ତାତ୍ତ୍ୱିକତାରେ ‘ଅସ୍ମିତା’ ବା ‘ଆତ୍ମପରିଚିତି

‘ଆଚାର୍ଯ୍ୟ ଭାବାନନ୍ଦ

୧୦.

‘ଛ’ମାଣ ଆଠଗୁଣ୍ଡ ଓ ପରଜାର ତୁଳନାତ୍ମକ ବିଚାର

ମିଥୁନ ଚନ୍ଦ୍ର ଦେ

୧୧.

ଇତିହାସର ସର୍ଜନା ସର୍ଜନାର ସମୀକ୍ଷା

ଫକୀର ଚରଣ ନାୟକ

୧୨.

ସିଂଭୂମିର ସାହିତ୍ୟ ଏବଂ ଲୋକସଂସ୍କୃତି

ବିନି ଷଡ଼ଙ୍ଗୀ

 

ଗଳ୍ପ

 

୧୩.

ଶୁଖୁଆଝୋଳରେ ସନ୍ତରଣ

ଅମିୟ ପାଣ୍ଡବ

 

କବିତା

 

୧୪.

ପେରୁର କବିତା ଅନୁବାଦ

ଅମରେନ୍ଦ୍ର ଖଟୁଆ

୧୫.

ନିସଙ୍ଗ ବର୍ତ୍ତମାନ

ଚନ୍ଦ୍ରକାନ୍ତ ପଣ୍ଡା

୧୬.

ଆମନ୍ତ୍ରଣ ଅପେକ୍ଷାରେ

ରାଜୀବ କୁମାର ଷଡ଼ଙ୍ଗୀ

୧୭.

କଥାକାରପୂର୍ଣ୍ଣାନନ୍ଦ ଦାନୀଙ୍କ ସଂକ୍ଷିପ୍ତ ଜୀବନପଞ୍ଜୀ

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯-ଡ଼ି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ, ପତ୍ରିକାର ସ୍ଵତ୍ଵ ଆଦି ସମ୍ବନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ ।

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ବିଶେଷ ସଂଖ୍ୟା ବ୍ୟତୀତ)

୬.

ପ୍ରକାଶକଙ୍କ ନାମ

ଶ୍ରୀ ରବୀନ୍ଦ୍ରନାଥ ଦାସ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଗିରିଜା କୁମାର ବଳୀୟାରସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଟେକନୋ ଆର୍ଟସ୍ ଅଫସେଟ୍

କଲ୍ୟାଣୀନଗର, କଟକ-୧୩

୮.

ସମ୍ପାଦକଙ୍କ ନାମ

ଡକ୍ଟର ହୁସେନ୍ ରବିଗାଂଧୀ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଟେକନୋ ଆର୍ଟସ୍ ଅଫସେଟ୍

କଲ୍ୟାଣୀନଗର, କଟକ-୧୩

୧୦.

ସ୍ଵତ୍ଵ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର

ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ରବୀନ୍ଦ୍ରନାଥ ଦାସ, ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱସମତେ ସତ୍ୟ ଅଟେ ।

 

 

ରବୀନ୍ଦ୍ରନାଥ ଦାସ

ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସଂପାଦକୀୟ

ଶୂନ୍ୟତା ସହିତ ଯୁଝି ପୂର୍ଣ୍ଣତାର ଆନନ୍ଦ ଅନ୍ଵେଷଣ କରୁକରୁ ବିଦାୟ ଘେନିଥିବା ପୂର୍ଣ୍ଣାନନ୍ଦ

 

ସାରସ୍ୱତ ସ୍ରଷ୍ଟାଟିଏ ପ୍ରତ୍ୟେକଟି ଅକ୍ଷର ମାଧ୍ୟମରେ ଶୂନ୍ୟତା ବିରୁଦ୍ଧରେ ଯୁଝେ । ତାର ସୃଷ୍ଟି ବ୍ୟାକୁଳ ଥାଏ ଜୀବନର ବହୁବିଧ ଅଭାବକୁ ଅସ୍ୱୀକାର କରି ପୂର୍ଣ୍ଣତାର ସଂଧାନ ଦେବାପାଇଁ । ପାଠକକୁ କେବଳ ପାଠ କରୁଥିବା ସମୟ ପାଇଁ ନୁହେଁ, ବରଂ ସବୁ ସମୟ ପାଇଁ ପୂର୍ଣ୍ଣତାର ଆନନ୍ଦରେ ତଲ୍ଲୀନ କରିଦେଇ ଜୀବନକୁ ବଂଚିବାର ନୂତନ ଅର୍ଥ ପ୍ରଦାନ କରିବାର ସଫଳତାହିଁ ଲେଖକୀୟ ଜୀବନର ଚରମ ସଫଳତା ।

 

ସ୍ୱର୍ଗତ ପୂର୍ଣ୍ଣାନନ୍ଦ ଦାନୀ ନିଜ ଜୀବଦ୍ଦଶାରେ ଏଇ ପ୍ରକାର ସୃଷ୍ଟି ପାଇଁ ବ୍ୟାକୁଳ ଥିଲେ । ସାଂପ୍ରତିକ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ସେ ଜୀବନଧର୍ମୀ କରାଇବାରେ ପ୍ରାୟାସୀ ହୋଇ ସ୍ଵପ୍ନ ଓ ବାସ୍ତବତାର ସଂଯୋଗକାରୀ ସେତୁଭାବେ ନିଜକୁ ପ୍ରତିଷ୍ଠିତ କରିପାରିବାରେ ସକ୍ଷମ ହୋଇଥିଲେ । ସମସାମୟିକ ଗଳ୍ପ ସାହିତ୍ୟକୁ ଗତାନୁଗତିକତାରୁ ମୁକ୍ତ କରାଇ ଏକ ମୌଳିକ ଗଳ୍ପଶୈଳୀ ପ୍ରଦାନ କରିବାରେ ସେ ଅନେକାଂଶରେ ସଫଳ ହୋଇଥିଲେ ।

 

ତାଙ୍କ ଗଳ୍ପ ରଚନାର ପ୍ରାରମ୍ଭକାଳରେ ସୁରେନ୍ଦ୍ର ମହାନ୍ତିଙ୍କ କଥାଶୈଳୀ ବେଶ୍ ସୁଦୃଢ଼ ହୋଇ ଜନାଦୃତ ହୋଇସାରିଥିଲା । ପୁଣି ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, କୃଷ୍ଣପ୍ରସାଦ ମିଶ୍ର ଇତ୍ୟାଦି ନିଜ ନିଜ ଢଙ୍ଗରେ ବେଶ୍ ପ୍ରତିଷ୍ଠିତ କଥାକାରରେ ରୂପାନ୍ତରୀତ ହୋଇସାରିଥିଲେ । ତାହା ମଧ୍ୟ ଥିଲା ମନୋଜ ଦାସଙ୍କ ଗଳ୍ପ ରଚନାର ମଧ୍ୟାହ୍ନ ସମୟ, ପ୍ରଖ୍ୟାତ ଜୀବନବାଦୀ ଗାଲ୍ପିକ ଅଖିଳମୋହନ ପଟ୍ଟନାୟକ ତଥା’ ରବି ପଟ୍ଟନାୟକଙ୍କ ଗଳ୍ପରଚନାର ବସନ୍ତ ଋତୁ । ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ମଧ୍ୟ ସେତେବେଳେ ଗଳ୍ପ ଜଗତରେ ତରୁଣ ପ୍ରାଣର ପ୍ରାରବ୍ଧ ଓ ଉପଲବ୍‍ଧିରେ ପରିଣତ ହୋଇସାରିଥିଲେ । ଓଡ଼ିଆ କଥା ସାହିତ୍ୟ ସେଇ ସମୟରେ ଓ ସ୍ଵପ୍ନର ମଧୁର ସମନ୍ଵୟରେ ସୃଷ୍ଟି କରିଥିଲା ଏକ ସାହିତ୍ୟିକ ଇନ୍ଦ୍ରଧନୁଯୁକ୍ତ ପରିବେଶ-। ତରୁଣ ଓ ପ୍ରବୀଣ ଚିନ୍ତାର ସେତୁଭାବେ ଗତ ଶତାବ୍ଦୀର ଷାଠିଏ ଦଶକରେ ପୂର୍ଣ୍ଣାନନ୍ଦଙ୍କର ଆବିର୍ଭାବ ଘଟେ ଓଡ଼ିଆ ଗଳ୍ପଲିଖନ କ୍ଷେତ୍ରରେ ଏକ ମନମତାଣିଆ ସୋରିଷ ଫୁଲର ସୁନେଲୀ ରୂପ ଗ୍ରହଣ କରି ।

 

ମୋର ବେଶ୍ ମନେ ଅଛି ସେ ଦିନର କଥାଗୁଡ଼ିକ । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରଗଡ଼ ସହରର ଏକ ସଂଭ୍ରାନ୍ତ ବିଦ୍ୟାଳୟ ଜର୍ଜ ହାଇସ୍କୁଲରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରି ଢେଙ୍କାନାଳ ମହାବିଦ୍ୟାଳୟରେ କିଛି ଦିନ ଶିକ୍ଷାର୍ଥୀ ହୋଇ ସମ୍ବଲପୁରସ୍ଥିତ ଗଂଗାଧର ମେହେର ମହାବିଦ୍ୟାଳୟକୁ ଆସିଥାଏ । ସେତେବେଳେ ପ୍ରାକ୍ ବିଶ୍ଵବିଦ୍ୟାଳୟ ଶ୍ରେଣୀଥାଏ କଲେଜ ଜୀବନର ପ୍ରାରଂଭ । ମୁଁ ମେହେର କଲେଜରେ ପ୍ରାକ୍ ବିଶ୍ଵବିଦ୍ୟାଳୟର ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥାଏ । ଦେଖିଲି, ସବୁ ଶନିବାରର ଅଳସ ଅପରାହ୍ନରେ କଲେଜ ହଲରେ କିଛି ପିଲା ବସି କିଛି ଆଲୋଚନା କରୁଛନ୍ତି । କେହି କେହି ଅଭିଭାଷଣ ଦେବାପରି କିଛି କିଛି କହିବାରେ ତଲ୍ଲୀନ । ଦୁଇ ଚାରିଥର ଏ ଦୃଶ୍ୟ ଅବଲୋକନ କରି ମୁଁ ସେଠାରେ ବସିଥିବା ଛାତ୍ରମାନଙ୍କୁ ଏହା କ’ଣ ହେଉଛି ବୋଲି ଜିଜ୍ଞାସା କରିବାରୁ ଜାଣିବାକୁ ପାଇଲି ଯେ, ପ୍ରତି ସପ୍ତାହର ଶନିବାର ଅପରାହ୍ନରେ ଅନୁଷ୍ଠିତ ଏଇ ବୈଠକମାନଙ୍କରେ ସାହିତ୍ୟ ଚର୍ଚ୍ଚା ହୁଏ । ସେଠାରେ ସ୍ୱରଚିତ କବିତା, ଗଳ୍ପ, ପ୍ରବଂଧ ଇତ୍ୟାଦି ନେଇ ଛାତ୍ର/ଛାତ୍ରୀମାନେ ଯାଆନ୍ତି, ତାହା ସେଠାରେ ପାଠ କରାଯାଏ । ତା’ ଉପରେ ଆଲୋଚନା ହୁଏ । ବତ୍କୃତା ଆକାରରେ ବିଭିନ୍ନ ଛାତ୍ରଛାତ୍ରୀ ନିଜର ମତ ପ୍ରକାଶ କରନ୍ତି । ପିଲାଟି ଦିନରୁ ମୋର ମଧ୍ୟ ସାହିତ୍ୟରେ ବେଶ୍ ଋଚି ଥିଲା । ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ମୋର ଲେଖା ‘ମୀନାବଜାର’, ‘ଶିଶୁରାଇଜ’, ‘କିଶୋର ଫଉଜ’ ଇତ୍ୟାଦି ପୃଷ୍ଠାରେ ପ୍ରକାଶିତ ହୋଇସାରିଥାଏ । ତେଣୁ ଆଗ୍ରହର ସହ ମୁଁ ମେହେର କଲେଜର ସେଇ ଅଣସ୍ୱୀକୃତିପ୍ରାପ୍ତ ସାହିତ୍ୟ ଆସରରେ ଯୋଗଦେବାକୁ ଲାଗିଲି । ଏହି ଆସରକୁ ଅଣସ୍ୱୀକୃତିପ୍ରାପ୍ତ କହିବାର ତାତ୍ପର୍ଯ୍ୟ ଏହି ଯେ, ଏହି ଅନୁଷ୍ଠାନ କଲେଜ କର୍ତ୍ତୃପକ୍ଷ ବା କୌଣସି ଅଧ୍ୟକ୍ଷ ବା ଅଧ୍ୟାପକଙ୍କ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ନ ହୋଇ ସାହିତ୍ୟ ସୃଷ୍ଟିରେ ତଲ୍ଲୀନ ବା ଋଚି ରଖୁଥିବା ଶିକ୍ଷାର୍ଥୀମାନଙ୍କ ଦ୍ୱାରା ପରିଚାଳିତ । କଲେଜ କର୍ତ୍ତୃପକ୍ଷଙ୍କର ମଧ୍ୟ ଏଥିରେ କେବେ ଆପତ୍ତି କିମ୍ବା ହସ୍ତକ୍ଷେପ କଥା ମୁଁ ସ୍ମରଣ କରିପାରୁନି । ସାହିତ୍ୟାନୁରାଗୀ ଶିକ୍ଷାର୍ଥୀଙ୍କ ଦ୍ୱାରା ଗଠିତ ଏହି ସାରସ୍ୱତ ଆସରର ନାମ ଥିଲା ‘ଉଦୟନ ସାହିତ୍ୟ ଆଳାପନୀ ।

 

ଏହି ଆଳାପନୀରେ ମୋର ପରିଚୟ ହେଲା ସାଂପ୍ରତିକ ଓଡ଼ିଆ ସାହିତ୍ୟର ତିନୋଟି ଆଦରଣୀୟ ବ୍ୟକ୍ତିତ୍ୱଙ୍କ ସହିତ । ସେମାନେ ହେଲେ କବି ଗୋପାଳକୃଷ୍ଣ ରଥ, କଥାକାର ପୂର୍ଣ୍ଣାନନ୍ଦ ଦାନୀ, କବି ଓ ପ୍ରାବନ୍ଧିକ ପ୍ରଫୁଲ୍ଲ କୁମାର ତ୍ରିପାଠୀ । ସେହିଠାରେ ପରିଚୟ ଘଟିଲା ବିଶିଷ୍ଟ ସାହିତ୍ୟ ସଂଗଠକ ହାଡ଼ିବନ୍ଧୁ ମିର୍ଦ୍ଧାଙ୍କ ସହିତ ମଧ୍ୟ । ପରେ ସେହି ପରିବାରରେ (କିଛି ବର୍ଷ ବ୍ୟବଧାନ ପରେ ଅବଶ୍ୟ) ଈଶ୍ୱର ନାୟକ ଓ ଅଶ୍ୱିନୀ ମିଶ୍ର ଯୋଗ ଦେଇଥିଲେ । ଉଦୟନ ସାହିତ୍ୟ ଆଳାପନୀ ମାଧ୍ୟମରେ ମୁଁ ପୂର୍ଣ୍ଣାନନ୍ଦ ଦାନୀଙ୍କ ସାନ୍ନିଧ୍ୟ କେବଳ ଲାଭ କରି ନଥିଲି, କଲେଜ ଜୀବନର ପ୍ରାରମ୍ଭରେ ହଠାତ୍ ମୁଁ ନିଜକୁ ଜଣେ ସାବାଳକ ସାରସ୍ଵତ ସ୍ରଷ୍ଟାର ଭୂମିକାରେ ଆବିଷ୍କାର କରିଥିଲି । ତାଙ୍କର ମାର୍ଗଦର୍ଶନ ମୋତେ ନିଜର ସୃଷ୍ଟି ଭିତରେ ଅପୂର୍ବ ପୁଲକ ତଥା ପ୍ରବୁଦ୍ଧ ଚେତନା ପ୍ରଦାନ କରିବାରେ ସହାୟକ ହୋଇଥିଲା ।

 

ମୋଠାରୁ ବରିଷ୍ଠ ଥିଲେ ସେ । ମୋର ପ୍ରାକ୍ ବିଶ୍ଵବିଦ୍ୟାଳୟ ଶ୍ରେଣୀର ପଠନ ବେଳେ, ବୋଧହୁଏ ସେ ଶେଷବର୍ଷ ବି. ଏ. ର ଛାତ୍ର ଥିଲେ । ତଥାପି ଆମ ଭିତରେ କେବେ ବି ବରିଷ୍ଠ ବା କନିଷ୍ଠ ଭାବ ପ୍ରତିଷ୍ଠା ନ ହୋଇ ସମଭାବ ସୃଷ୍ଟି ହୋଇଥିଲା । ମୁଁ ତାଙ୍କର ମହାନ୍ତିପଡ଼ା ବାସ ଭବନକୁ ପ୍ରାୟତଃ ଯିବା ଆସିବା କରିବାକୁ ଲାଗିଲି ଏବଂ ସେ ବି ଆମର ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ନଗରସ୍ଥିତ ଏଲ.ଆଇ.ସି. କଲୋନୀରେ ବାପାଙ୍କ ସରକାରୀ ବାସଭବନକୁ ଯିବା ଆସିବା କରନ୍ତି । ସେ ଶୁଣାନ୍ତି ତାଙ୍କର ସଦ୍ୟ ରଚିତ ଗଳ୍ପ ସବୁ ଏବଂ ମୁଁ ଶୁଣାଏ ମୋର କବିତା, ମୋର ଆଦ୍ୟ କଲେଜ ଜୀବନର କବିତାମାନଙ୍କର ସେ ଥିଲେ ଗୁଣଗ୍ରାହୀ ଶ୍ରୋତା । ମୁଁ ତାଙ୍କ ଗଳ୍ପମାନଙ୍କ ସମ୍ପର୍କରେ ଟିପ୍ପଣୀ ଦିଏ, ସେ ବି ମୋ କବିତାମାନଙ୍କ ସମ୍ପର୍କରେ ଟିପ୍ପଣୀ ଦିଅନ୍ତି, ଏହିପରି ଭାବର ଆଦାନ ପ୍ରଦାନ ପ୍ରାୟ ୨/୩ ବର୍ଷ ଯାଏଁ ଆମ ଭିତରେ ବିଦ୍ୟମାନ ଥିଲା ।

 

ପରେ ମୋର ପ୍ରତ୍ୟକ୍ଷ ବାମପନ୍ଥୀ ଛାତ୍ର ରାଜନୀତିର ଜୀବନର ଅୟମାରମ୍ଭ ହେଲା ଏବଂ ସେ ରାଜନୀତି ପ୍ରତି ବୀତସ୍ପୃହ ଥିଲେ । ମୋର ବାମପନ୍ଥୀ ଦୃଷ୍ଟିଭଙ୍ଗୀକୁ ସେ ସ୍ୱୀକାର କରୁଥିଲେ ସତ୍ୟ, କେବେ ସକ୍ରିୟ ଭାବେ ଆମ ଆନ୍ଦୋଳନ । ସଭା-ସମିତି ଇତ୍ୟାଦିରେ ଯୋଗ ଦେଉ ନଥିଲେ । ତାଙ୍କୁ ଫେଲୋ ଟ୍ରାଭେଲର ନ କହି ସିମ୍ପାଥାଇଜର କହିବା ଅଧିକ ସମୀଚୀନ ହେବ ।

 

କିନ୍ତୁ ଗୋଟିଏ ବିଷୟରେ ଆମେ ଏକମତ ଥିଲୁ ଏବଂ ତା ହେଲା, ନିରବଚ୍ଛିନ୍ନଭାବେ ନିଜର ଆବେଗକୁ ସାରସ୍ୱତ ସୃଷ୍ଟି ମାଧ୍ୟମରେ ରୂପ ଦେବା । ମୋର କବିତା ଲେଖା ଓ ତାଙ୍କର ଗଳ୍ପଲେଖା ଅବ୍ୟାହତ ଥିଲା ।

 

୧୯୬୮ ସାଲରେ ସମ୍ବଲପୁରଠାରେ ସେତେବେଳକାର ପ୍ରଖ୍ୟାତ ରାଜ୍ୟସ୍ତରୀୟ ସାହିତ୍ୟ ସଂଗଠନ ‘ଓଡ଼ିଆ ଯୁବଲେଖକ ସମ୍ମେଳନ’ର ୪ର୍ଥ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନକୁ ସଫଳ କରାଇବାରେ ହାଡ଼ିବନ୍ଧୁ ମିର୍ଦ୍ଧା, ମୁଁ, ପୂର୍ଣ୍ଣାନନ୍ଦ ଦାନୀ ଏବଂ ସର୍ବୋପରି ସମ୍ବଲପୁରର ତତ୍‌କାଳୀନ ବରିଷ୍ଠ ସାହିତ୍ୟପ୍ରାଣ ଅଧ୍ୟାପକ ସ୍ୱର୍ଗତ ଅମୂଲ୍ୟକୃଷ୍ଣ ମିଶ୍ର, ସ୍ୱର୍ଗତ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା ବ୍ୟଙ୍ଗ କଥାଶିଳ୍ପୀ ସୁନୀଲ ମିଶ୍ର ଏବଂ ସମ୍ବଲପୁରର ତତ୍‌କାଳୀନ ନଗରପାଳ ଓ ପ୍ରାବନ୍ଧିକ ଡାକ୍ତର ଝସକେତନ ସାହୁଙ୍କ ଭୂମିକା ଅଗ୍ରଣୀ ଥିଲା । ସେଇ ଅବେଶନରେ ରାଉରକେଲାର ପ୍ରତିଷ୍ଠିତ ସାମ୍ବାଦିକ ଓ ସାହିତ୍ୟିକ ସ୍ୱର୍ଗତ ରଜନୀକାନ୍ତ ଦାସ ସଭାପତି ଭାବେ ଏବଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ମୁଁ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲି । ମାତ୍ର ପ୍ରଫୁଲ୍ଲ ତ୍ରିପାଠୀଙ୍କ ସହ ମତଭେଦ ଯୋଗୁଁ ଅଳ୍ପଦିନ ପରେ ନିଜ ପଦବୀରୁ ଇସ୍ତଫା ଦେଇଥିଲି । ସେଇ ସମୟରେ ପୂର୍ଣ୍ଣାନନ୍ଦବାବୁ ମୋତେ ଅନେକ ନୈତିକ ସମର୍ଥନ ଦେଇ ମୋର ସାଲିସ୍‍ବିହୀନ ଚିନ୍ତାକୁ ଶାଣିତ କରିବାରେ ସହାୟତା କରିଥିଲେ ।

 

୧୯୬୯ରେ ଓଡ଼ିଆ ଯୁବ ଲେଖକ ସମ୍ମେଳନର ପଞ୍ଚମ ଅଧିବେଶନ ବଲାଙ୍ଗୀରଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଆଜିର ବିଶିଷ୍ଟ କବି ବ୍ରଜନାଥ ରଥ ସଭାପତି ଓ ପୂର୍ଣ୍ଣାନନ୍ଦ ଦାନୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଫୁଲ୍ଲ ବାବୁଙ୍କ ସମୟରେ ଯୁବ ଲେଖକ ସମ୍ମେଳନ ଯେଉଁ ଭୟଙ୍କର ଗୋଷ୍ଠୀବିବାଦର ସମ୍ମୁଖୀନ ହୋଇଥିଲା, ପୂର୍ଣ୍ଣାନନ୍ଦ ବାବୁଙ୍କ ସରଳ, ତରଳ ଓ ସମସ୍ତଙ୍କୁ ଆପଣାର କରି ଚାଲିବାର ସହଜାତ ଗୁଣହେତୁ ଯୁବଲେଖକ ସମ୍ମେଳନ କାର୍ଯ୍ୟତଃ ବିଭକ୍ତିକରଣରୁ ମୁକ୍ତ ହୋଇ ପୁନରାୟ ସ୍ୱାଭାବିକ ଭାବେ କାର୍ଯ୍ୟକରି ପାରିଥିଲା । ଏହା ପୂର୍ଣ୍ଣାନନ୍ଦବାବୁଙ୍କ ସାଂଗଠନିକ ଯୋଗ୍ୟତାକୁ ସାରା ଓଡ଼ିଶାର ଯୁବଲେଖକମାନଙ୍କ ନିକଟରେ ପ୍ରଶଂସନୀୟ କରି ଗଢ଼ିତୋଳି ପାରିବାରେ ସହାୟକ ହୋଇଥିଲା ।

 

ପ୍ରାରମ୍ଭିକ ଜୀବନ ପରେ ଆମର ସାଧାରଣ ବୃତ୍ତିରେ ପ୍ରବେଶ କରିବା ପରବର୍ତ୍ତୀ ସମୟରେ ସମ୍ପର୍କ ବିଶେଷ ରହି ପାରିଲା ନାହିଁ । ସେ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟାପକ ଭାବେ ଅନେକ ବର୍ଷ କାର୍ଯ୍ୟ କରିଥିଲେ । ମୁଁ ଭୁବନେଶ୍ୱରକୁ ଓ ପରେ କଟକକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନେଇଥିଲି । ହେଲେ ଭାବଗତ ସମ୍ପର୍କ ଶେଷଯାଏଁ ଥିଲା ।

 

ଏଇ ଭାବଗତ ସମ୍ପର୍କ ରହିବାର ଏକମାତ୍ର କାରଣ ଥିଲା ତାଙ୍କର କଥା ସାହିତ୍ୟ । ପୂର୍ବରୁ କହିଛି, ସୁରେନ୍ଦ୍ର ମହାନ୍ତି ଓ ତାଙ୍କ ସମସାମୟିକ କଥା ଶିଳ୍ପୀମାନଙ୍କ ପ୍ରଭାବରୁ ପୁରାପୁରି ମୁକ୍ତ ହୋଇ ଓଡ଼ିଆ ଗଳ୍ପ ଜଗତରେ ପୂର୍ଣ୍ଣାନନ୍ଦ ଏକ ନୂତନ ପଥ ନିର୍ମାଣ କରିବା ପାଇଁ ପ୍ରଯତ୍ନ କରିଥିଲେ-। ତାଙ୍କ କାହାଣୀରେ ଅନ୍ୟସମସ୍ତଙ୍କ କାହାଣୀ ପରି ଆବେଗ, ରୋମାଣ୍ଟିକ ଚେତନା, ପ୍ରେମ-ପ୍ରଣୟ-ବିରହ ଇତ୍ୟାଦି ସବୁ ଗତାନୁଗତିକ ଥିଲେ ବି ଚିନ୍ତାରେ ଏବଂ ଶୈଳୀରେ ଏକ ନୂତନ ସ୍ୱାଦ ରହିଥିଲା । ତାଙ୍କର ଶବ୍ଦଚୟନ, ବାକ୍ୟଗଠନ ଏବଂ ବର୍ଣ୍ଣନା ନୂଆ ନୂଆ ଲାଗୁଥିଲା । ଆଜି ପିଢ଼ିର ବହୁ କଥାକାରମାନଙ୍କର ସାରସ୍ଵତ ଅଂକୁରୋଦ୍‌ଗମ୍ ପୂର୍ଣ୍ଣାନନ୍ଦଙ୍କ ଦ୍ଵାରା ବପନ କରାଯାଇଥିବା ବୀଜର ଆଧାରରେ ହୋଇଛି ବୋଲି କହିବା ଆଦୌ ବାହୁଲ୍ୟ ହେବ ନାହିଁ ।

 

ଏହି ଯଶସ୍ତ୍ରୀ କଥାକାରଙ୍କୁ ଆଞ୍ଚଳିକତାର କ୍ଷୁଦ୍ର ଗଂଡିରେ ଆବଦ୍ଧ କରିବା, ଆକାଶକୁ ହାତମୁଠାରେ ମୁଠାଇ ଧରିବାର ପ୍ରୟାସ ସଦୃଶ ହେବ । ସେ ଥିଲେ କଥାସାହିତ୍ୟ ସଂସାରରେ ବିଂଶ ଶତାବ୍ଦୀର ଉତ୍ତର ଷଷ୍ଠ ଦଶନ୍ଧିର ତରୁଣ ପ୍ରାଣର ନୂତନ ଆବାହନୀ ସଂଗୀତ ।

 

ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ହୋଇଥିଲେ ଠିକ୍ ମୋରି ପୂର୍ବରୁ । କ୍ୟାନସରର କ୍ରୂର ବ୍ୟାଧି ତାଙ୍କୁ ଅସମୟରେ ଆରମ୍ଭମାନଙ୍କଠାରୁ ଦୂରେଇ ନେଇଗଲା ଅଫେରା ରାଇଜକୁ । ଯେତେବେଳେ ଆମ ଭାଷା-ସାହିତ୍ୟ ତାଙ୍କଠାରୁ ଆହୁରି ଅନେକ ପ୍ରବୁଦ୍ଧ ସୃଷ୍ଟି ମାନ ଆଶା କରୁଥିଲା, ସେ ଆମ୍ଭମାନଙ୍କଠାରୁ ଚିରଦିନ ପାଇଁ ମେଲାଣୀ ଘେନିଲେ ।

 

ତାଙ୍କରି ସ୍ମୃତି ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀ ବିନୀତ ଦଣ୍ଡବତ ଜଣାଇ କୋଣାର୍କର ଏଇ ସ୍ମୃତି ସଂଖ୍ୟା ପ୍ରକାଶିତ କରି ତାଙ୍କର ଅନେକ ଅନାଲୋଚିତ ସାରସ୍ୱତ ସୃଷ୍ଟି ତଥା ବ୍ୟକ୍ତିତ୍ଵର ଆଲୋଚନା କରିବାକୁ ନମ୍ର ପ୍ରୟାସ କରିଛି । ବହୁ ସ୍ରଷ୍ଟା ଓ ଆଲୋଚକ ଏହି ସଂଖ୍ୟାରେ ପୂର୍ଣ୍ଣାନନ୍ଦବାବୁଙ୍କ ଗଳ୍ପ ଓ ପ୍ରବନ୍ଧ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଛନ୍ତି । ତାଙ୍କର ଡକ୍ଟରେଟ ଉପାଧି ପାଇଁ ରଚିତ ସଂଦର୍ଭ ଉପରେ ବି ଆଲୋଚନା କରାଯାଇଛି ।

 

ସଂପାଦକୀୟ ପୃଷ୍ଠାରେ ମୁଁ କିନ୍ତୁ ବ୍ୟକ୍ତି ପୂର୍ଣ୍ଣାନନ୍ଦ ଓ ତାଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋଚନା ଏଇଥିପାଇଁ କରିବା ଉଚିତ ମନେ କଲି ଯେ, ଆମ ସମୟରେ ବରିଷ୍ଠ ଓ କନିଷ୍ଠ ସ୍ରଷ୍ଟାମାନଙ୍କ ମଧ୍ୟରେ ସମ୍ପର୍କର କଡ଼ିସବୁ କ୍ରମଶଃ ହୁଗୁଳା ହୋଇ ଯାଉଥିବା ବେଳେ, ଆଜିକୁ ୪୦/୪୫ ବର୍ଷ ତଳର ଏକ ସରଳ, ସାବଲୀଳ କିନ୍ତୁ ସୃଷ୍ଟିର ଗାମ୍ଭୀର୍ଯ୍ୟରେ ଭରପୁର ସାହିତ୍ୟ ସ୍ରଷ୍ଟାର ବିରଳ ଚରିତ୍ର ସମ୍ପର୍କରେ ପାଠକମାନଙ୍କୁ ଏକ ଧାରଣା ଦେଇ କହିବା ପାଇଁ ସୃଷ୍ଟିଶୀଳ ମଣିଷକୁ ଦର୍ପ ଅଭିମାନ ଶୋଭାଦିଏ ନା । ଏଇକଥା ପୂର୍ଣ୍ଣାନନ୍ଦ ଦାନୀ ନ କହି ଆଚରଣରେ ଶିଖାଇଥିଲେ । ସେ ଥିଲେ ଏକ ଉଦାର ଓ ଆଶାବାଦୀ ସାରସ୍ଵତ ସ୍ରଷ୍ଟା ।

 

ନୂତନକୁ ପୁରାତନ ସ୍ୱାଗତ କରିବାର ଏକ ପରମ୍ପରା ସୃଷ୍ଟିପାଇଁ ପୂର୍ଣ୍ଣାନନ୍ଦ ବାବୁଙ୍କୁ ଆମେ ଆଜି ସ୍ମରଣ କରିବା ନିହାତି ପ୍ରାସଙ୍ଗିକ ବିଷୟ, ଏଥିରେ ସନ୍ଦେହ ନାହିଁ । ପୂର୍ଣ୍ଣାନନ୍ଦ ବାବୁଙ୍କ ସମସ୍ତ ସୃଷ୍ଟି ଅମଳିକ ହୋଇ ଆମ ଭାଷା-ସାହିତ୍ୟର ସାରସ୍ୱତ ଭଣ୍ଡାରରେ ସବୁଦିନ ପାଇଁ ସାଇତା ହୋଇ ରହିଥିବ ଏବଂ ଶ୍ରୀବୃଦ୍ଧି ସାଧନ କରୁଥିବ, ଏହା କରିବା ବାହୁଲ୍ୟ ମାତ୍ର ।

(ହୁସେନ ରବିଗାଂଧୀ)

***

 

ପୂର୍ଣ୍ଣାନନ୍ଦ ଦାନୀ : ଜୀବନାନୁରାଗୀ ଦୃଷ୍ଟି ଓ ଦିଗ୍ୱଳୟ

ପ୍ରଭାତୀ ରଥ

 

ସାହିତ୍ୟର ଯେ କୌଣସି ବିଭବ ହେଉନା କାହିଁକି ମଣିଷ ଜୀବନ ଓ ତା’ର ଜୀବନାନୁଭୂତି ହେଉଛି ମୂଳ ଉତ୍ସ । ମଣିଷ ଜୀବନର ସୁଖ ଦୁଃଖ, ଲାଭ କ୍ଷତି, ସଫଳତା ବିଫଳତାର ତିକ୍ତ ମଧୁର ଅନୁଭବକୁ ନେଇ ସ୍ରଷ୍ଟାର ସୃଷ୍ଟି ସମ୍ଭାର ହୁଏ ବୈଚିତ୍ର୍ୟମୟ । ସାଧାରଣ ଓ ଗତାନୁଗତିକ ଜୀବନଧାରାରେ ସ୍ରଷ୍ଟାମାନସର ସୂକ୍ଷ୍ମ ଭାବୋପଲବ୍‍ଧି ଏବଂ ତାର କଳାତ୍ମକ ରୂପାୟନରେ ସାରସ୍ୱତକୃତିକୁ କରିଥାଏ କାଳଜୟୀ । ସମୟ ପ୍ରବାହରେ ବହୁ ପାରିପାର୍ଶ୍ୱିକ ପରିସ୍ଥିତି ମଧ୍ୟରେ ଗତି କରୁଥିଲେ ମଧ୍ୟ ସୃଷ୍ଟି ମଧ୍ୟରେ ସ୍ରଷ୍ଟା ଅମରତ୍ୱ ଲାଭ କରେ ।

 

ଓଡ଼ିଆ ଗଳ୍ପ ଜଗତରେ ପୂର୍ଣ୍ଣାନନ୍ଦ ଦାନୀ ଜଣେ ସ୍ମରଣୀୟ ପ୍ରତିଭା । ଦୀର୍ଘ ତିରିଶ ବର୍ଷ ଧରି ତାଙ୍କର ସାରସ୍ୱତ ସାଧନା ମୁଖ୍ୟତଃ ଗଳ୍ପ କ୍ଷେତ୍ରରେ ସେ ବିପୁଳ ସିଦ୍ଧିର ଅଧିକାରୀ । ଗଳ୍ପ ରଚନା ପ୍ରସଙ୍ଗରେ ଲେଖକ କହନ୍ତି – “ମୋର ଗଳ୍ପମାନଙ୍କରେ ଯାହା ସବୁ କୁହାଯାଇଛି ସେ ସମସ୍ତ ଶେଷ କଥା ନୁହେଁ । ତଥାପି କହିବା କଥା କହି ଦେବା ଦରକାର । ପୁଣି ଗଳ୍ପମାନଙ୍କରେ ସବୁ କଥା ଯେ କହି ହୋଇଯିବ, ଏପରି ଆଦୌ ନାହିଁ । xxx ପୃଥିବୀଟା ଜୀବନଟା ଯେ କାହାଣୀର ଏକ କୁହୁକ ପେଡ଼ି । ସେହି ପେଡ଼ିରୁ କାହାଣୀ ଯେତେ ବାହାର କଲେ ବି ସରେ ନାହିଁ । xxx ଏହି ପେଡ଼ି ଭିତରକୁ ଯେତେବେଳେ ଯେମିତି ମୋର ଦୃଷ୍ଟି ପ୍ରସାରିତ ହୋଇଛି ସେତିକି ଦୂର ଯାଏଁ ସେତେବେଳେ ସେମିତି ଦେଖିବା ପାଇଁ ଚେଷ୍ଟା କରିଛି ଏବଂ ଦେଖାଇ ଦେବାକୁ ଚେଷ୍ଟା କରିଛି । ଏଠାରେ ମଣିଷ ଜୀବନର ବିଭିନ୍ନ ଦିଗ ପ୍ରତି ଗାଳ୍ପିକ ଦୃଷ୍ଟି ସଚେତନ । ସମସାମୟିକ ଜୀବନ ପରିଧିରୁ ସଂଗୃହୀତ ବହୁବିଧ ଘଟଣାକୁ ନେଇ ଅନ୍ତରଂଗ ଭାବ ମଧ୍ୟରେ ନିୟନ୍ତ୍ରିତ ତାଙ୍କ ଗଳ୍ପର ଗତି ଓ ପ୍ରକୃତି । ଯେଉଁଠାରେ ରହିଛି ଜୀବନାନୁରାଗୀ ଦୃଷ୍ଟି ଏବଂ ସମଗ୍ର ମଣିଷଜାତି ପାଇଁ ଏକ ହୃଦୟ ସହିତ ଅନ୍ୟ ହୃଦୟକୁ ସମ୍ମିଳିତ କରିବା ନିମନ୍ତେ ଶିଳ୍ପୀ ପ୍ରାଣର ବ୍ୟାକୁଳତା । ରହିଛି ମଣିଷ ଜୀବନ ସହ ସାମାଜିକ ବାସ୍ତବତା, ସୁସମନ୍ୱୟ ପୁଣି ଏକ ବୃହତ୍ତର ପରିମଣ୍ଡଳର ପରିକଳ୍ପନା, ଯାହାକୁ ଭାବଚକ୍ଷୁରେ ଦେଖିହୁଏ । ଗଭୀର ଆତ୍ମୋପଲବ୍ଧି ମଧ୍ୟରେ ବିଷୟବସ୍ତୁର ସଫଳ ପରିପ୍ରକାଶ ଘଟିଥାଏ ରଚନାକୃତିରେ ।

 

ଗାଳ୍ପିକ ଦାନୀ ଜଣେ ଜୀବନବାଦୀ ଶିଳ୍ପୀ । ପୃଥିବୀରେ ପ୍ରତ୍ୟେକ ଶିଳ୍ପୀର ଶିଳ୍ପ ସାଧନାରେ ଜୀବନ ପ୍ରତି ନିବିଡ଼ ଅଙ୍ଗୀକାର ବଦ୍ଧତା ରହିଥିଲେ ହେଁ ତାହା ରଚନାଶୈଳୀ । ବିଷୟବସ୍ତୁଗତ ଉପସ୍ଥାପନା, ସୁନ୍ଦର ସ୍ୱାଭାବିକ ବର୍ଣ୍ଣନାବିଳାସ ମାଧ୍ୟମରେ ଶିଳ୍ପ ପ୍ରତିଭାକୁ ଚିହ୍ନଟ କରିଥାଏ ଭିନ୍ନ ଭିନ୍ନ ଦୃଷ୍ଟିରେ । ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଖଣ୍ଡ ବହୁ ରଚନାକୃତି ମଧ୍ୟ ସାର୍ବଜନୀନତା ଲାଭ କରି ପାରି ନଥାଏ । ଅପର ପକ୍ଷରେ ପରିମାଣାତ୍ମକ ଦୃଷ୍ଟିରୁ ସ୍ୱଳ୍ପ ହେଲେ ମଧ୍ୟ ଗୁଣାତ୍ମକ ମୂଲ୍ୟବୋଧ ଯୋଗୁଁ କିଛି କିଛି ସୃଷ୍ଟି କାଳକୁ ଅତିକ୍ରମ କରି ହୋଇଥାଏ କାଳାତୀତ-। ବସ୍ତୁତଃ ବ୍ୟକ୍ତିତ୍ୱର ପ୍ରଭାବ, ଜୀବନ ସହ ଜାଗତିକ ସମ୍ପର୍କ, ନିଜସ୍ୱ ଅବବୋଧ ସାରସ୍ୱତ କର୍ମକୁ ପ୍ରଭାବିତ କରେ ।

 

ଏ ଦୃଷ୍ଟିରୁ ଗାଳ୍ପିକ ପୂର୍ଣ୍ଣାନନ୍ଦ ଦାନୀଙ୍କ ସରଳ, ମାର୍ଜିତ, ଅମାୟିକ ବ୍ୟକ୍ତିତ୍ଵର ସ୍ଵଚ୍ଛ ପ୍ରତିଫଳନ ପାଠକ ଗାଳ୍ପମାନଙ୍କରେ ଲକ୍ଷ୍ୟ କରିପାରେ । ଦୀର୍ଘଦିନ ଧରି ଶିକ୍ଷକତା କରିବା ସହ ଜନଜୀବନକୁ ଅତ୍ୟନ୍ତ ନିକଟରୁ ଦେଖି ସେମାନଙ୍କ କାର୍ଯ୍ୟକଳାପକୁ ନିରୀକ୍ଷଣ କରିବା ଭିତରେ ସମାଜ ସଚେତନଶୀଳ ଦୃଷ୍ଟି ରହିଛି ଗଛର କଥାବସ୍ତୁ ମାଧ୍ୟମରେ । କେବଳ ଜଣେ ଆଦର୍ଶ ଶିକ୍ଷକ ଭାବରେ ଛାତ୍ର/ଛାତ୍ରୀଙ୍କୁ ବିଦ୍ୟାଦାନ କରିବା ସହ ଦୈନନ୍ଦିନ ଜୀବନରେ ସୁଖ ଦୁଃଖ ଶୁଣିବା ପାଇଁ ତାଙ୍କ ଗାଳ୍ପିକ ପ୍ରାଣ ହୋଇ ଉଠୁଥିଲା ଉଦ୍‍ବେଳିତ । ଅନ୍ୟର ବ୍ୟଥା ବେଦନାରେ ହୃଦୟ ହୋଇଉଠୁଥିଲା ବ୍ୟଥିତ । ଲରମ୍ଭା ମହାବିଦ୍ୟାଳୟରେ ଅଧ୍ୟାପନା କାଳରେ ଛାତ୍ର/ଛାତ୍ରୀଙ୍କୁ ଅଭାବ ଅସୁବିଧା ପ୍ରତିକୂଳ ପରିସ୍ଥିତି ବଶତଃ ମାନସିକ ଦୁଃଖକୁ ଲାଘବ କରିବା ସକାଶେ ତାଙ୍କର ସସ୍ନେହ ଆଳାପ ଆଲୋଚନା ମନରେ ଆଣି ଦେଉଥିଲା ପରମ ତୃପ୍ତି, ପ୍ରାଣରେ ଭରି ଦେଉଥିଲା ଆମକୁ ବାଟ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ, ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବା ପାଇଁ ଅସୀମ ଉତ୍ସାହ ଓ ନିଜକୁ ଯୋଗ୍ୟ କରିବା ପାଇଁ ମିଳୁଥିଲା ବିପୁଳ ପ୍ରେରଣା ।

 

ଆଜିର ବସ୍ତୁବାଦୀ ଚାକଚକ୍ୟ ଭିତରେ ଲାଗି ରହିଥିବା ପ୍ରତିଯୋଗିତା ପ୍ରତିଦ୍ୱନ୍ଦିତା ମଧ୍ୟରେ ଯିବାପାଇଁ ସେ କେବେ ଚାହିଁ ନ ଥିଲେ କୌଣସି ମାନ, ସମ୍ମାନ, ଉପଢୌକନ, ପୁରସ୍କାର ଗ୍ରହଣ ପାଇଁ ସେ ଆଶାୟୀ ନ ଥିଲେ । କୌଣସି ସ୍ଵାର୍ଥ ସାଧନ ନିମିତ୍ତ ନୀତି ନିୟମକୁ ଇଂଘନ କରି ଅନ୍ୟାୟ ଅନୀତି ପଥରେ ଯିବା ପାଇଁ, ମିଥ୍ୟା ପ୍ରତିଶ୍ରୁତି ମାଧ୍ୟମରେ କିଛି ପ୍ରଶସ୍ତି ଗାନ ଶୁଣିବା ପାଇଁ କେବେ ଇଛା କରିନଥିଲେ ବରଂ ଜଣେ ସ୍ଵାଭିମାନୀ, ନିଷ୍କପଟ, ମହାନୁଭବ ଦୃଷ୍ଟି ନେଇ ଦେଖିଥଲେ ଜୀବନକୁ । ପରିଦୃଶ୍ୟମାନ ଜଗତରେ ଚଳପ୍ରଚଳ ହେଉଥିବା ଶହ ଶହ ମଣିଷଙ୍କୁ ବୁଝି ପାରିଥିଲେ ସେମାନଙ୍କର ମନ ଗହନର ବ୍ୟଥା ଓ ବେଦନାକୁ ।

 

ଏକ ସୁଦୂରପ୍ରସାରୀ ଦୃଷ୍ଟି ନେଇ ମଣିଷର ଉଭୟ ପକ୍ଷକୁ ବିଚାର କରିଛନ୍ତି ତାଙ୍କ ଗଳ୍ପ ମାଧ୍ୟମରେ । ଏକ ଦିଗରେ ଅଜ୍ଞାନ, ଅନ୍ଧକାର ମଧ୍ୟରେ ଆଚ୍ଛନ୍ନ ସଂକୀର୍ଣ୍ଣତା, ହୀନମନ୍ୟତା ଜୀବନଯାପନ, ଅନ୍ୟ ଦିଗରେ ଏକ ଉଦାର, ମହିମ୍ନ, ଉର୍ଦ୍ଧ୍ଵଗ ଜଗତ ପ୍ରତି ଅନୁରାଗ ପ୍ରଦର୍ଶନ ପୂର୍ବକ ସରସ ସୁନ୍ଦର ଜୀବନର ମୁଗ୍‍ଧ ମଧୁର ସମାବେଶ ଘଟିଛି ତାଙ୍କର ଚରିତ୍ରମାନଙ୍କରେ । ପ୍ରକୃତରେ ଜଣେ ଜୀବନ ପ୍ରେମୀ ନ ହେଲେ ମଣିଷ ସହିତ ଏକାତ୍ମ ହୋଇପାରେ ନାହିଁ । ସେ ଯେଉଁ ଜାତି, ବର, ପଦ/ପଦବୀର କିମ୍ବା ଯେଉଁ ସ୍ଥାନରେ ରହୁନା କାହିଁକି ଆନ୍ତରିକ ଭାବ ମାଧ୍ୟମରେ ସମସ୍ତଙ୍କୁ ଆପଣାର ମନେ କରେ । ତା ପାଇଁ ପର ଆପଣା ଭାବ ରହେ ନାହିଁ । ବ୍ୟକ୍ତି ହୃଦୟରେ ଏକକ ଅନୁଭବ ସାମୂହିକରେ ରୂପାନ୍ତରିତ ହୋଇଥାଏ ।

 

ଗାଳ୍ପିକ ଦାନୀଙ୍କର ଗଳ୍ପ ଜଗତର ପରିସର ବ୍ୟାପକ । ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ହେଉ ପ୍ରତ୍ୟେକ ଗଳ୍ପର ପୃଷ୍ଠଭୂମିରେ ରହିଛି ବିଭିନ୍ନ ପ୍ରକାର ସାମାଜିକ ସମସ୍ୟା । ସାମାଜିକ ସ୍ତରରେ ଘଟି ଯାଉଥିବା ଘଟଣାବଳୀ, ତଜ୍ଜନିତ ଜନମାନସର କ୍ରିୟା ପ୍ରତିକ୍ରିୟା ଏବଂ ସମସ୍ୟାର ସମାଧାନ ନିମନ୍ତେ ରହିଛି ସମାନ ସଚେତନ ଶିଳ୍ପୀଙ୍କ ଦୃଢ଼ ସ୍ୱର । ଗଳ୍ପସ୍ଥିତ ଚରିତ୍ରମାନଙ୍କ ସହ ମାନବୀୟ ଭାବାବେଗର ସୂକ୍ଷ୍ମ ମନସ୍ତତ୍ତ୍ଵର ଚିତ୍ରଣ ଗଳ୍ପର ଅନ୍ୟତମ ବିଶେଷତ୍ୱ । ମଣିଷ ଜୀବନର ପ୍ରବୃତ୍ତି ବିଜଡ଼ିତ କାର୍ଯ୍ୟକଳାପ, ନାୟକ ପାଇଁ ନାୟିକା ପ୍ରାଣର ଭାବାବେଗ, ଆନନ୍ଦ ବିଷାଦ, ପ୍ରେମ, ବ୍ୟର୍ଥତା, ସ୍ୱାର୍ଥପରାୟଣତା, ହିଂସ୍ରତା, ଅହଂକାରିତା ପ୍ରଭୃତି ଗୁଣ ମଧ୍ୟରେ ସେ ଦେଖୁଛନ୍ତି ପାପ ମଧ୍ୟରେ ପୁଣ୍ୟକୁ; ଆସୁରିକତା ମଧ୍ୟରେ ମାନବୀୟ ଗୁଣାବଳୀର ଶୁଭ୍ର ସମୁଜ୍ଜ୍ୱଳ ଗୁଣାବଳୀକୁ-

 

ଗାଳ୍ପିକ ଦାନୀଙ୍କ ଲିଖିତ ନିଶା, ହଳଦିକିଆରୀ, ବଗିଚାର ଫୁଲମାନେ, କାଳୀୟ ଦଳନ ଓ ଅନ୍ୟାନ୍ୟ ଗଳ୍ପ କୃତିରେ ରହିଛି ଜୀବନ ପ୍ରତି ନିବିଡ଼ ଅନୁରାଗ, ଭଲ ପାଇବାର ଉଚ୍ଛଳ ଭାବାବେଗ-। ନାୟିକା ପାଇଁ ନାୟକର ଅତୃପ୍ତି ଅପ୍ରାପ୍ତିଜନିତ ଦୀର୍ଘଶ୍ୱାସ, ଅନ୍ତଃହୀନ ପ୍ରତୀକ୍ଷା ମଧ୍ୟରେ ମହନୀୟ ପ୍ରେମର ବର୍ଣ୍ଣନା ଗଳ୍ପକୁ, ସଫଳ କରି ପାରିଛି ତା ନୁହେଁ ଚରିତ୍ରମାନଙ୍କର ମନସ୍ତତ୍ତ୍ୱକୁ ପ୍ରକଟନ କରିବା ଦିଗରେ ମଧ୍ୟ ଗାଳ୍ପିକଙ୍କ ସ୍ଵର ହୋଇଛି ବାସ୍ତବାଭିମୁଖୀ ।

 

‘ନିଶା’ ଗଛରେ ଜଲିର ମନସ୍ତତ୍ତ୍ୱ ଏକ ରୋମାଣ୍ଟିକ ପରିବେଶ ମାଧ୍ୟମରେ ପ୍ରଦର୍ଶିତ । ଜଲି ଓ ଜୀବନାନନ୍ଦ ଉଭୟଙ୍କ ପ୍ରେମଭାବନା, ଆଶା ଆକାଂକ୍ଷା, ପରସ୍ପର ପ୍ରତି ଆକର୍ଷଣ, ଶେଷରେ ପ୍ରେମଜନିତ ଅସଫଳତା ମଧ୍ୟରେ ସୌନ୍ଦର୍ଯ୍ୟବୋଧ ରହିଛି ବିଭିନ୍ନ ସ୍ଥଳରେ । କେତେବେଳେ ପ୍ରକୃତିକୁ କେନ୍ଦ୍ରକରି ପ୍ରକଟିତ ହୋଇଛି ତ ପୁଣି କେତେବେଳେ ନାୟକ ନାୟିକା ମଧ୍ୟରେ ଥିବା ମଧୁର ସମ୍ପର୍କ ମଧ୍ୟରେ ଆତ୍ମ ପ୍ରକାଶ କରିଛି ଗଳ୍ପ ମାଧ୍ୟମରେ । ଧୂଆଁ’ ଗଛରେ ପିଅନ ଚଇତ ମୁଣ୍ଡାର ଚରିତ୍ର ମାଧ୍ୟମରେ ଆଜିର ବ୍ୟକ୍ତି ମାନସିକତାକୁ ଚିତ୍ରଣ କରିଛନ୍ତି । ଜଣେ ସଂବେଦନଶୀଳ ଆତ୍ମା ନେଇ ଗାଲ୍ପିକ ଦାନୀ ବୁଝିଛନ୍ତି ପିଅନ ଚଇତ ମୁଣ୍ଡାର ହୃଦୟର ବ୍ୟାଖ୍ୟା । ଲେଖକଙ୍କ ଭାଷାରେ, “ଫାଇଲର ପାହାଡ଼ ଭିତରୁ ସେଯାଏଁ ମୁଁ ଚଇତ ମୁଣ୍ଡାର ପେନସନ୍ ବାବଦ ଫାଇଲ କାଢ଼ି ନ ଥିଲି । ତା ବିଷୟରେ କିଛି ବୋଲି କିଛି ଜାଣି ନ ଥିଲି । ଏବେ ତା ନିଜ ମୁହଁରୁ ତା ଦୁଃଖ ଜାଣିଲି । ଦୟାର୍ଦ୍ର ହୋଇ ଉଠିଲା ମୋ ହୃଦୟ । ଇଚ୍ଛା ହେଉଥିଲା ପାଞ୍ଚ ଟଙ୍କିଆଟାଏ କି ଦଶଟଙ୍କିଆଟାଏ ବଢ଼େଇ ଦିଅନ୍ତି । ବିଚରାର କାମକୁ ଆସନ୍ତା । ମାତ୍ର ସାହେବ ପିଅନର ତାରତମ୍ୟ ମୋତେ ବାଧା ଦେଲା ଯଦିଓ ମାନବିକତା ମୋତେ ନିର୍ଦ୍ଦେଶ କରୁଥିଲା ଯେ ତୁ ନିଜ ଅହଂକାର ପାଖରେ ହାର ମାନି ଯାଇଛୁ ।

 

ପୂର୍ଣ୍ଣାନନ୍ଦଙ୍କ ଗଳ୍ପ ଜଗତ ବିଭିନ୍ନ ଚରିତ୍ରର ଏକ ମନୋଜ୍ଞ ଚିତ୍ରଶାଳା । ଗାଉଁଲି ମୁଢ଼ି ବିକାଳି ବୁଢ଼ୀ ଫେସକେଟ୍ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଫିସର ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପରିସରଭୁକ୍ତ । ବୟସ, ଶିକ୍ଷା, ଶ୍ରେଣୀ, ପଦମର୍ଯ୍ୟାଦା ନିର୍ବିଶେଷରେ ମାନବୀୟ ଦିଗ ପ୍ରତି ଗାଳ୍ପିକଙ୍କ ଦୃଷ୍ଟି ଚରିତ୍ର ମାନଙ୍କୁ ମହନୀୟ କରି ପାରିଛି ଯେପରି । ସମୟର ପରିବର୍ତ୍ତନ, ସାମାଜିକ ପ୍ରେକ୍ଷାପଟ୍ଟକୁ ନେଇ ଗାଳ୍ପିକ ଚରିତ୍ର ମଧ୍ୟରେ ସୃଷ୍ଟି କରିଛନ୍ତି ସାମାଜିକ ସଚେତନତା । ପ୍ରାଚୀନ ମୂଲ୍ୟବୋଧ ସହ ଆଧୁନିକ ଜୀବନ ଚର୍ଯ୍ୟାର ସମନ୍ୱୟରେ ଗୋଟିଏ ଗୋଟିଏ ଚରିତ୍ର ହୋଇପାରିଛି ସତେ ଯେପରି ଏକ ଏକ ସାର୍ଥକ ପ୍ରତିନିଧି ।

 

ଫେସ୍‍କେଟ୍ ଗଳ୍ପରେ ଫେସକେଟ୍ ନାମକ ଗ୍ରାମ୍ୟ ମୁଢ଼ିବିକାଳିର ସରଳତା ଭିତରେ ଫୁଟି ଉଠିଛି କୌଣସି ମହାରାଣୀର ରୂପଛବି । ଗାଳ୍ପିକଙ୍କ ଦୃଷ୍ଟିରେ – “ବୁଢ଼ୀ ଦ୍ଵାରବନ୍ଧ ପାରି ହେଉଥିଲା ସତର୍କରେ । ତା ମୁଣ୍ଡ ଉପରେ ମୁଢ଼ି ଓ ଚିନାବାଦାମ ଆଶ୍ରୟ ନେଇଥିବା ପାଟଛତା ଭଳି ଏବଂ ସେଇ ମହାରାଣୀ ଚାଲି ଯାଉଛି ଝୁଲି ଝୁଲି ନିଜ ରାଜରାସ୍ତାରେ । ତାକୁ ନମସ୍କାର କରିବା ପାଇଁ ବାରମ୍ବାର ଇଚ୍ଛା ହେଉଥିଲା । “ସେହିଭଳି ପଡ଼ୋଶିନୀ ଗଳ୍ପରେ ଅଧ୍ୟାପିକା ପ୍ରଣତି ରାୟଙ୍କ ମାଧ୍ୟମରେ କଥାକାରଙ୍କ ରହିଛି ସଂବେଦନଶୀଳ ଦୃଷ୍ଟି । ନିତିଦିନିଆ ଜୀବନର କୌଣସି ଏକ ସାଧାରଣ ଘଟଣା ମଧ୍ୟରେ ଦେଖି ପାରିଛନ୍ତି ଏବଂ ବୁଝି ପାରିଛନ୍ତି ଅଧ୍ୟାପିକାଙ୍କର ନାରୀ ମନସ୍ତତ୍ତ୍ୱକୁ ନେଇ । ପଡ଼ୋଶିନୀ ଭାବରେ ପ୍ରଣତି ରାୟଙ୍କୁ ସେ ଭୁଲି ପାରି ନାହାନ୍ତି । ତାଙ୍କ ଭାଷାରେ, “ପଡ଼ୋଶିନୀ ପ୍ରଣତି ରାୟଙ୍କୁ ମୁଁ ଭୁଲି ପାରିନାହିଁ, ବରଂ ବୁଝି ପାରିଛି ତାଙ୍କ ମନର ଯନ୍ତ୍ରଣା । ସେ ଯେ ଏକାନ୍ତ ଏକାକିନୀ - ଏଇ ଏକାକୀ ଭାବ ହିଁ ତାଙ୍କୁ ଛଟପଟ କରୁଥିବ ଏହା ହୁଏତ ସତକଥା । କେବଳ ସେତିକି ନୁହେଁ, ତାଙ୍କ ମନ ଭିତରେ ସେ ଏକ ମିଛ ଅହଙ୍କାର, ଏକ ଛଳନାର ଆଭିଜାତ୍ୟ, ଏକ ବସ୍ତୁବାଦୀ ମୋହ, ସର୍ବୋପରି ଏକ ଶୂନ୍ୟତାର ଖାଁ ଖାଁ ଭାବ ରହିଛି – ଏ କଥା ବି ମିଛ ନୁହେଁ । ତେବେ ଅଧ୍ୟାପିକା ରାୟ ଏ ପର୍ଯ୍ୟନ୍ତ ମାନବିକତାକୁ ବୁଝି ପାରି ନାହାନ୍ତି ବୋଲି ହୁଏତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।’’

 

ପୂର୍ଣ୍ଣାନନ୍ଦ ଥିଲେ ମାନବିକତାରେ ବିଶ୍ଵାସୀ । ମଣିଷର କ୍ରୂରତା, ଅସହିଷ୍ଣୁତା, ପରଶ୍ରୀକାତରତାଠାରୁ ଦୂରରେ ରହି ମାନବ ତଥା ମାନବୋତ୍ତର ଚରିତ୍ର ପ୍ରତି ଅଧିକ ଶ୍ରଦ୍ଧାଶୀଳ ହେଉ । ପରସ୍କର ମଧ୍ୟରେ ସାମ୍ୟ ମୈତ୍ରୀ ଭାବନା ଅଧିକ ସୁଦୃଢ଼ ହେଉ – ଏହି ବିଶ୍ୱାସରେ ଥିଲେ ଅଧିକ ବିଶ୍ୱାସୀ । ନିର୍ମଳ ଶ୍ରଦ୍ଧା, ଆନ୍ତରିକ ପ୍ରେମ, ମଧୁର ବିନୟ ଭାବ, ସ୍ନେହପୂର୍ଣ୍ଣ ଆଚରଣ ମଧ୍ୟରେ ମଣିଷର ମନକୁ ପରବର୍ତ୍ତନ କରାଯାଇପାରେ । ଆପଣା କୃତ କର୍ମର ପ୍ରାୟଶ୍ଚିତ ହୋଇପାରେ । ମଣିଷ ବିଚାରଧାରା ପରିବର୍ତ୍ତନ ହେବା ସହ ଆତ୍ମିକ ବିକାଶ ଘଟିପାରେ । ଏହାହିଁ ଥିଲା ଗାଳ୍ପିକ ଦାନୀଙ୍କର ଗଳ୍ପର ମର୍ମବାଣୀ । ଯେଉଁମାନଙ୍କର ଖଳ ପ୍ରକୃତି, ଯେଉଁମାନେ ଆତ୍ମକୈନ୍ଦ୍ରିକ ଭାବନାରେ ସ୍ଵାର୍ଥ ସାଧନାରେ ଅହରହ ଚେଷ୍ଟିତ ଅନ୍ୟର କୁତ୍ସାରଟନା କରିବାରେ ଯେଉଁମାନେ ସର୍ବଦା ଚେଷ୍ଟିତ ସେମାନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଅତ୍ୟନ୍ତ କଠୋର ଭାବରେ ।

 

ଲେଖକ ମାତ୍ରେ ଜୀବନ ସତ୍ୟର ଆବିଷ୍କାରକ । ସତ୍ୟ ପ୍ରତି ଆତ୍ମିକ ସମର୍ଥନ ପ୍ରଦର୍ଶନ କରିବା ସହିତ ମିଥ୍ୟା ଅହମିକା, ଅନ୍ୟାୟ, ଅନୀତିଠାରୁ ଦୂରରେ ରହି ସତ୍ୟର ମହିମ୍ନ ବାଣୀ, ଶିବର ମାଙ୍ଗଳିକ ଗାନ ଓ ସୁନ୍ଦରର ଉପାସନା ମଧ୍ୟରେ ମଣିଷ ଜୀବନ ହୁଏ ଗୌରବମଣ୍ଡିତ, ଶୁଭଙ୍କର । ସଭ୍ୟତାର ପରିବର୍ତ୍ତନ, ସାମାଜିକ ବିବର୍ତ୍ତନ ମଧ୍ୟରେ ଜୀବନଦୃଷ୍ଟି ମହନୀୟ କରିବା ନିମନ୍ତେ ତାଙ୍କ ଚରିତ୍ରମାନଙ୍କର ଚାରିତ୍ରିକ ବୈଶିଷ୍ଟ ଉଲ୍ଲେଖନୀୟ ।

 

ଗାଳ୍ପିକଙ୍କ ଦରଦୀ ପ୍ରାଣରେ ପ୍ରତ୍ୟେକ ସାଧାରଣ ଚରିତ୍ର ବର୍ଣ୍ଣନା କ୍ରମରେ ହୋଇ ଉଠିଛନ୍ତି ଅସାଧାରଣ । ମାନବିକତାର ଆବେଦନର ସ୍ପର୍ଶରେ ମହିମାମୟ ହୋଇ ଉଠିଛି ସେମାନଙ୍କ କାର୍ଯ୍ୟକଳାପ । ବର୍ଣ୍ଣନା ଅପେକ୍ଷା ବିଶ୍ଳେଷଣାତ୍ମକ ଅନ୍ତର୍ଦୃଷ୍ଟି ସ୍ଥୂଳ ବିଚାର ଅପେକ୍ଷା ସୂକ୍ଷ୍ମ ଭାବବୋଧ ପ୍ରତି ଗୁରୁତ୍ୱାରୋପ । ଭାଷାର ସାବଲୀଳତା ମଧ୍ୟ ରଚନାର ପାରଦର୍ଶିତା ଗାଳ୍ପିକ ଦାନୀଙ୍କର ଅନ୍ୟତମ ଆକର୍ଷଣ । ଏ ଦୃଷ୍ଟିରୁ ପୂର୍ଣ୍ଣାନନ୍ଦ ଦାନୀଙ୍କ ପ୍ରାୟ ପ୍ରତିଟି ଗଳ୍ପରେ ଜୀବନବାଦୀତାର ସ୍ୱର ଯେତିକି ସୃଷ୍ଟ ସେତିକି ମାର୍ମିକ । ଯାହାକି ଗାଳ୍ପିକ ଦାନୀଙ୍କୁ ଓଡ଼ିଆ ଗଳ୍ପ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ, ଏହାକୁ ପ୍ରମାଣିତ କରେ ।

 

 

ଅଧ୍ୟାପିକା, ଓଡ଼ିଆ ଭାଷାସାହିତ୍ୟ ବିଭାଗ,

ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଜ୍ୟୋତିବିହାର, ବୁର୍ଲା, ସମ୍ବଲପୁର

 

***

 

ଅନ୍ତରଙ୍ଗ ଆଳାପ ଓ ଗାଳ୍ପିକ ପୂର୍ଣ୍ଣାନନ୍ଦ

ଅନୀଲ କୁମାର ଦାସ

 

ଏ କଥା ଆଦୌ ଅନସ୍ୱୀକାର୍ଯ୍ୟ ନୁହେଁ ଯେ ଗାଳ୍ପିକ ପୂର୍ଣ୍ଣାନନ୍ଦ ଦାନୀ ଓଡ଼ିଆ ଗଳ୍ପ ପାଠକମାନଙ୍କ ପାଇଁ ଏକ ପରିଚିତ ନାଆଁ ହେଲେ ମଧ୍ୟ ବହୁ ପ୍ରଚାରିତ ନ ଥିଲେ । କାରଣ ପ୍ରଚାର ବିମୁଖ, ନିରଳସ ଡକ୍ଟର ଦାନୀ ଗଳ୍ପର ପରିମାଣାତ୍ମକ ଦିଗକୁ କୌଣସି ସମୟରେ ଗୁରୁତ୍ୱ ଦେଉ ନ ଥିଲେ । ନାତିବ୍ୟଗ୍ର ଏହି ଗାଳ୍ପିକ ଆମ ସମୟର ପ୍ରଦୂଷିତ ସାରସ୍ୱତ ପରିବେଶରୁ ଭଗ୍ନ ମନୋରଥା ହୋଇ ଜୀବନର ଶେଷ ପର୍ଯ୍ୟାୟରେ ବୋଧହୁଏ ଫେରାଇ ନେଇଥିଲେ ନିଜ ମୁହଁ ଅନ୍ୟ ଆଡ଼େ ଏବଂ ବରିନେଇଥିଲେ ଏକ ସ୍ୱାଭିମାନୀ ଆତ୍ମନିର୍ବାସନ । ଶେଷ କେଇ ବର୍ଷ ସେ ପ୍ରାୟତଃ ଦୂରେଇ ଯାଇଥିଲେ ଲେଖାଲେଖିରୁ । ବହୁ ବିଡ଼ମ୍ବନା ବିମଣ୍ଡିତ ଥିଲା ତାଙ୍କ ବ୍ୟକ୍ତିଗତ ଜୀବନ, ଯେମିତି ନିଜ ସାରସ୍ୱତ ଜଗତ ଭିତରେ ତାଙ୍କୁ ମୁକାବିଲା କରିବାକୁ ହୋଇଥିଲା ବହୁ ସମସ୍ୟାକ୍ଳିଷ୍ଟ ଚରିତ୍ରଙ୍କ ସହି, ବହୁ ଅସମାହିତ ଘଟଣା ସବୁ ସହ ।

 

ଆଜି ପୂର୍ଣ୍ଣାନନ୍ଦ ଦାନୀଙ୍କ ଗଳ୍ପ କଥା ବିଚାରକୁ ନେଲାବେଳେ ଗୋଟିଏ କଥା ସର୍ବପ୍ରଥମେ ମନକୁ ଆସୁଛି, ତା’ ହେଲା, ଡକ୍ଟର ଦାନୀଙ୍କ ଗଳ୍ପଜଗତ ଭିତରେ କାହାରି ଆଦେଶ ଦେବାର ଅହଂକାର ଯେମିତି ନ ଥିଲା, ଅନ୍ୟକୁ ଅବଜ୍ଞା କରିବାର ଆସ୍ପର୍ଦ୍ଧା ମଧ୍ୟ କାହାରି ନ ଥିଲା । ଗଳ୍ପ ସଙ୍କଳନ ‘ନିଶା’ଠାରୁ ଆରମ୍ଭ କରି ‘ହଳଦୀ କିଆରୀ’ ଯାଏ ପରିବ୍ୟାପ୍ତ ସାରସ୍ୱତ ଭୂଖଣ୍ଡ ଭିତରେ କେବେ ମିଳେନା ଉଦ୍ଧତ ଉଚ୍ଚାଟନ, କୋଳାହଳମୟ, ଦିଗଭ୍ରଷ୍ଟ ଧାଁ ଦଉଡ଼ । ସେଠି ଯେଉଁ ପ୍ରତିବାଦର ସ୍ୱର ମିଳେ ତା’ ସନ୍ତ୍ରାସବାଦର ନୁହେଁ । ଯେଉଁ ପ୍ରତିକ୍ରିୟା ମିଳେ ତା’ ବିଚ୍ଛିନ୍ନତାବାଦର ନୁହେଁ । ଗାଳ୍ପିକ ପୂର୍ଣ୍ଣାନନ୍ଦଙ୍କ ସହ ପରିଚୟ ଘଟୁ ଘଟୁ ଜଣେ ଆବିଷ୍କାର କରେ ଜଣେ ଆଳାପରତ ସାରସ୍ୱତ ସାଧକଙ୍କୁ । ଯିଏ ଖୁବ୍‌ସରଳ ଭାଷାରେ କଥା କହୁ କହୁ ମନ ଓ ବିବେକକୁ ହଠାତ୍ ଉଦ୍‌ଭାସିତ କରି ଦିଅନ୍ତି, ନିଗୂଢ଼ ତତ୍ତ୍ୱ ଓ ଗହନ ସତ୍ୟର ସୂର୍ଯ୍ୟାଲୋକରେ । ତେବେ ତାଙ୍କ ଗଳ୍ପ ପାଠ କରିବାର ଅନୁଭୂତି ଆଟୋପହୀନ ଏକ ଅନ୍ତରଙ୍ଗ ଆଳାପର ଅନୁଭୂତି, ହୃଦୟରୋଚକ ମୁକ୍ତ ଭାବ ସନ୍ଧାନର ଅନୁଭୂତି ।

 

ଦୃଶ୍ୟମାନ ବାସ୍ତବତା ପୂର୍ଣ୍ଣାନନ୍ଦଙ୍କୁ ଯେତିକି ମୋହିତ କରେ ତା’ଠାରୁ ଅଧିକ ଅଭିଭୂତ କରେ ବାସ୍ତବତାର ଦୃଶ୍ୟ ଓ ଅଦୃଶ୍ୟ ବହୁବିଧ ସ୍ତର । ତାଙ୍କ ‘ପଶୁ’ ଗଛର ଅତ୍ୟାଚାରୀ ସ୍ୱାମୀର ବେହିସାବୀ ବ୍ୟବହାର ହେଉ ବା ‘ଅନ୍ଧାର ଆଲୁଅ’ ଗଳ୍ପରେ ନିଜ ଛାଇ ସନ୍ଧାନର ବିଦେହୀ ବ୍ୟାକୁଳତା ହେଉ । ନିଜ ଗର୍ଭବତୀ ପତ୍ନୀକୁ ମାଡ଼ ମାରି ‘ପଶୁ’ ଗଳ୍ପର ଅତ୍ୟାଚରୀ ପୁରୁଷ ବାହାରକୁ ଚାଲି ଯାଇଛି । ତାର କୁନି କୁନି ପିଲାମାନେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । କିଛି ସମୟ ପରେ ସ୍ତ୍ରୀ ଲୋକଟି ଜନ୍ମ ଦିଏ କୁନି ଝିଅଟିଏ । ଗଳ୍ପ କଥକ ନିଷ୍ପତ୍ତି ନିଅନ୍ତି ସେ ସ୍ତ୍ରୀଲୋକର ସ୍ଵାମୀକୁ ମୁକାବିଲା କରିବାକୁ, “ମୁଁ ତଥାପି ଅପେକ୍ଷା କରିଥିଲି ଯେ, ମାଇକିନାଟାର ଗେରସ୍ତ ଫେରିବ କେତେବେଳେ ? ଭାରି ଗୋଟେ ବାଘ ସାଜିଛି ! ମୁଁ ଗୋଟେ ଶିକାରୀ ବନି, ତାକୁ ପାନେ ଚଖେଇ ଦେଇ କହିବି, ‘ବୁଝିଲୁ, ଏଇଟା ବଣ ନୁହେଁ ଯେ ଏଠି କେବଳ ପଶୁ ରହିବେ । ଏଇଟା ଗୋଟେ ଘର, ଏଠି ‘ମଣିଷ’ ରହନ୍ତି ।

 

ଗଳ୍ପ କଥକ କିନ୍ତୁ ଏ କଥାଟି କହିବା ଉପଯୁକ୍ତ ମଣି ନାହାନ୍ତି, କାହିଁକି ଏଭଳି ଏକ ଲୋକ ତା’ର ଗର୍ଭବତୀ ସ୍ତ୍ରୀକୁ ଅତ୍ୟାଚାର କରେ ! ଏଇଟା ତାର ଜନ୍ମଗତ ସ୍ଵଭାବ ନା ତା କାନ୍ଧରେ ଧୀରେ ଧୀରେ ବଢ଼ି ଚାଲିଥିବା ଦାୟିତ୍ୱବୋଧର ଏକ ବିକୃତ, ରୂପାନ୍ତରିତ ପରିଚୟ ! ତେଣୁ ଆମ ଆଗରେ ସ୍ୱତଃ ପ୍ରଶ୍ନଟିଏ ଉଭା ହୁଏ : ନିଜ ପ୍ରିୟ ମଣିଷମାନଙ୍କୁ କଷ୍ଟ ଦେଉଥିବା ମଣିଷଟି ଅହରହ ନିଜେ କଷ୍ଟପାଉଥାଏ କି ? ଯଦି କଷ୍ଟ ଦେଉଥିବା ମଣିଷ ଜଣକ ନିଜେ ଯନ୍ତ୍ରଣାକ୍ତ ନ ହୁଏ, ତେବେ ସେ ନିଶ୍ଚୟ ଗୋଟାଏ ପଶୁ ଛଡ଼ା ଅନ୍ୟ କିଛି ନୁହେଁ ।

 

‘ଅନ୍ଧାରର ଆଲୁଅ’ରେ ବାସ୍ତବତାର ସ୍ତର କିନ୍ତୁ ଭିନ୍ନ । ଏଠି ନିଜକୁ ଅନ୍ୟ ସହ ସମ୍ପର୍କିତ ନ କରି ମଧ୍ୟ ବଞ୍ଚି ଯାଇ ହୁଏ ସତ, ମାତ୍ର ନିଜଠାରୁ ନିଜର ଛାଇକୁ ଅଲଗା କରି ହୁଏନା । ଏଠି ଅନ୍ଧାର ଏକ ଅନ୍ଧଗଳି ନୁହେଁ । ଏ ଅନ୍ଧାର ନିଜକୁ ବାରମ୍ବାର ବହୁବିଧ ରୂପ ଓ ସୁଷମାରେ ଭେଟିବାର ଲୋଡ଼ିଲାପଣ । ଅବଚେତନର ସେ ଏକ ଆଶ୍ଚର୍ଯ୍ୟ ଆହ୍ୱାନ : “ମୋ ଛାଇ ଓ ମୋ ମନକୁ ନ ପାଇ ହତାଶାରେ ତା ପରେ, ବ୍ୟାକୁଳତାରେ ଦରାଣ୍ଡି ଦରାଣ୍ଡି ଖୋଲି ଦେବି ଦର୍ଜା ହଠାତ୍ । ବାହାରେ ସତେ ଯେମିତି ଆଲୁଅ କଲିଂ ବେଲ୍ ଦେଇ ଠିଆ ହୋଇ ଅପେକ୍ଷା କରିଥିଲା ଏବଂ ଅନେକ ଆଲୋକ ଏକାଦିକ୍ରମେ ଅଭଦ୍ରଙ୍କ ପରି ପଶି ଆସିବ କୋଠରୀ ଭିତରକୁ – କ୍ରମଶଃ ଅନ୍ଧାର ଚାଲିଯିବ । +++ ଥରୁଥିବ ମୋ’ ମନ – ଆନନ୍ଦରେ ଏବଂ ବି ମୋ ଛାଇ । ଏଇଠି ମୋ ମନ ଓ ମୋହ ଛାଇ, ମୋ ବିଶ୍ୱସ୍ତ ସହଚର ଛାଇ । ମୁଁ ମୁକ୍ତ... ମୁଁ ମୁକ୍ତ... ଅନ୍ଧାର ବି ମୁକ୍ତ ଓ ପ୍ରଚୁର ମୁକ୍ତିର ବିଗୁଲ୍ । ପୁନଶ୍ଚ ଆମେ ମୁକ୍ତିକାମୀ - ଆମେ ଚିରନ୍ତନ ।” ଏଇଠି ମନେ ପଡ଼ନ୍ତି ଇଟାଲୋ କାଲଭିନୋ । ଖୁବ୍ ପ୍ରାସଙ୍ଗିକ ମନେ ହୁଏ ତାଙ୍କର ଉକ୍ତି : Perhaps the fundamental point of my talk is exactly this : literature does not recognize Reality, but only levels. ବାସ୍ତବତାକୁ ବୁଝିବା ପୂର୍ବରୁ ବାସ୍ତବତାର ଭିନ୍ନ ଭିନ୍ନ ସ୍ତର ସମ୍ପର୍କରେ ଆମକୁ ପ୍ରଥମେ ସଚେତନ ହେବାକୁ ହୁଏ । ଘଟଣା ସମସ୍ତ ଭିନ୍ନ ଭିନ୍ନ ଭାବେ ଭିନ୍ନ ଭିନ୍ନ ସ୍ତରରେ ତ ଘଟୁଥାଏ ! ଯେମିତି ମଣିଷଟିଏ ବଞ୍ଚି ଚାଲିଥାଏ ଚେତନାର ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଇ-

 

ପୂର୍ଣ୍ଣାନନ୍ଦଙ୍କ ଗଳ୍ପମାଳାକୁ ପରଖିଲା ବେଳେ ଏ କଥା ଯେକେହି ପାଠକଙ୍କ ହୃଦ୍‍ବୋଧ ହେବା ସ୍ୱାଭାବିକ ଯେ ତାଙ୍କ ଗଳ୍ପରେ ଯେମିତି ଥାଏ ଭୂମିନିଷ୍ଠ ଭାବାବେଗ ସେମିତି ମଧ୍ୟ ଥାଏ ପ୍ରଚୁର ମନନଧର୍ମୀ ବିମ୍ବ, ସଂକେତ ଓ ରୋମନ୍ଥନ । ସୁତରାଂ ଥିମ୍ ଓ ଶୈଳୀର ସମୁଚିତ ସହାବସ୍ଥାନ ହିଁ ଘଟିଥାଏ ତାଙ୍କ ଗଳ୍ପ ସବୁରେ । ଅଧିକାଂଶ ଗଳ୍ପର ପ୍ରଥମ ପାରାଗ୍ରାଫ୍‍ରେ ସନ୍ନିବେଶିତ ହୋଇଥାଏ ପରବର୍ତ୍ତୀ ଘଟଣାକ୍ରମର ଆଦ୍ୟ ସୂଚନା । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗଳ୍ପକଳା-। ‘Strange Pilgrimage’ ବହିରେ ଗାବ୍ରିଏଲ୍ ଗାର୍ସିଆ ମାର୍କ୍ୱେଜ୍ କହନ୍ତି ଯେ କୌଣସି ଗଳ୍ପର ପ୍ରଥମ ଅନୁଚ୍ଛେଦରେ ହିଁ ପରବର୍ତ୍ତୀ ଅଂଶ ବିଶେଷର ଆଦ୍ୟ ଆଭାସ ମିଳିଯିବା ଆବଶ୍ୟକ । ଭଲ ଗଳ୍ପର ଏହା ହିଁ ବିଶେଷତ୍ଵ । ମାର୍କେଜ ପୁଣି କହିବାକୁ ଭୁଲନ୍ତି ନାହିଁ ଯେ ଗଳ୍ପର ପରିଣତି ନ ଥାଏ । ପରିଣତି ଥାଏ ଉପନ୍ୟାସରେ । ପୂର୍ଣ୍ଣାନନ୍ଦ ଦାନୀଙ୍କର ଗଳ୍ପ ଏକ ମକଦ୍ଦମାର ସଂକ୍ଷିପ୍ତ ନକଲ’କୁ ଲକ୍ଷ୍ୟ କରାଯାଉ । ଗଳ୍ପ କଥକ ନିଜ ସପକ୍ଷରେ ଓ ନିଜ ବିପକ୍ଷରେ ବଳିଷ୍ଠ ଯୁକ୍ତିମାନ ଉପସ୍ଥାପିତ କରିବାରେ ସଫଳକାମ । କିନ୍ତୁ ଗଳ୍ପରେ ସମାଧାନ ମିଳେନା । ତେଣୁ ତା’ ପରିଣତି ବିହୀନ ମନେହୁଏ । ଗଳ୍ପଟି ଶେଷ ହୁଏ ଦ୍ୱନ୍ଦରେ । ତେଣୁ ରାୟ ସ୍ଥଗିତ ରଖିବାକୁ ନାୟକ ବାଧ୍ୟ । ସେ କହେ, “ମୁଁ ବର୍ତ୍ତମାନ ଯେହେତୁ ବିଚାରପତି - ମୋତେ ସ୍ଥିର ମସ୍ତିଷ୍କରେ, ବିଚାର ସହ ରାୟ ଦେବାକୁ ହେବ । ମାତ୍ର ଦ୍ୱନ୍ଦର ଯେଉଁ ଚକା ଚକା ଭଉଁରୀ, ସିଏ ମାମୁଁଘର ଚଉଁରୀ...

 

ଏ ମକଦ୍ଦମାର ‘ଶେଷ ନିଷ୍କତ୍ତି’କୁ ବର୍ତ୍ତମାନ ପାଇଁ ମୁଁ ସ୍ଥଗିତ ରଖୁଛି ।

 

କାରଣ ବାଦୀ ପ୍ରତିବାଦୀ ପକ୍ଷର ପ୍ରମାଣ ଓ ଯୁକ୍ତିଗୁଡ଼ିକ ଯୁକ୍ତିଯୁକ୍ତ ଭାବରେ ବିଚାର କରି, ଶେଷ ସିଦ୍ଧାନ୍ତରେ ଉପଗତ ହେଲେ, ରାୟ ସିଦ୍ଧ ହୋଇ ପାରିବ । ମୁଁ ଯେହେତୁ ଏକ ସାମାନ୍ୟ ଅଥଚ ବିରାଟ ମଣିଷ, ମୋର ରାୟ ତେଣୁ ଶକ୍ତିଶାଳୀ ନ ହେଲେ ବହୁ ଗୋଳମାଳର ଧ୍ଵନି ଓ ପ୍ରତିଧ୍ୱନି ଉଠିବାର ବହୁ ସମ୍ଭାବନା । ଆଜି ତେଣୁ ଏ ମକଦ୍ଦମା ଏତିକି –’’

 

ଏଭଳି କଥା ଆଉ ଟିକେ ଅଧିକ ସ୍ପଷ୍ଟ ହୁଏ ଯେତେବେଳେ ଆମେ ଏଇ ସିଦ୍ଧାନ୍ତରେ ଉପନୀତ ହେଉ ଯେ ସାହିତ୍ୟ ଆମର ସମସ୍ୟା ସବୁକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ପରିବେଷଣ କରେ, ମାତ୍ର ସେସବୁର ସମାଧାନ କରି ପାରେନା । କିନ୍ତୁ ଏଭଳି ସିଦ୍ଧାନ୍ତ ସବୁରେ ଉପନୀତ ହେଇ ଆମେମାନେ ସାହିତ୍ୟର କ୍ରିୟାଶୀଳତାକୁ ନ୍ୟୁନ କରିଦେଇ ପାରିବା ନାହିଁ । ଆମେରିକୀୟ କବି W.H. Auden ଯେତେବେଳେ କହନ୍ତି ‘‘Poetry makes nothing happen” ସେତେବେଳେ ଆମେମାନେ ପୂର୍ବୋକ୍ତ ଉକ୍ତିର ଯଥାର୍ଥତା ହୁଏତ ଉପଲବ୍ଧି କରି ପାରିବା । କିନ୍ତୁ ପୁଣି ଯେତେବେଳେ ସେ କବିତା ସମ୍ପର୍କରେ କହିବାକୁ ଯାଇ ଏକଥା ବ୍ୟକ୍ତ କରନ୍ତି – “A way of happening, a mouth” ସେତେବେଳେ କେବଳ କବିତା କାହିଁକି, ଗଳ୍ପ, ନାଟକ ବା ସାମଗ୍ରିକ ଭାବେ କହିବାକୁ ଗଲେ ସାହିତ୍ୟର ସମସ୍ତ ବିଭାଗ ପାଇଁ ମଧ୍ୟ ଏ କଥା ଯେ ପ୍ରଯୁଜ୍ୟ, ତାର ବିଚାର ଆମମାନଙ୍କୁ ନିଶ୍ଚିତ ଭାବେ ଆନ୍ଦୋଳିତ କରିବ ।

 

ଅଶୀଦଶକରେ ଓଡ଼ିଆ କଥାକାରମାନଙ୍କ ମଧ୍ୟରୁ ଯେଉଁ କେତେଜଣ ଅସ୍ତିତ୍ଵବାଦୀୟ ଚିନ୍ତାଧାରା ଦ୍ୱାରା ଉଦ୍‍ବୁଦ୍ଧ ହୋଇଥିଲେ ସେ ଭିତରେ ଡକ୍ଟର ପୂର୍ଣ୍ଣାନନ୍ଦ ଦାନୀ ଥିଲେ ଅନ୍ୟତମ । ଗାଳ୍ପିକ ସତ୍ୟ ମିଶ୍ର ଥିଲେ କିଛି ଦିନ ପାଇଁ ଡକ୍ଟର ଦାନୀଙ୍କର ସହକର୍ମୀ ଲରମ୍ଭା ମହାବିଦ୍ୟାଳୟରେ-। ଡକ୍ଟର ପ୍ରଫୁଲ୍ଲ ତ୍ରିପାଠୀ ହେଉଛନ୍ତି ଗାଳ୍ପିକଙ୍କର ବନ୍ଧୁ । ଗଳ୍ପ ରଚନାର ଚାରଣ ଭୂମିରେ ଏମାନେ ଯେ ଦିନେ ପରସ୍ପରକୁ ପ୍ରଭାବିତ କରି ନଥିଲେ ଏକଥା ଆଜି କୁହାଯାଇ ପାରିବ ନାହିଁ । ତେବେ ଏକ ସମୟରେ ଏଇ ଗଳ୍ପ ସ୍ରଷ୍ଟାମାନେ ଯେ ଅସ୍ତିତ୍ଵବାଦୀୟ ଚିନ୍ତାନାୟକମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଏକଥା ନିଶ୍ଚିତ । ଏଇ ପ୍ରସଙ୍ଗରେ ଗାଳ୍ପିକ ଦାନୀଙ୍କର ଗଳ୍ପ “ଦିନେ...’’ ମନକୁ ଆସେ । ଗଳ୍ପଟିରେ ବହୁବିଧ ଚିନ୍ତା, ବିଭିନ୍ନ ପ୍ରକାରର ଅନୁଭୂତିର ସମାହାର ଘଟିଛି । କ୍ଲିନ୍ତୁ ଏସବୁ ଭିତରେ ଏକ, ଦୀର୍ଘଯାତ୍ରା ପରେ ପାଠକ କେଉଁଠି ଯାଇ ପହଞ୍ଚେ ? ଏକ ଶୂନ୍ୟ ଅନୁଭବରେ ? ଜୀବନର ଅର୍ଥ ଶୁନ୍ୟତାରେ ? ଗଳ୍ପର ନାୟକ ଭଳି ପାଠକ ମଧ୍ୟ ପାଏ ଜୀବନର ଅର୍ଥ ସନ୍ଧାନର ଯାତ୍ରାରେ ସାମିଲ ହେବାର ଆହ୍ୱାନ : ... ମୁଁ ଚାଲିଛି । କିନ୍ତୁ କେଉଁଠିକି ? ଚାଲିଛି ତ ଚାଲିଛି । ଚାଲିବାର ଜୀବନ ୟେ’ । ଆଚ୍ଛା, ନଈ ପାଖ ପାର୍କ ଏକ ନିରୋଳା ଜାଗା । ବନର ନିର୍ଜନତା, ଏକାକୀତ୍ଵ, ମାଧୁରୀ ଅବଶ୍ୟ ଏଭଳି ଉପବନରେ ବା କାହିଁ ମିଳିବ ? ତେବେ ନିଃସଙ୍ଗତା ସହ ସାଲିସ୍ କରି ଅସହାୟତାକୁ ଉପଭୋଗ କରାଯାଇପାରେ । +++ ପାର୍କ ଦିଗକୁ ମୋ ଚଟି ଘୋଷାରି ହେଇ ଯାଉଚି । ଶୀତ, ଭାରି ଶୀତ, ଶୀତ ତା’ର ତୁରୀ ବଜେଇ ଦେଉଚି ଏଇ ଖଣ୍ଡ ମଣ୍ଡଳରେ, ଏ ସାରା ସହରଟାରେ – ଶୀତ ଓ ଶୀତ ଏବଂ ଶୀତ... ।”

 

ହଁ, ଏ ଏକ ଏମିତି ପୃଥିବୀ ଯେଉଁଠି ଶୀତ ହିଁ ସତ୍ୟ । ଉଷ୍ମତା ନୁହେଁ । ସୂର୍ଯ୍ୟାଲୋକର ଉଷ୍ମ ଓ ଆଲୋକିତ ଅନୁଭବ ନୁହେଁ । ଏଭଳି ଏକ ଅସୁସ୍ଥ ପୃଥିବୀର ଚିତ୍ର ଆମେ ଦେଖିବାକୁ ପାଇବା James Joyce ଙ୍କର Uysses ରେ ଯେଉଁଠି ମିଳେ ନର୍କର ଚିତ୍ର : ‘‘Cityful passing away, other cityful coming, passing away too : other coming on, passing on. Houses, lines of houses, streets, miles of pavements, piledup, bricks, stones. Changing hands. This owner, that Landlord never dies they say. Other step into his shoes when he gets his notice to quit. They buy the place up with gold and still they have all the gold. Swindle in it somewhere. Piled up in cities, worn away age after age. Pyramids in sand. Built on bread and onions. Slaves. Chinese wall. Babylon. Big stones left..."

 

କେବଳ ସେତିକି ନୁହେଁ, ନିଜ ପ୍ରଖର କଳ୍ପନା ଶକ୍ତିର ଆଶ୍ରୟରେ ଯେତେବେଳେ ଗାଳ୍ପିକ ପୂର୍ଣ୍ଣାନନ୍ଦ ଅଦୃଶ୍ୟ ଓ ଅତିନ୍ଦ୍ରିୟ ଜଗତର କଥାସବୁ ବଖାଣି ବସନ୍ତି ସେତେବେଳେ ସେ ମନେ ହୁଅନ୍ତି ଜଣେ ଯାଦୁକର ଯାହାଙ୍କର ସର୍ପିଣୀ କଥା କହିପାରେ । କାଳୀୟ ଦଳନ’ର ସର୍ପିଣୀ ତା ସ୍ୱାମୀର ହତ୍ୟାକରୀ ମଣିଷକୁ ବିଶ୍ୱାସଘାତକ ବୋଲି ଲାଞ୍ଛିତ କରିପାରେ । “ଆଉ ତମେ ସବୁ ବିଶ୍ୱାସଘାତକ, ଗୋଟେ ନିଷ୍ପାପ ଜୀବନକୁ ଅନେକ ମିଳିମିଶି ପିଟି ପିଟି ମାରିଦେଲ । ତା’ ପୂର୍ବରୁ ମାରିଥିଲ ସେହିପରି ମୋର ଭାଇକୁ । ମୋତେ ତମେ ନିଃସଙ୍ଗ କରିଦେଲ ! ... କି ଆନନ୍ଦ ପାଇଲ ତହିଁରୁ ? କେଉଁ ପାଶବ ଆନନ୍ଦ ? କେଉଁ ଅହେତୁକ ଆନନ୍ଦ ? କେଉଁ ନିଷ୍ଠୁର ଆନନ୍ଦ ?”

 

ସ୍ରଷ୍ଟାର କଳ୍ପନା ଶକ୍ତି ଯାହାକୁ ଭାରତୀୟ କାବ୍ୟତତ୍ତ୍ୱ ପ୍ରଣେତାମାନେ ‘ପ୍ରତିଭା’ ବୋଲି ଆଖ୍ୟାୟିତ କରିଥାନ୍ତି, ତାହା ହିଁ ଯେ କୌଣସି ସାହିତ୍ୟ ସ୍ରଷ୍ଟାର ପ୍ରକୃତ ମୂଳଧନ । ଆହରିତ ଜ୍ଞାନ ବା ଅନୁଭୂତି ନୁହେଁ, ଏଇ କଳ୍ପନା ଶକ୍ତି ହିଁ ଅଦୃଶ୍ୟକୁ ଦୃଶ୍ୟମାନ କରିପାରେ । ସେ ଆନନ୍ଦବର୍ଦ୍ଧକ ହୁଅନ୍ତୁ ବା ଜଗନ୍ନାଥ, ଅଭିନବ ଗୁପ୍ତ ହୁଅନ୍ତୁ ବା କଣ୍ଟକ, ପ୍ରାଚୀନ ଭାରତର କାବ୍ୟ ତତ୍ତ୍ୱବିଦ୍‌ମାନେ କଳ୍ପନା ବା ପ୍ରତିଭାର ଭୂମିକାକୁ ସର୍ବାଗ୍ରେ ସ୍ଥାନ ଦେଇଥିଲେ ।

 

ପ୍ରତିଭାକୁ ଯେଉଁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ ସେସବୁ ହେଲେ – ୧. ଉତ୍ପାଦକ, ୨. ସଂଯୋଜକ, ୩. ଅବବୋଧକ । ଏସବୁ ମଧ୍ୟରେ ସଂଯୋଜକ ପ୍ରତିଭାର ଆଶ୍ରିତ ହେଇ ଜଣେ ଶିଳ୍ପୀ ପ୍ରକାଶମୟ ଜଗତରେ ଅସମ୍ପୃକ୍ତ ମନେ ହେଉଥିବା ବିଭାବ ସମସ୍ତ ମଧ୍ୟରେ ସଂଯୋଗ ସ୍ଥାପନ କରିପାରେ । I.A. Richard’s ‘Synthetic imagination’ ସହ ସଂଯୋଜକ ପ୍ରତିଭାର ସାଦୃଶ୍ୟ ଆମ ଆଗରେ ଉଦ୍ଭାସିତ ହୁଏ । ତେବେ ପୂର୍ଣ୍ଣାନନ୍ଦ ଦାନୀଙ୍କର ଆଭାସ ଗଳ୍ପ ସବୁ ପଢ଼ିଲା ପରେ ଏ ଲେଖକର ମନେ ହେଇଛି ଯେ ଏଇ ସଂଯୋଜକ ପ୍ରତିଭାତ ବା ‘synthetic imagination’ର ଅଧିକାରୀ ଶିଳ୍ପୀଟିଏ ହିଁ ବାସ୍ତବରେ ନିଜ ଗଳ୍ପ ବା କବିତାରେ ସାଙ୍କେତିକ ଆଙ୍ଗିକର ସାର୍ଥକ ଉପଯୋଗ କରିପାରେ । ଡକ୍ଟର ଦାନୀଙ୍କର ‘ହଳଦୀ କିଆରୀ’ ଗଳ୍ପ ସଙ୍କଳନରେ ସ୍ଥାନିତ ‘ ମନ ଓ ମାନ’ ଗଳ୍ପରେ କାଉଟିଏ ମନର ପ୍ରତୀକ ପାଲଟିଯାଏ : “ସେ ଦିନର ସେଇ କାଉ ପ୍ରତି ମୋର ରାଗ ହେଉଥିଲା, ଯେହେତୁ ତା’ ପାଇଁ ମୋତେ ଭାରତୀ ହସିଥିଲା ଏବଂ କାଉ ପ୍ରତି ପୁଣି ମୋର ସ୍ନେହ ହେଉଥିଲା, ଯେହେତୁ ସେହି ସଂଧ୍ୟା ପରଠାରୁ ଭାରତୀ ସହ ମୋର ସମ୍ପର୍କ କ୍ରମଶଃ ବଢ଼ିବାକୁ ଲାଗିଥିଲା ।

 

ସାମ୍ପ୍ରତିକ ସମୟର ବହୁ ବରିଷ୍ଠ ଓ କନିଷ୍ଠ ଗାଳ୍ପିକଙ୍କର କ୍ଷେତ୍ରରେ ଭାବ ପ୍ରକାଶନ ସମୟରେ ଶବ୍ଦ-ପ୍ରାବଲ୍ୟ ପରିଲକ୍ଷିତ ହୁଏ । ଡ. ଦାନୀ କିନ୍ତୁ ଥିଲେ ଶବ୍ଦ ପ୍ରୟୋଗରେ ମିତବ୍ୟୟୀ । ବ୍ୟକ୍ତିଗତ ଭାବେ ସେ ଯେମିତି ଥିଲେ ସ୍ୱଲ୍ପବାକ୍, ଗଛରେ ସେ ସେମିତି ଥିଲେ ବେଶ୍ ମିତବାକ୍ । ସେ ବୋଧେ ଏ କଥା ବୁଝିଥିଲେ ଯେ ଅଳ୍ପରେ ବେଶୀ କଥା କୁହାଯାଇ ପାରିବାର ଦକ୍ଷତା ହିଁ କ୍ଷୁଦ୍ରଗଳ୍ପ ଲେଖକର ପ୍ରଥମ ଯୋଗ୍ୟତା । ସେଇଥିପାଇଁ ତ ପୃଥିବୀର ସବୁଠାରୁ ଛୋଟ ଗପଟି ମାତ୍ର ଦୁଇଟି ଧାଡ଼ିରେ ଲେଖା ଯାଇ ପାରିଥିଲା – A traveller once told his companion that he didn't believe in ghosts. The other said, ‘oh’ and disappeared.

 

ପୂର୍ଣ୍ଣାନନ୍ଦ ଦାନୀ କେବଳ କଳ୍ପନାପ୍ରବଣ ଜଣେ ଶିଳ୍ପୀ ନ ଥିଲେ । ଜୀବନର ବାସ୍ତବତାକୁ ଅହରହ ଯୁଝୁ ଥିବା ତାଙ୍କର ଅନେକ ଚରିତ୍ରଙ୍କ ଭିତରୁ ‘ସେ ଏକ ପଉଷ ସକାଳ’ର ମୁଢ଼ିବାଲୀ ଏକ ଉଲ୍ଲେଖନୀୟ ଚରିତ୍ର । ବହୁ ବର୍ଷ ତଳୁ ନିଜ ସ୍ୱାମୀକୁ ହରାଇ ଥିବା ନାରୀଟି ଦିନେ ଉଚ୍ଚ ସ୍ଵରରେ କାନ୍ଦି ଉଠେ ଯେତେବେଳେ ତା’ର ସ୍ୱାମୀର ଅସ୍ଥିକୁ ଗଙ୍ଗା ନଦୀରେ ପକାଇବାକୁ ନିଆଯାଏ । ଲାଗେ ସତେକି ତା’ର ସ୍ୱାମୀ ଏଇ ମାତ୍ର ମରିଚି । ସ୍ୱାମୀବିହୀନ ଏକ ବିରାଟ ପୃଥିବୀରେ ତାର ବର୍ଷ ବର୍ଷର ଜୀବନ ସଂଗ୍ରାମ ଆମକୁ ମନେ ପକାଇ ଦିଏ ମାର୍କେଜଙ୍କର The Saint' ଭଳି ଗପ ଓ 'No one writes to the colonel' ଭଳି ଉପନ୍ୟାସର ସଂଗ୍ରାମୀ ଚରିତ୍ରମାନଙ୍କୁ ।

 

ଡ. ପୂର୍ଣ୍ଣାନନ୍ଦ ଦାନୀଙ୍କର ବହୁ ବର୍ଣ୍ଣିବିଭାମୟ ଗଳ୍ପ ଜଗତ ସମ୍ପର୍କରେ ଏ ଆଲୋଚନାର ପରିସମାପ୍ତି ନିଶ୍ଚିତ ଭାବେ ଅସମ୍ପୂର୍ଣ୍ଣ । ତାଙ୍କ ଗଛର ଚିରନ୍ତନ ଆକର୍ଷଣ ଭଳି ଅଛିଣ୍ଡା ଓ ଅସମାପ୍ତ ତାଙ୍କ ସମ୍ପର୍କରେ କୌଣସି ମୂଲ୍ୟାୟନ । ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଗଳ୍ପ ସମ୍ପର୍କରେ ଶେଷ କଥାଟିଏ । କହିବାକୁ ଏ ଲେଖକ କାହିଁକି, ବୋଧହୁଏ ଆମେ ସମସ୍ତେ ଅକ୍ଷମ । ଯେମିତି ଆମେ ଅକ୍ଷମ ଏ କଥାର ଉତ୍ତର ଦେବାକୁ ସେମିତି କାଫକା ଦେଇ ପାରି ନଥିଲେ ନିଜର କେତେକ ଗଳ୍ପକୁ ସେମାନଙ୍କର ସାର୍ଥକ ପରିଣତି !

 

 

ଅଧ୍ୟାପକ, ଇଂରାଜୀ ବିଭାଗ,

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ,

ସମ୍ବଲପୁର

 

***

 

Unknown

ପୂର୍ଣ୍ଣାନନ୍ଦଙ୍କ ପଡ଼ୋଶିନୀ

ମଙ୍ଗଳୁ ଚରଣ ବିଶ୍ୱାଳ

 

ଏ କଥା ସତ ଯେ ଆମେ ଆମ ପଡ଼ୋଶିନୀକୁ ଯେଉଁ ଗଭୀରତାରେ ଦେଖୁ, ଆମ ନିଜ ସାମନ୍ତାଣୀକୁ ଠିକ୍ ସେଇ ଗଭୀରତାରେ ଦେଖନ୍ତେ କି ? ନ ହେଲେ ରାମଚନ୍ଦ୍ର ଭଳି ପ୍ରଭୁ ସୀତା ମାତାଙ୍କର ଅହଂକାର ଚିହ୍ନିବାରେ ଥତମତ ହୁଅନ୍ତେ କିଆଁ ?

 

‘ପଡ଼ୋଶିନୀ’ ଏକ ଗପ । ପୂର୍ଣ୍ଣାନନ୍ଦ ଦାନୀଙ୍କର ଏ ଗପଟି ପ୍ରକାଶ ପାଇଥିଲା ସପ୍ତର୍ଷିର ଦଶମ ବର୍ଷ ପ୍ରଥମ ସଂଖ୍ୟାରେ ୧୯୮୧ ଜାନୁୟାରୀ ମାସରେ । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲେ ଯେମିତି ଜାଣି ହୁଏ ଭାତର ବତର, ଠିକ୍ ସେମିତି ‘ପଡ଼ୋଶିନୀ’ ଗପରୁ ଜାଣିହବ ପୂର୍ଣ୍ଣାନନ୍ଦ ଦାନୀଙ୍କର ଦକ୍ଷତାର ପରିମାପ ।

 

କେଉଁ ଅପନ୍ତରାରେ ପଡ଼ିଥିବା ପଥର ଯେମିତି ନବନିର୍ମାଣର ଆଧାରଶୀଳା ବନିଯାଏ, ଏ ଗପଟି ଏ ଅଧମର ଆଲୋଚନାର ଆଧାରଶୀଳା । ଏଇ ଏକମାତ୍ର ଗଛରୁ ଜାଣିହବ ପୂର୍ଣ୍ଣାନନ୍ଦ ଦାନୀଙ୍କ ଗଳ୍ପ ଇଲାକାର ପ୍ରସାରଣ ଓ ପ୍ରଚ୍ଛନ୍ନତା । ଗପ ତା’ର ଲମ୍ବା ଚଉଡ଼ା କି ପୃଥୁଳତାରୁ ମପା ଯାଏନା, ମପାଯାଏ ତା’ର ଗଭୀରତାରୁ ।

 

ଗପଟି ଏଇପରି ସଂକ୍ଷେପରେ । ଚିଠି ଆସିଛି ବଲାଙ୍ଗୀରରୁ ଅଧାପିକା ପ୍ରଣତି ରାୟଙ୍କଠାରୁ । ଲେଖକଙ୍କ ପଡ଼ୋଶିନୀ ଥିଲେ । ଗୋଟିଏ ଘର । ମାତ୍ର ମଝିରେ ଛଅ ଇଂଚ ବିଶିଷ୍ଟ କାନ୍ଥ ଘରଟିକୁ ଦି’ଟି ବସାଘରରେ ବାଣ୍ଟି ଦେଇଛି । ପିକାଶୋ ଯେମିତି ତାଙ୍କ ଏକଇ ଚିତ୍ରକୁ କଇଁଚିରେ କାଟି ଦି’ ଜଣ ଫାଟ ବାଲାଙ୍କୁ ସମାନ ସମାନ ବାଣ୍ଟି ଦେଇଥିଲେ ।

 

ବେଡରୁମ, କିଚିନ୍, ଲେଟ୍ରିନ୍, ବାଥରୁମ ଭଳି ଚଳିଯିବାର ସାମାନ୍ୟତମ ବ୍ୟବସ୍ଥା ଦି’ ପାଖରେ । ଫି’ ଗୀତର ସାରେ ଗାମା ପରି ।

 

ଅଧାପିକା ଜଣକ ଯୁବତୀ । ଅବିବାହିତା । ତିରିଶ ବତିଶ ବୟସର । ପୋଖତ ଗପୁଡ଼ି । ଅଳ୍ପରେ ଆପଣେଇ ନବାର ଦୂରନ୍ତ ଦକ୍ଷତା । ଥିଲା ଚାହାଣୀରେ ମଧୁର ଛଟା । ଦିନକୁ ଦଶଥର ଶାଢ଼ି ବଦଳ କରି ପାରୁଥିବା ଅଣ୍ଟାଟିଏ ମଧ୍ୟ । ଉତ୍ତେଜକ ହିନ୍ଦୀ ସଂଗୀତର ସଉକ । ଜୀବନ ଶୈଳୀରୁ ସହଜରେ ଜଣା ପଡ଼ି ଯାଉଥିଲା ଚେଷ୍ଟାକୃତ ଆଭିଜାତ୍ୟ ଓ ବସ୍ତୁବାଦୀ ଆଧୁନିକତା । ହେଲେ ଭିତରେ ଭରି ରହିଥିଲା ଛଟପଟ ହବାର ଯନ୍ତ୍ରଣା । ଯହିଁରୁ ମୁକ୍ତି ପାଇବାକୁ ସେ ସତତ ଚେଷ୍ଟା କରୁଥିଲେ ହେଲେ ଛମ୍ ଛମ୍ ଛଳନା ତାଙ୍କୁ ତହିଁରୁ ମୁକ୍ତି ଦେଲେ ତ ?

 

ସାରା ସହର ତାଙ୍କଠି ଜମି ଯାଇଥିଲା । ଲୋକଙ୍କର ଯିବା ଆସିବା ହିସାବ ରଖନ୍ତା କିଏ-? ସମୟ ଖଣ୍ଡର ଅନୁକ୍ରମରେ ଅଧ୍ୟାପିକା ଅଭିଯୋଗ ବାଢ଼ି ବସିଲେ । ପଡ଼ୋଶୀ ଘରର ଧୂଆଁ ତାଙ୍କ ଘରେ ପଶୁଛି । ମଝି କାନ୍ଥରେ ଶୁଖା ଯାଇଥିବା ବେଡ଼ସିଟ୍‌ରୁ ଆସୁଛି ମୂତ ଗଂଧ । ଆର ଘରର ନାଳ ପାଣି ଏ ଘରକୁ ପଶି ଆସିବା ଠିକ୍ କି ? ଏମିତି ଏମିତି ଅନେକ ଅଭିଯୋଗ । ଅଧ୍ୟାପିକାଙ୍କ ଦେହ ଅସୁଖ ହେଲେ ସାରା ସହର ଘେରିଯାଏ । ପଡ଼ୋଶୀ ବାପୁଡ଼ାଟି କେବଳ ମୁହଁ ମାରି ଦେଇ ଆସେ ।

 

ଏଣୁ ଲେଖକଙ୍କ ବଦଳି ପରେ ଦୁଃଖ ଭିତରେ ପ୍ରଚ୍ଛନ୍ନ ଆନନ୍ଦହିଁ ଥିଲା । ମୂଳ କଥାଟି ହେଲା ଅଧ୍ୟାପିକା ପ୍ରଣତି ରାୟଙ୍କ ଆଭିଜାତ୍ୟ, ଅହଂବୋଧ, ବସ୍ତୁବାଦୀ ମୋହ ସର୍ବୋପରି ଶୂନ୍ୟତାର ପୀଡ଼ନ ତାଙ୍କ ଛଟପଟ କରୁଥିଲା । ଲେଖକଙ୍କ ପରି ଜଣେ ଦରଦୀ ପଡ଼ୋଶୀଙ୍କୁ ଅଧ୍ୟାପିକା ରାୟ ଡେରିରେ ବୁଝିଲେ । ବୁଝିଲାପରେ ଚୁପଚାପ୍ ପଡ଼ୋଶୀଙ୍କୁ ତାଙ୍କ ଚିଠିରେ ଲେଖିଲେ, “ସେ ଯେଉଁ ପଡ଼ୋଶୀ ଆସିଛନ୍ତି ସେତ ପଡ଼ୋଶୀ ନୁହନ୍ତି, ପଡ଼ୋଶୀ ନାଆଁରେ ଜଣେ ପଶୁ । ଯେତେ ଚଞ୍ଚଳ ଏଠାରୁ ବଦଳି ହୋଇଯାଏ, ସେତେ ଭଲ । ନଚେତ୍... ଛାଡ଼ନ୍ତୁ ।”

 

ଏଇ ଅକୁହା ନୀରବତା ଭିତରେ ପୂର୍ଣ୍ଣାନନ୍ଦ ଦାନୀ ଅନେକ କଥା କହି ପାରନ୍ତି । ଏ ଗପରେ ପୂର୍ଣ୍ଣାନନ୍ଦ ଦୁଇଟି ବିନ୍ଦୁକୁ ଆଲୋକିତ କରିଛନ୍ତି । ପ୍ରଥମତଃ ମଣିଷକୁ ଏତେ ସହଜରେ ବୁଝି ହୁଏନା । ଦ୍ୱିତୀୟରେ ‘ମାନବିକତା’ ନାମକ ଚିଜଟି ସହଜ ଲବ୍ଧ ନୁହେଁ । ସୁନା, ସୁନା ପିତ୍ତଳ, ପିତ୍ତଳ । ଧରାପଡ଼ିଯାଏ ।

 

ଏ ପଡ଼ୋଶିନୀ ଗପ ପରି ପୂର୍ଣ୍ଣାନନ୍ଦ ଦାନୀଙ୍କ ସକଳ ଗଳ୍ପରେ ପରିଚ୍ଛନ୍ନ ମାନବିକତାର ଛାପ ରହିଛି । ଏକଦା କେହିଜଣେ ଆଉଜଣଙ୍କୁ ପଚାରିଲା, “ଯୀଶୁ ଯାହା କହିଛନ୍ତି, ତାକୁ ପଦକରେ କୁହ । ଆର ଜଣଟି ସାଙ୍ଗେ ସାଙ୍ଗେ କହିଦେଲା, “ଭଲ ପାଅ”। ଠିକ୍ ସେମିତି ପୂର୍ଣ୍ଣାନନ୍ଦଙ୍କ ଗଛରେ ମଣିଷକୁ ଭଲ ପାଇବାର ବିଦ୍ୟମାନତା ରହିଛି ।

 

ଏକଦା ଏ ଅଧମ ପୂର୍ଣ୍ଣାନନ୍ଦ ଦାନୀଙ୍କୁ ପଚାରିଦେଲା ଛପନ ତ ଡେଇଁଲାଣି, କ’ଣ ଧର୍ମ ଫର୍ମ ଆଡ଼କୁ ମନ ବଳୁଛି ? ଭିତରର କେଉଁ ଏକ କୋଣରେ ଗର୍ଭଗୃହ ପରି ନିଭୃତ ଜାଗାଟିଏ ଥିବାର ଅନୁଭବ କରୁଛି । କେଉଁଠି କିଛି ଲଟ ନ ଲାଗିଥିବା ପରି ବେପରୁୱା ଢଙ୍ଗରେ କହିଲେ । “ବାହାରର କଉ ଜାଗାକୁ ଯିବି କିଆଁ ?” ତାଙ୍କ ଗପ ଭିତରେ ସେମିତି ଜାଗାଟିଏ ଖୋଜିଲେ ମିଳିବ-

 

ସଦା ଜାଗରଣରେ ବୁଡ଼ି ରହି ଜାଣିଲେ ଶାଶ୍ୱତ ଠିକଣା ମିଳିଯାଏ । ପୂର୍ଣ୍ଣାନନ୍ଦ ଦାନୀଙ୍କ ସହ ଯେତେଥର ଭେଟ ହୋଇଛି ପଚାରିଛି, ‘‘ସହରରେ ରହୁଛି । କ୍ଲବ ଫ୍ଲବକୁ ଯାଉଥିବ ନା ?’’ ସବୁ ଦିନିଆ ହସଟିଏ ଫିଙ୍ଗି ଦେଇ କହନ୍ତି, “ ହୋ’ ହଲ୍ଲାକୁ ଯିବି କିଆଁ ? ମୁଁ ମୋ ଘର ଭିତରେ ନିଜକୁ କିନାରା କରିବାର ଆରମ୍ଭ କରି ଦେଇଛି । ତାଙ୍କ ଗପଗୁଡ଼ିକରେ ଏମିତି ଏକାକୀତ୍ୱର ଅଭାବ ନାହିଁ ।

 

କହନ୍ତି, ଷାଠିଏ ପରେ ମଣିଷ ତା’ର ସନାତନ ସଦନକୁ ଲୋଡ଼େ । ପୂର୍ଣ୍ଣାନନ୍ଦଙ୍କ ଗପ କୁହେ, ଏ ଲୋଡ଼ିବା ପଣଟି ତାଙ୍କ ଗପର ଆଧାର । କୋଡ଼ିଏ ବୟସର ଟୋକା କେବେ କଙ୍କି ଧରେନା, ଧରେ ଶିଶୁ । ତାଙ୍କ ଗପଗୁଡ଼ିକରେ ବାଳୁତ ବେଳର ଏକ ଅନାସକ୍ତ ଶିଶୁ-ଭାବ ଛମ୍ ଛମ୍ କରେ ।

 

ଓଡ଼ିଆ ଗଳ୍ପକୁ ଛୋଟଛୋଟ ଅନୁଭବ, ଛୋଟ ଛୋଟ ଘଟଣା, ଅଳ୍ପ ଚରିତ୍ର ଦେଇ ପୂର୍ଣ୍ଣାନନ୍ଦ ଆପଣା ଢଙ୍ଗରେ ପ୍ରଚୁର ସାରସ୍ୱତ ସଂପଦ ଦେଇ ଯାଇଛନ୍ତି । ଗଳ୍ପରେ ଏକ ନୂଆମୋଡ଼ ଆଣିବାରେ ତାଙ୍କର ଦକ୍ଷତାକୁ ଅସ୍ୱୀକାର କରି ହେବ ନାହିଁ । ଅଭୀପ୍‍ସାର ଅର୍ଥ ଯଦି ଗଭୀର ଶୋଷ ଦୟାଳୁ । ଦାନୀଙ୍କର ପ୍ରତିଟି ଗଳ୍ପରେ ସେ ଶୋଷ ପେୟଟିଏ ପାଇବାର ହକ୍ ରଖେ । ସତ୍ୟ ଏମିତି ଏକ ପରିଚ୍ଛନ୍ନ ପ୍ରସାରଣ ଯାକୁ ଶବ୍ଦ ତା’ର ଆଦିମତମ ସଙ୍କୋଚନ ଭିତରେ ଧରି ପାରେନା-। ଉନ୍ନତତର ଚେତନାର ସାର୍ଥକ ଉନ୍ମେଷଟିଏ ମିଳେ ତାଙ୍କର ପ୍ରତିଟି ଗଳ୍ପରୁ । ସତ୍ୟର ଶାଳୀନତାରେ ସ୍ନିଗ୍ଧ ତାଙ୍କର ଚରିତ୍ରମାନେ । ପ୍ରଭାବିତ ହବାମାନେ ନିଜ ନିଜର ହତ୍ୟା କରିବା । ପ୍ରଭାବ ପକେଇବାର ଅର୍ଥ ହେଲା ଆପଣାର ଅତିକ୍ରମଣ ଅନ୍ୟର ଅତିକ୍ରମଣ ଉପରେ ଲଦିଦେବା-। ପୂର୍ଣ୍ଣାନନ୍ଦ ଦାନୀ ଆପଣାର ବ୍ୟକ୍ତିତ୍ୱ ହରାଇ ନାହାନ୍ତି କେବେ ଓ ଅନ୍ୟ ପଛରେ ଧାଇଁ ନାହାନ୍ତି କଦାପି । ତାଙ୍କ ଗପ ଗୁଡ଼ିକରେ ଏ ବକ୍ତବ୍ୟର ଛାପ ରହିଛି ।

 

ଆମ ଯୁବ ପୀଢ଼ିର ପ୍ରଖର ପ୍ରବକ୍ତା ଶ୍ରୀ ଗୌରୀଦାସ ପ୍ରଧାନଙ୍କ କଥାରେ କହିଲେ କହିହେବ । ପୂର୍ଣ୍ଣାନନ୍ଦ ଆନନ୍ଦ ଭିତରେ ଖୋଜୁଥିଲେ ପୂର୍ଣ୍ଣତା । ତାଙ୍କ ଗଳ୍ପର ହଳଦୀ କିଆରୀରେ ଶବ୍ଦମାନେ ଧାଆଁ ଧପଡ଼ କରନ୍ତି ଭାଙ୍ଗିବାକୁ ନୀରବତା । ତାଙ୍କ ଗପ ଦେଇପାରେ ବହୁପାଠୀ ବୟାନ୍ ଓ ବହୁଦର୍ଶୀ ଅନୁଭବ । ଖୁବ୍ ମପାଟୁପା ତାଙ୍କ କଥନ । ଜୀଇଁଲା ଜୀବନର ଅନେକ ଛାପ ରହିଛି ତାଙ୍କ ଗଳ୍ପଗୁଡ଼ିକରେ ।

 

ମା’ ଶାରଦାମଣି ସଦା ସଧବା ରହିଲେ । ରାମକୃଷ୍ଣ ମରି ନଥିଲେ ତାଙ୍କ ପାଇଁ । ପ୍ରେମ ସ୍ଵୟଂ ଏକ ମୃତ୍ୟୁ । ଏ ପ୍ରକାର ମୃତ୍ୟୁ ହିଁ ଅମୃତ । ପୂର୍ଣ୍ଣାନନ୍ଦ ଦାନୀଙ୍କୁ ଗଳ୍ପରେ ଏ ପ୍ରକାର ସଦା ସଧବାପଣଟି ବାରି ହୋଇଯାଏ ।

 

ନିକଟତମକୁ ସର୍ବ ପ୍ରଥମେ ପହଞ୍ଚି ଯାଇ ପାରିଲେ ଦୂରତମକୁ ଛୁଇଁ ହୁଏ । ଦାନୀଙ୍କ ଗଳ୍ପ ସମୂହରେ ଏମିତି ନିକଟତମରୁ ଦୂରତମକୁ ଛୁଇଁବାର ଏକ ସଫଳ ପ୍ରୟାସ ରହିଛି ।

 

ବୁଢ଼ୀ ଜଣେ ଘର ଆଗରେ କିଛି ଖୋଜୁଛି । ସଂଜ ହେଲାଣି ଲୋକେ ତା’ ସହ ଖୋଜିଲେ। କଣନା ଛୁଞ୍ଚି ହଜିଛି । ରାତି ହେଲାଣି । ଅନ୍ଧାର ଘର ବାହାରେ ଗଛ ପରି ଠିଆ । କେଉଁଠି ହଜାଇଲ ? ପଚାରନା ଭାଇ ? କେଉଁଠି ହଜାଇଲ ? ଘରେ ନା ବାହାରେ ? ଶେଷରେ ଲୋକେ କହିଲେ ବୁଢ଼ୀଟି ପାଗଳୀ । ବୁଢ଼ୀ ଥାଇ ଥାଇ ଶେଷକୁ କହିଲା, ତୁମେ ସଦା ଯାହାକର ମୁଁ ସେୟା କରୁଛି । ଖୋଜିବା ଲୋକକୁ ଖୋଜିବାର କଳାଟି ଜଣା ଥିବା କଥା । ଠିକ୍ ସେମିତି ପୂର୍ଣ୍ଣାନନ୍ଦଙ୍କ ଗଳ୍ପକୁ ହଜାଇ ହବ, ପାଶୋରି ହବ ନାହିଁ । ନ ପାଶୋରିବା ପରି ଚମତ୍କାରିତାଟିଏ ତାଙ୍କ ଗଳ୍ପମାନଙ୍କରେ ଅଛି ।

 

ନିଜ ଉତ୍ତେଜକ ଉପସ୍ଥିତି ଓ ନିଆରା ଅନୁଭବ ଅନ୍ୟ ଉପରେ ଲଦି ଦବା ହିଁ ଏକ ପ୍ରକାରର ଆକ୍ରମଣ । ପୂର୍ଣ୍ଣାନନ୍ଦଙ୍କ ଗଳ୍ପରେ ଏ ପ୍ରକାର ଆକ୍ରମଣ ନାହିଁ । ବୀଜରୁ ବୃକ୍ଷ ହବାର ଅଧିକରୁ ଅଧିକ ଅନୁଭବ ଭିତରକୁ ଅନ୍ତର୍ଯାତ୍ରା କରିବାର ଦକ୍ଷତା ତାଙ୍କ ଗଳ୍ପରେ ଅଛି । ଯାହାସବୁ ଅହିତକର ଆବର୍ଜନା ପରି ସେ ସବୁକୁ ତାଙ୍କ ଗପ ଫୋପାଡ଼ି ପାରିଛି । ଜଳୁଥିବା ବଇଠାରୁ ନଜଳୁଥିବା ବଇଠାକୁ ଲମ୍ଫ ପ୍ରଦାନ କରିବାର କୌଶଳ ପୂର୍ଣ୍ଣାନନ୍ଦଙ୍କୁ ଜଣାଥିଲା ।

 

ଭିତରୁ ଆପଣାର ଆବର୍ଜନା ଫିଙ୍ଗି ନ ଜାଣିଲେ, କେହି ସିଦ୍ଧ ହୁଏନା । ପୂର୍ଣ୍ଣାନନ୍ଦ ଦାନୀ ସେଇ ଅର୍ଥରେ ସିଦ୍ଧ । କାରଣ ସେ ରାମକୃଷ୍ଣ ପରମହଂସଙ୍କ ‘ସିଝାଆଳୁ' ପରି ସିଝିଥିଲେ । ମଣିଷର ଅଭ୍ୟାସ ସେ ନିଜ ବାହ୍ୟ ରୂପରେ କିଛି ବେଢଙ୍ଗ ଥୋଇ ଅନ୍ୟକୁ ଆକର୍ଷଣ କରିବାର ତରିକା ତୟାର କରେ । ଯେମିତି ହିପ୍ସୀମାନେ କରନ୍ତି । ପୂର୍ଣ୍ଣାନନ୍ଦ ଏମିତି ସ୍ତରକୁ ଆସି ଯାଇ ଥିଲେ, ଯେଉଁଠି ଅନ୍ଧାର ନ ଥିଲା । ତାଙ୍କଠି ଏ ବିଲକ୍ଷଣ ରହନ୍ତା କିପରି ?

 

ରାତି ସରେ । ସକାଳ ହୁଏ । ସୂର୍ଯ୍ୟ ଉଏଁ । ଫୁଲ ଫୁଟେ । ନଈ ବହେ । କୁକୁଡ଼ା ରାବେ । କୁଆ କା’ କରେ । ଏଇ ସବୁ ପ୍ରାତ୍ୟହିକ କ୍ରିୟାରେ ଏକ ନିରନ୍ତରତା ଥାଏ । ସତତା ଥାଏ । ନୂଆପଣ ଥାଏ । ତତୋଽଧିକ ବିକଶିତ ହବାର ପରିଚ୍ଛନ୍ନତା ଥାଏ । ଗଙ୍ଗାର ପ୍ରବାହ ପରି ପବିତ୍ରତା ଥାଏ । ପୂର୍ଣ୍ଣାନନ୍ଦ ଦାନୀଙ୍କ ଗଳ୍ପଗୁଡ଼ିକରେ ଏମିତି ଏକ ପ୍ରାତ୍ୟହିକତା ଅଛି, ନୂଆପଣ ଅଛି ।

 

କହନ୍ତି, କାଶୀର ଗଧ ବି ପବିତ୍ର । ଏକଦା ଗଧଟିଏ ଚରୁଥାଏ ଗଂଗା କୂଳରେ । ଚାରାଟିଏ ସବୁଜିମାରେ ଛନ ଛନ । ଗଧଟି ଅଳ୍ପ ଉପରକୁ ଉଠେଇଦବାର ଭଙ୍ଗୀରେ କହିଲା, ଏନ୍ସାଇକ୍ଳୋପେଡ଼ିଆ ବ୍ରିଟାନିକାରେ ପୃଷ୍ଠାଏ ବର୍ଣ୍ଣନା ପଢ଼ିଛି, ତୋ’ ପରି ଏକ ଚମକଦାର ଚାରାର । ଚାରାଟି ଚାରି ଆଙ୍ଗୁଳ ଉପରକୁ ଉଠୁଥିବାର ଅନୁଭବ କଲା । ପ୍ରଶଂସାରେ ଭିଜି ବସୁଥିବା ଚାରାକୁ ଗୋଟାପଣେ ସାଉଁଟିନେଲା ଗଧଟି ଚା ଜିଭରେ । ଏ ପ୍ରକାର ଚାରି ଆଙ୍ଗୁଳ ଉଠା ପ୍ରଶଂସାର କାଙ୍ଗାଳି ନ ଥିଲେ ପୂର୍ଣ୍ଣାନନ୍ଦ ଦାନୀ ।

 

ବରଫଘେରା ପାହାଡ଼ ଅନେକ ଅଛି । ହେଲେ ହିମାଳୟର ତୁଳନା ନାହିଁ । ଗପ ଅନେକ ଅଛି । ପୂର୍ଣ୍ଣାନନ୍ଦ ଦାନୀଙ୍କର ଗପର ପର୍ଯ୍ୟାୟବାଚୀ ଖୁବ୍ କମ୍ ।

 

ଏ ଅମର କଥାଶିଳ୍ପୀଙ୍କର ସ୍ୱଚ୍ଛତାକୁ ଏ ଅଧମର ବାରବାର ନମସ୍କାର ।

 

ପରମାନପୁର, ସମ୍ବଲପୁର-୭୬୮ ୨୦୦

***

 

ନୀରବତାର ନୀରାଜନା ଓ ପୂର୍ଣ୍ଣାନନ୍ଦଙ୍କ ଗଳ୍ପସ୍ଵର

ଗୌରିଦାସ ପଧାନ

 

ଥରେ ବ୍ରିଟିଶ କାଉନ୍‌ସିଲର ମୁଖପତ୍ର Literature Alive ମୋତେ ଏହି ପ୍ରଶ୍ନ କରିଥିଲେ । କେଉଁ ଭାଷାରେ ମୁଁ ଚିନ୍ତାକରେ – ଓଡ଼ିଆରେ ନା ଇଂରାଜୀରେ ? ସେତେବେଳେ (ସାକ୍ଷାତ୍‍କାର ବେଳେ) ମୁଁ ସ୍ୱତଃସ୍ଫୁର୍ତ୍ତ ଭାବରେ କହି ପକାଇଥିଲି : “ ନୀରବତାର ଭାଷାରେ” ।

(ମନୋଜ ଦାସ, ସୃଜନୀ – ମନୋଜ ଦାସ ବିଶେଷାଙ୍କ - ୨୦୦୧)

 

ଯେତେବେଳେ ଶବ୍ଦ ସବୁ ଅସମର୍ଥ ହୁଅନ୍ତି ଅଭିବ୍ୟକ୍ତିକୁ ପ୍ରକାଶ କରିବାରେ ସେତେବେଳେ ନୀରବତା ହିଁ କଥା କହେ । ନୀରବରେ ଫୁଲ ଫୁଟେ, ମଞ୍ଜିରୁ ଗଜା ବାହାରେ, ପବନ ବହେ, ଜୀବନ ଯାଏ । ବିପରୀତରେ ମଣିଷ ପାଟି ଖୋଲେ, କଥା କହେ, ଫୁଟାଣି ମାରେ, ନିଜ ଢୋଲ ନିଜେ ପିଟେ । ହେଲେ କିଛି ମଣିଷ ଥାଆନ୍ତି ଯେଉଁମାନଙ୍କୁ ଭଲଲାଗେ ନୀରବତା ଅନ୍ତର୍ମୁଖୀନତା । ନିଜ ଭିତରର ଆଲୋକରେ ସେମାନେ ଆଲୋକିତ, ଚିଦାନନ୍ଦରେ ଖୋଜନ୍ତି ପୂର୍ଣ୍ଣାନନ୍ଦ । ତମସୋ ମାଂ ଜ୍ୟୋତିର୍ଗମୟ ଉଚ୍ଚାରଣର ମାନ୍ତ୍ରିକ ପରିବେଶ ତମସାତଟରେ ସେମାନଙ୍କ ପାଇଁ ସଜାଇ ଦିଏ ସକାଳ । ପୂର୍ବାଶାର ଅରୁଣ ବର୍ଣ୍ଣରେ ଅଭିମନ୍ତ୍ରିତ ସେମାନଙ୍କର ତପସ୍ୟା । ସେହିଭଳି ଜଣେ ନୀରବ ଗାଲ୍ପିକ ଡକ୍ଟର ପୂର୍ଣ୍ଣାନନ୍ଦ ଦାନୀ । ଖୁବ୍ କମ୍ କଥାରେ ସେ ସବୁ କିଛି କହିବାର କଳା ଶିଖିଥିଲେ । କଳାର କାଳିସୀ ତାଙ୍କୁ ସେଇ ସୀମାକୁ ନେଇ ଯାଇଥିଲା ଯେଉଁଠି ତାଙ୍କ ଗଳ୍ପ ଭିତରେ ରେରେକାର କରୁଥିଲା ନୀରବତାର ପ୍ରତିଧ୍ୱନି । ତାଙ୍କ କଥାରେ – “ଭିତରର କେଉଁ ଏକ କୋଣରେ ଗର୍ଭଗୃହ ପରି ନିଭୃତ ଜାଗାଟିଏ ଥିବାର ଅନୁଭବ କରୁଛି । ବାହାରର ଆଉ କେଉଁ ଜାଗାକୁ ଯିବି କିଆଁ ।”

(ଭିନ୍ନ ଏକ ଧରାତଳ, ମଂଗଳୁ ଚରଣ ବିଶ୍ୱାଳ, ଅଗ୍ନିଶିଖା - ୨ ୨.୯,୦୪)

 

ସ୍ୱାନୁଭୂତିର ରଂଗରାଗରେ ଭୁମିଠୁ ଭୂମାଯାଏଁ ତାଙ୍କର ଯାତ୍ରା । ଏହି ଅନୁଭୂତିରେ ନ ଥିଲା ବିଷାଦ ଯୋଗର ନୀରବତା, ଥିଲା ଆତ୍ମାନୁଭୂତିର ପ୍ରାଣ ପ୍ରାଚୁର୍ଯ୍ୟପୂର୍ଣ୍ଣ ବାକରୁଦ୍ଧତା ।

 

“ଅଳ୍ପ ସୁଖେ – ହସ ମୁଖେ – ନାନା କଥା କହେ/ବେଶୀ ସୁଖେ – ଆଖି ଲୁହେ – ଚୁପ୍ କରି ରହେ ।’’

(ସୁବର୍ଣ୍ଣଲତା – ଆଶାପୂର୍ଣ୍ଣାଦେବୀ, ଅନୁବାଦିକା - ଶୈଳରାଣୀ ମିଶ୍ର)

 

ଆମେ ମନେ ରଖିବା ୧୯୬୦ ପରବର୍ତ୍ତୀ ଓଡ଼ିଆ ଗଳ୍ପ ବ୍ୟକ୍ତି କୈନ୍ଦ୍ରିକ । ସେଇ ବ୍ୟକ୍ତି କୈନ୍ଦ୍ରିକତା ଭିତରେ ବାରି ହୋଇ ଯାଆନ୍ତି ପୂର୍ଣ୍ଣାନନ୍ଦୀୟ ଗଛମାନେ ସୁଖଦୁଃଖର କଥା କହି । ଅବାଙ୍‍ମୟ ଅନୁଭୂତିର ଆଲେଖ୍ୟ ବାଢ଼ି ।

 

“ଉତ୍ତର ସତୁରୀ ଓଡ଼ିଆ ଗଳ୍ପର ଉଭୟ ରୂପବୃତ୍ତ ଓ ଭାବବୃତ୍ତ ପୁରୁଣା ପାରମ୍ପରିକ ଗଳ୍ପଠାରୁ ଅଧିକ ଅନ୍ତର୍ମୁଖୀ ହୋଇଛି । ସତୁରୀ ପର ଓଡ଼ିଆ ଗଳ୍ପର ବ୍ୟଞ୍ଜନାପ୍ରସ୍ଥ ତେଣୁ ଯେପରି ଅନ୍ତଃସ୍ଫୁରିତ ସେହିପରି ଗାଳ୍ପିକର ଆତ୍ମଭାବକଥନରେ ଅଧିକ ମାର୍ମିକ ଓ ଭାବ ପ୍ରବୋଧକ । ପୁଣି, ଶ୍ୟାମାପ୍ରସାଦ ଚୌଧୁରୀ xxx ପୂର୍ଣ୍ଣାନନ୍ଦ ଦାନୀ, ତରୁଣକାନ୍ତି ମିଶ୍ର ଆଦିଙ୍କ ଗଳ୍ପରେ ପରିବର୍ତ୍ତିତ ଜୀବନ ଦୃଷ୍ଟି ଓ ତତ୍ ଜନିତ ନୂଆ ପରିବେଶ, ନୂଆ ଥିମ୍ ଓ ଗଳ୍ପ ପରିପାଟୀର ନୂଆ ପ୍ରକାଶ ବେଶ୍ ଅନ୍ତରଙ୍ଗ ଭାବେ ପରିଲକ୍ଷିତ ହୁଏ । ପୁରୁଣା ଗଳ୍ପଠାରୁ ବାରି ହୋଇପଡ଼େ ସତୁରୀ ପର ଓଡ଼ିଆ ଗଳ୍ପ ଯେପରି ଗାଲ୍ପିକଙ୍କର ମନ ଓ ଆତ୍ମାର ଏକ ପ୍ରେରଣାତ୍ମକ ରୂପକ ।”

(ଡକ୍ଟର ଆଦିକନ୍ଦ ସାହୁ – ଓଡ଼ିଆ ଗଳ୍ପ ଉପନ୍ୟାସର ନବଦିଗନ୍ତ)

 

ମନ ଓ ଆତ୍ମାର ମନନରେ ନୀରବ ଗାଳ୍ପିକ ପୂର୍ଣ୍ଣାନନ୍ଦ ଦାନୀଙ୍କ ଗଳ୍ପସ୍ୱର ଆମକୁ ଶୁଣାଇଛି କାହାଣୀ ପରେ କାହାଣୀ । ଯେମିତି ଆଈମା ଶୁଣାଉଥିଲା, ଉହ୍ନେଇ ଚାରିପଟେ ବସିଲା ବେଳେ ଅଜା ଶୁଣାଉଥିଲେ, ଗଳ୍ପ ସାଗର ଶୁଣାଉଥିଲେ । ପୂର୍ଣ୍ଣାନନ୍ଦ ଗଳ୍ପ ଲେଖିବାକୁ କଲମ ଧରିଲା ବେଳକୁ ଗତ ଶତକର ଷାଠିଏ ବର୍ଷ ପାଖାପାଖି ବିତିଲାଣି । ପ୍ରାପ୍ତ ସ୍ୱାଧୀନତାର ଆଶା-ହତାଶା ଭିଡ଼ରେ ଆଦର୍ଶବାଦିତା ଫିକା ଫିକା ଲାଗିଲାଣି । କଳ୍ପନାର ଗଞ୍ଚାୟନ ବଦଳରେ ଜୀବନର ଚିତ୍ରରୂପ ପରଶିବାକୁ ବେଶି ପସନ୍ଦ କରୁଛି ଗାଳ୍ପିକ । ପୃଥିବୀ ଓ ଜୀବନର ରଙ୍ଗରେ ରଙ୍ଗିନତାର ଗଳ୍ପସବୁ । “ପୃଥିବୀଟା, ଜୀବନଟା ଯେ କାହାଣୀର ଏକ କୁହୁକ ପେଡ଼ି । ସେହି ପେଡ଼ିରୁ କାହାଣୀ ଯେତେ ବାହାର କଲେ ବି ବୋଧେ ସରେ ନାହିଁ । ଏମିତି କେତେ କାହାଣୀ କୁହା ହୋଇ ଆସିଛି – ହୋଇ ଆସୁଛି– ହୋଇ ଆସୁଥିବ – ତେବେ ବି କାହାଣୀର ଏହି ପେଡ଼ି ବା ଗନ୍ତାଘର ଖାଲି ହେବ ନାହିଁ ବୋଧେ ।”

(ନିଶା, କହିବାର କଥା – ପୂର୍ଣ୍ଣାନନ୍ଦ ଦାନୀ)

 

ସେଇ ଅସରା ସଂସାରର ରଂଗ ରସରେ ମସ୍‌ଗୁଲ ପୂର୍ଣ୍ଣାନନ୍ଦୀୟ ଗଲ୍ପାଣୁମାନେ । ସବୁ ପ୍ରକାର ବାସ୍ତବତାରେ ଜୀବନର ଜିଜ୍ଞାସାକୁ ଜିଇଁ ଜିଇଁ ଜାଣିବାରେ ଜାତକ ଲେଖନ୍ତି ତାଙ୍କର କଥାମାନେ । ତାଙ୍କ ପ୍ରଥମ ଗଳ୍ପ ସଙ୍କଳନର ପ୍ରକାଶ କାଳ ୧୯୮୩ । ଯେଉଁଠାରେ କୋଡ଼ିଏ ବର୍ଷ ଭିତରେ ଲେଖିଥିବା କୋଡ଼ିଏଟି ଗଳ୍ପକୁ ସ୍ଥାନିତ କରିଛନ୍ତି । ଏମାନେ କେତୋଟି ନିର୍ବାଚିତ ଗଳ୍ପ ମାତ୍ର । ଏମାନଙ୍କ ବାହାରେ ବି ଆହୁରି ଅଛନ୍ତି ଯେଉଁମାନେ ପୂର୍ଣ୍ଣାନନ୍ଦୀୟ ସ୍ୱର ସଂଭାରର ସଂକଳିତ ରୂପ । “ଓଡ଼ିଆ ଗଳ୍ପକୁ ଛୋଟ ଛୋଟ ଆଭାସ ଗଳ୍ପ ନେଇ ପୂର୍ଣ୍ଣାନନ୍ଦ ଦାନୀ ଏକ ନୂଆ ମୋଡ଼ର ସୁରୁଆତ କଲେ । ଅଭୀଷ୍ଟାର ଅର୍ଥ ଯଦି ଗଭୀର ଶୋଷ, ପୂର୍ଣ୍ଣାନନ୍ଦଙ୍କ ପ୍ରତିଟି ଗଳ୍ପ ସେଇ ଶୋଷକୁ ସତ୍ୟ କରି, ଶାଶ୍ୱତ କରି ଚାଲିଥିବ ।”

(ଭିନ୍ନ ଏକ ଧରାତଳ, ମଙ୍ଗଳୁ ଚରଣ ବିଶ୍ୱାଳ, ଅଗ୍ନିଶିଖା – ୨୨.୯.୦୪)

 

ପ୍ରକାଶିତ ଗଳ୍ପ ସଙ୍କଳନର ପ୍ରଥମ ଗଳ୍ପ ‘ନିଶା’ । ଗଳ୍ପର ନିଶା ତାଙ୍କୁ ବିଭୋର କରିଛି ଏଠି-। ନିଶାରୁ ନୀରବତାର କୋଳାହଳ ଭିତରେ ପ୍ରାୟ ୩୬ ବର୍ଷର ବ୍ୟବଧାନ । ଏହି ବ୍ୟବଧାନ ଭିତରେ ଆମେ ଦେଖୁଛୁ ଗାଳ୍ପିକଙ୍କ ଉତ୍ତରଣକୁ । ଯେଉଁ ଉତ୍ତରରେ ପ୍ରତିଟି ଶବ୍ଦ ଭାବମୁଗଧ ମୁଦ୍ରାରେ ମୁଲାୟମ୍ । ତାଙ୍କ ଭାବ ହିଁ ପ୍ରକାଶର ରଙ୍ଗ ମାଖୁଛି । ନିଜକୁ ନିଜେ କହୁଛି । କହୁଛି ଗଳ୍ପର ପରିସୀମାର କଥା । ଗାଲ୍ପିକଙ୍କ ଗହନ ଜୀବନାନୁଭୁତିର କଥା । ଜୀବନକୁ ଅନୁଶୀଳନ କରିବା ଭିତରେ ବିସ୍ମୟ ବିମୁଗ୍‍ଧ ଜଡ଼ତାର କଥା । ଯେଉଁ ଜଡ଼ତା ଯାତ୍ରା ପୂର୍ବବର୍ତ୍ତୀ ପ୍ରାକ୍ ଭାଷାର ନୀରବ ରୂପାୟନ । ଅନ୍ତର ଦେଶରେ ଶୋଇଥିବା କୁଣ୍ଡଳିନୀକୁ ଜଗାଇବାର ପ୍ରାଣାୟାମ ।

 

‘ନିଶା’ର ସାମଗ୍ରିକ ଘଟଣା ଏକ ରାତିର । ସ୍ଥାନ, କାଳ, ପାତ୍ରରେ ଐକ୍ୟ ସନ୍ନିବଦ୍ଧ । ଅତୀତ, ବର୍ତ୍ତମାନ, ଭବିଷ୍ୟତର ଏକତ୍ରିକରଣ । ନିଶାର ନାୟକ ନିଶାଭିସାରୀ ଜୀବନାନନ୍ଦ । ସେ ଗଛର ମୂଳରୁ ଶେଷ ଯାଏଁ କିଛି କହୁ ନାହିଁ । ଭାବୁଛି, ଅତୀତକୁ, ଭବିଷ୍ୟତକୁ । ଦେଖୁଛି ଆଖି ସାମ୍ନାରେ ବର୍ତ୍ତମାନକୁ । ଶବ୍ଦଶୂନ୍ୟ ନୀରବତାର ରଙ୍ଗରେ ରଙ୍ଗୀନ୍ ଜୀବନାନନ୍ଦର ମନ ଆକାଶ । ବୋଧହୁଏ ଗାଳ୍ପିକଙ୍କ ଅନୁଭବ : ଏତେ ଶବ୍ଦ ଯେଉଁଠି ଟ୍ରାଫିକ୍ ଯାମ କରି ହଇରାଣ ହେଉଛନ୍ତି ସେଠି ନୀରବତା ହିଁ ଶ୍ରେୟସ୍କର । ନୀରବ ଭାବନାର ଭାଷାରେ ଶାଣିତ ହୋଇଛି ଗଳ୍ପ ନିଶା । ନିଶା ଲାଗିଲେ ଲୋକ ନିଜକୁ ଭୁଲେ, ଅଛି କି ନାହିଁ ମୋର ଦେହୀ ବୋଲି ଭାଗବତ ଗାଏ, ନିଶା ଆସିଲେ ବରୁଆ ଆସେ, ହଷ୍ଟେଲ ଛାତ ଉପରେ ଦଉଡ଼ିବାର ଖିଆଲ ଆସେ, ପ୍ରିୟାର ପଣତ ପରଖିବାର ମଜା ମାଡ଼େ, ଅବାଙ୍‍ମୟତା ଆସେ, ନୀରବତା ଆସେ ।

 

ଏଠାରେ ରାତି ଆସିଛି କଲେଜ ପରିସରରେ । ୟୁକାଲିପଟାସ ଓ ଦେବଦାରୁ ଗଛ ଉପରେ ସବାର ହୋଇ। ବଡ଼ କାବ୍ୟିକ ଉଚ୍ଚାରଣରେ ଆମେ ପଢ଼ୁ ରାତିର ସ୍ତବ ପାଠ - “ରାତି ! ତମେ ମାୟାବିନୀ । ତମେ ଲଘୁ । ତମେ ଗୁରୁ । ତମେ ସ୍ୱର । ତମେ ସମ୍ଭାର । ତମେ ଯୌବନ । ତମେ କାମୋ – କାମାୟିନୀ । ରାତି ! ତମେ ପୁଣି ତିକ୍ତା । ତମେ କୁରୂପା । ବିଗତ ଯୌବନା... ।”

 

ନିଶା ଏକ କାଳ ମାତ୍ର ନୁହେଁ । ସେ ନୀରବତାର ତୀର୍ଥ । ଗଙ୍ଗାଧରଙ୍କ କଳ୍ପନାରେ ଉଷାର ମାନବୀୟ ଉତ୍ତରଣ ହେବା ପରି ଏଠି ନିଶା ଭିତରେ ଦେଖୁ ଜୀବନକୁ । ଜୀବନର ଇଚ୍ଛା ଅସମ୍ଭବ ଭାବରେ ନୃତ୍ୟ ଆରମ୍ଭ କରିଛି ଆଉ ଥରେ ଅତୀତକୁ ଫେରିବାକୁ । ତା’ର ଇଚ୍ଛା ହେଉଛି କଲେଜ କରିଡୋରରେ ଗଡ଼ିବାକୁ । ପଡ଼ିଆରେ ଗଡ଼ିବାକୁ । କଲେଜ ରାସ୍ତାରେ ଗଡ଼ିବାକୁ । ୟୁକାଲିପଟାସ ଗଛରେ ଚଢ଼ିବାକୁ । କଲେଜ ବିଲଡିଂ ଉପରେ ଦୌଡ଼ିବାକୁ । ‘‘ଏହି ସବୁ ଇଚ୍ଛାର ଇଙ୍ଗିତରେ ଜୀବନ ଚାହୁଁଛି ଆଉ ଥରେ ନଅବର୍ଷ ତଳର କଲେଜ ଜୀବନକୁ ଫେରିଯିବାକୁ । ଯଦି ଏହି ଗଳ୍ପର ରଚନା କାଳକୁ ୧୯୬୮/୬୯ ବୋଲି ଧରାଯାଏ, ତେବେ ମନେ ହୁଏ ଜୀବନାନନ୍ଦ ପୂର୍ଣ୍ଣାନନ୍ଦଙ୍କ ଛାୟାମାତ୍ର । “ଏବେ ଗଳ୍ପ ମାନେଇ ତ ଆପଣାର ସୁଖ ଦୁଃଖ, ମଣିଷର ସୁଖ ଦୁଃଖ । ଜୀବନର ଅନୁଭୂତି ଆଉ କିଛି ସଜବାଜର ମିଶାମିଶି, ଫେଣ୍ଟାଫେଣ୍ଟି - ସୁଖଦୁଃଖ ।” (ନିଶା, କହିବାର କଥା – ପୂର୍ଣ୍ଣାନନ୍ଦ ଦାନୀ) । ଏହି ସଜବାଜର ସ୍ଵର ଭିତରେ ଶୁଭେ ପୂର୍ଣ୍ଣାନନ୍ଦଙ୍କ ସ୍ୱାନୁଭୂତିର ସ୍ୱର । ଆଉ ଥରେ ପଛକୁ ଫେରିବାର ଇଚ୍ଛାର ଇତି ଘଟୁଛି ଦେହ ଓ ମନର ଝଗଡ଼ାରେ । ମନ ଆପଡ଼ ମାରୁଛି ଦେହକୁ । ଦେହ ନୀରବି ଯାଉଛି ଇଚ୍ଛାରୁ । ଏଠି ନିଜ ଅତୀତକୁ ଭଲ ପାଇବାର ନିଶା, ବସନ୍ତକୁ ଭୋଗ କରିବାର ନିଶା, ଅତୀତକୁ ଆପଣେଇବାର ନିଶା ଭିତରେ ନୀରବତା ତାନପୁରା ବଜାଉଛି । ତାଙ୍କ ଲେଖନୀରୁ :

 

‘‘ଜୀବନ ଏକ ଅନୁଜାରିତ ସ୍ୱର / ସେ ସ୍ଵର ଚିହ୍ନରା ହେଲେ ସିନା”

“ରାତିକୁ ବାରମ୍ବାର ଚୁମ୍ବନ ଦିଆଯାଇପାରେ । ଅନ୍ଧାରକୁ ନିହାତି ଆତ୍ମୀୟ କରାଯାଇପାରେ’’

‘‘ବର୍ତ୍ତମାନ ରାସ୍ତାଶୂନ୍ୟ । ଦୋକାନବଜାର ଶୂନ୍ୟ... ସବୁ ଶୂନ୍ୟ । ପୂର୍ଣ୍ଣ ଏକା ଜୀବନ’’

‘‘ଶୂନ୍ୟତା ଭିତରେ ଜୀବନ ଏକ ମହାଶୂନ୍ୟ । ଶୂନ୍ୟ ଓ ଶୂନ୍ୟ ଯୋଗରେ ପୂର୍ଣ୍ଣତା କି ?”

– ଆଜି ପଢ଼ିଲେ ଶୂନ୍ୟତାକୁ ନୀରବତାକୁ ଭାବ ବିଭୋର ଏକଲା ପଣିଆକୁ ପଢ଼ିପାରୁ ।

ଜୀବନ କେବେ ହଷ୍ଟେଲରେ ରହିନାହିଁ । ଜାଣି ଜାଣି ରହି ନାହିଁ । ଘର ଭଡ଼ା ନିଏ । ଏକଲା ରହେ । ଏକାନ୍ତ ଗୀତିରେ ତାର ଅନେକ ପସନ୍ଦ । ଜୀବନର ଏକଥା ଲେଖିଲା ବେଳେ ସାଧନାର ସାହଚର୍ଯ୍ୟ ପାଇଁ ଏକାକୀତ୍ୱ ନୀରବତାକୁ ପସନ୍ଦ କରୁଥିବା ଆତ୍ମକଥା ଲେଖନ୍ତି ଗାଳ୍ପିକ । ବୟସ ପୋଲରେ ବସିଥିବା ବୁଢ଼ୀଟିଏ । ଏଠି ବୟସ ପୋଲ୍ ଚିତ୍ରକଳ୍ପଟିଏ । ତାର ମାଗିବାର ଭାଷାରେ ଆମେ ପଢ଼ୁ – “ଦିଅ, ଯାହା ଦେବ, ଦିଅ ଏ ହାତରେ । ଅମୃତ ଦିଅ । ଦେବ । ବିଷ ଦେବ । ଦିଅ । ସେ ସବୁ କ’ଣ । ସବୁ ଅମୃତ ମଣି ।” “ସେ ହାତ ପତେଇଛି । ବୟସର ପୋଲରେ ବସି । ବୟସର ଠେଙ୍ଗା ମାଡ଼ ସେ ସହୁଛି ।” ଏଠି ବୁଢ଼ୀକୁ ଯାଚନାର ନାଦ ବିନ୍ଦୁରେ ଏକ ନୀରବ ସ୍ୱର କରି ଉପସ୍ଥାପନା କଲାବେଳେ ତା’ରି ପାଖାପାଖି ଚିତ୍ର କରନ୍ତି ଉଦ୍ଦାମ ଯୌବନର କୋଳାହଳକୁ । ଶାୟା, ଶାଢ଼ୀ, ବ୍ଲାଉଜ, ଭେନିଟିର ଆଡ଼ମ୍ବର । ଶାନ୍ତ ପାଖାପାଖି ଅଶାନ୍ତ । ସେଭଳି ଆମେ ଭେଟୁଛୁ କଲେଜ ସାମ୍ନାରେ ବେଞ୍ଚରେ ଶୋଇଥିବା ବୁଢ଼ାକୁ । ଯେ ମାଗେ ନାହିଁ, ଦେଲେ ଅବଶ୍ୟ ନିଏ । ନିଜ ତରଫରୁ ମୁହଁ ଖୋଲିବାର ଅଭ୍ୟାସ ଏମାନଙ୍କର ନାହିଁ । ଏମାନେ ଶିଖୁଛନ୍ତି ବରଂ ନୀରବ ରହିବା ଭଲ । ସେହି ନୀରବତାର ଭିତରେ ରାତିର ଛାତି ଚିରି ମାଲଗାଡ଼ି ଆଗକୁ ବଢ଼ୁଛି । ମନେପକାଇ ଦେଉଛି ନୀରବରେ କର୍ତ୍ତବ୍ୟ କରିବାର ସଂକଳ୍ପକୁ ।

 

ନୀରବତାର ତାନପୁରାରେ ବାଜୁଛି ସରି ଆସୁଥିବା ଜୀବନର ରାଗିଣୀ, ଶୁଭୁଛି କେଉଁ ଜଣକର ଅସୃଷ୍ଟତର ପଦଧ୍ଵନି । ଆମେ ରବୀନ୍ଦ୍ର ଦର୍ଶନ, ନିରାସକ୍ତି ଭିତରେ ନିର୍ଲିପ୍ତ ଆସକ୍ତିର ସ୍ଵର ଶୁଣୁ । ସେ ଅନ୍ଧକାରକୁ ଆବାହନ କରନ୍ତି । କାଳେ ଆଲୋକକୁ ଆସିଲେ ଆତ୍ମପ୍ରଶଂସା, ବଡ଼ିମାର ମାପଦଣ୍ଡରେ ନିଜକୁ ନିଜେ ଭାରିଭାରି ଲାଗିପାରେ । ତେଣୁ ଆମେ ପଢ଼ୁ – “ହେ ଅନ୍ଧାର ! ମୋତେ ଲୁଚେଇ ରଖ । ଲୁଚେଇ ରଖ ତମର ନିରାପଦ ଗୁମ୍ଫା ଭିତରେ । ମୁଁ ଅନ୍ଧାରରେ ଜୁଡ଼ୁବୁଡ଼ୁ ହୋଇ ପୋଷା ବିଲେଇଟି ଭଳି ଶୋଇ ପଡ଼ିବି । ଚୁପଚାପ୍ ଶୋଇପଡ଼ିବି ।”

 

ନିଜର ଜୀବନଦର୍ଶନକୁ ନେଇ ଜୀବନାନନ୍ଦ ମୁହଁରେ ସଂଳାପ ଖଞ୍ଜିଲା ବେଳେ ଲାଗେ ପୂର୍ଣ୍ଣାନନ୍ଦଙ୍କ ଅନ୍ତଃସ୍ଵର କଥା କହୁଛି । ଆଧୁନିକ ଓଡ଼ିଆ କ୍ଷୁଦ୍ର ଗଳ୍ପରେ ଆନ୍ତରୀଣ କାବ୍ୟାତ୍ମିକତାର ଗୁଣ ସାଂପ୍ରତିକ ଗଳ୍ପକୁ ବସ୍ତୁତଃ ଅଧିକ ପ୍ରଭାବଯୁକ୍ତ କରିଛି । ଏହାଦ୍ଵାରା ଗଛରେ ଗାଳ୍ପିକଙ୍କ ବକ୍ତବ୍ୟ ସହିତ ଗର ସାମଗ୍ରିକ ପ୍ରଭାବ ବା ଆବେଦନ ଅଧୁକ ଅଂତର୍ମୁଖୀ (Intovate) ହୋଇଛି ।”

(ଡ. ଆଦିକନ୍ଦ ସାହୁ, ଗଦ୍ୟ ଗୌରବ)

 

ନୀରବରେ ଯୌବନର ନହବତ ବାଜୁଛି, ରୋମାନ୍‌ସର ରୋମାଞ୍ଚ ଆସୁଛି, ଗାର୍ଲସ ହଷ୍ଟେଲର ଛାତ ଉପରେ ପତାକା ଭଳି ଉଡ଼ୁଥିବା ବସ୍ତ୍ରମାନଙ୍କରୁ କାହାର ଜଣକର ବସ୍ତ୍ର ଚିହ୍ନିବା କଥା ମନେ ପଡ଼ୁଛି । ଧାଡ଼ିଏ କଥାରେ ଗାଳ୍ପିକ ନିଜ ପ୍ରେମିକାର କାନି ଚିହ୍ନିବାର କଥା କହୁଛନ୍ତି ।

- ‘ଜୀବନ ଚିହ୍ନ ନିଜ ଦେଶର ପତାକାକୁ”

ଜୀବନ କଥା ହେବା ପାଇଁ ମଣିଷ ଖୋଜୁଛି ମାତ୍ର ପାଉନାହିଁ । ଜନାକୀର୍ଣ୍ଣ ଛକ – ଶୂନ୍‌ଶାନ୍ ବର୍ତ୍ତମାନ । ଶୁଣୁଛୁ ଶୂନ୍ୟର କଥା । ‘‘ସବୁ ଶୂନ୍ୟ । ଶୂନ୍ୟ ଯେ ସବୁ ଶୂନ୍ୟ । ମହାଜାଗତିକ ଶୂନ୍ୟରେ କେବଳ ମହାଶୂନ୍ୟ ।” ଏହି ଶୂନ୍ୟରୁ ନୀରବତାର ଯାତ୍ରାରେ ସେ ଯାଇଥିଲେ ପୂର୍ଣ୍ଣକୁ । ପାଇଥିଲେ ପୂର୍ଣ୍ଣାନନ୍ଦ । ୟୁକାଲିପଟାସ ଗଛ । ଦେବଦାରୁ ଗଛ । ତାରା ଭର୍ତ୍ତି ଆକାଶ । ଖଣ୍ଡିଆ ଖାବରା ଚନ୍ଦ୍ର । କାନ୍ଦି କାନ୍ଦି ଆଖୁ ଫୁଲି ଯାଇଥିବା ଜୁଳୁଜୁଳିଆ ତାରା ଏମାନଙ୍କର ଚିତ୍ରଣ ଭିତରେ ଆମେ ଦେଖୁ ରାତ୍ରିର ବର୍ଣ୍ଣନାରେ ବାସ୍ତବିକତାର ଛିଟାକୁ । ଜୀବନ ଦେଖୁଛି ସପ୍ତର୍ଷି ମଣ୍ଡଳକୁ । ବଶିଷ୍ଠ ଓ ଅରୁନ୍ଧତୀ । ଯୁଗ୍ମ । “ଜୀବନ ଓ –’’ କହିଲାବେଳେ ଏକ ସଂଯତ ପ୍ରାକ୍ କାମନାର ଚିତ୍ରଣ ଆମେ ଦେଖୁ । ଜୀବନ ଦେଖୁଛି ଧ୍ରୁବ ତାରାକୁ । ଜୀବନ ହିଁ ଧ୍ରୁବ । ଜଳି ଏକ ଜୁଆଖେଳ । ଏ ଯାଏଁ ସବୁ ଘଟିଛି ନୀରବରେ । ମନଃ ରାଜ୍ୟରେ । ସ୍ୱାଗତ ସଂଳାପରେ । ସେ ଖୋଜି ଚାଲିଛି ତାର ଚରିତ୍ରର ବହୁମୁଖୀ ରୂପକୁ । ତାର ଡାଇନାମିକ୍ କେରେକ୍‍ଟରକୁ । ଏଠି ଆମେ ଶୁଣୁଛୁ ଜୀବନାନନ୍ଦର ଅକୁଣ୍ଠିତ ଭାବମୟ ଉଚ୍ଚାରଣକୁ ନୀରବ ସଂଳାପରେ । ସେ ନିଶାରେ ମାତିଛି । ହଷ୍ଟେଲ ଛାତ ଉପରେ ଦଉଡ଼ୁଛି । ସକାଳ ଆସିଲା ବେଳକୁ ଆମେ ଦେଖୁଛୁ ହତଚେତ ଜୀବନକୁ । ଆତ୍ମ ଅନ୍ଵେଷାର ସ୍ୱର କ୍ରମେ ଉତ୍ଥାନ ହୋଇହୋଇ ଆଗେଇଛି । ହଷ୍ଟେଲ ଛାତରୁ ପଡ଼ିବା ଯାଏଁ ।

 

ନିଶାରୁ ନୀରବତାର କୋଳାହଳ ଭିତରେ ସମୟର ବ୍ୟବଧାନ ପାଖାପାଖି ଛତିଶ ବର୍ଷ । ଏହା ଭିତରେ ଗଳ୍ପମାନସକୁ ସବାର ହୋଇଥିବେ ସଂଖ୍ୟାଧିକ ଗଳ୍ପଭାସ । କିଏ କିଏ ଜୀବନ୍ୟାସ ପାଇଥିବେ । ଆଉ କିଏ ସବୁ କଳ୍ପନା ଲୋକରେ ହିଁ ରହିଯାଇଥିବେ । ବୋଧେ ଗାଳ୍ପିକ ଜୀବନର ଶେଷ ପର୍ଯ୍ୟାୟର ଗଳ୍ପ “ନୀରବତାର କୋଳାହଳ’’ । ଯାହା ଏପ୍ରିଲ, ୨୦୦୪ରେ ସଚିତ୍ର ବିଜୟାର ଗଳ୍ପ ବିଭାଗରେ ସ୍ଥାନିତ । ଏହି ଗଳ୍ପ ପ୍ରକାଶିତ ହେବା ବେଳକୁ ସେ କର୍କଟରେ କବଳିତ ବୋଲି ଜାଣି ସାରିଲେଣି । ପ୍ରଗତି ଭିତରେ ପରିବେଶକୁ, ବନାନୀର ଶାନ୍ତ ନୀରବତାକୁ ବନଦେବୀଙ୍କର ବନଖଣ୍ଡକୁ ଅଶାନ୍ତିକର ଉପତ୍ୟକାକୁ ଠେଲି ଦିଆଯାଉଛି । ଆଜିର ସମାଜ ସଂସ୍କୃତି ଉନ୍ନତିର ଉହାଡ଼ରେ ସାଂସ୍କୃତିକ ପ୍ରଦୂଷଣକୁ ସେ ସହ୍ୟ କରି ପାରିନାହାନ୍ତି । ତା ବିପକ୍ଷରେ ନୀରବ ମଣିଷଟି ନିଜ ଅନ୍ତରାତ୍ମାରେ କୋଳାହଳ ଶୁଣିଛନ୍ତି । ସେ କୋଳାହଳର ପ୍ରତିଧ୍ୱନିରେ ଉତୁରୁଛି ଏହି ଗଛଟି । ଏଠି ଆମେ ପଢ଼ୁ ଅରଣ୍ୟର ଅନନ୍ୟ ରୂପଶୋଭା – ପରସ୍ପରକୁ ଚୁମ୍ବନ କରୁଥିବା ଫୁଲ, ଋତୁ ଆସିଲେ ଚହଟି ଯାଇଥିବା ମହକ, ପଥିକକୁ ଯାଚିଦେବା ପାଇଁ ଅନେଇ ଥିବା ଫଳ, ପଶୁପକ୍ଷୀଙ୍କ ଆନନ୍ଦରେ ଅବାଧ ବିଚରଣ, ରାତି ଆକାଶରେ ଅରଣ୍ୟ ପ୍ରତି ଶ୍ରଦ୍ଧାଶୀଳ ମିଟି ମିଟି ତାରା ଇତ୍ୟାଦି ଭିତରେ ଆମେ ଦେଖୁଛୁ ଅରଣ୍ୟରେ ନୀରବତାର ପ୍ରବହମାନତା । ଅଖଣ୍ଡ ନୀରବତା । ସେଇ ନୀରବତାରେ ଆତ୍ମବିଭୋର, ଆତ୍ମମୁଗଧ ହୋଇ ତାଙ୍କ କଲମରୁ ଉତୁରିଛି –

 

"ଏ ଅରଣ୍ୟରେ ନୀରବତା ହିଁ ନୀରବତା । ପରମ ଆତ୍ମୀୟ ନୀରବତା । ପ୍ରବହମାନ ନୀରବତା । ହଁ ଏହି ବନାନୀର ନୀରବତାରେ ଅଛି ହିଁ ଶ୍ରଦ୍ଧାଶୀଳ ନୀରବତା । ନୀରବତାରେ ପରମ ଶାନ୍ତି । ସୁଶାନ୍ତ ନୀରବତା, ସୁଶୀଳ ନୀରବତା, ସୁକୁମାର ନୀରବତା, ସୁଲଳିତ ନୀରବତାର ଛନ୍ଦ – ନୀରବତାର ସମନ୍ୱିତ ଛନ୍ଦ, ଅନୁପମ ଛନ୍ଦ, ନିରୂପମା ଛନ୍ଦ । ଅରଣ୍ୟରେ ନୀରବତାର ଆହ୍ଲାଦିତ ଆହ୍ୱାନ । ଆତ୍ମୀୟ ଏବଂ ପରମାତ୍ମୀୟ । ଅନାସକ୍ତ – ଆସକ୍ତ : ଆସକ୍ତ – ଅନାସକ୍ତ : ଅରଣ୍ୟର ନୀରବତା । ଏକ ଅହେତୁକ – ହେତୁକ ଡାକରା ସେଇ ଅରଣ୍ୟ – ନୀରବତାର ପ୍ରଶାନ୍ତି-।”

(ନୀରବତାର କୋଳାହଳ, ସଚିତ୍ର ବିଜୟା, ଏପ୍ରିଲ- ୨୦୦୪) ।

 

ନୀରବତାକୁ ଏତେ ନିବିଡ଼ ଭାବରେ ଚିପୁଡ଼ ଚିପୁଡ଼ି ରସସ୍ୱାଦ କରିଥିବା ଦରଦୀ ଗାଳ୍ପିକ ବୋଧେ କମ୍ ଥିବେ ଓଡ଼ିଆ ଗଳ୍ପ ଜଗତରେ । ଯେତିକି ଡକ୍ଟର ଦାନୀ ଅଟନ୍ତି । ସାଧାରଣ ଜୀବନରେ ବି ସେ ଥିଲେ ନୀରବ ସାଧକ । ଲୋଡ଼ା ନ ପଡ଼ିଲେ ଅଲୋଡ଼ାରେ କେଉଁଠିକୁ ଯିବା, । ବିନା ଦରକାରରେ ପକେଇ ହେବା, ଆଗତୁରା ଆଗତକୁହା ହେବା ତାଙ୍କ ଜାତକରେ ନ ଥିଲା । ନିଜର ନିଜସ୍ଵତା ଭିତରେ ପରିଚ୍ଛନ୍ନ ଚେତନାର ଶାବ୍ଦିକ କମନୀୟତା କଥା କହୁଥିଲା ପୂର୍ଣ୍ଣାନନ୍ଦଙ୍କ ଗଳ୍ପମାନସରେ । ଯେଉଁମାନେ ନୀରବରେ ଦେଇ ଜାଣନ୍ତି, ଦେଇ ଦେଇ ନିଜକୁ ନିଃସ୍ଵ କରିଦିଅନ୍ତି ସେହି ନୀରବ ଦାତାମାନଙ୍କର ଜୟଗାନ ଶୁଭେ ଏଠି – ‘‘ଫୁଲଙ୍କର ସୁରଭିତ ରେଣୁ । ଫଳଙ୍କର ନିସର୍ତ୍ତ ସମର୍ପଣରେ ପ୍ରତୀକ୍ଷା, ପଥଚାରୀଙ୍କର । ବୃକ୍ଷ-ଛାୟାଙ୍କର ଆମନ୍ତ୍ରଣ ।”

 

ନୀରବିତ ଅରଣ୍ୟରେ ଏମିତି ବି ଶବ୍ଦ ଶୁଭେ, ଯହିଁରେ ଆତଙ୍କ ଓ ଆସକ୍ତି ଫେଣ୍ଟାଫେଣ୍ଟି । ଆପଦ ଓ ଆଶ୍ୱାସନାର ସହାବସ୍ଥାନ । ତାଙ୍କର ପ୍ରତିଟି ଶବ୍ଦରେ କଅଁଳ ପରଶର କମନୀୟତା । କାବ୍ୟିକ କାବ୍ୟିକ ଲାଗନ୍ତି ସେମାନଙ୍କର ସଜବାଜ । ସେଇ ସଜବାଜରେ ଫୁଲମାନଙ୍କର ନୀରବ ପ୍ରାର୍ଥନା – “ଫୁଲଙ୍କର ପୁଣି ପ୍ରଣୟ ପ୍ରାର୍ଥନା ? ନୀରବ ପ୍ରାର୍ଥନା । ନୀରବତାର ପ୍ରଣୟ ।”

 

ସେହିପରି ଅନ୍ଧାର ରାତିର ନୀରବିତ ପରିବେଶ, ତାରାମାନଙ୍କର ଠରା ଠରି ଡାକ, ଜହ୍ନର ଝରଣା, ଜହ୍ନ ଅଗଣାରେ ଗୀତ ଗାଉଥିବା ଝରଣା, ଆଦିର ଉପସ୍ଥାପନାରେ ଉଚ୍ଚାରିତ ତନ୍ମୟ ମଣିଷର ମନ କଥା । ଯେମିତି ନିଶ ! ଗଳ୍ପରେ ଆମେ ଜୀବନାନନ୍ଦର ମନୋଭାସ ଭିତରେ ଦେଖୁଥଲେ ପୂର୍ଣ୍ଣାନନ୍ଦଙ୍କୁ ସେପରି ଏଠି ଆମେ ପଢ଼ୁଛୁ ତାଙ୍କ ନିଜ ସମ୍ପର୍କରେ ସ୍ୱୀକାରୋକ୍ତି – “ଜହ୍ନ ଓ ଅନ୍ଧାର ତିଳ-ତଣ୍ଡୁଳିତ ଏ ଅରଣ୍ୟରେ; ଏଇ ଜୀବନର ଅୟୁତ ଜାହ୍ନବୀରେ’’ । ପ୍ରକୃତି ଉପରେ ମଣିଷର ଅତ୍ୟାଚାର, ଅପ୍ରାକୃତିକ ଆକ୍ରମଣ, କୃତ୍ରିମ ବିଳାସଶୀଳତା ଅରଣ୍ୟରେ ଅହେତୁକ ପ୍ରବେଶ, ଜଙ୍ଗଲକୁ ପଦା କରିବାର ସଂକଳ୍ପ ବ୍ୟଥିତ କରିଛି ତାଙ୍କୁ । ସେ ଶୁଣିଛନ୍ତି ନୀରବତା ଭିତରେ ପ୍ରତିବାଦର କୋଳାହଳକୁ । ଯେମିତି ଗଙ୍ଗାଧର ତପସ୍ୱିନୀରେ ଦେଖିଥିଲେ ନିୟତି ବିପକ୍ଷରେ ପ୍ରକୃତିର ସଂଗ୍ରାମକୁ ।

 

ସମୟକ୍ରମେ ବନଚାରୀଙ୍କ ବନପଥ – ପଥଚାରୀଙ୍କ ବନପଥ ହୋଇଯାଇଛି । ବନ୍ୟପଶୁର ବନପଥ, ମଣିଷର ବନପଥ ହେଉଛି ବନ୍ୟ ପଶୁ ଭିନ୍ନ ପଥ ବାଛି ନେଉଛି, ମଣିଷର ହୀନ ଚକ୍ରାନ୍ତରେ ଆକ୍ରମିତ ହେଉଛି ବନ୍ୟ-ପଶୁ, ବନ ପଥରେ ଚାଲୁଚି ଭାରବାହୀ ପଶୁଚାଳିତ ଶକଟ, ଦ୍ୱିଚକ୍ରଯାନ ଓ ଯାନ୍ତ୍ରଯାନ । ଏହି କ୍ରମିକତା ଭିତରେ ଭିଡ଼ ଜମେଇଛନ୍ତି ମଣିଷର ତଥା ଆଧୁନିକ ସଭ୍ୟତାର ବର୍ବରୋଚିତ ଆକ୍ରମଣମାନେ ନୀରୀହ ଆରଣ୍ୟକ ନୀରବତା ପ୍ରତି । ପ୍ରତି ପଦକ୍ଷେପରେ ପଦାଘାତ କରିଛନ୍ତି ତପସ୍ୟାସିକ୍ତ ତପୋଭୂମି ପ୍ରତି ।

 

ଶିକାରୀର ଦୌରାତ୍ମ୍ୟ, ମଣିଷର ଚାଲାକିରେ ଅରଣ୍ୟର ବୃହତକାୟ ବୃକ୍ଷସବୁ ଉଭାନ୍ । ଅରଣ୍ୟାଶ୍ରୟୀ ଝରଣା ବୟସ୍କା ମାତୃସ୍ତନ ପରି ଶୁଖିଯିବା, ମର୍ମାହତ ବନାନୀର ଚିତ୍ରଣ ଭିତରେ ସେ ଚିରି ଦେଖାଇଛନ୍ତି ପରିବେଶ ପ୍ରତି ଅସଚେତନ ସାମୟିକ ପ୍ରାପ୍ତିର ଉଲ୍ଲାସରେ ଉନ୍ମତ୍ତ ମଣିଷର ମଦମତ୍ତତାକୁ । ବନଦେବୀ ମଣିଷର ପ୍ରତିଷ୍ଠିତ । ନାରୀ ମୁଖାକୃତି କୌଣସି ଏକ ପଥର ପଥଚାରୀଙ୍କ ବିଶ୍ୱାସରେ ପୂଜିତା, ବହଳ ସିନ୍ଦୁର ଲେପିତା । ଏଠି ଗ୍ରାମୀଣର ବିଶ୍ଵାସ କଥା କହିଛି । ବାଘ ଉପରେ ବସି ଦେବୀ ସାରା ଅରଣ୍ୟକୁ ବୁଲନ୍ତି । ପ୍ରଥମେ ଶାନ୍ତ, ସାତ୍ତିକ ଥିଲା ବନଦେବୀଙ୍କର ବନଖଣ୍ଡ । ବହୁ ପୁରାକାଳରେ । ସଚରାଚରରେ ଯେମିତି ଆମେ ଆକ୍ରମଣ କରୁଛୁ ଆରଣ୍ୟକ ନୀରବତାକୁ ସେମିତି ଏଠି ବି ହୋଇଛି, ବନଦେବୀଙ୍କ ପାଇଁ ମନ୍ଦିର ତିଆରି / ପ୍ରତିଯୋଗିତାର ତାତିରେ ଆହୁରି ଆହୁରି ବନ ମନ୍ଦିର ତିଆରି / ମନ୍ଦିରକୁ ଦୂରରୁ ଜଣାଇବାର ଉଦ୍ୟମ / ପୂଜା ସାମଗ୍ରୀ ଦୋକାନ ଖୋଲା / ଦୋକାନ ଖୋଲିବାର ପ୍ରତିଯୋଗିତାରେ-କଳି-କୋଳାହଳ / ଯାତ୍ରୀମାନଙ୍କ ପାଇଁ ହୋଟେଲ ନିର୍ମାଣ / ଖିଆ-ପିଆର ଏକତ୍ରୀକରଣ/ ହୋଟେଲ ସବୁ ଦୁରାଚାରର ରଂଗଶାଳା ପାଲଟି ଯିବା / ବନାନୀ ଉପରେ ଉପରି ଉପରି ଅତ୍ୟାଚାର / କେସେଟ୍‍ରେ ଅଶାଳୀନ ଅରଚିକର ଭଜନ ପରିବେଷଣ ଇତ୍ୟାଦି ଚିତ୍ରକଳ୍ପ ଖଂଜି ସେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଆମ ସାଂସ୍କୃତିକ ପ୍ରଗତିର ପଛପଟର ସାଂସ୍କୃତିକ ପ୍ରଦୂଷଣକୁ । ସାବଧାନ କରାଇଛନ୍ତି ।

 

ଦେବୀଙ୍କ ପାଇଁ ଏତେ ଆୟୋଜନ ଭିତରେ ଦେବୀ ତୁନି ହୋଇ ଯାଇଛନ୍ତି । ଏତେ କୋଳାହଳ ଭିତରେ, ହୋହଲ୍ଲା ଭିତରେ ଦେବୀଙ୍କୁ ନୀରବ କରାଇ ଦେଇଛନ୍ତି ଗାଳ୍ପିକ ଶେଷକୁ । ଏଠି ନିଜ ଭିତରେ ଚାପି ହୋଇ ରହିଥିବା ରୂଦ୍ଧଶ୍ଵାସକୁ ନେଇ ସତର୍କ ସନ୍ଦେଶ ଆମପାଇଁ ଦେଇଛନ୍ତି ଗାଳ୍ପିକ । ନିଶାରେ ଆରମ୍ଭ ନିଶାଭିସାର ଉତ୍ତରକାଳରେ ଶୁଣାଇଛି ନୀରବ ବିପ୍ଳବର ମନ୍ତ୍ରଧ୍ୱନି ।

 

ସହକାରୀ ଶିକ୍ଷକ,

ବିପ୍ଳବୀ ବୀର ସୁରେନ୍ଦ୍ରସାଏ ଉଚ୍ଚ ବିଦ୍ୟାଳୟ, ଖିଣ୍ଡା

ଭାୟା - ରେଂଗାଲି, ସମ୍ବଲପୁର – ୭୬୮୨ ୧୨

***

 

ଗଳ୍ପକଳାର ଯାଦୁକର ପୂର୍ଣ୍ଣାନନ୍ଦ ଦାନୀଙ୍କ କୁହୁକପେଡ଼ି

ଅଶୋକ କୁମାର ଦାଶ

 

“ପୃଥିବୀଟା, ଜୀବନଟା ଯେ କାହାଣୀର ଏକ କୁହୁକ ପେଡ଼ି । ସେହି ପେଡ଼ିରୁ କାହାଣୀ ଯେତେ ବାହାର କଲେ ବି ବୋଧେ ସରେ ନାହିଁ । ଏମିତି କେତେ କାହାଣୀ କୁହା ହୋଇ ଆସିଛି – ହୋଇ ଆସୁଛି – ହୋଇ ଆସୁଥିବ । ତେବେ ବି କାହାଣୀର ଏଇ ପେଡ଼ି ବା ଗନ୍ତାଘର ଖାଲି ହେବ ନାହିଁ ବୋଧେ ।” ଗଳ୍ପଜଗତ ସମ୍ପର୍କରେ ଏଇ ଥିଲା ଗାଳ୍ପିକ ପୂର୍ଣ୍ଣାନନ୍ଦ ଦାନୀ (୧୯୪୩-୨୦୦୪)ଙ୍କ ମତାମତ । ପୃଥିବୀ ଓ ଜୀବନକୁ କାହାଣୀର କୁହୁକପେଡ଼ି ବୋଲି ବିଶ୍ୱାସ କରୁଥିବା ଏଇ ଶିଳ୍ପୀଜଣକ ଆଜୀବନ ଏଇ କୁହୁକପେଡ଼ି ଅଣ୍ଡାଳିଛନ୍ତି । ଦୀର୍ଘ ପଇଁଚାଳିଶ ବର୍ଷଧରି ଅଣ୍ଡାଳି ଅଣ୍ଡାଳି ସେ ଓଡ଼ିଆ ଗଳ୍ପସାମ୍ରାଜ୍ୟକୁ ଦାନ କରିଛନ୍ତି ପାଞ୍ଚଟି ଗଳ୍ପ ସଙ୍କଳନ-୧. ନିଶା (୧୯୮୩), ୨. ବଗିଚାର ଫୁଲମାନେ (୧୯୮୪), ୩.କାଳୀୟ ଦଳନ ଓ ଅନ୍ୟାନ୍ୟ ଗଳ୍ପ (୧୯୮୭), ୪. ଦର୍ପଣରେ ନିଜମୁହଁ (୧୯୮୯), ୫. ହଳଦୀ କିଆରି (୧୯୯୧) । ଏହାଛଡ଼ା ପତ୍ର ପତ୍ରିକାରେ ପ୍ରକାଶ ପାଇଛି ଆହୁରି ବହୁତ ଗଳ୍ପ ଯାହାକୁ ଜୀବଦ୍ଦଶାରେ ସେ ସଙ୍କଳନର ରୂପ ଦେଇପାରିଲେ ନାହିଁ । ଗତ ୨୦୦୪ ଶାରଦୀୟ ‘ଝଙ୍କାର’ ପୃଷ୍ଠାରେ ପ୍ରକାଶିତ ହୋଇଥିଲା ତାଙ୍କର ଶେଷଗଳ୍ପ “ଅସରନ୍ତି ପିଲାଦିନ ମାତ୍ର ତା ପୂର୍ବରୁ ସରିଯାଇଥିଲା ତାଙ୍କ ଦିନ ।

 

ଆତ୍ମପ୍ରଚାରଠାରୁ ବହୁଦୂରରେ ରହିଥିବା ଏହି ପ୍ରଚଣ୍ଡ ଅଭିମାନୀ ଶିଳ୍ପୀଟି କୁହୁକପେଡ଼ିକୁ ଅଣ୍ଡାଳି ଚାଲିଥିଲେ ମୃତ୍ୟୁସହ ଭେଟାଭେଟି ହେବା ପର୍ଯ୍ୟନ୍ତ । ଆସନ୍ନମୃତ୍ୟୁ ଶଯ୍ୟାରେ ଥାଇସୁଦ୍ଧା ସେ କହୁଥିଲେ – ଗଳ୍ପ ଗୋଟିଏ ଦୁଇଟି ପତ୍ରପତ୍ରିକାକୁ ପଠାଇ ଦେଇଛି ଆଉ ଗଳ୍ପଟିଏ ଅଧାରେ ରହିଛି । ପୁରା କରିପାରି ନାହିଁ । ହାତଟା ଚାଲିଲେ ସିନା ।

 

ହାତଟା କିନ୍ତୁ ଆଉ ଚାଲିଲା ନାହିଁ । ପଇଁଚାଳିଶ ବର୍ଷଧରି ଲେଖିଲେଖି କ୍ଲାନ୍ତ ହୋଇ ପଡ଼ିଥିଲା ଯେମିତି । ମନ ଚାହୁଁଥିଲା ଆହୁରି ଅଣ୍ଡାଳିବାକୁ । ହାତ କିନ୍ତୁ ସହଯୋଗ କଲା ନାହିଁ । ଚିରଦିନପାଇଁ ସ୍ଥିର ହୋଇଗଲା ୨୦୦୪ ମସିହା ସେପ୍ଟେମ୍ବର ୧୩ ତାରିଖ ପୂର୍ବାହ୍ନରେ । ହାତଟା ବୋଧହୁଏ ଅଭିମାନ କରୁଥିଲା ଏତେ ଲେଖି ଲେଖି ପାଇଲି କ’ଣ ? ଅମାନିଆଁ ମନକୁ କିନ୍ତୁ ‘ନିଶା’ ଘାରିଥିଲା ।

 

ଅଣ୍ଡାଳିଚାଲ । କୁହୁକ ଦେଖେଇଚାଲ ନିଜର ଶକ୍ତିମତେ । ଯାହା ମିଳିଲା ମିଲୁ । ନ ମିଳିଲେ ବି ଚିନ୍ତା ନାହିଁ । ସେ ଥିଲେ ଦାନୀ । ଦେଇ ଜାଣିଥିଲେ । ଦେଉଥିଲେ । ମାଗି ଜାଣିନଥିଲେ । କ’ଣ ପାଇଲେ ନ ପାଇଲେ ତାଙ୍କର କି ଚିନ୍ତା ? ସେ ଯାଦୁକର । ଗଛର ଯାଦୁକର । କୁହୁକପେଡ଼ି ଅଣ୍ଡାଳି ପାଠକମାନଙ୍କୁ କିଛି ଦାନ କରିବା ତାଙ୍କର କର୍ତ୍ତବ୍ୟ । ଆନନ୍ଦ ଦାନ । ସେ ନିଜେ ଥିଲେ ପୂର୍ଣ୍ଣାନନ୍ଦ । ଏଥିରୁ କିଛି ଦାନ କଲେ କ୍ଷତି କ’ଣ ? ପୂର୍ଣ୍ଣସ୍ୟ ପୂର୍ଣ୍ଣିମାଦାୟ ପୂର୍ଣ୍ଣମେବାବଶିଷ୍ୟତେ । ଉପନିଷଦ୍ କହିଛି ପରା । ଶୂନ୍ୟରେ ମିଳେଇଗଲା ଶୂନ୍ୟ-ପୂର୍ଣ୍ଣ ଶରୀର । ଶୂନରୁ ଶୂନ କଟିଗଲା । ତଥାପି ରହିଲା ଶୂନ । ରହିଲା ତାଙ୍କର ଅକ୍ଷୟ ଗଳ୍ପସାମ୍ରାଜ୍ୟ । ଓଡ଼ିଆ ସାହିତ୍ୟ ଥିବ । ସେ ବି ଥିବେ ପୂର୍ଣ୍ଣାନନ୍ଦ । ମୁଁ ଜାଣେନା, ତାଙ୍କ କଥା ଲେଖିଲାବେଳେ ମୁଁ ଏମିତି ଭାବପ୍ରବଣ ହୋଇଯାଏଁ କାହିଁକି । ତାଙ୍କ କୁହୁକମାୟା ମତେ ଏତେ କିମିଆଁ କରିଛି କେମିତି ? ପାଠକମାନଙ୍କୁ ବି । କ’ଣ ଅଛି ତାଙ୍କ ଗଳ୍ପରେ ?

 

ଓଡ଼ିଆ ଗଳ୍ପ ସାହିତ୍ୟ କ୍ଷେତ୍ରରେ ଦୀର୍ଘଦିନ ଧରି ସାଧନା କରୁଥିଲେ ସୁଦ୍ଧା ଏବଂ ଓଡ଼ିଆ ଗଳ୍ପଜଗତରେ ଜଣେ ଖୁବ୍ ପରିଚିତ ନାମ ହେଲେ ସୁଦ୍ଧା ଦୀର୍ଘଦିନ ଧରି ତାଙ୍କର କୌଣସି ଗଳ୍ପସଙ୍କଳନ ପ୍ରକାଶ ପାଇ ନଥିଲା । ଜଣେ ନୀରବ ସାଧକ ହିସାବରେ ଏ ନେଇ ଅନିଚ୍ଛା ବା ଆତ୍ମପ୍ରଚାର ପାଇଁ ତାଙ୍କର ଅନାକାଂକ୍ଷା ଥିଲା ଏଥିପାଇଁ ଦାୟୀ । ଯାହା ହେଉ, ଦୀର୍ଘ ଦିନର ପ୍ରତୀକ୍ଷା ପରେ ପାଠକମାନଙ୍କର ଇଚ୍ଛାକୁ ପୂରଣ କରି ପ୍ରଥମ କରି ପ୍ରକାଶ ପାଇଲା ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ନିଶା’ ୧୯୮୩ ମସିହାରେ । ଏହା ପରେ ପରେ ଆଠବର୍ଷ ଭିତରେ ପ୍ରକାଶ ପାଇଥିଲା । ତାଙ୍କର ସମସ୍ତ ଗଳ୍ପ ସଙ୍କଳନ । ୧୯୯୧ରେ ପ୍ରକାଶିତ ହୋଇଥିଲା ଶେଷ ସଙ୍କଳନ - ‘ହଳଦୀ କିଆରୀ’ । ପାଞ୍ଚଟି ସଙ୍କଳନରେ ଥିଲା ପ୍ରାୟ ଅଶୀଟି ଗଳ୍ପ । ତଥାପି ଏଗୁଡ଼ିକର ବାହାରେ ଆହୁରି ଅନେକ ପ୍ରକାଶିତ ହୋଇଛି ପ୍ରତିଷ୍ଠିତ ପତ୍ରପତ୍ରିକାରେ । ସଂକଳିତ ହୋଇପାରିନି ଏଯାଏଁ !

 

ମାତ୍ର ‘ନିଶା’ ସଙ୍କଳନର ଗଳ୍ପଗୁଡ଼ିକ ଥିଲା ନିଆରା । ଗାଳ୍ପିକଙ୍କ ଆଦ୍ୟଜୀବନର ଗଳ୍ପ । ଏଗୁଡ଼ିକରେ ଆବେଗ ଖୁନ୍ଦି ହୋଇ ରହିଛି ଯେମିତି, ତାକୁ ପ୍ରକାଶ କରିବାର ଶୈଳୀଟିଏ ବି ରହିଛି ସେମିତି । ସମ୍ଭବତଃ, ପ୍ରଥମ ହେଲେ ହେଁ ଏହା ତାଙ୍କର ସର୍ବୋତ୍ତମ ଗଛକୃତି । ଏଥିପାଇଁ ସେ ପୁରସ୍କୃତ ହୋଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା । ଆବେଗ ଓ ଶୈଳୀର ତୀକ୍ଷଣତା ଏ ସଙ୍କଳନଟିର ସର୍ବୋକୃଷ୍ଟ ବୈଶିଷ୍ଟ୍ୟ । ଏଇ ସଙ୍କଳନର ‘ନିଶା’ ନାମକ ଗଳ୍ପ, ନିଶା ଏକ ନାରୀ ଇତ୍ୟାଦି ଗଳ୍ପକୁ ଏଥିପାଇଁ ଉଦାହରଣ ହିସାବରେ ଗ୍ରହଣ କରାଯାଇପାରେ । ଗଳ୍ପକଳା ଦୃଷ୍ଟିରୁ ‘ନିଶା’ ଗଳ୍ପଟିଏ ସଙ୍କଳନର ଗଳ୍ପମାନଙ୍କ ଭିତରୁ ଶ୍ରେଷ୍ଠତମ ଗଳ୍ପ ଭାବରେ ଗ୍ରହଣ କରାଯାଇପାରେ-

 

ଗଳ୍ପଟିରେ ଜଣେ ଅସଫଳ ପ୍ରେମିକ ଜୀବନାନନ୍ଦ । ଜଲିକୁ ଦେଖି କଲେଜ ଜୀବନରୁ ସେ ଆତ୍ମବିଭୋର । ଏପରିକି କଲେଜ ଛାଡ଼ିବାର ଅନେକ ଦିନ ପରେ ପରେ ବି ସେ ଜଲିକୁ ଭୁଲିପାରି ନାହିଁ । ତାର ସ୍ମୃତିରେ ସେ ପାଗଳ । କଲେଜ କମ୍ପାଉଣ୍ଡରେ ନିର୍ଜନ ରାତ୍ରିରେ ଜଲିକୁ ଖୋଜୁ ଖୋଜୁ ୟୁକାଲିପଟାସ୍ ଓ ଦେବଦାରୁ ଗଛ ସହିତ ସେ କଥାବାର୍ତ୍ତା କରୁଛି ପାଗଳପରି । ତାରି ଭିତରେ ଜଲି ଲୁଚିରହିଛି ଯେମିତି । ହେବ ନାହିଁ କେମିତି, ? ପ୍ରେମିକା ତାର ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା ଏଇ ଗଛପତ୍ର ପାଣିପବନ ସହିତ ! ଷଣ୍ଡଟାକୁ କମ୍ରେଡ୍ ବୋଲି ସମ୍ବୋଧନ କରି ତାର ସାଙ୍ଗରେ କଥାବାର୍ତ୍ତା କରିଛି । ପଶୁଙ୍କ ପିଇବାପାଣି କୁଣ୍ଡରୁ ପଶୁଙ୍କ ଭଳି ପାଣି ପିଇଛି । ଜଲି ବୁଢ଼ୀଅସୁରୁଣୀର କୁହୁକଭଳି ତା ନିକଟକୁ ଆସୁଛି ପୁଣି ଚାଲି ଯାଉଛି ଯେମିତି । ସେ ଖୋଜୁଛି ଜଲିକୁ । ମାତ୍ର ଭାବୁଛି - ଖୋଜିଲେ ମିଳେ ନାହିଁ, ନ ଖୋଜିଲେ ହଠାତ୍ ମିଳିଯାଏ । ଜଲିକୁ ଖୋଜୁ ଖୋଜୁ କଲେଜ ବିଲଡ଼ିଂ ଉପରୁ ଖସିପଡ଼ିଛି ରକ୍ତାକ୍ତ ହୋଇ । ଗଛଟିର ପରିଣତିରେ ଏକ ଅତିନାଟକୀୟତାର ସ୍ପର୍ଶ ଥିଲେ ସୁଦ୍ଧା ଏହା ଏକ କାଳଜୟୀ ସୃଷ୍ଟି । ଏକ ପାଗଳ ପ୍ରେମିକର ଚିନ୍ତାଧାରା ଓ କ୍ରିୟାକଳାପକୁ ଏଭଳି ଭାବେ ସୁବିନ୍ୟସ୍ତ କରି ପରିବେଷଣ କରାଯାଇଛି ଯେ ଗଳ୍ପ ସଜ୍ଜିକରଣରେ (Sequence) ପାଠକ ଜୀବନାନନ୍ଦ ସହିତ ନିଜକୁ ସାମିଲ କରିଦିଏ । ଏଇ ସଙ୍କଳନସ୍ଥ ‘ନିଶା ଏକ ନାରୀ’ ଆହୁରି ଏକ ଚମତ୍କାର ସୃଷ୍ଟି । ଜୀବନାନନ୍ଦର ପ୍ରେମିକ ମନର ପୁନଃପ୍ରକାଶ ଘଟିଛି ଏ ଗଛଟିରେ । କାରଣ- ‘ସହପାଠିନୀ ସେଇ ନିଶା ବୋଲି ଝିଅଟା ଥିଲା କିନ୍ତୁ ଭାରୀ ଚମତ୍କାର । ହସିଲେ ସେ ପଦ୍ମଫୁଟେ । କାନ୍ଦିଲେ ବି ପଦ୍ମଫୁଟେ- ଏଭଳି ଚମତ୍କାର ସେ ନିଶା-। ସେ ଥିଲା ଏକ ବୟସ, ଏକ ନଦୀ, ଏକ ନାରୀ, ଏକ ନିଶା । ଏଇ ନିଶା ଜଲିର ରୂପାନ୍ତର ମାତ୍ର-। ସେଇଠି ପ୍ରେମକରିବାକୁ ଜୀବନାନନ୍ଦ ନୀତି, ଚରିତ୍ର ଓ ଆଦର୍ଶକୁ ମାନିନାହିଁ । ନିଶାକୁ ଭୁଲିବାପାଇଁ ଅଧ୍ୟାପକ ହେଲେବି ଦେଶୀବିଦେଶୀ ସୁରା ଢୋକ ଦେଇଛି । ନିଜକୁ ସାନ୍ତ୍ୱନା ଦେଇଛି- ଏକଦା ଚନ୍ଦ୍ରମଲ୍ଲିକା, ମଲ୍ଲାରରାଗିଣୀ ନିଶା ନାମକ ଝିଅଟି ଆଜି ଏକ ରଫୁକରା ଛିଣ୍ଡା ବ୍ଲାଉଜଟିଏ, ମାତ୍ର ତଥାପି ନିଶାର ଆତ୍ମହତ୍ୟା ତାକୁ ବିବ୍ରତ କରିଛି । ଏହାଠାରୁ ବଳି ଏକ ମାର୍ମିକ ପ୍ରେମିକମନର ରୋଦନକୁ କିପରି ରୂପାୟିତ କରାଯାଇପାରେ ? ଜୀବନାନନ୍ଦର ମନୋବିକାରକୁ ଗଳ୍ପ ଦୁଇଟିରେ ପୂର୍ଣ୍ଣ ଅଭିବ୍ୟକ୍ତି ମିଳିଛି । ତେଣୁ ପାଠକ ଜୀବନାନନ୍ଦ ଭିତରେ ଖୋଜେ ନିଜକୁ । ଆତ୍ମହରା ହୋଇ ବିଚାରକରେ – ମୁଁ ଜୀବନାନନ୍ଦ ନୁହେଁ ତ ? ଏହି ଏକାତ୍ମବୋଧ ସୃଷ୍ଟି କରିପାରୁଥିବା ଶିଳ୍ପୀ ଓ ଶିଳ୍ପ ମହାନ୍ । କଳାର ଚରମ ସାର୍ଥକତା । ସଚ୍ଚା ପ୍ରେମିକ ଆଖିରେ କୌଣସି ସୁନ୍ଦର ଜାଗତିକବସ୍ତୁରେ ପ୍ରେମିକାର ଚେହେରା ଦିଶେ । ସବୁ ଜାଗତିକ ବସ୍ତୁ ତାପାଇଁ ପ୍ରେମିକାର ପ୍ରତିବିମ୍ବ । ‘ଜଲି ଓ ମହାନଦୀ’ : ମହାନଦୀ ଓ ଜଲି’ ଗଛରେ ନଦୀ ଓ ନାରୀର ଫରକ ନାହିଁ । ପ୍ରେମିକା ଜଲିର ଯୌବନ ଦିଶୁଛି ମହାନଦୀର ଫୁଲି ଉଠୁଥିବା ଜଳସ୍ରୋତ ଭିତରେ । ତେଣୁ ଜଲି ଦିଶିଯାଉଛି ଜଳସ୍ରୋତ ଭିତରେ । ଜଲି ଅଫିସରଙ୍କ ଅଲିଅଳ ଝିଅ ହେଲେ ସୁଦ୍ଧା ଏବଂ ପ୍ରେମିକର ହାତପାଆନ୍ତାରେ ନଥିଲେ ସୁଦ୍ଧା ତା ପ୍ରତି ତାଙ୍କ ଆକର୍ଷଣ ଦୁର୍ଦ୍ଦମନୀୟ । ତାରି ସ୍ମୃତିରେ ନିଜର କାମନା ଚରିତାର୍ଥ କରିବାକୁ ସେ ଚାହାନ୍ତି । ତେଣୁ ମହାନଦୀ ମୋଟେଇଛି ଜଲି ଭଳି ନା ଜଲି ମୋଟେଇଛି ମହାନଦୀ ଭଳି ଏକଥା ମୁଁ ସ୍ଥିର କରି ପାରୁନି, ଉଭୟେ କିନ୍ତୁ ମୋଟେଇଛନ୍ତି, ୟା ସତ । ସତ ବୋଲି ସତ । ଏ ଗଳ୍ପ ଗୁଡ଼ିକରେ ପ୍ରେମପ୍ରତି ଅଙ୍ଗୀକାର (Commitment) ଥିବାରୁ ପ୍ରେମରବାସ୍ନା ଆରମ୍ଭରୁ ଶେଷପର୍ଯ୍ୟନ୍ତ ଉପଭୋଗ୍ୟ । ତାଙ୍କର ଅନ୍ୟ ପ୍ରେମଗଳ୍ପ ଭିତରୁ ‘ଅଙ୍ଗନଦୀ ଅବବାହିକାର ଉପକଥା’, ଦୁଇଟି ଝରକା’, ବୈଶାଖି', “ନୀଳମାଧବ’; ହୃଦୟ ଓ ହୃତ୍‌ପିଣ୍ଡ ଇତ୍ୟାଦିର ସଫଳତା ଉଲ୍ଲେଖନୀୟ ।

 

ଏହି ପ୍ରେମଗଳ୍ପମାନଙ୍କ ଭିତରୁ ଅଧିକାଂଶ ସ୍ଵାଭାବିକ ଲକ୍ଷଣ ଅନୁଯାୟୀ ରୋମାଣ୍ଟିକ । ମାତ୍ର ବାସ୍ତବତା ସହିତ ଏହା ଯୋଗସୂତ୍ର ହରାଇ ନାହିଁ । ପୁଣି ଅନ୍ୟ ଗଳ୍ପମାନଙ୍କଠାରୁ ଏଗୁଡ଼ିକରେ ଆବେଗର ଉଚ୍ଚତା ଅନୁଭବ କରିହୁଏ । ପ୍ରେମର ବାସ୍ନା ଓ ପ୍ରେମିକର ରଙ୍ଗୀନ ସ୍ୱପ୍ନ ଏଇ ଗଳ୍ପମାନଙ୍କୁ ରୋମାଣ୍ଟିକ୍ କରିବାରେ ସାହାଯ୍ୟ କରିଛି । ଏ ଗଳ୍ପମାନଙ୍କର ଏହି ରୋମାଣ୍ଟିକ୍ ଆବେଗ କିନ୍ତୁ । ଲଗାମଛଡ଼ା ନୁହେଁ । ଉଲ୍ଲଙ୍ଗତାଠାରୁ ଯଥାସମ୍ଭବ ଦୂରତ୍ୱରଖି ନିଜର ସୌନ୍ଦର୍ଯ୍ୟ ବଜାୟରଖିଛି । ଉଲ୍ଲଙ୍ଗତାକୁ ବାଦ୍‌ଦେଇ ଯେ ଉକୃଷ୍ଟ ପ୍ରେମଗଳ୍ପ ଲେଖାଯାଇପାରେ, ଗାଳ୍ପିକ ଦାନୀ ତାର ଜ୍ଵଳନ୍ତ ଉଦାହରଣ । ଏ ରୋମାଣ୍ଟିକ୍ ଭାବାଳୁତା ଭିତରେ ବାସ୍ତବତା ଓ ଶୈଲ୍ପିକ ଉପାଦାନର ସାର୍ଥକ ସମନ୍ୱୟ ସାଧିତ ହୋଇଛି । ‘ଜିତାପଟ’ ଗଳ୍ପ ତାର ଏକ ଉଦାହରଣ । ଅପର ପ୍ରାଇମେରୀ ସ୍କୁଲରେ ଏକାସାଙ୍ଗରେ ପଢ଼ୁଥିବା ଅପରିପକ ଦୁଇଟି ବାଳକ ବାଳିକା ସଦାନନ୍ଦ ଓ ଗୌରୀ । ଗୌରୀ ସ୍ମୃତିରେ ବିଚଳିତ ନାୟକ ସଦାନନ୍ଦର ଅନୁଚିନ୍ତା ଏବେ ବାସନ୍ତୀ ଜ୍ୟୋସ୍ନା ହୋଇଯାଇଛି ବେଶ୍ ମାଦକୀୟ । ପଞ୍ଚମଶ୍ରେଣୀର ଛାତ୍ରୀ ଏ ଜୋଛନାର ସମୁଦ୍ରରେ ଖୋଜିବା ପାଇଁ ସାହସ ବାନ୍ଧିପାରେ ଆଉ ଜଣେ ସହପାଠୀ ନବମ ଦଶମ ବର୍ଷୀୟ ଛାତ୍ର ସଦେଇ । ସ୍ମୃତିର ଶକ୍ତି ତାକୁ ବେଶ୍ ସାହସ ଦେଉଛି । ସେ ପହଁରି ଚାଲିଛି । ଛନ ଛନ ସେ, ସ୍କୁଲ ପଡ଼ିଆସାରା । ସାରା ଖେଳପଡ଼ିଆ ଜୋସ୍ନାମୟ, ସ୍ମୃତିମୟ । ଗୌରୀମୟ । ସଦାନନ୍ଦମୟ । ସ୍ମୃତିମୟ । ଜ୍ୟୋସ୍ନାମୟ । ଏ ସ୍ମୃତି ଭିତରେ ଶିଳ୍ପୀସୁଲଭ ଆବେଗ ଲେଖକୁ ଆପେ ଆପେ ଟାଣି ନେଉଥିଲା ଭଳି ମନେହୁଏ । ଗଳ୍ପଗୁଡ଼ିକରେ କେବଳ ଆବେଗ ଯେ ରୋମାଣ୍ଟିକ୍ ତା ନୁହେଁ, ସ୍ଥଳ ବିଶେଷରେ ଖୁବ୍ ଅତିବାସ୍ତବଧର୍ମୀ । ‘ଦୁଇଟି ଝରକା’ ଗଛରେ ନାୟକ ନିଜକୋଠାର ଝରକାରୁ ଅନ୍ୟକୋଠାର ଝରକାବାଟେ ରୀତାକୁ ଦେଖି ବିଭୋର ହୋଇ ପଡ଼ିଛନ୍ତି । ଏଇଠି ପ୍ରେମିକ ସୁଲଭ ବାସ୍ତବ ଆବେଗ ଖୁବ୍ ଚମତ୍କାର- “ ଆରେ ! ଆଜି କ’ଣ ସେ ଆସିବ ନାହିଁ । ଏ ପର୍ଯ୍ୟନ୍ତ ଆସି ନାହିଁ ଯେ ! କୋଠରୀରେ ନୀରବତା । ସେ ତାର ପଢ଼ା କୋଠରୀରେ ଥିଲେ କୋଠିଟି ଭାରିଗହଳ ଲାଗେ । ପ୍ରାଣ ଥିଲାପରି ମନେ ହୁଏ ।” ଏଇଠି ଲେଖକ ନାୟକର ପ୍ରାଣସହ ଏକ ହୋଇଯାଇ ନାହାନ୍ତି କି ? ତେବେ ଏହା କେତେ ପରିମାଣରେ ରୋମାଣ୍ଟିକ୍ ଓ କେତେ ପରିମାଣରେ ବାସ୍ତବ, ତାହା ପାଠକକୁ ଏକ ଦ୍ୱନ୍ଦରେ ପକାଏ । ଏ ଭିତରେ ଉଚ୍ଛଙ୍ଖଳତା ନାହିଁ, ରହିଛି ଏକ ପ୍ରେମିକ ସୁଲଭ ଅନୁଭୂତି ସଂଯମ ଭାବରେ । କିଶୋରୀଚରଣ ଦାସଙ୍କ ଗଳ୍ପ ଭଳି ସେଠି ଦୈହିକ କ୍ଷୁଧାର ଚିତ୍ରନାହିଁ କି ରାଜକିଶୋର ରାୟଙ୍କ ଭଳି ଅତି ରୋମାଣ୍ଟିକ ଚିତ୍ର ମଧ୍ୟ ନାହିଁ । କିନ୍ତୁ ତଥାପି ଗଳ୍ପଗୁଡ଼ିକ ହୋଇପାରିଛି ଉପଭୋଗ୍ୟ ସ୍ୱକୀୟ ସ୍ଵାଦର ଅଧିକାରୀ ।

 

ଏହି ପ୍ରେମଗଳ୍ପମାନଙ୍କର ଅନ୍ୟ ଏକ ଆକର୍ଷଣୀୟ ଦିଗ ହେଉଛି – ପ୍ରେମର ଦିଗ । ଏଇଠି ଉଜ୍ଜଳ । ଅନେକ ସ୍ଥଳରେ ପ୍ରେମ ବିଡ଼ମ୍ବିତ, ତଥାପି ହତାଶାବୋଧଜନିତ ଧ୍ଵଂସମୁଖୀ ନୁହେଁ-। ଗଠନ ମୁଖୀ । ପ୍ରେମିକା ଓ ପ୍ରେମିକର ମିଳନ ଅନେକ ସ୍ଥଳରେ ସମ୍ଭବ ନ ହେଲେ ହେଁ ପରସ୍ପର ପ୍ରତିହିଂସାପରାୟଣ ନୁହନ୍ତି । ‘ଦୁଇଟି ଝରକା’ ଗଛରେ ରୀତା ସହର ଛାଡ଼ି ଚାଲିଯାଇଛି । ନାୟକ ଜାଣନ୍ତି- ରୀତାର ଛମ୍ ଛମ୍ ଚାଲି, ଗୁଣୁ ଗୁଣୁ ଗୀତ ସବୁକିଛି ବନ୍ଦ ହୋଇଯିବ ଏବେ । ଝରକାକୁ ଆସିଲେ ବି ସେ ଆଉ ଆସିବନି ପୂର୍ବର କୁମାରୀ ରୀତା ହୋଇ । ମଥାରେ ଓଢ଼ଣା, ହାତରେ ଶଙ୍ଖା ଓ କପାଳରେ ସିନ୍ଦୂରଟୋପା ନେଇ ସେ ଯିବ ପରଘରର ବୋହୂ ହୋଇ । ନାୟକଙ୍କ ମନ ନିହାତି ଉଦାସ । କୋଠି ଝରକା ସବୁ ଫାଙ୍କା ଜଣାଯାଉଛି ଯେମିତି । ତଥାପି ମନରେ ଈର୍ଷା ନାହିଁ, ତେଣୁ ସେ ଚିନ୍ତା କରନ୍ତି - “ପ୍ରଭୋ ! ରୀତାର କାଚ ବଜ୍ର ହେଉ’ ଆଉ ସିନ୍ଦୂର ଦାଉ ଦାଉ ଜଳୁଥାଉ ।” ଉଦାସ ମନର ଆବେଗକୁ ଗର୍ଭସ୍ଥ କରି କି ନଭଶ୍ଚୁମ୍ଭୀ ଗଠନମୁଖୀ କଳ୍ପନା ଏକ ପ୍ରେମିକ ମନର ! ତେଣୁ ରୀତା ନୁହେଁ, ପ୍ରେମିକ ହିଁ ଆକର୍ଷଣ କରନ୍ତି ବେଶୀ, ଏ ଗଳ୍ପରେ । ବୈଶାଖି ଗଛରେ ଠିକ୍ ଯେମିତି ରୁଦ୍ଧ ଆବେଗକୁ ଚାପି ରଖୁଛନ୍ତି ନାୟକ ଓ ନାୟିକା । ଉଭୟଙ୍କର ମିଳନ ହୋଇନାହିଁ । ସୀମା ନାୟକଙ୍କୁ ପାଇ ନଥିଲେ ବି ମନରେ ତାର ଦୁଃଖ ଅଛି କିନ୍ତୁ ଈର୍ଷା ନାହିଁ । ତେଣୁ ବିବାହିତ ପ୍ରେମିକଙ୍କ ପୁଅକୁ ଦେଖି ତାଙ୍କ ସ୍ତ୍ରୀଙ୍କୁ କହୁଛି – ଆମ ପୁଅ କ’ଣ କହୁଛୁ ଶୋଭା ? ଏଥିରେ କ’ଣ ମୋର ଭାଗ ନାହିଁ ? ଏ ମୋର ପୁଅ ବି ।” ପ୍ରେମିକର ସୁଖରେ ପ୍ରେମିକାର ଆନନ୍ଦ । ଏହାର ପ୍ରକାଶ ଗଳ୍ପଟିକୁ ଅମୃତର ସ୍ଵାଦ ଦେଇଛି କହିଲେ ଭୁଲ ହେବ ନାହିଁ । ପ୍ରେମର ଦିଗ ତେଣୁ ଗାଲ୍ପିକ ଦାନୀଙ୍କ ସୃଷ୍ଟିରେ ସୃଜନମୁଖୀ, ଧ୍ଵଂସମୁଖୀ ନୁହେଁ । ଅବଶ୍ୟ ମାଂସର ବ୍ୟାକୁଳତା ଯେଉଁଠି ପ୍ରକାଶ ପାଇଛି, ସେଠି ପ୍ରେମ ପରିବର୍ତ୍ତେ କାମ (Lust)ର ପ୍ରଭାବ ରହିଛି, ସେ ଗଳ୍ପଗୁଡ଼ିକର ମର୍ମବାଣୀ ନିଆରା । ଅନେକ କାରଣରୁ ସେଗୁଡ଼ିକୁ ଏଇଠି ପ୍ରେମଗଳ୍ପ ବୋଲି ବିଚାର କରାଯାଉନାହିଁ ।

 

ଡକ୍ଟର ଦାନୀଙ୍କର ସାମାଜିକ ଗଳ୍ପଗୁଡ଼ିକ ମୁଖ୍ୟତଃ ସମସ୍ୟାମୂଳକ । କୌଣସି କୌଣସି ସମସ୍ୟା ହିଁ ଏ ଗଳ୍ପମାନଙ୍କର ମୂଳବୀଜ । ତାଛଡ଼ା ଏ ଗଳ୍ପଗୁଡ଼ିକ ସମାଜର ବିଭିନ୍ନ ସ୍ତରକୁ ସ୍ପର୍ଶକରିଛି ଏବଂ ସାମୂହିକ ଭାବରେ ଏଗୁଡ଼ିକ ଏକ ସାମାଜିକ ବିଚିତ୍ରା, ଯାହା ବିଭିନ୍ନ ରଙ୍ଗରେ ରଞ୍ଜିତ ମାତ୍ର । ପ୍ରତ୍ୟେକ ରଙ୍ଗର ସ୍ଵାଦ ରହିଛି । ସମସ୍ୟାମୂଳକ ଗଳ୍ପଭାବେ ଧୂଆଁ, ଈଶ୍ୱରଙ୍କ ସହ କଥାବାର୍ତ୍ତା; ଆକାଶର ଉଚ୍ଚତା (ନିଶା); ବଗିଚାର ଫୁଲମାନେ, ସେ ଏକ ଅନନ୍ୟବିନ୍ଦୁ, କୌଣସି ଇଣ୍ଟରଭିଉରୁ ପରାସ୍ତ ହୋଇ, ସମସ୍ତଙ୍କୁ ଅନୁରୋଧ (ବଗିଚାର ଫୁଲମାନେ); ଦର୍ପଣରେ ନିଜ ମୁହଁ, ହଳଦୀ କିଆରୀ ଇତ୍ୟାଦି ଗଳ୍ପର ସଫଳତା ଉଲ୍ଲେଖଯୋଗ୍ୟ । ସେ ଏକ ଅନନ୍ୟ ବିନ୍ଦୁ । ଗଛଟିରେ ଏକ ପ୍ରେମମୂଳକ ସମସ୍ୟା ସମ୍ବନ୍ଧରେ ଗାଳ୍ପିକ ଅଧିକ ସଚେତନ । ଗୋଟିଏ କଲେଜ ଝିଅ ଯୂଥିକାକୁ ନେଇ ଲେଖକଙ୍କର ଦୁଇଜଣ ବନ୍ଧୁଙ୍କ ଏକ ତ୍ରିଭୂଜାକାର ପ୍ରେମକ୍ଷେତ୍ରରେ ଲେଖକ ଅଣନିଶ୍ଵାସୀ । ଯୂଥିକା, ଲେଖକ ଓ ବନ୍ଧୁଙ୍କ ଭିତରେ ମନୋମାଳିନ୍ୟ ପାଇଁ ଦାୟୀ । ଯୂଥିକାର ପ୍ରେମ ଅଭିନୟରେ ଲେଖକଙ୍କ ବନ୍ଧୁ ଦୁଇଜଣ ପାଗଳ ହେବାପରେ ତାର ବହୁରୂପୀ ଭୂମିକାକୁ ବୁଝି ପାରିଛନ୍ତି । ଅନ୍ୟ ସମସ୍ୟାମୂଳକ ଗଳ୍ପମାନଙ୍କ ଭିତରୁ ‘କୌଣସି ଇଣ୍ଟରଭିଉରୁ ପରାସ୍ତ ହୋଇ ଏକ ବେକାର ସମସ୍ୟାକୁ ନେଇ ରଚିତ । ନାୟକ ବି.ଏ. ଡିଗ୍ରୀଟିଏ ପାଇସାରିବା ପରେ ନିଜପାଇଁ ଚାକିରୀଖଣ୍ଡେ ଯୋଗାଡ଼ କରି ନ ପାରି କିପରି ଦୁଶ୍ଚିନ୍ତାରେ ଜର୍ଜରିତ ହୋଇଛି । ତା ଦେଖାଇ ଦିଆଯାଇଛି । ‘ସମସ୍ତଙ୍କୁ ଅନୁରୋଧ’ ଗଳ୍ପର ବୀଜ ଏକ ଲେଖକର ସମସ୍ୟା । ଲେଖକ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ପ୍ରେମଗଳ୍ପ ଲେଖିବ ନା କମ୍ରେଡ ବନି ଦରଲଙ୍ଗଳା ଲୋକଙ୍କ କଥା ଲେଖିବ ? ପୁଣି କେତେବନ୍ଧୁଙ୍କ ଅନୁରୋଧ କ୍ରମେ ଦୈହିକପ୍ରେମ ରହିବ ନା ନରହିବ ଏ ଚିନ୍ତାର ଏକ ଚମତ୍କାର ପରିପ୍ରକାଶ ଘଟିଛି ଗଳ୍ପଟିରେ । ଲେଖକ ଶେଷରେ ସମସ୍ତ ବନ୍ଧୁଙ୍କର ଉଦ୍ଦେଶ୍ୟରେ କହୁଛନ୍ତି- କ୍ଷମା କରିବ ବନ୍ଧୁ, ମୁଁ ତମର ବରାଦକୁ ପ୍ରତ୍ୟାଖ୍ୟାନ କରୁଛି । ମୁଁ ଲେଖିଲେ ତମେ ପଢ଼ିବ, ତମେ କହିଲେ ମୁଁ ଲେଖିପାରିବିନି । ‘ଧୂଆଁ ଗଛରେ ସରକାରୀ ସ୍ତରର ନାଲିଫିତା ସମସ୍ୟା (Red Tapism)କୁ ନେଇ ବ୍ୟଙ୍ଗ କରାଯାଇଛି । ଏକ ଅବସରପ୍ରାପ୍ତ ପିଅନ ଚଇତୁ ମୁଣ୍ଡାର ପେନସନ୍ ଗଣ୍ଡାପାଇଁ ହଟହଟାର ମର୍ମନ୍ତୁଦ କାହାଣୀ ରୂପାୟିତ । ନୈବେଦ୍ୟ ଓ ନିରାଜନା (ଦର୍ପଣରେ ନିଜ ମହଁ) ଗଛଟି ସେମିତି ଦୁର୍ନୀତିଗ୍ରସ୍ତ ଅଫିସର ଓ ପିଅନମାନଙ୍କର ଦୌରାତ୍ମ୍ୟ, ଛଦ୍ମଧର୍ମାଚାର ସମସ୍ୟା ଉପରେ ଆଧାରିତ । ‘ବେଲୁନ୍’ ଗଛରେ ଜଣେ ଅଧ୍ୟାପକ, ଜଣେ ମୁନସଫ କୋର୍ଟର ଜଜ୍ ଓ ଜଣେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀମାନଙ୍କ ବୈଠକରେ ନିଜଠାରୁ ବେଶୀ ଉଚ୍ଚତାରେ ଉଡ଼ିବାର ସ୍ୱପ୍ନକୁ । ସଫଳଭାବେ ଉପସ୍ଥାପନ କରାଯାଇଛି । ନିଜ ନିଜ ସ୍ୱାମୀର ଦୟନୀୟ ଅବସ୍ଥା କଥା ନ ବୁଝି ସ୍ତ୍ରୀମାନେ କେମିତି ଦେଖାଶିଖା ପ୍ରତିଯୋଗୀତାରେ ଉତ୍ତୀର୍ଣ ହୁଅନ୍ତି ତାର ଏକ ସଫଳଚିତ୍ର ରୂପାୟିତ ।

 

ସମସ୍ୟାମୂଳକ ଗଳ୍ପହିସାବରେ ‘ବଗିଚାର ଫୁଲମାନେ’ ଗଳ୍ପଟି ସ୍ଵତନ୍ତ୍ର ସ୍ୱାଦର । ଏକ ରୂପକଥା ଛଳରେ ସମାଜର ଦୃଷ୍ଟିଭଙ୍ଗୀକୁ ଗଛଟିରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଆଜି ବସ୍ତୁବାଦୀ ସମାଜ ଅସଲି ନକଲି ଚିହ୍ନିବାପାଇଁ ସମର୍ଥ ନୁହେଁ । ଲେବୁଲଦ୍ଵାରା ହିଁ ସେ ଜଗତକୁ ଦେଖେ । ହେଲେ ଲେବୁଲ ତାକୁ ଧୋକା ଦିଏ । ରୋଜିର ସମସ୍ୟାକୁ ସମାଜ ଦେଖିନାହିଁ । ବୃଥାରେ ତାକୁ ଚରିତ୍ରହୀନା, କଳଙ୍କିନୀ ଆଖ୍ୟା ଦେଇଛି । ତେଣୁ ତାର ବିବାହ ହୋଇପାରିନାହିଁ । ବଗିଚାର ଫୁଲମାନେ କେତକୀ ସତୀ ହେଲେବି ତାକୁ ଉପହାସ କରନ୍ତି କାରଣ ଭ୍ରମରମାନେ ତା ପାଖକୁ ଯାଆନ୍ତି ନାହିଁ । ନିଜକୁ ଦେଖନ୍ତି ନାହିଁ ସେମାନେ । ଅନେକ ଭ୍ରମରର ଅଙ୍କଶାୟିନୀ ସେମାନେ, ଅଥଚ, ଗର୍ବ । ବସ୍ତୁତଃ ସମାଜରେ ରୋଜିର ସମସ୍ୟା ଓ ବଗିଚାରେ କେତକୀର ସମସ୍ୟା ଏକାପରି ।

 

ଏହାଛଡ଼ା ଆହୁରି ଅନେକ ସ୍ୱାଦର ଗଳ୍ପ ଅଛି ଯାହା ସମସ୍ୟାମୂଳକ ନ ହେଲେ ବି ‘ସାମାଜିକ ଗଳ୍ପ’ ହିସାବରେ ଗ୍ରହଣ କରାଯାଇପାରେ । କାରଣ ନିରପେକ୍ଷ ଭାବରେ ବିଚାର କଲେ ଏ ଗୁଡ଼ିକରେ ଗୋଟିଏ ଗୋଟିଏ ସାମାଜିକ ଚିତ୍ର ହିଁ ଫୁଟିଛି । ଏ ଗଳ୍ପମାନଙ୍କ ଅନେକ ଗଳ୍ପ ଫଟୋଗ୍ରାଫିକ୍ । ବନ୍ୟା, ଆତ୍ମହତ୍ୟା ପୂର୍ବରୁ, ଦେଖଣାହାରୀ, ବନ୍ଦୀ, ସହର, କାଳୀୟଦଳନ ଇତ୍ୟାଦିକୁ ଉଦାହରଣ ହିସାବରେ ନିଆଯାଇପାରେ । ମୋଟାମୋଟି ଭାବରେ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଓ ଅଶିକ୍ଷିତ ଚଇତ ମୁଣ୍ଡାଠାରୁ ଡେପୁଟୀ କଲେକ୍ଟର ପର୍ଯ୍ୟନ୍ତ ସମାଜର ପ୍ରତ୍ୟେକ ସ୍ତରରୁ କଥାବସ୍ତୁ ଚୟନ କରାଯାଇଛି ।

 

ଚରିତ୍ର ଦୃଷ୍ଟିରୁ ବିଚାର କଲେ ଗାଳ୍ପିକ ଦାନୀଙ୍କ ଗଳ୍ପମାନଙ୍କରେ ଚରିତ୍ରର ବୈଚିତ୍ର୍ୟ ଅନୁଭବ କରିହୁଏ । ବିଭିନ୍ନ ପ୍ରକାରର ଚରିତ୍ରର ସମାବେଶରେ ଏଗୁଡ଼ିକ ମୁଖରିତ । ଅନେକଗୁଡ଼ିଏ ଗଳ୍ପରେ ଘଟଣା କିଛିନାହିଁ, କେବଳ ଚରିତ୍ର କେଇଟାର ସମାବେଶ ମାତ୍ର ହୋଇଛି । ଚରିତ୍ର ହିଁ ମୁଖ୍ୟ ଓ ଘଟଣା ଗୌଣ । ବଗିଚାର ଫୁଲମାନେ, ଜନ୍ମଦିନ, ସେ ଏକ ଅନନ୍ୟ ବିନ୍ଦୁ, ଛକ ଉପରେ, ଇନ୍ଦ୍ରଜାଲ, ବେଲୁନ, ଫେସକେଟ୍, ପଡ଼ୋଶିନୀ, ଇତ୍ୟାଦି ଗଛକୁ ଉଦାହରଣ ନିଆଯାଇପାରେ । ଏଇ ଚରିତ୍ର ଜଗତରେ ରହିଛନ୍ତି-ଶିକ୍ଷିତଠାରୁ ଅଶିକ୍ଷିତ, ସହରୀଠାରୁ ଆରମ୍ଭକରି ଜଙ୍ଗଲି ମଣିଷ ପର୍ଯ୍ୟନ୍ତ ସମସ୍ତପ୍ରକାର ଲୋକ । ଏହି ଚରିତ୍ରଜଗତରେ ବୈଶିଷ୍ଟ୍ୟ ଏହି ଯେ ନିମ୍ନଶ୍ରେଣୀର ଚରିତ୍ରର ଉପସ୍ଥାନ ଖୁବ୍ କମ୍ କିନ୍ତୁ ସବୁଠାରୁ ବେଶୀ ହୃଦୟସ୍ପର୍ଶୀ । ଫେସକେଟ୍ ଗଳ୍ପରେ ସାଧାରଣ ଗାଉଁଲି ମୁଢ଼ିବାଲି, ଅରଣ୍ୟଜାତ ଗଛରେ କାହ୍ନୁମନରେ ଏକପତ୍ନୀ ବ୍ରତର ପ୍ରତିଜ୍ଞା, ଧୂଆଁ ଗଛରେ ଚଇତ ମୁଣ୍ଡା ଇତ୍ୟାଦି ନିମ୍ନଶ୍ରେଣୀର ଚରିତ୍ର । ଅଧ୍ୟାପିକା ପ୍ରଣତି (ପଡ଼ୋଶିନୀ)ଙ୍କ ଅହଂ ଜଜ୍ ସାହେବଙ୍କ ଗାମ୍ଭୀର୍ଯ୍ୟ (ଜନ୍ମଦିନ)ଠାରୁ ଅଧିକ ଆକର୍ଷଣୀୟ । ଏ ନିମ୍ନଶ୍ରେଣୀର ଚରିତ୍ରମାନଙ୍କ ଭିତରେ ପ୍ରକାଶ ପାଇଛି ଏକ ଉଚ୍ଚ ମାନବିକତାବାଦ (Humanism) । ଏହା ଚରିତ୍ରମାନଙ୍କୁ ମହାନ୍ତି କରିଛି । କଳାହାଣ୍ଡି ଜଙ୍ଗଲ ଭିତରୁ ଆସିଥିବା କାହ୍ନୁର (ଆରଣ୍ୟକ) ଏକପତ୍ନୀ ବ୍ରତର ପ୍ରତିଜ୍ଞା, ଆତ୍ମୋଭିମାନଏବଂ ବୈପ୍ଳବିକ ଚିନ୍ତାଧାରା, କୃଷ୍ଣଚନ୍ଦ୍ର, ବିନୋଦ ଚନ୍ଦ୍ର କୁମାର (ପାଶବିକ) ଇତ୍ୟାଦି ଚରିତ୍ର ପ୍ରତି ଏକ ଚ୍ୟାଲେଞ୍ଜ । ‘କାମନାର ନଖଦନ୍ତ’ ଗଳ୍ପରେ ‘ମଡହାଉସ୍’ ନାମକ ଆଧୁନିକ ରୁଚିର ବଙ୍ଗଳାରେ କଣ୍ଟ୍ରାକ୍ଟର ମି.ମହାନ୍ତି, ଏକଜିକ୍ୟୁଟିଭ ସାମନ୍ତରାୟ, ଫରେଷ୍ଟ ଅଫିସର ମି, ପ୍ରଧାନ, ଆୟକର ଅଧିକାରୀ ପି. ଜେନା ପଶୁ ସ୍ତରକୁ ଓହ୍ଲାଇ ଯାଇଛନ୍ତି । ତା ତୁଳନାରେ କାହ୍ନୁ, ଫେସକେଟ କେତେ ଉଚ୍ଚରେ ନାହାନ୍ତି ? ସାଧାରଣ ମୁଢ଼ିବାଲି ଫେସକେଟ୍‌ର ପରଲୋକଗତ ପତିପ୍ରତି ଆକର୍ଷଣ ଓ ମମତା (ସେ ଏକ ପଉଷ ସକାଳ) ସ୍ନିଭଲେସ୍ ବ୍ଲାଉଜପିନ୍ଧା ଟପ୍ ମଡେଲର ଉଚ୍ଚବେତନପ୍ରାପ୍ତଙ୍କ :ସ୍ତ୍ରୀ (ଆକାଶର ଉଚ୍ଚତା)ଠାରୁ ଆହୁରି ସୁନ୍ଦର । ଖୁବ୍ ସମ୍ଭବତଃ ପଲ୍ଲୀ ପ୍ରକୃତିର ନୀରିହ କୋଳରେ ଅଶିକ୍ଷିତ ଛାତିତଳେ ଲୁଚି ରହିଛି ଯେଉଁ ଉତ୍ତୁଙ୍ଗ ମାନବିକତା ତାହା ସହରୀ ସଭ୍ୟ ଛଦ୍ମସଭ୍ୟତା ଭିତରେ ମିଳେନାହିଁ । ଏହାହିଁ ଗାଳ୍ପିକ ଦାନୀଙ୍କ ଅନୁଭବ ।

 

ମନସ୍ତତ୍ତ୍ଵର ଅନୁଶୀଳନ ଏ ଗଛମାନଙ୍କର ଅନ୍ୟତମ ବୈଶିଷ୍ଟ୍ୟ ଓ କେତେକ ଗଳ୍ପର ପ୍ରାଣ ତଥା ଶ୍ରେଷ୍ଠ ଉପାଦାନ । ନିଶା, ଦୁଇଟି ଝରକା, ବୈଶାଖୀ, ସିଂହଦ୍ଵାର, ନିଶା-ଏକ ନାରୀ, ଯୌବନ ଇତ୍ୟାଦି ଗଳ୍ପ ଏ ଦୃଷ୍ଟିରୁ ଏକ ଏକ କ୍ଲାସିକ ସୃଷ୍ଟି । ନିଶା ଗଳ୍ପରେ ପ୍ରେମିକା ଜଲିର ଅନ୍ୱେଷଣରେ ପାଗଳ ହୋଇ ପ୍ରେମିକ ଯେତେବେଳେ ଷଣ୍ଢଟାକୁ କହୁଛି- ‘କମ୍, ମାଇଁ ଡିଅର ଫ୍ରେଣ୍ଡ, ହେ କମ୍ରେଡ୍ ଆସ ତମେ । ଆମେ ଏକା । ଶୂନ୍ୟତା ଭିତରେ କି ଇଉକାଲିପଟାସ୍ ଗଛ ଭିତରେ ସେ ପ୍ରେମିକାକୁ ଖୋଜୁଛି । ଅନ୍ଧାରକୁ ଆତ୍ମୀୟ ମନେକରି ଭାବୁଛି “ଦୋଷ ସବୁ ବୟସର । ଶୂନ୍ୟ ଓ ପୂର୍ଣ୍ଣ । ପୂର୍ଣ୍ଣ ଓ ଶୂନ୍ୟ । ଦେହି ଦଦାତି ଧ୍ୱନି ବୟସର । ଏ ବୟସ କେତେ ଦିନ ? କେତେ ଦିନର ବା ? ପାଗଳ ପ୍ରେମିକଟିର ମନର କି ଚମତ୍କାର ବିଶ୍ଳେଷଣ । ଏହାହିଁ ଏହି ଗଛଟିର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟ, ଯାହାକୁ ବାହାର କରିଦେଲେ ଗଛର ନିର୍ଯ୍ୟାସ (Essense) ଚାଲିଯିବ । ‘ନିଶା ଏକ ନାରୀ’ ଗଛରେ ସେଇ ନାୟକ ଜୀବନାନନ୍ଦର ଚିନ୍ତା - “ସେଇ ନିଶା ବୋଲି ଝିଅଟା ଥିଲା କିନ୍ତୁ ଭାରି ଚମତ୍କାର । ହସିଲେ ସେ ପଦ୍ମଫୁଟେ, କାନ୍ଦିଲେ ବି ପଦ୍ମଫୁଟେ- ଏଭଳି ଚମତ୍କାର ସେ ନିଶା । ଏହାକୁ ଏକ ଅବଚେତନ ମନର ସ୍ୱତଃ ସ୍ପୁରଣ ବୋଲି ଗ୍ରହଣ କରାଯାଇପାରେ । ବୈଶାଖ ଗଛରେ ଏକ ପ୍ରେମିକାର ଚିନ୍ତା ଏକ ଯୁବତୀ ସମ୍ପର୍କରେ ଅଧିକ ଆକର୍ଷଣୀୟ । “କିନ୍ତୁ ପଚାରି ହୁଏନାହିଁ ଭାଉଜଙ୍କୁ । ପଚାରିଲେ ହୁଏତ ଭାଉଜ ଚିଡ଼େଇବେ ନଚେତ୍ ଆଉ କିଛି ଆୟୋଜନ କରିପାରନ୍ତି । ଭାଉଜଙ୍କୁ ତେଣୁ ପଚାରି ହୁଏ ନାହିଁ । ମନ କିନ୍ତୁ ଉଚ୍ଚାଟ ହୁଏ ସୀମା ସମ୍ପର୍କରେ ।” ନୀଳମାଧବ, ଦୁଇଟି ଝରକା ଇତ୍ୟାଦି ଅନ୍ୟଗଳ୍ପ ମାନଙ୍କରେ ବି ଏ ମନୋବିଶ୍ଳେଷଣର ପ୍ରୟାସ ଲକ୍ଷ୍ୟ କରାଯାଇପାରେ । ମନସ୍ତତ୍ତ୍ୱ ଦିଗରୁ ବିଚାରକଲେ ‘ପାଶବିକ’ ଗ ଏବଂ ‘କାମନାର ନଖଦନ୍ତ” (ଦର୍ପଣରେ ନିଜମୁହଁ) ଗଳ୍ପଦ୍ୱୟ ଅନନ୍ୟ ଓ ସ୍ୱତନ୍ତ୍ର ସ୍ଵାଦର । ଏହି ଗଳ୍ପଦ୍ୱୟ ପାଠକଲେ ମନୋଜ ଦାସଙ୍କ ‘ଆରଣ୍ୟକ’ ଗଳ୍ପ ସ୍ମରଣକୁ ଆସେ । ଏଇ ଗଳ୍ପମାନଙ୍କରେ ‘ଆରଣ୍ୟକ’ ଗଳ୍ପଭଳି ମଣିଷମନର ଆରଣ୍ୟକ ପ୍ରବୃତ୍ତ ଇଡ୍ (ld)ର ଚମତ୍କାର ବିଶ୍ଳେଷଣ କରାଯାଇଛି । ଫ୍ରଏଡ୍‍ତତ୍ତ୍ୱ ଅନୁଯାୟୀ ଏଇ ଇଡ୍‌ମଣିଷମନର ଅଧିକାଂଶ ଅଂଶ ଦଖଲ କରିଛି ଏବଂ ଅନ୍ୟ ଦୁଇଟି ପ୍ରବୃତ୍ତି Ego ଏବଂ Super Ego ଠାରୁ ମଧ୍ୟ ଶକ୍ତିଶାଳୀ । ପାଶବିକ ଗଛରେ ହ୍ୟୁଇସ୍କି, ବିଅର ଓ କୁକୁଡା ଧରି ଏକ ଜଙ୍ଗଲକୁ ପିକ୍‌ନିକ୍ ପାଇଁ ଯାଇଥିବା କେତେଜଣ ଶିକ୍ଷିତ ଯୁବକ ଜଣେ ଜଙ୍ଗଲି ଯୁବତୀକୁ ଧର୍ଷଣ କରିଛନ୍ତି- ତା ପେଟର ଭୋକକଥା ଚିନ୍ତା ନକରି । ଦିନକପାଇଁ ହେଲେ ସୁଦ୍ଧା ପଶୁ ବନିଯାଇଛନ୍ତି । ଠିକ୍ ସେପରି ମଧ୍ୟ ଘଟିଛି ‘କାମନାର ନଖଦନ୍ତ’ ଗଳ୍ପରେ । ଦୁଇଜଣ ଯୁବତୀକୁ ଭୋଗ କରିବାକୁ ଲଢ଼େଇ ଲାଗିଛି ଚାରିଜଣ ପଦସ୍ଥ ବନ୍ଧୁଙ୍କ ଭିତରେ । ସେତେବେଳେ ତାଙ୍କର ପାଶବିକ ପ୍ରବୃତ୍ତ (id) ତାଙ୍କର ସମସ୍ତ ବୁଦ୍ଧି ବିବେକକୁ ଧ୍ୱଂସ କରି ଦେଇଛି ଯାହା ଏକ ଶାଶ୍ୱତ ସତ୍ୟ । ଏ ଦୃଷ୍ଟିରୁ ଗଳ୍ପ ଦୁଇଟି କେବଳ ଅବଚେତନ ମନର ବିଶ୍ଳେଷଣ ନୁହେଁ, ଅତିପ୍ରାକୃତିକ (Surrealistic) ମଧ୍ୟ । ଭଲମନ୍ଦର ବିଚାର ଉଦ୍ଧିରେ ମଣିଷ ମନର ନଗ୍ନରୁପ ଓ ଯୌନକ୍ଷୁଧାର ଏକ ନିରପେକ୍ଷ ବିଶ୍ଳେଷଣ କରାଯାଇଛି । ଏ ଦୃଷ୍ଟିକୋଣରୁ ହଳଦୀ କିଆରୀ ସଙ୍କଳନର ବହୁ ପ୍ରତୀକଧର୍ମୀ ମିନିଗକୁ ଚେତନାପ୍ରବାହ ଧାରାର ମଧ୍ୟ ବିଚାର କରାଯାଇପାରେ ।

 

ଗାଳ୍ପିକ ଦାନୀଙ୍କର ଗଳ୍ପର ମର୍ମବାଣୀ (Prophecy) ଅନେକ ପ୍ରକାରର । ସମାଜ ପ୍ରତି କେଉଁଠି ପ୍ରକାଶ ପାଇଛି ଦାର୍ଶନିକ ଦୃଷ୍ଟିଭଙ୍ଗୀ ତ କେଉଁଠି ବାର୍ତ୍ତାଟିଏ । ‘ବଗିଚାର ଫୁଲମାନେ’ ଗଛରେ କେତକୀ ଫୁଲର କାହାଣୀଟା ଏକ ମାର୍ମିକ ବାର୍ତ୍ତା ବହନ କରିଛି । ରୋଜି ଭଳି ନିରୀହ ଝିଅପ୍ରତି ଅପପ୍ରଚାର ନ କରି, ଆତ୍ମବିଶ୍ଳେଷଣ କରିବାକୁ ଲେଖକ ପରୋକ୍ଷ ପରାମର୍ଶ ଦେଇଛନ୍ତି । ‘ଅରଣ୍ୟଜାତ’, ‘ସେ ଏକ ପଉଷ ସକାଳ’ ଇତ୍ୟାଦି ଗଛରେ ସର୍ବଶ୍ରେଷ୍ଠ ମର୍ମବାଣୀ ହେଉଛି ମାନବିକତା, ଯାହା ସଭ୍ୟ ସମାଜ ପ୍ରତି ଏକ ପ୍ରଖର ବ୍ୟଙ୍ଗ । ଫେସକେଟ ଗଳ୍ପରେ ସାଧାରଣ ମୁଢ଼ିବାଲିକୁ ପାଟରାଣୀ ରୂପେ କଳ୍ପନା କରି ମୁଢ଼ି ସଭ୍ୟତା ଓ ଚା ସଭ୍ୟତାର ତୁଳନା କରି ମୁଢ଼ିସଭ୍ୟତାର ଉତ୍କର୍ଷ, ଦେଖିଛନ୍ତି ଗାଳ୍ପିକ । ସର୍ବୋପରି ଗାଳ୍ପିକ ବିଶ୍ୱାସ କରନ୍ତି ଭାରତୀୟ ସଭ୍ୟତା ଓ ଦର୍ଶନ ଉପରେ । ‘ଦର୍ପଣରେ ନିଜମୁହଁ’ ଗଛରେ ଘରପୋଡ଼ିଥିବା ଗାଁ ଲୋକଙ୍କୁ ସାହାଯ୍ୟଦେବା ନାଁରେ ଅହଂ, ଆତ୍ମପ୍ରଚାରରେ ପାଗଳ ସ୍ୱେଚ୍ଛାସେବୀ, ସରକାରୀକଳ, ମହିଳା ସଂଗଠନ ଇତ୍ୟାଦିର ସଦସ୍ୟ ‘ସେବାହିଁ ପରମଧର୍ମ’ ଭୁଲିଯାଇଥିଲେ । ସେବାପାଇଁ ଆଗେଇ ଯାଇଥିଲେ ଦାମିକା କାର୍ ସଜିଲ କରି ସମ୍ବାଦପତ୍ରମାନଙ୍କରେ ଫଟୋ ଓ ନାଁ ଛାପିବା ପାଇଁ । ଫଟୋଗ୍ରାଫର ମଜୁମଦାର ବାବୁ ଉପଦେଶ ଦେଉଥିଲେ ମିସେସ୍ ମହାପାତ୍ରଙ୍କୁ ଯେମିତି ମାଡାମ୍ ମୁରକି ମୁରୁକି ହସୁଥିବେ ଓ ଚାମୁଚରେ ପରଷୁଥିବେ ଅସହାୟ ଲୋକଙ୍କୁ ଜାୟା, ଜନନୀ ଓ ଭଗିନୀର ଅବତାର ଭଳି ଦିଶୁଥିବେ-। ସ୍ନାପ୍ ଉଠିବ । ସେବା ନାମରେ ଏଇ ଛଦ୍ମତାକୁ ଗାଳ୍ପିକ ସଫଳଭାବରେ ଉପସ୍ଥାପନ କରିଛନ୍ତି । କହିବାକୁ ଚାହୁଁଛନ୍ତି-ଆତ୍ମପୌତି ଅହଂ ସମ୍ପନ୍ନ ସେବା, ସେବା ନୁହେଁ । ଏପରି ଅନେକ ବାର୍ତ୍ତାର ମାଧ୍ୟମ ହୋଇଛି ଗାଳ୍ପିକ ଦାନୀଙ୍କର ଗଳ୍ପ ।

 

ଶୈଳୀ ଦୃଷ୍ଟିରୁ ବିଚାର କଲେ ଗାଳ୍ପିକଙ୍କର ବହୁ ଗଳ୍ପ ସଫଳ । ମାତ୍ର ଏ ଗଛଗୁଡ଼ିକରେ ଗୋଟିଏ ତ୍ରୁଟି ହେଲା ଅନେକ ଗୁଡ଼ିଏ ଗଳ୍ପ ବର୍ଣ୍ଣନାତ୍ମକ । ଯାହା ଗଳ୍ପକଳା ଦୃଷ୍ଟିରୁ ବର୍ଜନୀୟ । ଗଳ୍ପଗୁଡ଼ିକର ପଞ୍ଜର ବା Plot ଅନେକ ସ୍ଥଳରେ ଦୁର୍ବଳ । ଶୈଳୀକୁ ଆଶ୍ରୟ କରି ଏଗୁଡ଼ିକ ବଞ୍ଚିଛି-। ଅଥଚ ଶୈଳୀଟି ହୋଇପଡ଼ିଛି ବର୍ଣ୍ଣନାତ୍ମକ । ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ, ସିଦ୍ଧାର୍ଥ, ଦେଖଣାହାରୀ, କାଳୀୟଦଳନ ଇତ୍ୟାଦିରେ ଏ ଧରଣର ଦୁର୍ବଳତା ଲକ୍ଷ୍ୟ କରାଯାଇପାରେ । ଅନେକ ସ୍ଥଳରେ କିନ୍ତୁ ଦୁର୍ବଳ ଗଳ୍ପାଂଶଟିକୁ ବଞ୍ଚାଇ ରଖିଛି ଏକ ସରସ ଶୈଳୀ ଓ ଉପସ୍ଥାପନା । ମିନିଗଳ୍ପ ସଙ୍କଳନ ‘ହଳଦୀ କିଆରୀ’ର ଅଧିକାଂଶ ଗଛରେ ଏହି ଚମତ୍କାରିତା ଲକ୍ଷ୍ୟ କରାଯାଇପାରେ । କଥାବସ୍ତୁ ଅପେକ୍ଷା ଶୈଳୀ ଏ ଗୁଡ଼ିକରେ ଆକର୍ଷଣୀୟ । ବିଷାମୃତ, ଆତ୍ମହତ୍ୟା ପୂର୍ବରୁ, ଚାବି, କାଳୀୟଦଳନ ଇତ୍ୟାଦିକୁ ଉଦାହରଣ ହିସାବରେ ଗ୍ରହଣ କରାଯାଇପାରେ । ଏକ ସ୍ଵଗତୋକ୍ତି (Monologue) ଛଳରେ ନିଶାର ଉପସ୍ଥାପନା, ନାଟକୀୟ ଛଟାରେ ସିଂହଦ୍ଵାର ଇତ୍ୟାଦି ଗଳ୍ପର ପରିବେଷଣ ଏ ଗଳ୍ପକୌଶଳର ଅନ୍ୟତମ ଆକର୍ଷଣ । ତାଛଡ଼ା ବହୁଗଳ୍ପର ଆରମ୍ଭ ଓ ପରିଣତି ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଥିବା ଭଳି ମନେହୁଏ । ନିଶାଗଳ୍ପର Melodramatic ପରିଣତି ଓ ବ୍ୟଞ୍ଜନା, ନିଶା ଏକ ନାରୀ ଗଳ୍ପର ବ୍ୟଞ୍ଜନାତ୍ମକ ପରିଣତି, ପାଶବିକ ଗଳ୍ପର ଅତିବାସ୍ତବ (Surrealistic) ପରିଣତି ଅତୀବ ଚମତ୍କାର । ଅନେକ ଗଳ୍ପର ପ୍ରକାଶଭଙ୍ଗୀରେ ଆବେଗର ପ୍ରାଚୁର୍ଯ୍ୟ ଉପଲବ୍ଧ କରିହୁଏ । ଏଗୁଡ଼ିକ ଗାଳ୍ପିକ ଦାନୀଙ୍କୁ କଥାକବିର ସମ୍ମାନ ଦେଇଛି । କଥା ଲେଖୁ ଲେଖୁ କବିତାଟିଏ ଝରୁଛି ଯେମିତି । ବ୍ୟର୍ଥପ୍ରେମିକ ଜୀବନାନନ୍ଦ ଯେତେବେଳେ ଭାବୁଛି - “ରାତି ! ତମେ ମାୟାବିନୀ । ତମେଗୁରୁ । ତମେ ସ୍ଵର । ତମେ ସମ୍ଭାର । ତମେ ଯୌବନ । ତମେ କାମୋକାମାୟନୀ ।’’ ପାଠକକୁ ସେ ଏକ କବିତ୍ଵର ବଳୟ ଭିତରକୁ ଟାଣି ନେଉଛି । ଦୁଇଟି ଝରକା ଗଛରେ ସେହିପରି – “ମନେହେଉଛି ଦେବାକୁ ତାର ଦେହ । ଚାନ୍ଦମୁହଁ । ସୁନାନାକୀ । ଗୋଲାପୀ ଗୁଣ୍ଡ ଓ ଲୋଭନୀୟ କଳାବାଳ । ନୂଆ ନୂଆ ସବୁ ନୂଆ ନୂଆ । ନୂଆ ଶାଢ଼ୀ ପିନ୍ଧିବାର ଅଭ୍ୟାସ । ଯୁଗଯୁଗର ବିଳାସ ଆରେ । ଆଃ... ସେ ଏକ ରୂପର ସ୍ଵରଲିପି ।” ଏକ ପ୍ରେମ କବିତା ନୁହେଁ କି ? ହଳଦୀ କିଆରୀ ସଙ୍କଳନର ଅଧିକାଂଶ ମିନିଗଳ୍ପ ଆଭାସଧର୍ମୀ । ଏକ ଏକ କବିତାର ସ୍ଫୁରଣ । ଯୌବନ, ମୁଁ ବହିମାନ୍, ତ୍ରିକାଳ, ପୌଷର ପତ୍ରସବୁ ଗଳ୍ପକୁ ଏକ ଏକ କଥାକବିତା କୁହାଯାଇପାରେ । ଏହିପରି ଗାଲ୍ପିକ ଦାନୀ ବହୁଗଳ୍ପରେ ଏକ କାବ୍ୟିକ ଶୈଳୀର ସ୍ରଷ୍ଟା, ଯେଉଁ ଶୈଳୀ ତାଙ୍କ ନିଜ ନାୟିକା ଜଲି କିମ୍ବା ରୀତାର ରିମଝିମ୍ ଯୌବନ ଓ ଛମ୍ ଛମ୍ ଚାଲି ଭଳି ସୁନ୍ଦର ।

 

ଏ ଗଳ୍ପଗୁଡ଼ିକର ଅନ୍ୟତମ ଆକର୍ଷଣ ଏହାର ପରିବେଷଣ କୌଶଳ । କେତେକ ଗଳ୍ପ ତୃତୀୟପୁରୁଷରେ ରହି ଜଣେ ଦ୍ରଷ୍ଟା ହିସାବରେ ପରିବେଷିତ ତ କେତେକ ପ୍ରଥମ ପୁରୁଷରେ ରହି ଆତ୍ମାଅନୁଭୂତିର ଅଙ୍ଗେନିଭା କଥାଭଳି ଲିଖିତ । ବିଶେଷକରି କେତେକ ଗଳ୍ପ ନାଟକୀୟ ରୀତିରେ (ସିଂହଦ୍ୱାର) କେତେକ ରୂପକଛଳରେ (ବିଷାମୃତ ବଗିଚାର ଫୁଲମାନେ), କେତେକ ପୌରାଣିକ ଶୈଳୀରେ (ଆଗତ ଅନାଗତ) ଓ କେତୋଟି ପ୍ରାମାଣିକ ରୀତିରେ ଲିଖିତ । ଏ ପରିବେଷଣ ଚାତୁରୀକୁ ଆକର୍ଷଣୀୟ କରିଛି କେତେକ ମନଲାଖି ଉପମା ଓ ପ୍ରତୀକ । ଉପମାଗୁଡ଼ିକ ସ୍ଥଳ ବିଶେଷରେ ସାଦୃଶ୍ୟବୋଧ (Analogy)ର ଚରମ ସୀମା ଛୁଇଁଛି ଯଥା- “ଏକଦା ଚନ୍ଦ୍ରମଲ୍ଲିକା, ମହ୍ଲାର ରାଗିଣୀ ନିଶା ନାମକ ଝିଅଟି, ଆଜି ଏକ ରଫୁକରା ଛିଣ୍ଡା ବ୍ଲାଉଜଟିଏ ମାତ୍ର (ନିଶା ଏକ ନାରୀ) । ଅନେକ ନୂତନ ଶବ୍ଦର ସମାହାର ଗାଳ୍ପିକଙ୍କ ବକ୍ତବ୍ୟରେ ମୌଳିକତା ଆଣିପାରିଛି । ଠେସାଠେସି ଯୌବନ, ଲଙ୍ଗଳା ବର୍ଗାକାର ଝର୍କା, ରିମଝିମ୍ ଶୂନ୍ୟତା, ଛମ୍ ଛମ୍ ଚାଲି, ଚାଞ୍ଚଲ୍ୟକର ସନ୍ଦେହ ଇତ୍ୟାଦି ନୂତନ ଶବ୍ଦବିନ୍ୟାସ ଏହାର ଉଦାହରଣ । ରୂପବର୍ଣ୍ଣନା ଓ ପ୍ରକୃତି ବର୍ଣ୍ଣନାଛଟାକୁ ଏଗୁଡ଼ିକ ଉପଭୋଗ୍ୟ କରିଛି । ସ୍ଥଳବିଶେଷରେ ପ୍ରତୀକର ପ୍ରୟୋଗ ରହିଛି, ପୁଣି ସଂପୂର୍ଣ୍ଣଭାବେ ପ୍ରତୀକାତ୍ମକ ଭାବେ ଲେଖାହୋଇଛି ଅନେକ ଗଳ୍ପ । ଅନେକ ଗଳ୍ପର ଗଳ୍ପାଂଶ ଦୁର୍ବଳ ଓ ଦ୍ଵନ୍ଦ୍ଵହୀନ ହେଲେ ମଧ୍ୟ ଶୈଳୀଟିଏ ସେମାନଙ୍କୁ ବଞ୍ଚାଇ ରଖିଛି । ସୂର୍ଯ୍ୟମୁଖୀ, ଜନ୍ମଦିନ, ଶବସତ୍କାର, ଚାବି ଇତ୍ୟାଦି ଗଳ୍ପ ଏ ଧରଣର । ତେଣୁ ଶୈଳୀ ଦୃଷ୍ଟିରୁ ଅଧିକାଂଶ ଗଳ୍ପ ସଫଳ । ‘ନିଶା’ ଗଳ୍ପଠାରୁ ‘ମର୍ତ୍ତଠାରୁ ସ୍ୱର୍ଗ ପର୍ଯ୍ୟନ୍ତ’ (ହଳଦୀ କିଆରୀର ଶେଷଗଳ୍ପ) ଆଖି ଲମ୍ବାଇଲେ ଗାଳ୍ପିକ ଦାନୀଙ୍କର ଗଛର ପରିଧି ଓ ସୌନ୍ଦର୍ଯ୍ୟ ବିଷୟରେ ଉପରୋକ୍ତ ମନ୍ତବ୍ୟର ସତ୍ୟତା ଉପଲବ୍ଧି କରିହୁଏ । ଏହି ସୁଦୀର୍ଘ ଯାତ୍ରାପଥରେ ଆମେ କେତେ ‘ବିଷାମୃତ’ ଚାଖୁଁ, କେତେ ‘ଧୂଆଁ’ରେ ଅତିଷ୍ଠ ହୋଇପଡ଼ୁ ତ କେତେବେଳେ ପୁଣି କେତେ ଅରଣ୍ୟଜାତ’ ମଣିଷକୁ ଭେଟି, ‘ ଆକାଶର ଉଚ୍ଚତା’ ମାପୁ ମାପୁ କେତେ ‘ବେଲୁନ୍’ ଫାଟିପଡ଼ୁଥିବା ଲକ୍ଷ୍ୟକରୁ । ଏ ସବୁର ଉର୍ଦ୍ଧ୍ଵରେ ଏସବୁ ଗଳ୍ପ ପାଠକ ମନରେ ସୃଷ୍ଟି କରେ ଏକ ମହାନ୍ ନିଶା- ସେ ନାରୀର ହେଉ କି ଫେସକେଟ୍ ଭଳି ପାଟରାଣୀର ହେଉ । ଏ ନିଶା ଭିତରେ ପୁଣି କେତେ ଫୁଲର ସୁରଭି ! ରଙ୍ଗ ଅଛି ନାନା ପ୍ରକାରର । କଣ୍ଟାବି ଅଛି ନାନା ପ୍ରକାରର । ଅଦ୍ଭୁତ ଏ କୁହୁକପେଡ଼ିର କରାମତି । ଆଉ ଯାଦୁକରଙ୍କ କୁହୁକ ବି ।

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ

ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଜ୍ୟୋତିବିହାର-୭୬୮୦୧୯

***

 

ପୂର୍ଣ୍ଣାନନ୍ଦ ଦାନୀଙ୍କ ପ୍ରଥମ ପୁରୁଷରେ ଲିଖିତ ଗଳ୍ପ

ପୁଷ୍ପ କୁମାର ମେହେର

 

ଓଡ଼ିଆ ଗଳ୍ପ ସାହିତ୍ୟ ଭଣ୍ଡାରକୁ ଯେଉଁ କେତେଜଣ ପ୍ରଥିତ ଯଶା ଗାଳ୍ପିକ ଋଦ୍ଧିମନ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ଏକଦା ଯୁବଗାଳ୍ପିକ ଭାବରେ କଥିତ ଡକ୍ଟର ପୂର୍ଣ୍ଣାନନ୍ଦ ଦାନୀ ଏକ ଅବିସ୍କୃତ ପ୍ରତିଭା । ସେ ଓଡ଼ିଆ ଗଳ୍ପ ଜଗତକୁ ଦେଇ ଯାଇଛନ୍ତି ପାଞ୍ଚ ଖଣ୍ଡି ପୁସ୍ତକ । ସେଗୁଡ଼ିକ ହେଲା ନିଶା (୧୯୮୩), ବଗିଚାର ଫୁଲମାନେ (୧୯୮୪), କାଳୀୟ ଦଳନ ଓ ଅନ୍ୟାନ୍ୟ ଗଳ୍ପ (୧୯୮୭), ଦର୍ପଣରେ ନିଜ ମୁହଁ (୧୯୮୯) ଏବଂ ହଳଦୀ କିଆରୀ (୧୯୯୦) । ଏତଦ୍ ବ୍ୟତୀତ ତାଙ୍କ ବହୁ ଗଛ ତାଙ୍କ ସମସାମୟିକ ବହୁ ପତ୍ରପତ୍ରିକାରେ ଆତ୍ମପ୍ରକାଶ ଲାଭକରିଥିଲେ ମଧ୍ୟ ସେଗୁଡ଼ିକ ସଂକଳିତ ହୋଇପାରି ନାହିଁ । ନିଜେ ଗାଳ୍ପିକ ଅଧ୍ୟାପନା କରିଥିବା ପରିପ୍ରେକ୍ଷୀରେ ‘ ଓଡିଆ ଗଳ୍ପ ପ୍ରସଙ୍ଗ ଶୀର୍ଷକ ଏକ ସମାଲୋଚନା ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ଛାତ୍ରାବସ୍ଥାରୁ ଗଳ୍ପ ରଚନାରେ ବ୍ରତୀ ଥାଇ ବହୁ ଗଳ୍ପ ରଚନା କରିଥିଲେ ସୁଦ୍ଧା ତାଙ୍କ ପ୍ରଥମ ସଙ୍କଳନ ବହୁ ବିଳମ୍ବରେ ପ୍ରକାଶିତ । ବୋଧହୁଏ ଏଥି ନିମିତ୍ତ ଥିଲା ଗାଳ୍ପିକଙ୍କ ବ୍ୟକ୍ତିଗତ ସ୍ପୁହାର ଅଭାବ । ୧୯୮୩ ମସିହାରେ ପ୍ରକାଶିତ ତାଙ୍କ ପ୍ରଥମ ଗଳ୍ପ ସଙ୍କଳନ ୧୯୮୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଛି । ସ୍ୱର୍ଗତ ଡକ୍ଟର ଦାନୀଙ୍କ ଗଳ୍ପଗୁଡ଼ିକ ବହୁ ବଣ୍ଡବିଭାରେ ବିମଣ୍ଡିତ । ତଥାପି ତାଙ୍କ ଗଳ୍ପଗୁଡ଼ିକର ଆତ୍ମିକ ଦିଗ ଅପେକ୍ଷା ପରିବେଷଣଗତ ଆଙ୍ଗିକ କଳାର ଚମତ୍କାରିତା ସର୍ବାଧିକ ।

 

ସଂପ୍ରତି ସାହିତ୍ୟର ଅନ୍ୟାନ୍ୟ ବିଭାଗ ଅପେକ୍ଷା କ୍ଷୁଦ୍ରଗଳ୍ପ ଏକ ଲୋକପ୍ରିୟ ବିଭାଗ ରୂପେ ପ୍ରତୀୟମାନ । ଯଦିଓ ସାହିତ୍ୟ ମୁଖ୍ୟତଃ ଆନନ୍ଦ ପ୍ରଦାନ ସହିତ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ତଥାପି ମଣିଷର ବିଭିନ୍ନ ଚିନ୍ତା ଚେତନାର ଦାର୍ଶନିକ ତତ୍ତ୍ୱ ହୋଇଛି ସାହିତ୍ୟ ଉପରେ ସବାର । ଜୀବନ ଜୀବିକାର ବହୁ ରହସ୍ୟ ସାହିତ୍ୟ ପୃଷ୍ଠାରେ ଉଦ୍‌ଘାଟିତ ହୋଇଥିଲେ ସୁଦ୍ଧା ମଣିଷ ନିକଟରେ ଅପର ଏକ ମଣିଷ ସର୍ବଦା ଏକ ଦୁର୍ଜ୍ଞେୟ ରହସ୍ୟ ମାତ୍ର । ଏଣୁ ସାହିତ୍ୟରେ ସୃଷ୍ଟି ହୋଇଛି ବହୁ ପରୀକ୍ଷା ନିରୀକ୍ଷାର ପରିସର । ଏହି ପରିପ୍ରେକ୍ଷୀରେ ଦାର୍ଶନିକଙ୍କ ଉପଲବ୍ଧ ନୂତନ ତଥ୍ୟ ବା ତତ୍ତ୍ୱର ପ୍ରୟୋଗ ନେଇ ବର୍ଦ୍ଧିଷ୍ଣୁ ଆଜି ସାହିତ୍ୟର କଳେବର । ଅନ୍ୟାନ୍ୟ ବିଭାଗ ଅପେକ୍ଷା ସାହିତ୍ୟର ଏହି ଲୋକପ୍ରିୟ କ୍ଷୁଦ୍ରଗଳ୍ପ ଏଠାରୁ ବାଦ୍ ଯାଆନ୍ତା କିପରି ?

 

ଗାଳ୍ପିକ ଦାନୀଙ୍କ ଗଳ୍ପମାନଙ୍କରେ ଏହି ପରୀକ୍ଷା ନିରୀକ୍ଷାର ସ୍ୱର କ୍ଷୀଣ ହେଲେ ସୁଦ୍ଧା ଜୀବନର ବହୁବିଧ ବର୍ଣ୍ଣ ଓ ରୂପ ନେଇ ତାଙ୍କ ଗଳ୍ପଗୁଡ଼ିକ ଋଦ୍ଧିମନ୍ତ । ତଥାପି ସେ ଅପେକ୍ଷା କରନ୍ତି ଆଉ ଅନେକ କିଛିର । ତାଙ୍କ ଭାଷାରେ - “ଏ ଗଳ୍ପମାନଙ୍କରେ ଯାହା ସବୁ କୁହାଯାଇଛି, ସେ ସମସ୍ତ ଶେଷ କଥା ନୁହେଁ, କିମ୍ବା ସମସ୍ତ କଥା ନୁହେଁ । xxx ପୃଥିବୀଟା, ଜୀବନଟା ଯେ କାହାଣୀର କୁହୁକ ପେଡ଼ି । ସେହି ପେଡ଼ିରୁ କାହାଣୀ ଯେତେ ବାହାର କଲେ ବି ବୋଧେ ସରେ ନାହିଁ । ଏମିତି କେତେ କାହାଣୀ କୁହାହୋଇ ଆସିଛି – ହୋଇ ଆସୁଛି – ହୋଇ ଆସୁଥିବ । ତେବେ ବି କାହାଣୀର ଏ ପେଡ଼ି ବା ଗନ୍ତାଘର ଖାଲି ହେବ ନାହିଁ ବୋଧେ । ଏହି ପେଡ଼ି ଭିତରକୁ ବା ଗନ୍ତାଘର ଭିତରକୁ ଯେତେବେଳେ ଯେମିତି ମୋ ଦୃଷ୍ଟି ପ୍ରସାରିତ ହୋଇଯାଇଛି ଯେତିକି ଦୁର, ସେତିକି ଦୂର ଯାଏ ସେତେବେଳେ ସେମିତି ଦେଖିବାକୁ ଚେଷ୍ଟା କରିଛି ଏବଂ ଦେଖାଇ ଦେବାର ଚେଷ୍ଟା ମଧ୍ୟ କରିଛି । ପୁଣି ସେ କହନ୍ତି “ଏବେ ଗଳ୍ପମାନେ ଇ ଆପଣାର ସୁଖ ଦୁଃଖ; ମଣିଷର ସୁଖ ଦୁଃଖ ଜୀବନର ଅନୁଭୂତି ଆଉ କିଛି ସଜବାଜର ମିଶାମିଶି ଫେଣ୍ଟା ଫେଣ୍ଟି ସୁଖ ଦୁଃଖ I XXX ସେଇ ମଣିଷର ପ୍ରାୟ ଅଙ୍ଗେ ନିଭା ଅନୁଭୂତିର କଥା ହିଁ ଏଠାରେ କହିଛି – ଆପଣାର ସୁଖ ଦୁଃଖର-।”

 

ବାସ୍ତବରେ ତୃତୀୟ ପୁରୁଷରେ ଲିଖିତ ଗଳ୍ପ ଅପେକ୍ଷା ପ୍ରଥମ ପୁରୁଷରେ ଲିଖିତ ଗଳ୍ପ ପାଠକ ହୃଦୟରେ ଅଧିକ ସମ୍ବେଦନଶୀଳ ହୋଇଥାଏ । କାରଣ ଏଠାରେ କଥକ ନିଜେ ଏକ ଚରିତ୍ର, ଯେଉଁଠି ସେ ଉପସ୍ଥାପନ କରେ କଥାଟି ନିଜର ଅନୁଭୂତିର ସ୍ପର୍ଶ ଦେଇ । ଏହି ପ୍ରବନ୍ଧଟିରେ ଗାଳ୍ପିକ ଡକ୍ଟର ଦାନୀଙ୍କ ସେହି ପ୍ରଥମ ପୁରୁଷରେ ଲିଖିତ ଅଙ୍ଗେନିଭା କାହାଣୀର ଆକଳନ ପାଇଁ ପ୍ରୟାସ କରାଯାଇଛି ମାତ୍ର ।

 

ଗାଲ୍ପିକ ନିଜ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ମଧ୍ୟ ଗଳ୍ପର ପରିଧି ଭିତରେ ଭିନ୍ନଭିନ୍ନ ନାମ ଧାରଣ କରି ନିଜକୁ ବିଭିନ୍ନ ବୃତ୍ତିର ପରିସର ଭିତରେ ଉପସ୍ଥାପନ କରିବାରେ କାର୍ପଣ୍ୟତା ପ୍ରକାଶ କରିନାହାନ୍ତି । ଏପରିକି ଏକ ଶବଠାରୁ ଲମ୍ପଟ ପ୍ରେମିକ ଜଣେ ଉଚ୍ଚପଦସ୍ଥ ଅଫିସରର ଚରିତ୍ର ମାଧ୍ୟମରେ ନିଜକୁ ସେ ଉପସ୍ଥାପନ କରିପାରିଛନ୍ତି । ସ୍ଥଳ ବିଶେଷରେ ଜଘନ୍ୟ ଚରିତ୍ରମାନଙ୍କୁ ଘୃଣା ଚକ୍ଷୁରେ ଦୂରରୁ ତୃତୀୟ ପୁରୁଷ ଭାବରେ ବର୍ଣ୍ଣନା ନ କରି ବରଂ ନିଜେ ସେହି ଚରିତ୍ର ରୂପେ ଉପନୀତ ହୋଇ ନିଜ ଉଦାରତାର ପରିଚୟ ଦେଇପାରିଛନ୍ତି । ପ୍ରକାରାନ୍ତରେ ସେହି ଜଘନ୍ୟ ଘୃଣ୍ୟ ଚରିତ୍ର ଭାବରେ ନିଜକୁ ଉପସ୍ଥାପନ କରି ପାଠକର ଯେ ଘୃଣାର ପାତ୍ର ହେବେ, ସେହି ଦିଗ ପ୍ରତି ମଧ୍ୟ ଗାଳ୍ପିକ ଉଦାସୀନ, ଯଦିଓ ତାଙ୍କ ବ୍ୟକ୍ତିଗତ ଜୀବନ ଥିଲା ଏସବୁରୁ ଖୁବ୍ ଉର୍ଦ୍ଧ୍ଵରେ । ସୁତରାଂ । ଏଠାରେ ହିଁ ରହିଛି ତାଙ୍କ ସୃଜନଶୀଳତାର ଗୌରବ ।

 

ଗାଳ୍ପିକ ଡକ୍ଟର ଦାନୀଙ୍କର ଅନ୍ୟ ଗଳ୍ପଗୁଡ଼ିକ ଅପେକ୍ଷା ପ୍ରେମଗଳ୍ପଗୁଡ଼ିକ ଅଧିକ ଆକର୍ଷଣୀୟ ଓ ଏହାର ସଂଖ୍ୟା ଅଧିକ । ପ୍ରେମ ଗଳ୍ପଗୁଡ଼ିକର ରୋମାଣ୍ଟିକ କଥାବସ୍ତୁ ଅପେକ୍ଷା ଉପସ୍ଥାପନା କୌଶଳ ବେଶ୍ ଚମତ୍କାର । ପ୍ରଥମ ପୁରୁଷରେ ଲିଖିତ ପ୍ରେମଗଳ୍ପଗୁଡ଼ିକରେ ଗାଳ୍ପିକ ଜଣେ ସଫଳ ପ୍ରେମିକ ଭାବରେ ପ୍ରେମର ଅଫୁରନ୍ତ ଫୁଆରା ମଧ୍ୟରେ ମସ୍‌ଗୁଲ୍ ତ କେତେବେଳେ ବିଫଳ ହୋଇ ସାଜିଛନ୍ତି ମଦ୍ୟପ ଓ ବ୍ୟର୍ଥତାରେ ଦଗ୍ଧୀଭୂତ ନିଚ୍ଛକ ପ୍ରେମ ସମାଜ ଗଢ଼ା ନୀତି ଆଦର୍ଶ ଓ ବାଛ ବିଚାରର ବହୁ ଉର୍ଦ୍ଧ୍ଵରେ । “ଜଲି ଓ ମହାନଦୀ : ମହାନଦୀ ଓ ଜଲି’ ଗଳ୍ପରେ ଗାଳ୍ପିକ ଏକ ସାଧାରଣ କିରାଣୀ ହୋଇ ସୁଦ୍ଧା ହାତ ପାଆନ୍ତାରେ ନ ଥିବା ଅଫିସରଙ୍କ ଅଲିଅଳୀ କନ୍ୟା ଜଲି ପ୍ରତି ଆକର୍ଷଣ ଦୁନିର୍ବାର । ଅଫିସ ଭିତରୁ ବନ୍ୟା ପ୍ଲାବିତ ମହାନଦୀର ଦୃଶ୍ୟରେ ସେ ଆବିଷ୍କାର କରିଛନ୍ତି ଜଲିର ଉଚ୍ଛୁଳା ଯୌବନକୁ ଓ ଫାଇଲ ଉପରେ ଲେଖି ଚାଲିଛନ୍ତି ‘ଜଲି ଓ ମହାନଦୀ : ମହାନଦୀ ଓ ଜଲି’ । ଫଳରେ ସେ ସାଜିଛନ୍ତି ଅଫିସରଙ୍କ ଚକ୍ଷୁଶୂଳ । ଅଫିସରଙ୍କ ଥମ୍ ଥମ୍ ହେଡ଼କ୍ଳର୍କଙ୍କ କ୍ରୋଧ ଓ ସହକର୍ମୀମାନଙ୍କ ଉପହାସ ‘ଅଶୀ ଟଙ୍କାର କିରାଣୀ ଓ ତା’ର ଅଠର ହଜାର କାର ସ୍ଵପ୍ନ’ କାହାରିକୁ ଖାତିର ନାହିଁ ତାଙ୍କର । କଲେଜରେ ପାଦ ଦେଇଥିବା ଜଲି ଓ ତା’ ଖୁନ୍ଦାଖୁନ୍ଦି ଯୌବନ, ଶ୍ରାବଣରେ ପାଦ ଦେଇଥିବା ମହାନଦୀ ଓ ଯୌବନର ରିମଝିମ୍ ଭିତରେ ଗାଳ୍ପିକ ମସ୍‍ଗୁଲ୍ । କ୍ଷଣିକ ସଙ୍ଗିନୀ’ ଗଳ୍ପରେ କାଠ-ରାକ୍ଷସ ପରି କାଠଖଣ୍ଡା ଧରି ଛିଡ଼ା ହୋଇଥିବା ନୈତିକତାର ଭୟରେ ମନ୍ଦିରା ଡ୍ୟାମ୍‍ର ପିକ୍‍ନିକ୍‍ରେ ଦେଖା ହୋଇଥିବା ସହରାଗତ ଯୁବତୀ ପ୍ରତି ପରସ୍ପରଙ୍କ ଆକର୍ଷଣ ସଙ୍ଗେ ପ୍ରେମ ଚରିତାର୍ଥ ହୋଇ ପାରିନଥିବା ଯନ୍ତ୍ରଣାରେ ଲେଖକ ଦଗ୍ଧୀଭୂତ । ପୁଣି ‘ପାଚେରୀ’ ଗଳ୍ପରେ ପ୍ରେମିକା, ‘ବିଜି’ ପ୍ରତି ଆକର୍ଷଣକୁ ପ୍ରତିରୋଧ କରି ପାରି ନାହିଁ ବିଜିର ମା’, ଲୁହା ଗେଟ୍, ଚାକରର ଧମକ ବା ପୋଷା କୁକୁରର ଭୟଙ୍କର ଗର୍ଜନ । ବରଂ ବିଜିକୁ ପାଇବା ମୋହରେ ସେ ଦିନ ବେଳା ପାଚେରୀ ଉପରେ ଛିଡ଼ା ହୋଇପଡ଼ିଛନ୍ତି । ‘ଅନ୍ଧକାରର ନିର୍ଜନତା’, ‘ଛକ ଉପରେ', ‘ମୁଁ ବହ୍ନିମାନ’, ‘ଢେଉର ଦାଗ : ଦାଗର ଢେଉ’ ଇତ୍ୟାଦି ଗଳ୍ପ ମାନଙ୍କର ପ୍ରେମପ୍ରତି ଅଙ୍ଗୀକାରବଦ୍ଧତାର ମାତ୍ରା ପ୍ରଚୁର ।

 

କେବଳ ପ୍ରେମ ନୁହେଁ ଗାଳ୍ପିକ ପ୍ରେମକୁ ଗଠନମୁଖୀ କରିବାରେ ମଧ୍ୟ ସଫଳତା ହାସଲ କରିପାରିଛନ୍ତି, 'ଦୁଇଟି ଝରକା’, ସୂର୍ଯ୍ୟମୁଖୀ’ ପରି ଗଳ୍ପମାନଙ୍କରେ । ଦିନେ ଯେଉଁ ରୀତାର ଷ୍ଟଡି ରୁମରେ ଅନୁପସ୍ଥିତି, ଛମ୍‍ଛମ୍ ଚାଲି ଓ ଗୁଣୁଗୁଣୁ ଗୀତ ଗାଳ୍ପିକଙ୍କୁ ପାଗଳ କରି ଦେଉଥିଲା, ବିବାହ ପରେ ସେ ମଥାରେ ଓଢ଼ଣା, ହାତରେ ଶଙ୍ଖା, କପାଳରେ ସିନ୍ଦୂର ନାଇ ବଧୂ ସାଜି ଚାଲି ଯାଇଛନ୍ତି ପରଘରକୁ । କିନ୍ତୁ ପ୍ରେମିକ ଗାଳ୍ପିକଙ୍କ ମନ ଉଦାସ ହେଲେ ସୁଦ୍ଧା ଈର୍ଷା ବା ପ୍ରତିହିଂସା ପରାୟଣ ନୁହଁ ବରଂ ସେ ଚିନ୍ତା କରନ୍ତି, “ପ୍ରଭୋ ! ରୀତାର କାଚ ବଜ୍ର ହେଉ ଆଉ ସିନ୍ଦୂର ଗାର ଦାଉଦାଉ ଜଳୁଥାଉ ।” ସେହିପରି ‘ବୈଶାଖୀ’ ଗଳ୍ପରେ ଗାଲ୍ପିକଙ୍କ ସହ ବୈଦିକ ସୂତ୍ରରେ ବିବାହ ବନ୍ଧନର ନିଷ୍ପତ୍ତି ନିଆ ସରିଥିଲେ ମଧ୍ୟ ଜୀବନ ସଙ୍ଗିନୀ ହୋଇପାରିନଥିବା ଅବିବାହିତା ‘ସୀମା’ ମନରେ ଦୁଃଖ ଅଛି କିନ୍ତୁ ଈର୍ଷା ନାହିଁ । ତେଣୁ ପ୍ରେମିକଙ୍କ ପୁଅକୁ କାଖେଇ ତାଙ୍କ ସ୍ତ୍ରୀ ଶୋଭା’ ଦେବୀଙ୍କୁ କହିଛି “ ଆମ ପୁଅ କ’ଣ କହୁଛି ଶୋଭା ? ଏଥିରେ କ’ଣ ମୋର ଭାଗ ନାହିଁ ? ଏ ମୋର ପୁଅ ବି-।” ଗଳ୍ପ ଦ୍ୱୟରେ ପ୍ରେମିକ ପ୍ରେମିକାଙ୍କ ବିଫଳତା ଧ୍ୱଂସମୁଖୀ ନ ହୋଇ ନଭଶ୍ଚୂମ୍ବି ଗଠନମୁଖୀ କଳ୍ପନାରେ ହୋଇଅଛି ବିମଣ୍ଡିତ ।

 

ସ୍ଥଳ ବିଶେଷରେ ଗାଲ୍ପିକ ମଣିଷର ନୈସର୍ଗିକ ପ୍ରେମ ଅପେକ୍ଷା ଘୃଣ୍ୟ କାମୁକତା ବା ଲାମ୍ପଟ୍ୟକୁ ପ୍ରଦର୍ଶନ କରିବା ନିମିତ୍ତ ନିଜକୁ ନାୟକ ଭାବରେ ଉପସ୍ଥାପନ କରିଛନ୍ତି । ‘ଅଙ୍ଗନଦୀ ଅବବାହିକାର ଉପକଥା’ ଗଛରେ ସେ ଜଣେ ଯୁବ ଡାକ୍ତର ଭାବରେ ନିରୀହା ଗରିବ ଝିଅ ‘ଦେବୀ’କୁ ଆରୋଗ୍ୟ କରି ତାର ବିଶ୍ୱାସରେ ବିଷ ଦେଇଛନ୍ତି । ଏକ ବାସନ୍ତୀ ଜ୍ୟୋସ୍ନା ଚର୍ଚ୍ଚିତ ରାତ୍ରିରେ ଅଙ୍ଗନଦୀର ଅବବାହିକାରେ ଉପଭୋଗ କରନ୍ତି ତା’ର ରୂପ ଯୌବନ; ବିବାହର ପ୍ରତିଶ୍ରୁତି ଦେଇ । ଦୁଇଦିନ ପରେ ଚାଲି ଆସନ୍ତି ସହରକୁ, ଡାକ୍ତରୀ ଚିକିତ୍ସା ନାଁରେ ଶୋଷଣ କରନ୍ତି ଜନସାଧାରଣଙ୍କୁ । ବ୍ୟାଙ୍କ ବାଲାନ୍‍ସ ବଢ଼ାଇ ଭୁଲି ଯାଆନ୍ତି ଦେବୀକୁ । କିନ୍ତୁ ଦୀର୍ଘ ଦଶବର୍ଷ ପରେ ଅପ୍ରତ୍ୟାଶିତ ଭାବେ ଦିନେ ସହରରୁ ଦେବୀ ସହ ନଅ ବର୍ଷର ପୁଅକୁ ଦେଖି ହୋଇ ଉଠିଛନ୍ତି ବିଚଳିତ । ଦେବୀ ତାଙ୍କ ସହ ପୁଅର ପରିଚୟ କରି କହିଛି, “ପୁଅ, ଚିହ୍ନି ପାରୁଛ, ତୁମେ ପୁରାଣର ସେଇ ରାଜା ଦୁଷ୍ମନ୍ତ ନୁହଁ, ଜଣେ ଡାକ୍ତର – ଚିହ୍ନି ପାରିବ ପୁଅଟିକୁ ?” କିଂକର୍ତ୍ତବ୍ୟ ବିମୂଢ଼ ପ୍ରାୟ ଡାକ୍ତର, କିନ୍ତୁ ନାୟିକା ଦେବୀ ପରିଣତିରେ ତାଙ୍କ ଅସହାୟତାକୁ ଆୟତ୍ତ କରିବା ପାଇଁ କହିଛି, “ତମେ ରାଜା ଦୁଷ୍ମନ୍ତ ନୁହଁ, ଜଣେ ଡାକ୍ତର ମାତ୍ର । ହଁ ହେଇ ଦେଖ, ସେ ଦୋକାନରେ ମୋ ସ୍ୱାମୀ ଅଛନ୍ତି । ଡାକି ଦେବି ତାଙ୍କୁ ? ତମ ସହ ପରିଚୟ କରାଇ ଦେବି... ?” “ସୂର୍ଯ୍ୟମୁଖୀ” ଗଳ୍ପରେ ଭଦ୍ରତାର ମୁଖା ପିନ୍ଧି ଏକ ଅଜଣା ଯୁବତୀ ପ୍ରତି ଆକର୍ଷିତ ହୋଇ ପ୍ରେମପତ୍ର ଦେଇ ହୋଇଛନ୍ତି ଭର୍ଷିତ – “ଆପଣ ଜଣେ ଅସଭ୍ୟ ଭଦ୍ରଚର୍ମଧାରୀ ଏକ ଭୋକିଲା ବାଘ । ଅନ୍ୟଝିଅ ବୋହୂଙ୍କ ପ୍ରତି ଆପଣଙ୍କ ସମ୍ମାନ ଜ୍ଞାନ ନାହିଁ । ନିଜେ ଜାଣି ଶୁଣି ଏକ ଯୌନ ବୁଭୁକ୍ଷୀ ଭିନ୍ନଭିନ୍ନ ବହୁ ପ୍ରେମିକ ସ୍ୱାଦର ଅନ୍ୱେଷୀ ‘ବିଥିକା’ର ପ୍ରେମରେ ଶିକାର ସାଜନ୍ତି ଲେଖକ ସେ ଏକ ଅନନ୍ୟ ‘ବିନ୍ଦୁ’ ଗଛରେ । ଲାମ୍ପଟ୍ୟର ଅନ୍ୟ ଏକ ଦିଗ ଉନ୍ମୋଚିତ ହୋଇଛି ‘ପୌଷର ପତ୍ରସବୁ’ ଗଳ୍ପରେ ।

 

ଲେଖକ କାମୁକ ଯୌନ ଲାଳସାର ନର୍କକୁ ଓହ୍ଲାଇଯା’ନ୍ତି ‘ପାଶବିକ ଗଳ୍ପରେ । ମନୋଜ ଦାସଙ୍କ ‘ଆରଣ୍ୟକ' ଗଳ୍ପ ପରି ପାଞ୍ଚଜଣ ଶିକ୍ଷିତ ବିବାହିତ ଅବିବାହିତ ଯୁବକଙ୍କ ସହ ଯାଇଥାନ୍ତି ଏକ ବଣ ଭୋଜିରେ । ସେଠାରେ ଏକ ବିବାହିତ ବଣୁଆ ଯୁବତୀକୁ ଆବିଷ୍କାର କରନ୍ତି, ଯିଏ ଉଦରର ଜ୍ୱାଳା ପ୍ରଶମିତ କରିବା ଆଶା ନେଇ ଖାଦ୍ୟ ପାଇଁ ତାଙ୍କ କାମ କରିବା ପାଇଁ ନିକଟବର୍ତ୍ତୀ ହୋଇଛି । କିନ୍ତୁ ସେମାନେ ମଦ୍ୟ ମାଂସ ଭୋଜନ କରି ତା’ର ରୂପ ଯୌବନର କାମନାରେ ଦମ୍ଭୀଭୂତ, କରିଛନ୍ତି ପାଶବିକ ଅତ୍ୟାଚାର । ଲେଖକଙ୍କ ଭାଷାରେ “xxx କିଏ ମାରିବ ପ୍ରଥମ ଝାମ୍ପ-? xxx ଆପାତତଃ ମୁଁ ଯେ କେତେବେଳେ ହରିଣୀ ଉପରେ ଆଗ ଝାମ୍ପ ମାରି ଦେଇଛି, ଜାଣି ପାରିନାହିଁ । ଶିକାର କେବେ ଏ ଝାମ୍ପରୁ ଖସିଯିବ ? ଆଉ ତିନୋଟି ବାଘ ମଧ୍ୟ କୁଦି ପଡ଼ିଛନ୍ତି । ଏହି ଗଳ୍ପଗୁଡ଼ିକରେ ଯୌନ ଉଚ୍ଛୃଙ୍ଖଳତା ଅଛି ମାତ୍ର ନଗ୍ନ ବା ଅଶ୍ଳୀଳତା ନାହିଁ । ଗାଳ୍ପିକ ଡକ୍ଟର ଦାନୀଙ୍କ ଗଳ୍ପଗୁଡ଼ିକ ରୋମାଣ୍ଟିକ ହେଲେ ସୁଦ୍ଧା ଲଗାମଛଡ଼ା ନୁହେଁ । ନଗ୍ନତା ଅର୍ଶୀଳତାକୁ ବାଦ୍ ଦେଇ କିପରି ସାହିତ୍ୟିକ ସୌନ୍ଦର୍ଯ୍ୟକୁ ଅତୁଟ ରଖି ଉକୃଷ୍ଟ ପ୍ରେମଗଳ୍ପ ଲେଖାଯାଇ ପାରେ ତା’ର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଗାନ୍ଧିକ ଡକ୍ଟର ଦାନୀ ।

 

ଆମ ସମାଜରେ ସାମାଜିକ ଓ ସାମ୍ବିଧାନିକ ନୀତିନିୟମ ସୃଷ୍ଟି କରୁଥିବା ସମସ୍ୟା ସମ୍ପର୍କରେ ଲେଖକ ବେଶ୍ ସଚେତନ । ସେଥିପ୍ରତି ତର୍ଜନୀ ନିକ୍ଷେପ କରିଛନ୍ତି କେତୋଟି ଗଳ୍ପରେ, ଯେଉଁଠି ଗାଳ୍ପିକ ନିଜେ ନାୟକ । ସରକାରୀ କଳର ନାଲିଫିତା ତଳେ ଚାପି ହୋଇ ଯାଇଥିବା ଅବସର ପ୍ରାପ୍ତ ଚଇତ ମୁଣ୍ଡାର ମର୍ମନ୍ତୁଦ କାହାଣୀରେ ମର୍ମାହତ ଲେଖକ । ବିଭାଗୀୟ ଅଫିସର ଭାବରେ, ତା’ର ପେନସନ୍ ଗଣ୍ଡାକ ପାଇଁ ସାହାଯ୍ୟ କରି ନ ପାରି କେବଳ ଆଶ୍ୱାସନା ହିଁ ଦିଅନ୍ତି ‘ଧୂଆଁ’ ଗଳ୍ପରେ । ସେହିପରି ଅମଲାତନ୍ତ୍ରର ସ୍ୱରୂପକୁ ଉନ୍ମୋଚନ କରନ୍ତି, ଏକ ମକଦ୍ଦମାର ସଂକ୍ଷିପ୍ତ ନକଲ’ ଗଳ୍ପରେ । ‘କୌଣସି ଏକ ଇଣ୍ଟରଭ୍ୟୁର ପରାସ୍ତ ହୋଇ’ ଗଛରେ ଗ୍ରାମରୁ ଯାଇ ସହରବାସୀ ଚାକିରୀ ଅନ୍ୱେଷୀ ବିବାହିତ ପୁଣି ଏକ ପୁତ୍ର ସନ୍ତାନର ଜନକ ଯୁବକର ମାନସିକ ଯନ୍ତ୍ରଣା ସହ ଅମଲାତନ୍ତ୍ରର ଦୁର୍ନୀତି ଓ ଭ୍ରଷ୍ଟାଚାରର ରୂପ ବର୍ଣ୍ଣିତ। ଏକ ଅବସର ପ୍ରାପ୍ତ ଗରିବ ବାପର ଶିକ୍ଷିତ ବେକାର ପୁଅର ଚାକିରି ଅନ୍ୱେଷାର ବିଫଳତା ଓ ଶୂନ୍ୟତାରେ ତାଙ୍କ ଦିନେ... (ନିଜକୁ ତରୁଣ ମନେକରି)” ଗଳ୍ପରେ ଅନୁରଣିତ । ଅମଲାତାନ୍ତ୍ରିକ ଶାସନ ଜାଲରେ କିପରି ନିମ୍ନ ସ୍ତରର ଚାକିରୀଆଙ୍କୁ ଅପଦସ୍ତ ଓ ହୀନସ୍ତା କରାଯାଇଛି ‘ମୋ ଶବ’ ଗଳ୍ପ ଏବଂ ଉଚ୍ଚ ପଦସ୍ଥ ଅଫିସରଙ୍କ ଅନୁପସ୍ଥିତିରେ ନିମ୍ନ ବର୍ଗର ତଳିଆ କର୍ମଚାରୀଙ୍କ ସାଧାରଣ ଜନତାଙ୍କ ଉପରେ ଦୌରାତ୍ମ୍ୟ କିନ୍ତୁ ଅଫିସରଙ୍କ ଉପସ୍ଥିତିରେ ପୁଣି ହୀନପ୍ରଭ ‘ଗ୍ରହ ଉପଗ୍ରହ ଗଛରେ ବେଶ୍ ଚିତ୍ତାକର୍ଷକ ଭାବରେ ଅବତାରଣା କରାଯାଇଛି ।

 

ଅନ୍ୟ ଏକ ସାମାଜିକ ତଥା ମାନସିକ ସମସ୍ୟା ରୂପକକଥା ଛଳରେ ଅବସ୍ଥାପିତ ତାଙ୍କ ବଗିଚାର ଫୁଲମାନେ’ ଗଳ୍ପରେ । ବସ୍ତୁବାଦୀ ସମାଜ କେବଳ ବାହ୍ୟ ରୂପର ମୂଲ୍ୟ ନିର୍ଦ୍ଧାରଣ କରେ-। ତେଣୁ ସମସ୍ୟାର ବାସ୍ତବତାକୁ ଅନ୍ୱେଷଣ ନ କରି ନିରୀହର ଦୋଷାରୋପ କରେ । ଲେଖକ ନିଜକୁ ‘ରୋଜି’ ନାମ୍ନି ଅବିବାହିତା ନାୟିକା ଭାବରେ ଉପସ୍ଥାପନ କରି ବହୁ ଭ୍ରମର ଚୁମ୍ବିତ ବଗିଚାର ଫୁଲମାନଙ୍କ ସ୍ପର୍ଦ୍ଧାକୁ ଖଣ୍ଡନ କରିବା ସମେତ ଉପେକ୍ଷିତା କେତକୀର ମହତ୍ତ୍ଵକୁ ପ୍ରମାଣ କରିପାରିଛନ୍ତି । ଏକ ମିଥ୍ୟା ଅହଂକାର ଆଚ୍ଛନ୍ନ ବସ୍ତୁବାଦୀ ଆତ୍ମଗର୍ବୀ ଅଧ୍ୟାପିକାଙ୍କ ନିକଟରେ ଦେଖା ଦେଇଥିବା ମାନବିକତାର ଅଭାବବୋଧକୁ ଗାଳ୍ପିକ ଉନ୍ମୋଚନ କରିଛନ୍ତି ‘ପଡ଼ୋଶିନୀ’ ଶୀର୍ଷକ ଗଳ୍ପରେ । ସାରା ଆକାଶ’ ଗଳ୍ପରେ ପ୍ରସବ ଯନ୍ତ୍ରଣା ଭୋଗ କରୁଥିବା ବାଲ୍ୟ ବିଧବା ଯୁବତୀ ପାପ ଗର୍ଭ ହେବା ପ୍ରସଙ୍ଗକୁ ନେଇ ଲେଖକ ସନ୍ଦେହୀ ଦୃଷ୍ଟିରେ ଦେଖନ୍ତି ସହଧ୍ୟାୟୀ ବଂଧୁ ଅରୁଣ ଓ ନିଜ ବିବାହିତ ପତ୍ନୀଙ୍କୁ ।

 

ଗାଳ୍ପିକ ଡକ୍ଟର ଦାନୀ କୌଣସି ସାମାଜିକ ସମସ୍ୟାର ଏକ ଦିଗଦର୍ଶୀ ହୋଇ ନାହାନ୍ତି ବରଂ ତା’ର ଉଭୟ ଦିଗର ବାସ୍ତବତାକୁ ବିଭିନ୍ନ ପ୍ରସଙ୍ଗରେ ସଜ୍ଜିକରଣ କରିଛନ୍ତି । ତାଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ନିଶା’ ସନ୍ନିବିଷ୍ଟ ‘ଅରଣ୍ୟଜାତ’ ଓ ‘ଭଲ୍ଲୁକ ଉପାଖ୍ୟାନ’ ଗଳ୍ପ ଦ୍ୱୟକୁ ଉଦାହରଣ ଭାବରେ ନିଆଯାଇପାରେ । ସୁଦୂର କଳାହାଣ୍ଡିର ଅରଣ୍ୟାନୀରୁ ଆଗତ ବିଗତ ଯୌବନ ଚାକର ‘କାହ୍ନୁ’ର ଆଦର୍ଶ ଲେଖକଙ୍କୁ ବିସ୍ମିତ କରେ ‘ଅରଣ୍ୟ ଜାତ’ ଗଳ୍ପରେ । ଯେତେବେଳେ ପୋଲିସବନ୍ଧୁ ସନ୍ତୋଷ ବାବୁଙ୍କ ଦ୍ୱିତୀୟ ପକ୍ଷ ବାହାଘର ପାଇଁ ଲେଖକ ତତ୍ପର, କାହ୍ନୁ କହେ “ବାବୁ ! ସନ୍ତୋଷ ବାବୁ ଏହି କଥା କହୁଛନ୍ତି, ଦରବୁଢ଼ା ବୟସରେ ପୁଣିଥରେ ବାହା ହେଉଛନ୍ତି । XXX ତିନିଟା ପୁଅ ଝିଅ ତାଙ୍କର ନିଃସଙ୍ଗ ହେଲେ କିପରି ? xxx ଆମ ପୁରୁଷ ଜାତିଟି କେତେ ସ୍ୱାର୍ଥପର ସତେ ! ଅର୍ଦ୍ଧ ବୟସରେ ପତ୍ନୀ ହରେଇଲେ ବୋଲି କଅଁଳ ବୟସର ଝିଅଟିଏ ପୁଣି ବାହା ହୋଇ ପଡ଼ନ୍ତି Xxx ହେଲେ ନାରୀ ଜାତିଟା କଅଣ ବା ଦୋଷ କଲା ? ସ୍ୱାମୀ ମରିଗଲେ, ବୟସ ଥାଉନା କାହିଁକି ସେ ସତୀ ହେବେ ବୋଲି ବିଧବା ରହିବାକୁ ବାଧ୍ୟ । କିନ୍ତୁ ଲେଖକ ଯେତେବେଳେ କାହ୍ନୁକୁ ବିବାହ କରି ହସ ଖୁସିର ସଂସାର କରିବା ପାଇଁ ପ୍ରସ୍ତାବ ଦିଅନ୍ତି କାହ୍ନୁ ଲୁହ ଛଳ ଛଳ ଆଖିରେ କହିଯାଏ ତା’ର ଅତୀତର ରହସ୍ୟମୟ କାହାଣୀ । ସେ ବାଲ୍ୟ ବିବାହ କରିଥିଲା । କିନ୍ତୁ ଯୌବନରେ ପଦାର୍ପଣ କରିବା ପୂର୍ବରୁ ତା’ର ‘ଲକ୍ଷ୍ମୀ’ ଆରପାରିକୁ ଚାଲି ଯିବାରୁ ସେ ଆଉ ଦ୍ୱିତୀୟ ବିବାହ କରି ନାହିଁ ଆଜୀବନ । ଉକ୍ତ ଗଳ୍ପର ଅପର ପାର୍ଶ୍ଵରେ ଉପସ୍ଥାପନ କରାଯାଇ ପାରେ ‘ଭଲ୍ଲୁକ ଉପାଖ୍ୟାନ” ଶୀର୍ଷକ ଗଳ୍ପଟିକୁ । ଏକ କାଠୁରିଆ ଯୁବ ଦମ୍ପତ୍ତି ହଠାତ୍ ପାହାଡ଼ରେ ପଡ଼ିଯାନ୍ତି ଭାଲୁର ହାବୁଡ଼ରେ । ପୁରୁଷ ଲୋକଟି ଗଛ ଉପରକୁ ଉଠିବା ବେଳକୁ ତା’ ନାଁ ଗୋଡ଼ ଆଣ୍ଠୁତଳ ମାଉଁସିଆ ପେଣ୍ଡା ଉପରେ ଭାଲୁ କରିଛି ଆକ୍ରମଣ । ତା’ ହାତକୁ ଟାଙ୍ଗିଆଟା ବଢ଼ାଇ ଦେବା ପାଇଁ ସ୍ତ୍ରୀକୁ ସାହାଯ୍ୟ ମାଗିଛି, ସ୍ତ୍ରୀଟି ପାଖରେ ଥାଇବି ଜୀବନ ଭୟରେ ସାହାଯ୍ୟ କରିପାରିନାହିଁ ବରଂ ପାଟି କରିଛି । ଉପସ୍ଥିତ ଅନ୍ୟମାନେ ବି କିଛି ପ୍ରତିକାର କରି ପାରିନାହାନ୍ତି । ଅନନ୍ୟୋପାୟ ହୋଇ ଲୋକଟି ଗଛ ଡାଳରେ ଲଟକି ଭାଲୁକୁ ମୁଥ ମାରି ଜୀବନ ରକ୍ଷା କରିଛି । ଲୋକଟିକୁ ଚିକିତ୍ସା ପାଇଁ ପ୍ରଥମେ ଗ୍ରାମୀଣ ଡାକ୍ତରଖାନାରୁ ପରେ ବଡ଼ ଡାକ୍ତରଖାନାକୁ ନିଆ ଯାଇଛି । ସେଠାରେ ଦୀର୍ଘ ୬ମାସ କାଳ ଚିକିତ୍ସିତ ହୋଇ ଏକ ବିକଳାଙ୍ଗ ଅକର୍ମଣ୍ୟ ଭାବରେ ଗାଁକୁ ଫେରି ଶୁଣିଛି ସ୍ତ୍ରୀ ତା’ର । ଅନ୍ୟ ଯୁବକ ସହିତ ବସାବାନ୍ଧି ଦେଇଛି । କାରଣ ବିକଳାଙ୍ଗ ଅକର୍ମଣ୍ୟ ପୁରୁଷ ରୋଜଗାର କରି ସ୍ତ୍ରୀକୁ ପୋଷି ପାରିବ ନାହିଁ । ସେହି ଲୋକଟି ବସରେ ଜୀବନ ସମ୍ପର୍କିତ ଏକ ଅଭିନବ ଧାରଣା ବିଷୟରେ ଗାଳ୍ପିକଙ୍କୁ କହିଛି - “ବାବୁ ! ତୁମେ କହ, ଏଭଳି ସ୍ତ୍ରୀ କ’ଣ ସ୍ତ୍ରୀ ? ସେଇ ଭାଲୁଟି ମୋତେ ମଣିଷକୁ ଚିହ୍ନେଇ ନ ଦେଇଛି ତ ଆଉ କ’ଣ ? XXX ବାବୁ ଜଙ୍ଗଲର ସେଇ ଭାଲୁକୁ ବରଂ ବିଶ୍ୱାସ କରିବ; ହେଲେ ମଣିଷକୁ ! .....

ମଣିଷ ତା’ର ଅହଂ ପ୍ରବୃତ୍ତି ପ୍ରବଣ ହୋଇ ଅନ୍ୟର ଅସହାୟତା ପ୍ରତି ଦୃଷ୍ଟି ନ ଦେଇ ନିଜକୁ ବହୁ ଉଚ୍ଚ ସ୍ଥାନରେ ସ୍ଥାପିତକରେ । କିନ୍ତୁ ଯେତେବେଳେ ସେ ହୃଦୟଙ୍ଗମ କରେ ଅନ୍ୟର ଅସହାୟତା ତୁଳନାରେ ନିଜର ବୃଥା ଅହମିକା ନିମିତ୍ତ ମାତ୍ର, ସେତେବେଳେ ସେ ହୁଏ ଅନୁତାପ ଅଗ୍ନିରେ ଦଗ୍ଧିଭୂତ । ଏହିପରି ଏକ ସ୍ଵକୀୟ ଅଭିଜ୍ଞତା ଲବ୍ଧ ଚିତ୍ର ଉପସ୍ଥାପନ କରିଛନ୍ତି ଗାଳ୍ପିକ ଡକ୍ଟର ଦାନୀ ତାଙ୍କ ରଚିତ ‘ପ୍ରତିଦ୍ୱନ୍ଦୀର ଅସ୍ତ୍ରଶସ୍ତ୍ର’ ଗଛରେ । ଦିଲ୍ଲୀରୁ ଓଡ଼ିଶା ଦୀର୍ଘ ରେଲପଥ ଯାତ୍ରା ଜନିତ କ୍ରାନ୍ତି ସମ୍ମତ କ୍ରୋଧ ଅଂଧ ସମ୍ପାମ୍ପୁଡ଼ିବାଲାର ଅନ୍ଧତ୍ୱ ଓ ନମ୍ର ସ୍ୱର ନିକଟରେ ହାର ମାନିଛି । ‘ପଶୁ’ ଗଳ୍ପରେ ଲେଖକ ଆବିଷ୍କାର କରିପାରିଛନ୍ତି ମଣିଷ ଭିତରେ ଥିବା ପଶୁ ପ୍ରବୃତ୍ତିକୁ । ଗାଳ୍ପିକଙ୍କ ସାହିରେ ଏକ ଭଡ଼ା ଘରେ ପ୍ରଦେଶ ବାହାରୁ ଆସି ରହୁଥିବା ଜଣେ ସେଲ୍‌ସମ୍ୟାନ୍‌ ଦିନବେଳା ଘରକୁ ଖାଇବାକୁ ଆସି ତା’ର ଗର୍ଭିଣୀ ସ୍ତ୍ରୀ ସହିତ ଗଣ୍ଡଗୋଳ କରି ତାକୁ ନିର୍ଧୂମ ବାଡ଼େଇ ଘର ବାହାର ପଟୁ କବାଟରେ ଶିକୁଳି ବନ୍ଦ କରି ଚାଲିଯାଇଛି । ସ୍ତ୍ରୀ ପ୍ରସବ ବେଦନାରେ ଛଟପଟ ହେବାରୁ ପଡ଼ୋଶୀ ସ୍ତ୍ରୀମାନେ ଡାକ୍ତର ଡକାଇ ପ୍ରସବ କରାଇଛନ୍ତି । ଲେଖକ ଲୋକଟିର ଅସତ୍ ବ୍ୟବହାରରେ କ୍ଷୁବ୍‍ଧ ଓ ପ୍ରତିଶୋଧ ପରାୟଣ ହୋଇ ବିଚାରନ୍ତି, “ଭାରି ଗୋଟେ ବାଘ ସାଜିଛି । ମୁଁ ଗୋଟେ ଶିକାରୀ ବନି, ତାକୁ ପାନେ ଚଖେଇ ଦେଇ କହିବି, “ବୁଝିଲୁ ଏଇଟା ବଣ ନୁହେଁ ଯେ, ଏଠି କେବଳ ପଶୁ ରହିବେ । ଏଇଟା ଗୋଟେ ଘର ଏଠି ମଣିଷ ରହନ୍ତି ।

 

ତଥାକଥିତ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ମଣିଷମାନଙ୍କ ବଡ଼ଲୋକୀର ମୁଖାତଳେ ଲୁଚି ରହିଥିବା ସଂକୁଚିତ ରୂପଟିକୁ ଉଦ୍‌ଘାଟନ କରିଛନ୍ତି ଗାଳ୍ପିକ ଏକ ଲୁଗା ଦୋକାନରେ ଜଣେ ସେଲ୍‌ସମ୍ୟାନ୍‌ଭାବରେ ‘ନିଶୁଣିର ଏପାଖ ସେପାଖ ଗଳ୍ପରେ । ଯେତେବେଳେ ହସ୍ତତନ୍ତ ଲୁଗା ଉପରେ ଶତକଡ଼ା କୋଡ଼ିଏ ଭାଗ ରିହାତି ଦିଆଯାଉଥାଏ ଦୋକାନଟିକୁ ଜନଗହଳି ଭିତରେ ଓହ୍ଲାଇ ଆସନ୍ତି ପୌଢ଼ ହାଇସ୍କୁଲ ଶିକ୍ଷକ ସପତ୍ନୀକ ଓ ଜଣେ ଅବିବାହିତ ଅଧ୍ୟାପିକା । ଦୁହେଁ ପଡ଼ୋଶୀ । ଜନଗହଳିର ଦ୍ୱାହି ଦେଇ ପରେ ଆସିବାର ପ୍ରତିଶ୍ରୁତିରେ ଚାଲି ଯାଆନ୍ତି ଦୋକାନରୁ ପ୍ରଥମ ଥର । ପରେ ଗହଳି ଶୂନ୍ୟ ସମୟରେ ଶସ୍ତା ବେଡ଼ସିଟ୍ କିଣନ୍ତି । ଯଦିଓ ଦାମୀ ବେଡ଼ସିଟ୍ କିଣିବାର କ୍ଷମତା ସେମାନଙ୍କର ରହିଛି; ତଥାପି ଶସ୍ତାରେ କାମ ଚଳାଇ ନେବା ପାଇଁ ସେମାନେ ବ୍ୟାକୁଳ ।

 

ଅନ୍ୟ ପ୍ରତି ପଡ଼ିଥିବା ବିପଦକୁ ମଣିଷ ତା’ର ଖିଆଲି ମନୋବୃତ୍ତିରେ ଅତି ସାଧାରଣ ଓ ତୁଚ୍ଛ ବୋଲି ବିଚାର କରୁଥିବା ବେଳେ ନିଜର ଅତି ତୁଚ୍ଛ ବିପଦରେ ସେ ହୋଇପଡ଼େ ଏକବାର ଅଧୀର ଓ ବିଚଳିତ । ବିପଦରେ ପଡ଼ିଥିବା ବ୍ୟକ୍ତି ପ୍ରତି ସାହାଯ୍ୟ ଓ ସହାନୁଭୂତି ପ୍ରଦର୍ଶନ ପରିବର୍ତ୍ତେ କେତେକ ସ୍ଵାର୍ଥନ୍ଵେଷୀମାନେ ନିଜର ଫାଇଦା ଉଠାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ରମେଶ ନାମଧାରୀ ଗାଳ୍ପିକଙ୍କ ଏମ୍. ଏସ୍.ସି ପଢ଼ୁଆ ବେକାରୀ ବନ୍ଧୁ କୌଣସି ଏକ ଇଣ୍ଟରଭ୍ୟକୁ ଯିବାବେଳେ ବସ୍‌ଷ୍ଟାଣ୍ଡରେ ଚୋରୀ ହୋଇ ଯାଇଛି ତାଙ୍କ ଆଟେଚି, ଯହିଁରେ ଥିଲା ତାଙ୍କ ଜୀବନସାରା ପରିଶ୍ରମର ଫଳ, ସମସ୍ତ ସାର୍ଟିଫିକେଟ୍ । କିନ୍ତୁ ଲେଖକ ବିଚଳିତ ରମେଶ ପ୍ରସଙ୍ଗକୁ ଅତି ସାଧାରଣ ଓ ହାଲୁକା ବିବେଚନା କରି ତାଙ୍କୁ ଚା’ ପାନ ପାଇଁ ନିମନ୍ତ୍ରଣ କରିଛନ୍ତି ହୋଟେଲକୁ-। ଦୋକାନୀକୁ ଟଙ୍କା ପୈଠ କରିବା ପାଇଁ ପକେଟ ଅଣ୍ଡାଳି ଦେଖନ୍ତି ମନିପର୍ସଟି ନାହିଁ । ସେ ବିଚଳିତ ହୋଇ ପାଟି କରି ଉଠନ୍ତି, ‘ପକେଟମାର.... ରୀତିମତ ଚୋରୀ’ । ବନ୍ଧୁ ରମେଶ ଯେତେବେଳେ ଅପହୃତ ଆଟେଚି ଓ ସାର୍ଟିଫିକେଟ୍‌ର ଉଦ୍ଧାର ପାଇଁ ପୋଲିସ ସହାୟତାର ଦ୍ଵାରସ୍ଥ ହୁଅନ୍ତି ‘ ଆମେ ପୂରା ଉଦ୍ୟମ କରୁଛୁ’ କହି ପୋଲିସ କେବଳ ଅବହେଳା ପ୍ରଦର୍ଶନ କରି ନାହିଁ ତାଙ୍କଠୁଁ ଅର୍ଥ ଶୋଷଣ ମଧ୍ୟ କରିଛି ।

 

ଗାଳ୍ପିକ ଡକ୍ଟର ଦାନୀ ଏକ ଗ୍ରାମୀଣ ମହାବିଦ୍ୟାଳୟରେ ଅଧ୍ୟାପନା କାଳରେ ବହୁ ସାଧାରଣ ଲୋକଙ୍କର ସଂସ୍ପର୍ଶରେ ଆସି ଜୀବନ ଓ ଜୀବିକା ସମ୍ପର୍କିତ ବହୁ ନୂତନ ତଥ୍ୟ ଆହରଣ କରି ପାରିଛନ୍ତି । ତନ୍ମଧ୍ୟରୁ ଏକ ମୁଢ଼ି ବିକାଳି ବୃଦ୍ଧାର ସ୍ୱରୂପକୁ ଉନ୍ମୋଚନ କରିଛନ୍ତି, ‘ଫେସକେଟ୍ ଓ “ସେ ଏକ ପଉଷ ସକାଳ’ ଶୀର୍ଷକ ଗଳ୍ପ ଦ୍ଵୟରେ । ସେହି ସରଳ ନିରୀହା ବୃଦ୍ଧାର ବ୍ୟବହାରରେ ଲେଖକ କେବଳ ମୁଗ୍‍ଧ ହୋଇ ନାହାନ୍ତି ବରଂ ଉପଲବ୍ଧି କରି ପାରିଛନ୍ତି ପ୍ରାଚୀନ ଓ ଆଧୁନିକ ତଥା ଗ୍ରାମୀଣ ସଭ୍ୟତା ଓ ସହରୀ ସଭ୍ୟତା ମଧ୍ୟରେ ଥିବା ବ୍ୟବଧାନକୁ । ସର୍ବୋପରି ଆଧୁନିକ ବିଦେଶୀ ପ୍ରଭାବିତ ଗରମ ଚା’ ଓ ଫେସକେଟ୍‍ର ମୁଢ଼ି ବୋଧର ପାର୍ଥକ୍ୟ ସମ୍ପର୍କରେ ସେ କହନ୍ତି । “ଗୋଟେ ସଦ୍ୟ ଅଥଚ କ୍ଷଣକ ଭିତରେ ଶୀତଳ ହେବାର ପ୍ରଚୁର ସମ୍ଭାବନା । ଏବଂ ଅନ୍ୟଟି ପ୍ରାଚୀନ, ଅଥଚ ଶୀତଳ ହେବାର ସ୍ଵ ସମ୍ଭାବନା ।” ତା’ର କୁହୁକ ପେଡ଼ି ପରି ଦେଖାଯାଉଥିବା ମୁଢ଼ି ପସରାର ବୋଝ ସମ୍ପର୍କରେ କହନ୍ତି “ ଯା’ ଭିତରେ ଲୁଚି ରହିଛି କୌଣସି ଏକ ଅଦଭୂତ ବସ୍ତୁ, ଯେଉଁ ବସ୍ତୁ କି ଭୟ କରେ ସ୍ଵରୂପ ବଦଳିଯିବାର ରୂପକ । କିମ୍ବା ସେ ବୋଝ ସତେ କି ପ୍ରାକ୍ ଐତିହାସିକତାର ଏକ ମଜଭୁତ୍ ଦୁର୍ଗ କିମ୍ବା ସେ ବୋଝ ନିତ୍ୟ ନୂତନ ସମ୍ବାଦ ଓ ଯା’ ଭିତରେ ଘୋଡ଼ିଘାଡ଼ି ହୋଇ ଶୋଇ ପଡ଼ିଛି ‘ପ୍ରାଚୀନ’ ନାମକ ଜନ୍ତୁଟି । ସେହିପରି ସେ ଏକ ପଉଷା ସକାଳ’ ଗଳ୍ପରେ ସେହି ବୃଦ୍ଧା ରମଣୀ ଅନେକ ଦିନରୁ ବିଧବା ସାଜିଥିଲେ ମଧ୍ୟ ତା’ ସ୍ୱାମୀର ଚିତାଗ୍ନିରୁ ଅଣାଯାଇ ପାଚେରୀ ଠଣାରେ ରଖାଯାଇଥିବା ଅସ୍ଥି ଥିଲା ତା’ ଆଶ୍ୱାସନାର ପ୍ରତୀକ ଯହିଁରେ ନିତି ସକାଳେ ଓଳଗି ହୁଏ ଓ ପୁଣ୍ୟ ତିଥିରେ ପୂଜା କରେ । ସେ ଅନୁଭବ କରିପାରୁଥିଲା ସ୍ୱାମୀଙ୍କ ନୀରବ ଉପସ୍ଥିତି । କିନ୍ତୁ ଅନେକ ଦିନ ପରେ ଯେତେବେଳେ ତା’ ପରିବାରର ଲୋକେ ପ୍ରୟାଗର ପବିତ୍ର ଜଳରେ ବିସର୍ଜନ ପାଇଁ ନେଇ ଯାଆନ୍ତି ଅସ୍ଥିକୁ “ସେଦିନ ସେ ଅନୁଭବ କଲା ସତେ ଯେପରି ଚିରଦିନ ପାଇଁ ତା’ ସ୍ୱାମୀ ତାକୁ ଛାଡ଼ି ଚାଲିଗଲେ । ଯେତେବେଳେ ସପ୍ତାହ ଧରି ତା’ର ଅନୁପସ୍ଥିତି ସମ୍ପର୍କରେ ଲେଖକ ତାକୁ ଜିଜ୍ଞାସା କରନ୍ତି ସେ କାନ୍ଦ କାନ୍ଦ ହୋଇ ବର୍ଣ୍ଣନା କରେ ବିରହବେଦନାର କାହାଣୀ ।

 

ଗାଳ୍ପିକ ଡକ୍ଟର ଦାନୀଙ୍କ ପ୍ରଥମ ପୁରୁଷରେ ରଚିତ ଗଳ୍ପମାନଙ୍କରୁ ଅନେକ ଜୀବନ ଓ ଜଗତ ସମ୍ପର୍କିତ ରହସ୍ୟାତ୍ମକ ସନ୍ଦେଶ ମିଳିଥାଏ, ଯାହାର ବର୍ଣ୍ଣନା ବେଳେ ଲେଖକ ଦେଇଛନ୍ତି ନିଜ ଅଭିଜ୍ଞତାର ସ୍ପର୍ଶ । ତାଙ୍କ ଖିଆଲି ମନ ଏକଦା ଆବିଷ୍କାର କରିଛି ସହରରେ ଅଦ୍ଭୁତ ଏକ ଈଶ୍ଵର’ ନାମଧାରୀ ରହସ୍ୟମୟ ବ୍ୟକ୍ତିକୁ । ତା’ ପିଛାରେ ସଂପୂର୍ଣ୍ଣ ଗୋଟିଏ ଅପରାହ୍ନ ବିତାଇ ଦେଇଥିଲେ ମଧ୍ୟ ଲେଖକ ପରାସ୍ତ ହୋଇଛନ୍ତି ସେ ରହସ୍ୟ ଉଦ୍‌ଘାଟନ ନିମିତ୍ତ “ଈଶ୍ୱରଙ୍କ ସହ କଥାବାର୍ତ୍ତା’ ଗଳ୍ପରେ । ‘ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ’ ଗଳ୍ପରେ ଚାରୋଟି କୌତୁକିଆ କୁକୁର ଛୁଆଙ୍କ ଅମାୟିକ ବ୍ୟବହାର ବର୍ଣ୍ଣିତ । ବସ୍ତୁବାଦୀ ସହରୀ ଚାକଚକ୍ୟ ଚରିତାର୍ଥ କରିବା ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ-। ଏକ କପର୍ଦ୍ଦକହୀନ ଶିକ୍ଷିତ ବେକାର ଯୁବକ କିପରି ଅର୍ଥାଭାବ ଯୋଗୁଁ ଇଚ୍ଛା ଥିଲେ ମଧ୍ୟ ସେହି ଚାକଚକ୍ୟ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ ଓ ତତ୍‌ଜନିତ ଯନ୍ତ୍ରଣାର ଶିକାର ସାଜେ ତାହା ‘ଇଚ୍ଛାମାନେ’ ଗଳ୍ପରେ ବର୍ଣ୍ଣିତ । ବିବାହ ବଜାରରେ କିପରି ଡାକ୍ତର ଇଂଜିନିୟର, ଡେପୁଟି କଲେକ୍ଟର ଓ ବ୍ୟାଙ୍କ ଅଫିସରଙ୍କ ତୁଳନାରେ ଅଧ୍ୟାପକଙ୍କ ଚାହିଦା କମ୍ ବା ସେମାନଙ୍କ ତଳକୁ ଲେଖକ ବୁଝି ପାରନ୍ତି, ‘ଦିନେ ବସରେ...' ଗଳ୍ପରେ । ଦୁଇଜଣ ପୌଢ଼ ପୁରୁଷ ଓ ସ୍ତ୍ରୀଙ୍କ କଥନରୁ ସେ ଜାଣନ୍ତି, ‘ସେତ ଡାକ୍ତର ନୁହେଁ କି ଇଞ୍ଜିନିୟର ନୁହେଁ ଯେ ମନଇଚ୍ଛା ହାଙ୍କିବ, ଏମାନେ ନିଜକୁ ଯେତିକି ବଡ଼ ବୋଲି ଭାବୁଥିବେ, ସେତିକି ବେଶି ବେଶି ଦାବୀ କରୁଥିବେ । ଏ ଲେକଚରର ପାତ୍ରଟା ବଡ଼ ସୁଧୀର, କିଛି ଦାବୀ ନାହିଁ, ମାନିଯିବ ଯେ !” ବିଶ୍ୱାସର ସେତୁବନ୍ଧ’ ଓ ‘ମନ ଓ ମାନ’ ଗଳ୍ପ ଦ୍ୱୟରେ ମାନବେତର ଦୁଇଟି ଜୀବ (ଯଥା ଚତୁର ପକ୍ଷୀ କାଉ ଓ ମଣିଷର ପୂର୍ବ ପୁରୁଷ ମାଙ୍କଡ଼)ଙ୍କ ମଣିଷ ପ୍ରତି ପ୍ରତିଶୋଧ ପରାୟଣ ଭାବର ବର୍ଣ୍ଣନା ଅତି ଚମତ୍କାର ହୋଇ ପାରିଛି ।

 

କ୍ଷୀଣକାୟ ଦୁର୍ବଳ ମା’ କୁକୁରଟି ବାସି ମଡ଼ାରେ ପରିଣତ ହୋଇ ଫୁଲି ଉଠି ଥିଲେ ମଧ୍ୟ କୁକୁର ଛୁଆଟି ମା’ର ଧୁକୁଡ଼ି ସ୍ତନକୁ ଚୁଚୁମିବା ଯଥେଷ୍ଟ ଚେଷ୍ଟା କରି ନୟାନ୍ତ ହୋଇ ପଡ଼ୁଛି, କିନ୍ତୁ କ୍ଷୀର ବାହାରୁ ନାହିଁ । ଏହି କରୁଣାତ୍ମକ ଦୃଶ୍ୟର ମୂକସାକ୍ଷୀ ଲେଖକଙ୍କ ସମେତ କଲେଜର ପାଞ୍ଚଜଣ ଯୁବ ଅଧ୍ୟାପକ । ସେମାନେ ଏ ବିଷୟରେ ପରସ୍ପର ଆଲୋଚନା ନ କରି ଅପେକ୍ଷା କରନ୍ତି ଦୁଇଦିନ ବାକି ଥିବା ଶନିବାର ଦିନକୁ; ଉଚ୍ଛନ୍ନ ହୋଇ ଉଠନ୍ତି ଶନିବାର ସଂଧ୍ୟା ବସରେ ଯିବେ ଘରକୁ ...ଏବଂ ଅସଲ କାରଣ ଯେ ଘରେ ମା’ ନାମକ ଅମୂଲ୍ୟ ଜିନିଷର” ଉପସ୍ଥିତି । ‘ମର୍ତ୍ତ୍ୟଠାରୁ ସ୍ୱର୍ଗ ପର୍ଯ୍ୟନ୍ତ’ ଗଳ୍ପରେ ମନସ୍ତତ୍ତ୍ୱର ଏକ ସୂକ୍ଷ୍ମ ଦିଗକୁ ଉନ୍ମୋଚନ କରିବାରେ ବେଶ୍ ସଫଳ ଅର୍ଜନ କରି ପାରିଛି ଗାଳ୍ପିକ ।

 

ଏକ ସ୍ରଷ୍ଟା ପୁରୁଷର ବେଦନାବୋଧ ସହିତ ସ୍ୱାଧୀନତା ସମ୍ପର୍କରେ ଅବବୋଧ ହୁଏ ତାଙ୍କ ‘ସମସ୍ତଙ୍କୁ ଅନୁରୋଧ ଗଳ୍ପରୁ । କବି ବା ଲେଖକ ଭାବରେ ପ୍ରତିଷ୍ଠିତ ହୋଇଗଲେ ଆତ୍ମୀୟ ସ୍ଵଜନ ତା’ର ଫାଇଦା ଉଠାଇବାକୁ ଚାହାନ୍ତି କୌତୁକରେ । ବରାଦ ଦିଅନ୍ତି ସେମାନଙ୍କର ଇଚ୍ଛା ମୁତାବକ ଗଳ୍ପ ସୃଷ୍ଟି କରିବାକୁ । ବିଭିନ୍ନ ବ୍ୟକ୍ତିଙ୍କ ବରାଦରେ ଅତିଷ୍ଠ ହୋଇ ପଡ଼ନ୍ତି ଲେଖକ । ମାନସିକ ବ୍ୟସ୍ତତାର ଚାପରେ ମନ ପ୍ରତିବାଦ କରିଉଠେ ...ତୋର ଅଧିକାର ନାଇଁ, ଟିକିଏ ବି କାହାର ଅନୁରୋଧ ରଖି ଲେଖିବାକୁ । ତୋର କଳା, କଳା ପାଇଁ କାଳ ପାଇଁ, ଆଉ କାହାପାଇଁ ନୁହେଁ । Xxx ତୁ ଲେଖିବୁ, ଯାହା ମୁଁ କହିବି । ମୋର ତୁ ଅଧୀନ... ବୁଝିଲୁ... ? ଶୁଣ ଯେତେବେଳେ ଗଛପତ୍ର, ଆକାଶ-ପୃଥ୍ଵୀ କହିବେ ‘ଲେଖ’ ଲେଖିବୁ... ହିଁ... ମନେ ରହିଲା । ଏଣୁ ଗାଳ୍ପିକ ସିଦ୍ଧାନ୍ତ ନେଇଛନ୍ତି ସେ କାଲି ସକାଳେ ସମସ୍ତଙ୍କୁ ଜଣାଇ ଦେବେ ‘‘କ୍ଷମା କରିବ ବନ୍ଧୁ, ମୁଁ ତମର ବରାଦକୁ-। ପ୍ରତ୍ୟାଖ୍ୟାନ କରୁଛି – ମୁଁ ଲେଖିଲେ, ତମେ ପଢ଼ିବ, ତମେ କହିଲେ ମୁଁ ଲେଖି ପାରିବିନି... ।”

 

ସ୍ୱର୍ଗତ ଡ. ଦାନୀଙ୍କ ପ୍ରଥମ ପୁରୁଷରେ ରଚିତ ଗଳ୍ପଗୁଡ଼ିକରେ ଭରି ରହୁଛି ଭିନ୍ନଭିନ୍ନ ଆସ୍ୱାଦ । କାରଣ ସେ ନିଜେ ସହରବାସୀ, ଏକ ଗ୍ରାମୀଣ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବାରୁ ଗ୍ରାମ ଓ ସହର ଚରିତ୍ରର ଘଟିଛି ସୁସମାବେଶ । ସର୍ବୋପରି ତାଙ୍କର ଥିଲା ଏକ ଲୋକ ଚରିତ୍ର ଚିତ୍ରଣର ଅସାଧାରଣ ଦକ୍ଷତା ତଥାପି ତାଙ୍କ ରଚିତ ଗଳ୍ପଗୁଡ଼ିକରେ କବିସତ୍ତା ଓ ବାସ୍ତବ ବ୍ୟକ୍ତି ସତ୍ତା ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ଦୃଷ୍ଟିଗୋଚର ହୁଏ ।

 

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭା-୭୬୮୧୦୨

ଜି ବରଗଡ଼ (ଓଡ଼ିଶା)

***

 

ପୂର୍ଣ୍ଣାନନ୍ଦ ଦାନୀ : ଏକ ବ୍ୟକ୍ତିକ ଆକଳନ

ଗୋପାଳକୃଷ୍ଣ ରଥ

 

ଗଳ୍ପ ସଙ୍କଳନ ‘ବଗିଚାର ଫୁଲମାନେ’ ( ୧୯୮୨) ଖୋଲିଦେଲାବେଳକୁ ବହି ଭିତରୁ ଖସି ପଡ଼ିଲା ବନ୍ଧୁ ପୂର୍ଣ୍ଣାନନ୍ଦ ଦାନୀଙ୍କ ଗୋଟିଏ ଆବକ୍ଷ ଫଟୋ, ବୋଧହୁଏ ସେଇ ୧୯୮୨-୮୩ ବେଳର । ଦାମ୍ବିକତା ଅଛି, ସରଳତା ଅଛି; ଫୁଲସାର୍ଟ ଓ ହାଫସ୍ଵେଟର ପରିହିତ ପୂର୍ଣ୍ଣାନନ୍ଦଙ୍କ ଚେହେରା ଛାତ୍ର ଜୀବନରୁ ପୌଢ଼ତ୍ୱ ପର୍ଯ୍ୟନ୍ତ ପ୍ରାୟ ସେଇଆ; କଥା କଥାକେ ଅଭିମାନ, ଅଥଚ ଆସ୍ପର୍ଦ୍ଧା ନାହିଁ, ପ୍ରେମ ଅଛି ପ୍ରକାଶ ନାହିଁ । ଗୁମୁରି ଗୁମୁରି ମସ୍‍ଗୁଲ ରହିବାର ଏକକ ଅନୁଭବରେ ତାଙ୍କର ବିତିଛି ସମଗ୍ର ଜୀବନ : ‘ନିଶା’ ( ୧୯୮୩)ରୁ ‘ହଳଦୀ କିଆରୀ’ (୧୯୯୦) ଏବଂ ତାଙ୍କ ଶେଷଦିନଗୁଡ଼ିକ ପର୍ଯ୍ୟନ୍ତ ।

 

ପୂର୍ଣ୍ଣାନନ୍ଦ ଦାନୀ ମୋର ସତୀର୍ଥ; ତାଙ୍କର ଅନେକ ଗଛର ମୁଁ ପ୍ରଥମ ଶ୍ରୋତା, ମୋର ଅନେକ କବିତାର ସେ ପ୍ରଥମ ରସଗ୍ରାହୀ । ତାଙ୍କ ଗଳ୍ପ ସଂସାରର ଅନେକ ଚରିତ୍ର ମୋର ଚିହ୍ନ; ତାଙ୍କର ଓ ମୋର ଇତିବୃତ୍ତମାନଙ୍କର ଅକ୍ଷଗୁଡ଼ିକ ମଧ୍ୟ ଖୁବ୍ ଲଗାଲଗି, ଯଦିଓ ଐକକୈନ୍ଦ୍ରୀକ ନୁହେଁ-। ତାଙ୍କ ଗଳ୍ପ ସମ୍ଭାରକୁ ତଉଲିବାର ପ୍ରୟାସ ମୁଁ କରିବି ନାହିଁ, କାରଣ ସେ ଏକ ନିଜସ୍ୱ ଦୀପର ଅବାସୀ, କାହା ସହିତ ପ୍ରତିଦ୍ୱନ୍ଦିତା ନାହିଁ, କାହାର ପ୍ରତିଫଳନ ନାହିଁ; ତାଙ୍କ ଗଳ୍ପଗୁଡ଼ିକର ସୃଜନ-ବଳୟ ସମସାୟିକ ଲେଖକମାନଙ୍କଠାରୁ ଅନେକ ଭିନ୍ନ । କାଳୀୟ ଦଳନ (୧୯୮୯) ଓ ‘ଦର୍ପଣରେ ନିଜମୁହଁ (୧୯୯୦) ତାଙ୍କ ଉର୍ତ୍ତୀର୍ଣ୍ଣ ସୃଜନବେଳାର ଉଚ୍ଚାରଣ । ତାଙ୍କର ପାଞ୍ଚଟି ଯାକ ଗଳ୍ପ ସଙ୍କଳନ ୧୯୮୨ ରୁ ୧୯୯୦ ମଧ୍ୟରେ ପ୍ରକାଶିତ । ଯଦିଓ ତାଙ୍କର ରଚନାକାଳ ୧୯୬୨ - ୬୩ରୁ ୧୯୯୮-୯୯ ଯାଏଁ ବିସ୍ତୃତ । ସତୀର୍ଥ ନ୍ୟାୟରେ ତାଙ୍କ ଗଳ୍ପ ସଙ୍କଳନମାନଙ୍କର ଅଧିକାଂଶ ଚରିତ୍ର ମୋର ପରିଚିତ; ତହିଁରୁ ଅନେକ ଚରିତ୍ର । ଚରିତ୍ରାଣୀ ଆମ ବେଳର ସମ୍ୱେଦନସଙ୍କୁଳ ହୃଦୟମାନଙ୍କ ନୀରବ ଚିତ୍କାର ।

 

‘ନିଶା’ ଗଳ୍ପଟିର ନାୟକ ଜୀବନାନନ୍ଦ, କଲେଜ କେମ୍ପସ୍‍ରେ ଅଧରାତିରେ ଦେବଦାରୁ ଓ ଇଉକାଲିପଟସ୍ ଗଛମାନଙ୍କ ଅନ୍ଧାରରେ ମିଶିଯାଇଥିବା ଅତୀତଟିଏକୁ ଖୋଜୁ ଖୋଜୁ ପ୍ରେମାକୁଳ ଭାବରେ ବ୍ୟସ୍ତ ହେବା ଅଥଚ ଭାବବିହ୍ୱଳତାରେ ଉଚ୍ଚକିତ ହୋଇ କଣ ଖସିପଡ଼ିବା – ଏହା କେତେ ଗାଳ୍ପନିକ ମୁଁ ବୁଝେନାହିଁ - ମୁଁ କିନ୍ତୁ ଜୀବନାନନ୍ଦଟିଏ ପାଇଁ ଗଭୀର ମର୍ମବେଦନାରେ ଆର୍ଦ୍ର ହୋଇଉଠେ । ସେମିତି : ଜଲି ଓ ମହାନଦୀ । ସତରବର୍ଷର ଝିଅଟିଏ ଚିଠିଟିଏ ଧରାଉଛି କାବେରୀ ଏହି ଯେ ଏହି ଝିଅଟି ସୂର୍ଯ୍ୟ କିରଣର ଧାରଟିଏ ପରି ସୁନାନାକୀ ଅଂଶୁମତୀର ଝିଅ ଏବଂ ଅଂଶୁମତୀ ଅକାଳରେ ଝରିପଡ଼ିଛି । ସେମିତି ରେଣୁକାର ବାହାଘର, ତାର ପୁଷି ବିରାଡ଼ି ଓ କୁକୁରଠାରୁ ବିଦାୟ/ଜୀବନାନନ୍ଦ ଓ ସୀମା ଭିତରେ ଅରୁଣର ସୁଦୀର୍ଘ ଛାଇ । ଗଳ୍ପଗୁଡ଼ିକ ପୁଣି ଚିତ୍ରମୟ, ଚିତ୍ରକଳ୍ପମୟ : ‘ସାରା ଆକାଶ’ ଗଛରେ : ଏକ ବଡ଼ ବରଗଛ, ଅଧାଥୁଣ୍ଟା ଓ ଅଧା ପତ୍ରଭରା, ପୋଖରୀରେ ଏକ କଂସ ଦଂପତ୍ତି - ଏସବୁ ସେମିତି ପ୍ରତିଧ୍ୱନିଗୁଡ଼ିଏ ଯାହାର ମୂଳ ଧ୍ୱନିମାନେ ଏବେବି ସତେଜ ଅଛନ୍ତି (ହଁ) ପୂର୍ଣ୍ଣାନନ୍ଦ ଖେଳପଡ଼ିଆ ଛାଡ଼ି ଚାଲିଗଲା ପରେ ବି ।

 

ପୂର୍ଣ୍ଣାନନ୍ଦ ଏକ ସ୍ଵଭାବ-ଗାଳ୍ପିକ; ଶିଶୁ ବୟସରୁ ଲେଖକ ଜୀବନର ଆରମ୍ଭ; ମୀନାବଜାର, ଶିଶୁରାଇଜରୁ ପ୍ରଜାତନ୍ତ୍ର, ତାପରେ ଝଙ୍କାର, ଏବଂ ଯାତ୍ରାମଧ୍ୟରେ ଓଡ଼ିଶାର ସମସ୍ତ ପତ୍ରପତ୍ରିକାର ସେ ଲେଖକ । ଆମ ଲେଖକ ଜୀବନରେ ପାହାଚ ଡେଉଁଥିବା ବେଳର ସବୁ ସଂଭ୍ରାନ୍ତ ପତ୍ରିକାରେ ସେ ଲେଖୁଥିଲେ : କଥା, ଆବର୍ତ୍ତନ, ନବରବି, ଆସନ୍ତାକାଲି, ସମାସ, ନବପତ୍ର ପ୍ରଭୃତି ।

 

ପୂର୍ଣ୍ଣାନନ୍ଦ ସମ୍ୱଲପୁର ସହରର ଏକ ସଂଭ୍ରାନ୍ତ କରଣ ପରିବାରର ଦାୟୀଦ । ତେବେ କେତେକ ପାରିବାରିକ ଦାୟିତ୍ୱକୁ ଅଙ୍ଗୀକାର କରି ସେ ବାଣ୍ଟିନେଇଥିଲେ ଏକ ମଧ୍ୟବିତ୍ତ ଚଳଣୀ । ବୃତ୍ତରେ ଅଧ୍ୟାପନା, ଆଦର୍ଶରେ ରକ୍ଷଣଶୀଳ, ଚରିତ୍ରବତ୍ତାରେ ଗରୀୟାନ୍; ଅଭିବ୍ୟକ୍ତିରେ ସରଳତା, ବ୍ୟବହାରରେ ସାଧୁତା ଓ ସ୍ନେହ - ସଦିଚ୍ଛା - ସମ୍ମାନ ଦେବାରେ ପୂର୍ଣ୍ଣାନନ୍ଦ ଥିଲେ ସଚ୍ଚୋଟ ।

 

ତାଙ୍କ ଗଳ୍ପମାନଙ୍କରେ ମଧ୍ୟ ସେଇମିତି ଏକ ମଧ୍ୟବିତ୍ତ ମଧ୍ୟଚଳଣୀ ମଝିଲୋକର ମିଶାଣ ଫେଡ଼ାଣ ଦେଖିବାକୁ ମିଳେ । ଯୁବସୁଲଭ ଟିକିଏ ପ୍ରେମରୁ ଅମରାବତୀର ସ୍ଵପ୍ନ (କ୍ଷଣିକ ସଂଗିନୀ); ଟିକିଏ ଦେଖାଚାହାଁରୁ ନିଜକୁ ଏକ ଅଭବିତବ୍ୟ ସନ୍ତାନର ପିତା ମନେକରିବା (ବୈଶାଖୀ); ନିଜ ସରଳ ପ୍ରେମିକ ଉତ୍ସକତାକୁ ଚିଠିରେ ଥୋଇଦେଇ ଅପରଠାରୁ ଆଘାତଟିଏ ପାଇ କାଙ୍କୁରୀ ଶାଙ୍କୁରୀ ହେବା ଭାବ (ସୂର୍ଯ୍ୟମୁଖୀ) ଏମିତି କେତେକ ଦୃଷ୍ଟାନ୍ତ । ପୂର୍ଣ୍ଣାନନ୍ଦଙ୍କ ନାୟକ ନାୟିକା ରାଜପୁତ୍ର ରାଜନନ୍ଦିନୀ ନୁହନ୍ତି, ନୁହନ୍ତି ମଧ୍ୟ ଆଭିଜାତ୍ୟର ପୌଢ଼ିରେ ଜର୍ଜରିତ; ତାଙ୍କ ଗଳ୍ପର ଚରିତ୍ର – ହିରୋ ନୁହେଁ କିମ୍ବା ଭିଲିଏନ୍ ନୁହେଁ - ସାଧାରଣ ଏକ ଚରିତ୍ର-ସେ, ମୁଁ, ତୁମେ, ଯେକେହି ।

 

ଏକ ବିଚିତ୍ର ସଂବେଦନରେ ଗଢ଼ା ତାଙ୍କ ଚରିତ୍ରସବୁ । ନିଜଘର ଝରକାରୁ ଆଉ ଏକ ଘରର ଝରକାକୁ ଚାହିଁବାରେ କୋମଳ ଉତ୍କଣ୍ଠା ହେତୁ ସେଇ ଅନ୍ୟ ଘରେ ରହୁଥିବା ଝିଅର ମା ଘର ବଦଳାଇ ଦେବା ଏବଂ କିଛିଦିନ ପରେ ସେହି ଝିଅଟି ବାହାହୋଇଯିବା - ଏକ ସାଧାରଣ କଥା - ନାୟକ କିନ୍ତୁ ବାହାଘର ନିମନ୍ତ୍ରଣ ପାଇ ସେହି ଝିଅଟିର ଶଙ୍ଖା ସିନ୍ଦୂର ରୂପର କଳ୍ପନାରେ ବିମୁଗ୍ଧ ହୋଇଛି ଅଥଚ ଖାଁ ଖାଁ ଅଭାବଟିଏ ତାର ଦେହସାରା ଚରିଯାଉଛି (ଦୁଇଟି ଝରକା) । ‘ସାରା ଆକାଶ’ ଗପରେ ନିଜ ସ୍ତ୍ରୀକୁ ଅରୁଣ ସହିତ ପରିଚୟ କରାଇ ଗଲାବେଳେ ନାୟକ ବୁଝିଯାଇଛି ସେମାନେ ଆଗରୁ ପରିଚିତ ଏବଂ ନାୟକର ଜୀବନଟି ଯେମିତି ପାଲଟିଯାଇଛି ଥୁଣ୍ଟା ବରଗଛଟିଏ, ସାରା ଜୀବନ ଉଦାସୀନ ପାଂଶୁଳ ପାଣ୍ଡୁର । (ପୂର୍ଣ୍ଣାନନ୍ଦଙ୍କ ରଚନାକାଳ କୋଡ଼ିଏ ବର୍ଷ ପରେ, ଆଜି, ପ୍ରେମ ହୁଏତ ଏତେଟା ଆବେଗ ପ୍ରଧାନ ହୋଇ ରହିନାହିଁ । ଆଜିକାଲିର ଚିନ୍ତାଧାରାରେ ‘ପ୍ରେମକୁ ବଦଳାଇ ହୁଏ’ ଏବଂ ଜୀବନରେ ଏମିତି ବହୁତ ଘଟେ’ ଅଧିକତର ସତ । ପ୍ରେମର ଭାବାବେଗ ଦିଗଟିକୁ ହଜାଇ ନ ଦେଲେ କେତେ ଭଲ ହୁଅନ୍ତା, ନୁହେଁ ? ପୂର୍ଣ୍ଣାନନ୍ଦଙ୍କ ଗଳ୍ପସବୁର ଓଜଃ ଏହି ପ୍ରେମାବତାରଣାମାନଙ୍କରେ) ।

 

ପୂର୍ଣ୍ଣାନନ୍ଦଙ୍କ ଗଳ୍ପଗୁଡ଼ିକର ଗତିଶୀଳତା ଏକ ନିର୍ଦ୍ଦିଷ୍ଟ ମପାଚୁପା ଗଣିତ । ଉପୋଦ୍‌ଘାତ ନାହିଁ, ରିମିକ୍ସ ନାହିଁ, ହଠାତ୍ ବୋମାଟିଏ ଫୁଟିଯିବାର ନାହିଁ । ସାବଲୀଳ କଥନ ପ୍ରଣାଳୀ ସ୍ତର ସ୍ତର ଦେଇ ଶେଷସ୍ତରରେ ପହୁଞ୍ଚାଇ ଦେଉଥିବା ଏକ ଚିତ୍ର-କାହାଣୀ । ସ୍ନାୟୁବିକ ସୁଖପ୍ରଦ ଭାଷା ଓ ବର୍ଣ୍ଣନାରେ ଗଳ୍ପଗୁଡ଼ିକ ଦୁଷ୍ଟ ନୁହଁନ୍ତି; ବରଂ ସେଗୁଡ଼ିକ ଯେମିତି ସଂଯତ ସମ୍ପର୍କଟିଏ ଗଢ଼ିପାରୁଥିବା ପ୍ରତ୍ୟେକ ପାଠକ ନିମନ୍ତେ ନିଜ ନିଜର କାହାଣୀଗୁଡ଼ିଏ । ସେତେବେଳେ (୧୯୬୦-୧୯୮୦) ଓଡ଼ିଆ ଗଳ୍ପ ସାହିତ୍ୟରେ ଆଭାସଗଳ୍ପ, ମିନିଗଳ୍ପ, ଚରିତ୍ର ବିହୀନ ଗଳ୍ପ, କାହାଣୀବିହୀନ ଗଳ୍ପ ପ୍ରଭୃତି ଗାଠନିକ ଓ ଚାରିତ୍ରିକ ବହୁ ପରୀକ୍ଷା ନିରୀକ୍ଷା ହୋଇଥିଲା; ପୂର୍ଣ୍ଣାନନ୍ଦ ସେସବୁରେ ଭାଗ ନେଇଥିଲେ ; ତେବେ ବି ସେମିତି ଆନ୍ଦୋଳନ ସବୁରେ ସେ ଭାସିଯାଇନଥିଲେ । ତାଙ୍କପାଇଁ ଗଳ୍ପର ଏକ ନିର୍ଦ୍ଧିଷ୍ଟ ପ୍ରକାଶ ଶୈଳୀ ରହିଥିଲା; ପ୍ରସ୍ତାବନା - ଅବତାରଣା – ପରିଣତି; ଅନ୍ୟାନ୍ୟ ସମସ୍ତ ପରୀକ୍ଷା ନିରୀକ୍ଷା ତାଙ୍କର ଏହି ପ୍ରକାଶ ଶୈଳୀର ସିଲୋନିଜିମକୁ ଅସ୍ୱୀକାର କରିନାହାଁନ୍ତି ।

 

ପୂର୍ଣ୍ଣାନନ୍ଦଙ୍କ ସୃଜନଶୀଳ ପ୍ରତିଭାକୁ ରଚନାକାଳ ଭିତ୍ତିରେ ପ୍ରାଥମିକୀ ମଧ୍ୟମା – ଉତ୍ତୀର୍ଣ୍ଣା ଏମିତି ପର୍ଯ୍ୟାୟରେ ବିଭକ୍ତ କରାଯାଇ ପାରିବନାହିଁ; ବରଂ ପ୍ରାରମ୍ଭରୁ ପ୍ରସ୍ଥାନ ଯାଏଁ ଅଙ୍ଗସଜ୍ଜା ଓ ଆବେଗମୟତା କିମ୍ବା ଭାଷା ଚାତୁର୍ଯ୍ୟ ଓ ବର୍ଣ୍ଣନାପାଟବ ଦୃଷ୍ଟିରୁ ପୂର୍ଣ୍ଣାନନ୍ଦକ ଗଳ୍ପ ସମୂହ (ସାଧନା) ଏକ ସୁଦୀର୍ଘ ସମତଳ ପଥର ଯାତ୍ରା । ପୂର୍ଣ୍ଣାନନ୍ଦଙ୍କ ଅସଫଳ ଗଳ୍ପ ଯେ ନାହିଁ ଏହା କୁହାଯାଇପାରିବ ନାହିଁ । ପୌରୁଷର ପତ୍ରସବୁ, ଯୌବନ ପତ୍ର - ନିଜକୁ, ମନ ଓ ମାନ, ଜୀବନ ଜୀବିକା, ମକରଦ୍ଦମାର ସଂକ୍ଷିପ୍ତ ନକଲ, ଝିଅଯିବ ଶାଶୁଘର,ମୁଁ ବହ୍ନିମାନ, ଅନ୍ଧକାରର ନୀରବତା, ପ୍ରତିବିମ୍ବ ପ୍ରଭୃତି କେତେକ ଗଳ୍ପ ହୁଏତ ଦୁର୍ବଳ ସ୍ୱାକ୍ଷର । ତେବେ ସାମଗ୍ରିକ ସଫଳତାରେ ଆଭୂଷିତ ତାଙ୍କ । ପାଞ୍ଚଟି ଗଳ୍ପ ସଙ୍କଳନଭୁକ୍ତ ଶତାଧିକ ଗଳ୍ପ ସମୁଚୟ । ଅଧିକାଂଶ ଗଳ୍ପର କଥନ ପ୍ରଣାଳୀ ଗଳ୍ପଟିଏ ଚିତ୍ରଟିଏ ଟାଣିଦିଏ ପାଠକର ମନରେ । ଆଖିରେ । ହୃଦୟରେ । ଦୃଷ୍ଟାନ୍ତ ‘ପୁଲଗଛ କଥା’ - ‘ସେଇ ପ୍ରାୟ କୋଡ଼ିଏ ବର୍ଷ ତଳର କଥା, ମୋତେ ପ୍ରାୟ କେବେ କଥା କହୁନଥିବା ଅଂଶୁମତୀ ଏକଦା କହିଥିଲା, ମୋତେ ନେଇ ତୁମେ କଥା-ଉପକଥା ସୃଷ୍ଟି କରିବ ନାହିଁ ତ, ( ଏହା ପୁଣି ମନେପଡ଼ୁଛି ଅଂଶୁମତୀର ଅକାଳମୃତ୍ୟୁ ଖବର ପାଇବାବେଳେ ଏବଂ ପାଖରେ ବସିଛି ଅଂଶୁମତୀର ସତରବର୍ଷର ମାତୃହୀନା ଝିଅ) । ଆଉ ଏକ ଦୃଷ୍ଟାନ୍ତ ‘ପାଚେରୀ’ - ‘ଆରେ ହେଃ ହେଏ ବାବୁ, ବିଜିର ବୋଉ ଉପସ୍ଥିତ ବାରନ୍ଦା ଉପରେ, ଏବଂ ବିଜି ତାର ଆଶ୍ଚର୍ଯ୍ୟ - ବିସ୍ମୟର ଦୃଷ୍ଟି ମୋ ଉପରେ ? ମୁଁ ତଥାପି ଠିଆ ହୋଇଛି ପାଚେରୀ ଉପରେ, ମୋର ସେଇ ଭାବ, ଯେମିତିକି ପାଚେରୀଟା ହାରିଯାଇଛି ହାରିଯାଇଛି ।’

 

ଗାଳ୍ପିକ ଯେଉଁ ଯେଉଁ ଗଳ୍ପରେ ନୈର୍ବ୍ୟକ୍ତିକ ହୋଇଯାଇଛନ୍ତି ସେହି ଗଛଗୁଡ଼ିକ ହୋଇଯାଇଛି ଅଧିକ ପ୍ରଖର ଅଧିକ ଦୃପ୍ତ ଓ ଉଦ୍ଦୀପ୍ତ । ‘ସେ ଏକ ପଉଷ ସକାଳ’ ‘ଜଳିବାର ଗପ’, ଜୀବନ ସନ୍ଦେଶ’, ‘ହଳଦୀ କିଆରୀ’, ‘ଇଚ୍ଛାମାନେ’ ଶୀର୍ଷକ ଗଳ୍ପଗୁଡ଼ିକ ଏହି ଶ୍ରେଣୀର । ପଉଷ ସକାଳର ମୁଢ଼ିବାଲି ଫେସ୍ କେଟ ଚରିତ୍ର ତ ଅନନ୍ୟା : ବହୁବର୍ଷତଳୁ ବିଧବା ହୋଇ ସାରିଥିବା ନାରୀଟି ଘରେ ସାଇତା ସ୍ୱାମୀର ଅସ୍ଥି ଦିଖଣ୍ଡ ପ୍ରୟାଗରେ ପ୍ରବାହ ପାଇଁ ନେଇଯିବାପରେ ନିଜକୁ ଏତେ ଅସହାୟ ମନେକରିଛି ଯେ ଅନେକଦିନ ଘରୁ ବାହାରିନାହିଁ, କାହାକୁ ମୁହଁ ଦେଖାଇନାହିଁ, ସତେ ଯେମିତି ତାର ଆଶାଭରସା ପ୍ରେମ ପତ୍ନୀତ୍ଵ ପ୍ରତ୍ୟୟ ସବୁ ଉଜୁଡ଼ିଯାଇଛି ।

 

ଗାଳ୍ପିକଙ୍କ ସମାଜ ସଚେତନାର ଦ୍ୟୋତକ ଗଳ୍ପଗୁଡ଼ିକ ମଧ୍ୟ କମ୍ ଓଜନଦାର ନୁହଁନ୍ତି । ‘ଦର୍ପଣରେ ନିଜ ମୁହଁ’ ଗଳ୍ପ – ଏକ ଗାଁ ପୋଡ଼ିର ଦୃଶ୍ୟ ସାହାଯ୍ୟ ନାଁରେ ମହିଳା ସ୍ଵେଚ୍ଛାସେବୀ ଏସୋସିଏସନର ଅଭିଜାତ ସ୍ତ୍ରୀଲୋକମାନଙ୍କ ଅହଂକାର ଓ ଅହଂକାର ଓ ନୀଚତାର ନିର୍ଲ୍ଲଜ ପ୍ରଦର୍ଶନ- ଅପର ପକ୍ଷରେ ସଚ୍ଚା ସ୍ଵେଚ୍ଛାସେବୀ ଅଧ୍ୟାପକଟିର ଓ ତାର ଛାତ୍ରମାନଙ୍କ ଅସହାୟତାର ପ୍ରାଞ୍ଜଳ ଉପସ୍ଥାପନା ଗାନ୍ଧିଙ୍କ ଦୃଷ୍ଟିରେ ସମାଜରେ ଆଦର୍ଶର ଭୂସ୍ଖଳନକୁ ସୂଚାଇ ଦେଇଛି । ସେହିପରି ଆଉ ଏକ ଗଳ୍ପ ‘କାମନାର ନଖଦନ୍ତ’ - ମଡ୍ ହାଉସ୍‌ରେ ନୈଶଭୋଜି ଓ ଦୁଇଟି ନିରୀହା ହରିଣୀର ଗଳ୍ପ ସମାଜର ପାଶବିକତାକୁ, ଜାନ୍ତବ କ୍ଷୁଧାକୁ ବୀଭତ୍ସ ଅଥଚ କରୁଣଭାବରେ ଉପସ୍ଥାପନ କରାଯାଇଛି ସେହିଗଳ୍ପରେ ।

 

ପ୍ରଥମରୁ କହିରଖିଛି, ପୂର୍ଣ୍ଣାନନ୍ଦଙ୍କ ଗଳ୍ପ ସବୁର ଦୃଷ୍ଟିଭଙ୍ଗୀ ଏକ ମଧ୍ୟବିତ୍ତ ଶ୍ରେଣୀର ଚେତନା ବହନ କରିଆସିଛି । ମଧ୍ୟବିତ୍ତଟିଏ ମଡ୍ ହାଉସରେ ରାତ୍ରିଯାପନ କିମ୍ବା ସ୍ଵେଚ୍ଛାସେବୀ ଅଫିସରିଆଣୀ ଆସୋସିଏସନ୍‌ର ସ୍ଵପ୍ନ ଦେଖେନ|ହିଁ ; ସେ ସ୍ଵପ୍ନ ଦେଖେ ତାର ‘ମଣ୍ଟୁ , କେମିତି ବଡ଼ ହେବ, ତାର ସ୍ତ୍ରୀ କେମିତି ସର୍ବଂସହା ହେବ, ତାର ଗଛର ଫୁଲମାନେ କେମିତି ‘ରୋଜି’ ପାଇଁ ଦରଦୀ ହେବେ, ସେ କେମିତି ‘ଅନ୍ଧ ସୋନ୍ ପାପୁଡ଼ି ବାଲା’ ପାଇଁ ନିଜ ଭିତରେ ନିଜେ ହତଭମ୍ବ ହୋଇଯିବ ।

 

ଉପସଂହାରରେ ଏତିକି କହୁଛି, ଜୀବନର ପ୍ରତି ମୁହୂର୍ତ୍ତକୁ ପୂର୍ଣ୍ଣାନନ୍ଦ ଗ୍ରହଣ କରିନେଇଛନ୍ତି ଆନନ୍ଦରେ । ବିସୁଖ ଚଢ଼ିବା ଖେଳ ଓ ବିଖଣ୍ଡିତ ମୂଲ୍ୟାୟନର ଆଘାତ ବେଳେବେଳେ ତାଙ୍କୁ ଅଣନିଃଶ୍ଵାସୀ କରିଦେଇଛି । ସେ କିନ୍ତୁ ହାରି ଯାଇନାହାନ୍ତି ଅବକ୍ଷୟ ସାମ୍ନାରେ; ବରଂ ପ୍ରଜ୍ଜ୍ୱଳିତ ସୁବର୍ଣ୍ଣ ପ୍ରବାହ ପରି ସେ ରହିଛନ୍ତି ଶୁଦ୍ଧ, ଅଭିମାନୀ, ସତ୍ୟନିଷ୍ଠ । ତାଙ୍କ ଗଳ୍ପଗୁଡ଼ିକ ଗୁମ୍ଫିତ ଅଭିମାନ ଓ ସଂଯତ ନିଷ୍ଠାର ପରିଚୟ ଦିଅନ୍ତି । ଓଡ଼ିଆ ଗଳ୍ପ ସାହିତ୍ୟକୁ ପୂର୍ଣ୍ଣାନନ୍ଦ ଦାନୀଙ୍କ ଅବଦାନ (ସେହି ୧୯୬୫ - ୧୯୯୦ ସମୟ ଖଣ୍ଡର ଅନବଦ୍ୟତାର ଆକଳନ ନିମନ୍ତେ) ନିତାନ୍ତ ପ୍ରଣିଧାନଯୋଗ୍ୟ-

 

ଧନକଉଡ଼ା, ସମ୍ବଲପୁର

***

 

ପୂର୍ଣ୍ଣାନନ୍ଦଙ୍କ ପ୍ରତି ସ୍ମୃତିର ଚିଠି

ହାଡ଼ିବନ୍ଧୁ ମିର୍ଦ୍ଧା

 

ସ୍ୱର୍ଗବାସୀ ପ୍ରିୟବନ୍ଧୁ ଗାଳ୍ପିକ ପୂର୍ଣ୍ଣାନନ୍ଦଙ୍କ ପାଇଁ ସ୍ମୃତିର ଚିଠିଟାଏ ।

 

କି ଦାରୁଣ ଦୁଃସମ୍ବାଦ । ଏତେ ଶୀଘ୍ର ଚାଲିଯିବ କିଏ କଳ୍ପନା କରିଥିଲା ? ଆଜି ଅତୀତର ଝରକା ଖୋଲି ଦେଲେ ସବୁ ଜଳ ଜଳ ହୋଇ ଦିଶୁଛି । ଦୀର୍ଘ ଦିନର ସମ୍ପର୍କ, ନିବିଡ଼ତା ବନ୍ଧୁତାକୁ ଭାଙ୍ଗିଦେଲା ନିଷ୍ଣୁର କାଳ । ସବୁ ଅଜାଡ଼ି ହେଉଛି ମନ ଅଗଣାରେ, ସ୍ମୃତି, କୀର୍ତ୍ତି, କୃତି ଶ୍ରୁତି ପ୍ରତି ସବୁ ଫୁଲ ପରି ଥାକ ଥାକ । ମନ ଆଲମିରାରେ ଜମା ହୋଇଥିବା କଥା ସବୁ ସାଉଁଟୁଛି । ଦୀର୍ଘ ୩୦ ବର୍ଷର କଥା-ଲଥା-ବ୍ୟଥା ଅନେକ ମନେ ପଡ଼ୁଛି । ଆଉ ଟପ୍ ଟାପ୍ ମହୁଲ ପରି ମନ ଜଙ୍ଗଲରୁ ଥିପୁଛି । ତାକୁ କିଏ ବୁଝିବ ? ଟୁପା, ଟୁପା, ଭୁଗା ଭୁଗା ଅଶୁ ସିକ୍ତ ମୁକ୍ତା ଝରି ଛାତିକୁ ଭିଜାଇ ଦେଉଛି । କିଏ ଜାଣିବ ନିର୍ମଳ ବନ୍ଧୁତାର ଗହନ କଥା ? ସତ୍ ସଙ୍ଗର ଭାବ ବିନିମୟ । ଯେଉଁଠି ନ ଥିଲା ଦେ ନେର, ତେଲ ଲୁଣର ସମ୍ପର୍କ ।

 

ପ୍ରିୟତମ ବନ୍ଧୁ ଦାନୀ, ଦାନ କରି ଚାଲିଗଲା । ଠିକ୍ ‘ଗୁରୁ ପ୍ରସାଦ-କିଶୋରୀ’ ପରି । କିଛି କମ୍ କିଛି ବେଶୀ ଦାନ । ହେଲେ ସବୁ ଏକା ସ୍ରୋତ । ଭାବ ଭାବନା ଅଲଗା, ସିନ୍ଧୁ ଗୋଟିଏ । ତୁମେ ତ ସେମାନଙ୍କର ଧର୍ମ ଧାରାରେ ଥିଲ । ଆରେ ବାବା ଏକା ବେଳକେ ସାରସ୍ୱତ ଶୂନ୍ୟ ମନ୍ଦିର, ଆଜିର ସାରସ୍ୱତ ଜଗତକୁ ଅଶ୍ରୁଳ କରିଛି ।

 

ଦେଇଛ ତୁମେ କଥାନି ଅର୍ଘ୍ୟ, ସ୍ୱତନ୍ତ୍ର ପରିଧିରେ ସିଦ୍ଧି ଆଣି । ତୁମେ ଏହି ଜଞ୍ଜାଳଜଳଦରେ ମଗ୍ନ ଥାଇ ବି ତୁମର ତପସ୍ୟା ଭଗ୍ନ ହୋଇ ନଥିଲା । ଆକାଶର ତାର ଭଳି ଦୟ ଦପ୍ କରୁଛି ସେହି ‘ଗଳ୍ପ ରୂପୀ ଦୀପ’ । ଚାହିଁ ଦେଖୁଛି ଆକାଶ । ଅଥଚ ନିୟତିର ଅଲଙ୍ଘ୍ୟ ନୀତିରେ ସବୁ ବନ୍ଦ ହୋଇଛି ।

 

କେ ରହିଛି ଭବେ, ବାସ୍ତବ ବିଭବେ, ସୁବର୍ଣ୍ଣ ମୁକୁଟ ବାନ୍ଧି ।

ଯଶ ଅପଯଶ, ନୁହେଁ କାଳବଶ, ହୁଅନ୍ତି ତା ପ୍ରତିବାଦୀ ।

 

ଏ କଥା ପରା ତୁମର, ଆମର, ସମସ୍ତଙ୍କର ପ୍ରିୟ କବି ଦାର୍ଶନିକ ଗଙ୍ଗାଧର କହିଛନ୍ତି । ଆମେ ସ୍ମରଣ କରୁ ତାଙ୍କ ଜୀବନର ପ୍ରତିବିମ୍ବିତ ନିର୍ମଳ କୃତି । ତୁମର ମଧ୍ୟ କୃତି, ସ୍ମୃତି ହୋଇ ସାରସ୍ଵତ କ୍ଷେତ୍ରରେ ସାଇତା ହୋଇ ରହିବ ।

 

ତୁମର ମାନ ନାହିଁ କି ଅପମାନ ନାହିଁ, ଥିଲ ଭାଗ୍ୟବାନ୍ । ଆସ୍ତିକ ନ ଥିଲ କି ନାସ୍ତିକ ନ ଥିଲ, ଥିଲ ବିଦ୍ୱାନ । ଥିଲ ନିର୍ଲିପ୍ତ, ନିର୍ଭିକ, ସଦାଚାରୀ, ଅମାୟିକ ବ୍ୟକ୍ତି । ନ ଥିଲା କାହାର ଭାଟ । ସ୍କୁଲ କର୍ମଯୋଗୀ । ନୀରବ ସାଧକ । ତୁମେ ଚାଲିଗଲ ନୀରବରେ । ସାର୍ଥକତା ତୁମର ରହିଛି ସାଧନାରେ ।

 

ପ୍ରିୟତମ ବନ୍ଧୁ ଦାନୀ । ତୁମର ନିର୍ମଳ ବନ୍ଧୁତା ଓ ପରାମର୍ଶ କଲେଜ ଜୀବନରୁ ଅଧ୍ୟାପକ ଜୀବନରେ, ସାହିତ୍ୟ ସମ୍ମିଳନୀର ମଧୁର ଆଳାପରେ, ତୁମ ଅଳ୍ପ କଥା ଭରିଛି କେତେ ଉଷ୍ମତା ଆଉ ଆନନ୍ଦର ସାତ୍ତ୍ଵିକ ଉନ୍ମାଦନା । ମୁଁ ଦେଖୁଛି, ତୁମ ସହିତ ମହାନ୍ତି ଗଳି, ଗେଇଟୀ ଟକିଜ୍, ଲକ୍ଷ୍ମୀ ଛକ, ମେହେର କଲେଜ ପ୍ରାଙ୍ଗଣ, ବୁଢ଼ାରଜା ପ୍ରଫେସର କଲୋନୀ, ଗଙ୍ଗାଧର ମଣ୍ଡପ ନାରୀସେବା ସଦନ ସବୁଠି ଅତୀତ ହସର ମୃଦୁ ତରଙ୍ଗ । ଆଜି ତରାଙ୍ଗାୟିତ ହେଉଛି । ତୁମର ସେହି ‘ନିଶା’ ଗପ ଆଜି ବି ମନେ ପଡ଼େ । ଆମେ କେତେ ଜଣ ଏକାଠି ହୋଇ କୋଶଳ ସାହିତ୍ୟ ସମାଜର ସାରସ୍ୱତ ବେଦୀରେ ନୈବେଦ୍ୟ ଦେଇଛୁଁ । ଏହି ସମାଜ ଗଠନ ମୂଳରେ ତୁମର ପ୍ରେରଣା ଯାହା ୧୯୬୭ ଜାନୁଆରୀ ୧ ତାରିଖ ସ୍ୱର୍ଗତ ସୁନୀଲ ମିଶ୍ରଙ୍କର ଘରେ ନାମିତ ହେଲା । ସୁନୀଲ ବାବୁ ଜଣେ ପ୍ରଭାବଶାଳୀ ଲେଖକ ଏହା ମୁଁ ଜାଣିଥିଲେ ମଧ୍ୟ ସେଦିନ ତୁମର ମାଧ୍ୟମରେ ଏପରି ଏକ ଅପୂର୍ବ ସମାଜ ସଂସ୍କାରକ ସମ୍ପର୍କରେ ଆସିଥିଲି, ଯେ ଥିଲେ ‘ ଗାଁ ମଜ୍‍ଲିସ୍', 'ନିଆଁଖୁଣ୍ଟା’ ଧାରାର ବୈପ୍ଳବିକ ଆଗ୍ନେୟ ପୁରୁଷ । ସେ ଖଟା, ମିଠା, ଚିଠା, ଚିଠିରେ ରମ୍ୟ, ସୌମ୍ୟ ରୂପ ପ୍ରକାଶ କରି ଏ ଜାତି ମନରୁ କଳୁଷ ଦୂର କରି ନିର୍ମଳତାର ଚାରା ରୋପଣ କରିବାରେ ସକ୍ଷମ ହୋଇଥିଲେ । ତୁମେ ଗୁଣିମାନଙ୍କର ଉପାସନା କରି ଯାଇଛ । ପୂଜ୍ୟ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ଥିଲେ ତୁମ ଗବେଷଣା ସନ୍ଦର୍ଭର ଗୁରୁ, ତାଙ୍କର ତୁମେ ସ୍କୁଲ ପ୍ରତ୍ୟକ୍ଷ ଶିଷ୍ୟ । ମୁଁ ଥିଲି ପରୋକ୍ଷରେ ଗବେଷଣାର ଶିଷ୍ୟ । ତାଙ୍କର ନିଷ୍କପଟ, ସ୍ନେହ ବତ୍ସଳ ସାହାଯ୍ୟ ଯୋଗୁଁ ଆମେ ଆମର ସନ୍ଦର୍ଭର ସଫଳତା ଲାଭ କରିଛୁ । ସେହି ପୂଜ୍ୟ ସ୍ୱର୍ଗତ ଅଧ୍ୟାପକ ଉଦ୍‌ଗାତା ଆମ ସ୍ମରଣୀୟ ।

 

ମନେ ଅଛି, ତୁମର କାକା ସ୍ୱର୍ଗତ ଅଚ୍ୟୁତାନନ୍ଦ ଦାନୀ ମୋର ଥିଲେ ଶୁଭେଛୁ । ତୁମ ସହିତ ତୁମ ଘର ବାରଣ୍ଡାରେ ଅନେକ ସମୟ, ଅନେକ ଦିନ ଧରି ମଝିରେ ମଝିରେ ଗପିବା ଲକ୍ଷ୍ୟ କରୁଥିଲେ । ମୋତେ କହୁଥିଲେ କିଛି ଜଞ୍ଜାଳ ନାହିଁ । ସେ ଜାଣିଥିଲେ ମୁଁ କଲେଜର କର୍ମଚାରୀ ପୁଣି ଛାତ୍ର ଏବଂ ସଂସାରୀ । ତାଙ୍କୁ କହୁଥିଲି ପୂର୍ଣ୍ଣାନନ୍ଦକୁ ଦେଖିଲେ ସବୁ ଭୁଲିଯାଏ । କାରଣ ତୁମ ଭଳି ଯୁବ ସାଧକ ଋଷି କୁମାର ଓ ଅନ୍ୟତମ ବନ୍ଧୁ ସ୍ୱର୍ଗତ ବାଳଗୋପାଳଙ୍କୁ ଭେଟିଲେ ମୁଁ ସବୁ ଭୁଲିଯାଏ । କାରଣ ସେଠି ଖାଲିଥାଏ ଭାବ ଆଉ ଭାବ । ନିର୍ମଳ ନିଷ୍କପଟତାର ବନ୍ଧୁତା । ଯାହା ଆଜି ଦୁର୍ଲଭ । ଆଃ ! ଏ ଯୁଗରେ ଏପରି କଳୁଷ ବିହୀନ ବନ୍ଧୁତା କାହିଁ ? ମୋ ଜୀବନର ତୁମମାନଙ୍କୁ ପାଇ ଜୀବନର ବିଷାଦ ଯାଇ ସଦ୍‍ବନ୍ଧୁର ପ୍ରସାଦ ପାଇଥିଲି । ଆଜି କାହିଁ ? ଖାଲି ସୁବିଧାବାଦର ଯାତ୍ରା ଚାଲିଛି ।

 

ତୁମେ ଅଧ୍ୟାପକ ହେଲା ପରେ ପଚାରିଥିଲି, ଅଧ୍ୟାପକ ଜୀବନ -କିପରି ଲାଗୁଛି ? କହିଥିଲ, ଜ୍ଞାନାମୃତ ମିଳୁଛି ଓ ସେଥିରୁ କିଛି ବିତରଣ କରି ଆଶ୍ୱସ୍ତ ହେଉଛି । ମୁଁ ଉତ୍ତର ଦେଲି ‘ସାହିତ୍ୟ ରସାମୃତ” ପାନ କରୁଛ । ଆମର ଜୀବନର ଏଇଟି ହେଲା ପ୍ରକୃତ ବିକାଶ । ତାପରେ ଆସିଲା ଜଞ୍ଜାଳ । ତଥାପି ଦୁହେଁ ଦୂରେଇ ରହିଲେ ମଧ୍ୟ ତୁମର ମୋର ବନ୍ଧୁତାର ଡୋରି ଛିନ୍ନ ହୋଇ ନଥିଲା । ରାସ୍ତା ଘାଟରେ, ଭେଟ ଘାଟ ହେଲେ ମଧ୍ୟ ମନର କଥା ପ୍ରକାଶ କରୁଥିଲି । ତୁମେ ବି ହର୍ଷ-ବିଷାଦ ପ୍ରକାଶ କରୁଥିଲ । ମୁଁ କହୁଥିଲି, ତୁମେ ଗରିବ, ମୁଁ ବି ଗରିବ, ଆମର ଗୌରବ କାହିଁ ? ତୁମେ ମୃଦୁ ହସି, ନୀରବ ରହିଥିଲ । ସେହି ନୀରବତା ଭିତରେ କେତେ କାହାଣୀ, କେତେ ଚିନ୍ତା, କେତେ ଭାବନା କେତେ ଖିଅ ବଢ଼ିଲା, ତୁମକୁ ହିଁ ଜଣା । ତୁମର ଗପ କହିବ, ତୁମ ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀର କାହାଣୀ । କିନ୍ତୁ ବନ୍ଧୁ ଆଗରେ ମନର କଥା କହି ଆଶ୍ୱସ୍ତ ହୁଏଁ । ଉଶ୍ୱାସ ପାଏଁ । ମୁଁ ଅନେକ ଗୋପନୀୟ କଥା କହିଥିଲି, ତୁମେ ତାହାକୁ କାହା ଆଗରେ ଚୁଟି ନ ଥିଲ । ଏଇଟା ବିଶ୍ୱସ୍ତ ବନ୍ଧୁର ଧର୍ମ । ଗଙ୍ଗାଧର ଲେଖିଥିଲେ –

 

ବନ୍ଧୁ ନିକଟରେ ମନ କଥା ସବୁ କହିବାକୁ ଲାଗେ ସୁଖ

ବସନ୍ତ ନିକଟେ ତହିଁପାଇଁ ସିନା ପିକ୍ ହୁଏ ବାବଦୂକ ।

(ମଳୟ ଆବାହନ)

 

ଏହାହିଁ ତୁମର ମୋର ସମ୍ପର୍କ । ତୁମେ ଗଲା ପରଦିନ ଚିର ବିଦାୟ ସମ୍ବାଦରେ ମର୍ମାହତ ହେଲି । ଜୀବନ ଅସ୍ଥାୟୀ ହେଲେ ବି ଏତେ ଦିନର ସ୍ଥାୟୀ ସମ୍ପର୍କ କ’ଣ ଭଟ୍ଟା ପଡ଼ିବ ? ତୁମ ବସାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ବନ୍ଧୁ ଶ୍ରୀ ପରେଶ ଦାନୀ ଓ ପିଲାଙ୍କୁ ଭେଟି ସମବେଦନା ଜଣାଇ କିନ୍ତୁ ନିଜେ ଅସହ୍ୟ ବେଦନା ନେଇ ଫେରିଲି ।

 

ମା ସମଲେଇ ପରିବାରଙ୍କୁ ଆଶିଷ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛି । ପ୍ରିୟ ବନ୍ଧୁ ତୁମର ଅପୂର୍ବ ବ୍ୟକ୍ତିତ୍ଵ ପ୍ରତି ମୋର ଶ୍ରଦ୍ଧା ସମ୍ମାନ ଜଣାଉଛି ।

 

ଭୀମଭୋଇ ମଣ୍ଡପ

ବୁଢ଼ାରଜା, ସମ୍ବଲପୁର

***

 

Unknown

ସଂସ୍କୃତିର ତାତ୍ତ୍ୱିକତାରେ ‘ଅସ୍ମିତା’ ବା ଆତ୍ମପରିଚିତି

ଆଚାର୍ଯ୍ୟ ଭାବାନନ୍ଦ

 

‘ସାହିତ୍ୟ’ ବା ‘ଲିପିବଦ୍ଧ ଅଭିବ୍ୟକ୍ତି’ ସଂସ୍କୃତିର ଏକ ବିଶିଷ୍ଟ ଉପାଦାନ ଭାବରେ ଗୃହୀତ ହୋଇ ଆସିଛି-ଉଭୟ ‘ଲିଖିତ’ ଓ ‘ମୌଖିକ’ ସାହିତ୍ୟକ୍ଷେତ୍ରରେ ଏହା ଅନୁଧ୍ୟାନ, ବ୍ୟାଖ୍ୟା କରିବା ‘ସଂସ୍କୃତି’ ସଚେତନ ଓ ସାହିତ୍ୟ ସମୀକ୍ଷକ’ଙ୍କର ଏକ ପ୍ରଧାନ କାର୍ଯ୍ୟହୋଇ ରହିଆସିଛି । ଏହି ‘ସଚେତନ’ ଓ ‘ସମୀକ୍ଷା’ କାଳକ୍ରମେ ଏକ ‘ତାତ୍ତ୍ୱିକତା’ର ଧାରା ସୃଷ୍ଟିକରି ସାରିଛି । ଆଧୁନିକତାର ଅନୁପ୍ରବେଶ ପୂର୍ବରୁ ଏହା ଆଞ୍ଚଳିକ, ଭାଷାଗତ, ଲିଙ୍ଗଭେଦ, ଜାତି, ଶ୍ରେଣୀ, ଧର୍ମଧାରଣା, ବିଶ୍ୱାସ ଆଦି ଅନେକ ବିଷୟବସ୍ତୁରୁ ଆବିଷ୍କାର କରିବା, ସାହିତ୍ୟିକ ଓ ସଂସ୍କୃତି-ସମୀକ୍ଷକଙ୍କର କାର୍ଯ୍ୟହୋଇ ରହିଆସିଛି ।

 

ଆଧୁନିକତାର ଅନୁପ୍ରବେଶକାଳରୁ ଏବର ଜଗତୀକରଣ ପର୍ଯ୍ୟାୟରେ ଏହା ବିଭିନ୍ନ ଭାବରେ, ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚିତ ହୋଇ ଆସିଛି । କିନ୍ତୁ ‘ରାଷ୍ଟ୍ରୀୟତାବାଦ’ର ପ୍ରସାର ପରେ (ଫରାସୀ ବିପ୍ଳବ ପରେ) ଏହା ‘ରାଷ୍ଟ୍ରୀୟତା’ର ଉତ୍ତରଣ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି । ଏହି ପର୍ଯ୍ୟାୟରେ ଭାଷା, ଧର୍ମ, ଶୈଳୀ, ବିଷୟବସ୍ତୁ ନିର୍ବାଚନ ଆଦିରେ କିଛି ପରିମାଣରେ ଅତୀତ ପ୍ରୀତିକୁ ଏକ ମାନକ ଭାବରେ ଗ୍ରହଣ କରି, ସେହି ଧାରଣାକୁ ଦୃଢ଼ତର କରିବା ପାଇଁ ସମାଜଜୀବନ ଓ ସମାଜଜୀବନର ବିଭିନ୍ନ ଧାରା ଉପଧାରା ଓ ସାଂସ୍କୃତିକ ପୁନର୍ଗଠନ କ୍ଷେତ୍ରରେ ବିଭିନ୍ନ ଭାବରେ ପ୍ରାଧାନ୍ୟ ଲାଭକରିଛି । ‘ରାଷ୍ଟ୍ରୀୟତାବାଦ’ ଯେତିକି ଯେତିକି ଦୃଢ଼ ହେବାର ଆଭିମୁଖ୍ୟ ଗ୍ରହଣ କରିଛି, ଗୋଷ୍ଠୀଗତ, ଶ୍ରେଣୀ/ଜାତିଗତ ଓ ଧର୍ମାଧାରଣା ଜନିତ ବିଭିନ୍ନତା, ଭାଷାଗତ ପାର୍ଥକ୍ୟ ଆଦି ସେତିକି ପରିମାଣରେ ‘ସାହିତ୍ୟ ଆଲୋଚନା’ ଓ ସଂସ୍କୃତି ଚର୍ଚ୍ଚା’ (ଏଠାରେ ଚର୍ଚ୍ଚାକୁ ଇଂରାଜୀ Discourse ପ୍ରତ୍ୟୟର ପରିଭାଷା ଭାବରେ ଗ୍ରହଣ କରାଯାଇଛି)କୁ ତାତ୍ତ୍ୱିକତା’ ସୃଷ୍ଟି କରିବାରେ ସାହାଯ୍ୟ କରିଛି । ଇଂରାଜୀରେ ଯାହାକୁ ‘Theories of Discourse’ କୁହାଯାଇଥାଏ, ତାକୁ ଭାଷା । ଭାବାନ୍ତର କଲେ ଏହା ହେବ ‘ଚର୍ଚ୍ଚା’ର ତାତ୍ତ୍ୱିକତା’ । ଏଥିରୁ ମନେହେଉଛି ଯେ ଏହି ‘ଅସ୍ମିତା’ ବା ‘ଆତ୍ମପରିଚିତି’ ପ୍ରତ୍ୟୟଟି (concept) ସମୀକ୍ଷକ ବା ‘ ଚର୍ଚ୍ଚା -ବିଶାରଦ’ ମାନଙ୍କ ପକ୍ଷରେ ଏକ ‘ବୌଦ୍ଧିକ ସଙ୍କଟ’ ସୃଷ୍ଟି କରିସାରିଛି । କାରଣ କୌଣସି ଚର୍ଚ୍ଚାରେ ଯେତେବେଳେ ‘ସ୍ଥିରତା’, ‘ମାନସିକତା’, ସଂହତିରୂପର ଅସହାୟତା ଓ ସଙ୍କଟ ସୃଷ୍ଟି ହୋଇଥାଏ, ସେତେବେଳେ ‘ସମୀକ୍ଷକ’ ବା ଚର୍ଚ୍ଚା ବିଶାରଦଙ୍କ କ୍ଷେତ୍ରରେ ‘ଅଭିଜ୍ଞତାର ଆଶ୍ରୟ ନେବା ଛଡ଼ା ଅନ୍ୟ ଉପାୟ ନଥାଏ । ପୁସ୍ତକଜ୍ଞାନ ଓ କ୍ଷେତ୍ରଜ ଜ୍ଞାନର ତୁଳନାତ୍ମକ ଅନୁଭବ ସମୀକ୍ଷକ/ଚର୍ଚ୍ଚା ବିଶାରଦଙ୍କର ‘ସନ୍ଦେହ ଓ ‘ଅନିଶ୍ଚିତତା’କୁ ଦୃଢ଼ୀଭୂତ କରିଥାଏ । ଅର୍ଥାତ୍ କେଉଁ ‘ତତ୍ତ୍ୱ’ଟି ଚର୍ଚ୍ଚା । ସମୀକ୍ଷାପାଇଁ ଗ୍ରହଣ କରିବା ଆବଶ୍ୟକ ଏହା ଏହି ‘ସନ୍ଦେହ’ ଓ ‘ଅନିଶ୍ଚିତତା’ର ପ୍ରଧାନ କାରଣ ବୋଲି ମନେହୁଏ । ଯେହେତୁ ‘କାଳ’ ଓ ‘ମହାକାଳ’ (time and eternity) ମଧ୍ୟରେ ଥିବା ବ୍ୟବଧାନ, ସାମାଜିକ ପରିବେଷ୍ଟନୀ (context) ଓ ଚରିତ୍ର/ନାୟକ (ବା ନାୟକ/ନାୟିକା) ଗୁଡ଼ିକଙ୍କର ଅହରହ ପରିବର୍ତ୍ତନ ଘଟୁଥାଏ (ଦେଶ, କାଳ, ପାତ୍ରର ସୀମା ଭିତରେ), ତାହା ‘ସନ୍ଦେହ ଓ ଅନିଶ୍ଚିତତାକୁ’ ବଢ଼େଇବାରେ ସାହାଯ୍ୟ କରିଥାଏ । ତେଣୁ ‘ରୁଚି’ର ପରିବର୍ତ୍ତନ ଘଟେ, କାଳର ପରିବର୍ତ୍ତନ (ସରଳରୈଖିକ ହେଉ ବା ‘ଚକ୍ରବତ୍’ ହେଉ) ପରିପ୍ରେକ୍ଷୀରେ, ତାତ୍ତ୍ୱିକତା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଘଟିଥାଏ । ଏହି ତାତ୍ତ୍ୱିକତା- ଐତିହାସିକ ପୁନର୍ଗଠନ, ଭାଷାତାତ୍ତ୍ୱିକ ନୂତନଜ୍ଞାନ, ଆପେକ୍ଷିକତା (relativism) ବିଶ୍ୱଜନୀନ (universalisation) ପିଣ୍ଡ (ଭୌତିକ) ବ୍ରହ୍ମାଣ୍ଡ (ଆଧ୍ୟାତ୍ମିକ) ମଧ୍ୟରେ ଅହରହ ପରିବର୍ତ୍ତନର ସମ୍ମୁଖୀନ ହୋଇଥାଏ ।

 

ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ‘ସାହିତ୍ୟ’ ବା ‘ଅଭିବ୍ୟକ୍ତି’ରେ ସେହି ‘ପ୍ରତ୍ୟୟ’ଟି (concept) କେବେଠାରୁ ଗୃହୀତ ହେଲା ଯେପରି ରାଧାନାଥ ରାୟଙ୍କ କାବ୍ୟରେ ଏହା (ଅସ୍ମିତା) ପ୍ରଥମେ ଗୃହୀତ ହୋଇଛି, ବୋଲି ମୋର ଧାରଣା-ଏହା ପୂର୍ବରୁ ଯଦି ଏହି ଶବ୍ଦ ଅନ୍ୟ ଭାବରେ ବ୍ୟବହୃତ (ଏକ ପ୍ରକାର ଅର୍ଥ ଥାଇ) ତେବେ ଏହାର କ୍ରମାନ୍ୱୟତାକୁ ଲକ୍ଷ୍ୟ କରି ସେହି ଦୃଷ୍ଟିରୁ ଆଲୋଚନାକୁ ‘ସୀମା (କାଳର ସରଳ ରୈଖିକ ଧାରାରେ) ଓ ସରହଦକୁ ସ୍ଥିର କରି ସାରିଲେ ହିଁ ସମୀକ୍ଷକ/ବା ‘ଚର୍ଚ୍ଚାବିଶାରଦ’ କେଉଁ ‘ତାତ୍ତ୍ୱିକଧାରାରେ ଏହାକୁ ବିଶ୍ଳେଷଣ କରିବା ଓ ତାହା ସାମଗ୍ରିକ ଭାବରେ ଏକ ନିର୍ଦ୍ଦିଷ୍ଟ ସାହିତ୍ୟର ଗତିପ୍ରବାହରେ ସେଭଳି ମାର୍ଗ ନିର୍ଦ୍ଦେଶକ-ରଚନାରୁ ଦୃଷ୍ଟାନ୍ତ ଭାବରେ ନେବାକୁ ହେବ । ଏହି ମାର୍ଗ ନିର୍ଦ୍ଦେଶକ କୃତିଗୁଡ଼ିକ ମଧ୍ୟରେ ବହୁ ସାମ୍ୟ ଓ ବୈଷମ୍ୟ ଥିଲେ ମଧ୍ୟ କେବଳ ଅସ୍ମିତା/ଆତ୍ମ -ପରିଚିତିର ଅନୁଧ୍ୟାନ ପାଇଁ ଏହି ମାର୍ଗନିର୍ଦ୍ଦେଶକ ଗ୍ରନ୍ଥ ବା ରଚନାରୁ ଦୃଷ୍ଟାନ୍ତଗୁଡ଼ିକୁ ନେବା ଆବଶ୍ୟକ ।

 

ତେଣୁ ଚର୍ଚା ବିଶାରଦ ବା ସମୀକ୍ଷକମାନେ ଏକ ନିର୍ଦ୍ଦିଷ୍ଟ ସମାଜର, ନିର୍ଦ୍ଦିଷ୍ଟ ସମୟର ସାହିତ୍ୟକୃତିକୁ ବିଶ୍ଳେଷଣ କଲାବେଳେ, ‘ସାମାଜିକ ଓ ଆର୍ଥିକ ବିକାଶର ଧାରାକୁ ପ୍ରାଧାନ୍ୟ ଦେବାକୁ ହେବ । ତେଣୁ ଅସ୍ମିତା ପ୍ରତ୍ୟୟର ପ୍ରବାହମାନତା ଜାଣିବା ପାଇଁ ସମୀକ୍ଷକ । ଚର୍ଚ୍ଚା ବିଶାରଦଙ୍କ ନିକଟରେ ମାତ୍ର ୨ଟି ଚାବିକାଠି ରହିଛି- (୧) ସାମାଜିକ ବିକାଶର ଧାରା (୨) ଆର୍ଥିକ ବିକାଶର ଧାରା । ପୁଣି ଏହି ଦୁଇଟି ଧାରା ଅନ୍ତରାଳରେ ‘ଅର୍ଥନୈତିକ ଅସାମ୍ୟ ଯେ ରାଜନୈତିକ ସଂଘର୍ଷର ହେତୁକୁ ବିଚାରକୁ ନେବାକୁ ହେବ । ତେଣୁ ସାମାଜିକ/ଆର୍ଥିକ ବିକାଶ ଉଣା ଅଧିକେ ‘ଅର୍ଥନୈତିକ ଅସାମ୍ୟ’ ଓ ‘ରାଜନୈତିକ ସଂଘର୍ଷ’ ଉପରେ ନିର୍ଭର କରୁଥିବାରୁ, ହେତୁବାଦୀ ସାହିତ୍ୟ-ସ୍ରଷ୍ଟା ଓ ସୃଷ୍ଟିର ସମୀକ୍ଷକ ଉଭୟେ ‘ହେତୁବାଦୀ’ ତାତ୍ତ୍ୱିକତାକୁ ପ୍ରାଧାନ୍ୟ ଦେବା ସମ୍ଭବ । ଅପରପକ୍ଷରେ ‘ଈଶ୍ଵର ବିଶ୍ଵାସୀ’ (ଏଇଠି ମହାକାଳର ଦର୍ଶନ ଲକ୍ଷ୍ୟ କରାଯାଇପାରେ) ସ୍ରଷ୍ଟା ଓ ସୃଷ୍ଟିର ସମୀକ୍ଷକ ସେମାନଙ୍କର ସମୀକ୍ଷା ପାଇଁ ଅନୁରୂପ ‘ଈଶ୍ୱରବାଦୀ’ ଦୃଷ୍ଟାନ୍ତ ଲୋଡ଼ିଥାନ୍ତି (ଯେପରି ପ୍ରଥମଟିରେ ଅନ୍ନବିହୂନେ ହଂସହାନୀ, ଯୋଗ ସାଧିବୁ କାହା ଘେନି ଦୃଷ୍ଟାନ୍ତ ସେହିପରି ୨ୟଟିରେ କଳ୍ପନାମୂଳେ କାଳ ଥାଇ/ପ୍ରାଣୀତା’ ଜାଣି ନ ପାରଇ – ଦୃଷ୍ଟାନ୍ତ ରହିଛି) ଏଠି ‘ପ୍ରଗତିବାଦୀ’ (ProgressiveUnilinear) ଓ ‘ଚକ୍ରବତ୍ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ’ (Cyclical) ଦର୍ଶନ ରହିଛି । ଏଇଥିରୁ ତାତ୍ତ୍ୱିକତାର ଧାରାକୁ ବିଚାରକୁ ନେବାକୁ ହେବ ।

 

୧୯୪୭ ମସିହାରେ : ଭାରତର ରାଷ୍ଟ୍ରୀୟତାର ଯେଉଁ ନୂତନ ‘ଅସ୍ମିତା’ ସୃଷ୍ଟିକଲା ତା’ର ନାମ ହେଲା ‘ରାଷ୍ଟ୍ରୀୟତାବାଦ’ ବା ଭାରତୀୟ ସଂହତି’ । ରାଷ୍ଟ୍ରୀୟ (ଜାତୀୟ) ସଂହତି । ଏଥିରୁ ଧାରଣା କରିବା ଭୁଲ ହେବନାହିଁ ଯେ ପୂର୍ବରୁ ଯେଉଁ ‘ଭାରତବର୍ଷ ତାହା ଏକ ‘ଭୌଗୋଳିକ ଭୂଖଣ୍ଡ' ଥିଲେ ମଧ୍ୟ ଓ ଅଧିକାଂଶ ଭାରତବାସୀ ‘ବେଦ-ବେଦାନ୍ତ-ଉପନିଷଦ-ପୁରାଣ ଆଦି’ ବର୍ଣ୍ଣିତ ଧର୍ମଦ୍ଵାରା ପରିଚାଳିତ ହେଉଥିଲେ ମଧ୍ୟ ସେ ପରିଚିତି । ଅସ୍ମିତା ଥିଲା – ଧର୍ମର ସଂହତି (ବିଭିନ୍ନ ଭାଷାଭାଷୀ, ଗୋଷ୍ଠୀ ହେଲେ ମଧ୍ୟ) । ଏଇଥିରୁ ହିନ୍ଦୁ ଓ ପରେ ହିନ୍ଦୁତ୍ଵ, ହିନ୍ଦୁଧର୍ମ ଆଦି କାଳକ୍ରମେ ନୂତନ ଅସ୍ମିତା ସୃଷ୍ଟିକଲା । କିନ୍ତୁ ପୂର୍ବରୁ ସମସ୍ତ ପ୍ରକାରର ‘ଅସ୍ମିତା’- ରାଷ୍ଟ୍ରୀୟତାବାଦରେ ଅସ୍ମିତା ମଧ୍ୟରେ ପରିପ୍ରକାଶ ଲଭିଲା ଓ ସେଇଥିରୁ ପ୍ରାଦେଶିକତା ରୂପକ ଅସ୍ମିତା, ରାଜ୍ୟର ଅସ୍ମିତା ପୁଣି ଆଞ୍ଚଳିକ ଅସ୍ମିତା ଭାବରେ ରୂପ ପରିଗ୍ରହ କଲା । ଏହା ‘ସାହିତ୍ୟ ଓ ଅଭିବ୍ୟକ୍ତି’ରେ ପ୍ରକାଶ ପାଇବାରେ ଲାଗିଲା । ଏଠାରେ ଭାଷାଗତ ଅସ୍ମିତାର ବିଚାର କରୁନାହିଁ । ଓଡ଼ିଶାରେ ତାହା ପ୍ରାୟ ୧୯୦୨ ରୁ ୧୯୩୬ ମଧ୍ୟରେ ବିଭିନ୍ନ ଭାବରେ ପ୍ରକାଶ ପାଇଛି ଓ ଏହା କେତେବେଳେ ସ୍ଵତନ୍ତ୍ରତା ବଜାୟ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ (ମଧୁସୂଦନ ଦାସ) କେତେବେଳେ ଭାରତୀୟତା ମଧ୍ୟରେ ରୂପ ପରିଗ୍ରହ କରିବାକୁ ଚେଷ୍ଟା କରିଛି (ଗୋପବନ୍ଧୁ ଦାସ) । ତେଣୁ ଭାରତୀୟ ଅସ୍ମିତା ଏକ ପ୍ରଶାସନିକ ଓ ଆଇନଗତ ପରିଚିତି ହେଲେ ମଧ୍ୟ ଭାଷାଭିତ୍ତିକ ଅସ୍ମିତା କ୍ରମଶଃ ବଢ଼ି ବଢ଼ି ଚାଲିଛି । ଏଇ ଭାବରେ ଦେଖିଲେ, ଏବେ ସାନ୍ତାଳୀ (ସ୍ୱୀକୃତ) ଅସ୍ମିତା ସହିତ କୋଶଲୀ, ସମ୍ବଲପୁରୀ, ଆଦି ନୂତନ ସ୍ୱର ଦେଖାଦେଇଛି । କେବଳ ଓଡ଼ିଶାରେ ବା ଭାରତବର୍ଷରେ ନୁହେଁ ୟୁରୋପରେ ଏହି ଭାଷା ଓ ଧର୍ମଗତ ବିଭେଦ, ପୁଣି ସାମ୍ୟବାଦରୁ ମୁକ୍ତିଲଭିଥିବା ରାଷ୍ଟ୍ରମାନଙ୍କରେ ଜଗତୀକରଣ’ର ପ୍ରଭାବରେ ନୂତନ ଅସ୍ମିତା ସୃଷ୍ଟି ହେଉଛି । ତେଣୁ ଅସ୍ମିତାକୁ ଭିତ୍ତିକରି ଏତେ ଚର୍ଚ୍ଚା ଓ ସମୀକ୍ଷା ହୋଇଛି ଯେ ତାହା ବିଚାରକୁ ନ ନେଲେ ଓଡ଼ିଶାର । ଓଡ଼ିଆର ଅସ୍ମିତାକୁ ବୁଝିବା କଷ୍ଟକର ହୋଇପାରେ । କାରଣ ଏବେ ଦେଶାନ୍ତରୀ (Diaopera)ମାନଙ୍କର ସଂସ୍କୃତି ଓ ସାହିତ୍ୟ ମଧ୍ୟ ସୃଷ୍ଟି ହେବାରେ ଲାଗିଛି । ‘ସଂକୀର୍ଣ୍ଣ’ ପୃଥିବୀରୁ ଏବେ ଆଗେ ଏକ ସଂପ୍ରସାରଣଶୀଳ ଓ ମୁକ୍ତ ଜଗତରେ ବାସ କରୁଛୁ । ଏବେ ଗୋଷ୍ଠୀଗତ (Ethnic) ଅସ୍ମିତା ସାହିତ୍ୟକୁ ମଧ୍ୟ ପ୍ରଭାବିତ । ଅନୁପ୍ରାଣିତ କରିସାରିଲାଣି । (ଦୃଷ୍ଟାନ୍ତ ସ୍ୱରୂପ ୧୯୭୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ୯ମ ଆନ୍ତଃରାଷ୍ଟ୍ରୀୟ ମାନବବିଜ୍ଞାନ ଓ ଗୋଷ୍ଠୀବିଜ୍ଞାନ ଆଲୋଚନାଚକ୍ରର ଏକ ଅଧିବେଶନରେ ଅଧ୍ୟକ୍ଷତା କରି ମୁଁ ବହୁ ରାଷ୍ଟ୍ରର ଗବେଷକମାନଙ୍କର ପ୍ରବନ୍ଧର ଏକ ସଙ୍କଳନ ଓ ସଂପାଦନା କରିଥିଲି । ଏହା ଗ୍ରନ୍ଥ ଆକାରରେ Community, self and Identity ନାମରେ ୧୯୭୮ରେ ପ୍ରକାଶ ପାଇଥିଲା) । ସେ ଆଲୋଚନାଚକ୍ରରେ ଯେଉଁସବୁ ପ୍ରଶ୍ନ ମତେ ଆନ୍ଦୋଳିତ କରୁଥିଲା । ଏବେ ଓଡ଼ିଶାରେ, ଓଡ଼ିଶାର ସଂସ୍କୃତି ଓ ସାହିତ୍ୟରେ ସେ ସବୁ ପ୍ରଶ୍ନ ଉତ୍ଥାପିତ ହେଉଛି- କିନ୍ତୁ ଏହା ଏକ ତାତ୍ତ୍ୱିକତା ସୃଷ୍ଟି କରି ପାରିନାହିଁ । ଜର୍ମାନ ଗବେଷକମାନେ ଜଗନ୍ନାଥଙ୍କୁ ନେଇ ଯେଉଁ ସବୁ ଗ୍ରନ୍ଥ ରଚନା କରିଛନ୍ତି, ସେଥିରୁ ଓଡ଼ିଶାର ‘ସାଂକେତିକ ଅସ୍ମିତା’ ଭାବରେ ‘ଜଗନ୍ନାଥ’ ତାତ୍ତ୍ୱିକତା କ୍ଷେତ୍ରରେ ଉଭା ହୋଇଛନ୍ତି ।

 

ତେଣୁ ସାଂପ୍ରତିକ କାଳରେ ଅସ୍ମିତାର ରୂପ, ପ୍ରକାଶ ବର୍ଣ୍ଣନା ଓ ବ୍ୟାଖ୍ୟା ବଦଳିବାରେ ଲାଗିଛି । ଖାରବେଳ ବା ଅଶୋକ ବା ମଧୁସୂଦନଙ୍କର ଅସ୍ମିତା ଏବେ ଯୁବମାନସଙ୍କୁ ଅନୁପ୍ରାଣିତ କରିପାରୁନାହିଁ । ଅବଶ୍ୟ ଇତିହାସର ମହାନ ବ୍ୟକ୍ତି ଭାବରେ ଏମାନଙ୍କର କାର୍ଯ୍ୟକ୍ରମ ଆଂଶିକ ଭାବରେ ଅସ୍ମିତାର ଐତିହାସିକ ଦିଗନ୍ତକୁ ଉନ୍ମୋଚିତ କରିପାରେ । କିନ୍ତୁ ଜଗତୀକରଣ ପ୍ରକ୍ରିୟାରେ ଏବେ ପ୍ରଥମ, ଦ୍ୱିତୀୟ, ତୃତୀୟ ବିଶ୍ୱ ଭିତରେ ଥିବା ସୀମାରେଖା ସଙ୍କୁଚିତ ବା ଲୋପ ପାଇବାକୁ ବସିଛି । ତେଣୁ ବି. ବର୍ମାଙ୍କର ଓଡ଼ିଆ ବଧୂର ଚିତ୍ର ଏବେ ଓଡ଼ିଆ ନାରୀମାନଙ୍କର ଅସ୍ମିତା ହୋଇ ପାରୁନାହିଁ । ସେହିପରି ସାମାଜିକତା କ୍ଷେତ୍ରରେ ‘ବିବାହ ଅନୁଷ୍ଠାନ’ - ‘ପତି ପରମଗୁରୁ ଏକପତ୍ନୀ ବ୍ରତ’, ସ୍ଵକୀୟା ପରକୀୟା ଭଳି ଭାଷା ବା ଶବ୍ଦ ସମୂହ ଯେଉଁ ଅସ୍ମିତା ସୃଷ୍ଟି କରିପାରୁଥିଲା ତାହା ଏବର ଯୁବମାନସକୁ ସାମଗ୍ରିକ ଭାବରେ ଆନ୍ଦୋଳିତ କରି ପାରୁ ନାହିଁ । ବିଜ୍ଞାନର ଓ ପ୍ରଜ୍ଞାନର (Technology) ପ୍ରସାର ଫଳରେ ଧର୍ମଧାରଣା ଜନିତ ଅସ୍ମିତା ଓ ବିଜ୍ଞାନ-ପ୍ରଜ୍ଞାନ ସମ୍ମତ ଅସ୍ମିତା ମଧ୍ୟରେ ଏକ ମାନସିକସ୍ତରରେ ଶୀତଳଯୁଦ୍ଧ ଆରମ୍ଭ ହୋଇ ସାରିଛି । ବେଶଭୂଷା, ଆଦବକାଏଦା, ସମ୍ବୋଧନରୀତି, ବ୍ୟବହାର, ଭଙ୍ଗୀ, ଚାହାଣୀ ଆଦିରେ ମଧ୍ୟ ଅସ୍ମିତାର ଚିତ୍ରଣ (ସାହିତ୍ୟରେ ବା ଅଭିବ୍ୟକ୍ତିରେ) ପରିବର୍ତ୍ତିତ ହୋଇ ଚାଲିଛି । ସଲ୍ଲଜ୍ଜ ଗାଏ, ନିର୍ଲଜ ବାଏ, ଅତି ବେହିଆ ଯେ ନାଚି ନାଚି ଯାଏ । ଯେଉଁ ସମାଜରେ ସଲ୍ଲଜ୍ଜ, ନିର୍ଲଜ୍‌, ପୁଣି ଅତିବେହିଆ ଆଦି ଯେଉଁ ଅର୍ଥର ପରିଭାଷା ହୋଇଥିଲା, ସେହି ସମାଜରେ ଗାୟନ, ବାୟନ, ନର୍ତ୍ତନ ଏବେ ସମାଜ ଜୀବନରେ ଆଉ ଲଜ୍ଜାକର ମନେ ହେଉନାହିଁ । ବରଂ ଏହା ଏକ ନୂତନ ଅସ୍ମିତାର ରୂପ ନେଉଛି ।

 

ତେଣୁ ଅସ୍ମିତାର ଅର୍ଥ ଅର୍ଥାନ୍ତର ବୁଝି ବୁଝାଇବାକୁ ହେଲେ, ଅନ୍ତତଃ ଲିଖିତ ସାହିତ୍ୟ କ୍ଷେତ୍ରରେ ସେହିଭଳି ମାର୍ଗଦର୍ଶକ ଗ୍ରନ୍ଥକୁ ଖୋଜିବାକୁ ପଡ଼ିବ (ତାହା କବିତା ହେଉ, ଗଳ୍ପ ହେଉ ପ୍ରବନ୍ଧ ହେଉ ବା ଉପନ୍ୟାସ ହେଉ) ଯାହା ଅନ୍ତତଃ ଓଡ଼ିଶା ଓ ଓଡ଼ିଆଙ୍କର ଅଭିବ୍ୟକ୍ତିର ଧାରା ବା ପ୍ରବାହ ଭିତରେ କେତେକ ନିର୍ଦ୍ଦିଷ୍ଟ ସମୟ ଭିତ୍ତିକ କୀର୍ତ୍ତିସ୍ତମ୍ଭ ଭାବରେ ବିବେଚିତ ହୋଇପାରିବ । ଏହି ଗ୍ରନ୍ଥଗୁଡ଼ିକ ବାଛିବାକୁ ଓ ତାତ୍ତ୍ୱିକତା ଦୃଷ୍ଟିରୁ ବିଚାର କରିବାକୁ ସମୀକ୍ଷକମାନଙ୍କ ମଧ୍ୟରେ ଏକ ଯୋଗସୂତ୍ର ରକ୍ଷା କରି ଏହାକୁ ଏକ ନିର୍ଦ୍ଦିଷ୍ଟ ଚିନ୍ତକଗୋଷ୍ଠୀର ଅଭିମତ ଭାବରେ ଗ୍ରହଣ କରିବାକୁ ପଡ଼ିବ । ସବୁ ପ୍ରତ୍ୟୟ ଭଳି ଏହି ଚିନ୍ତକ ଗୋଷ୍ଠୀଙ୍କର ପ୍ରତ୍ୟୟ ସୃଷ୍ଟି ମଧ୍ୟ ଚିରସ୍ଥାୟୀ ନୁହେଁ । କାରଣ ଏବର ସମାଜରେ ରୁଚି ଓ ବ୍ୟାଖ୍ୟାର ଦିଗନ୍ତ ମଧ୍ୟ ପ୍ରସାରଣଶୀଳ ହୋଇସାରିଛି । କାମସୂତ୍ରରେ ଯେଉଁ ଅସ୍ମିତା ସୃଷ୍ଟି ହୋଇଥିଲା, ଏବର ଟି.ଭିର ସିରିଆଲ, ବା ଚଳଚ୍ଚିତ୍ରରେ ସେ ଅସ୍ମିତାର ରୂପ ବା ସ୍ୱର ଖୋଜିବା ସମ୍ଭବ ନୁହେଁ । ଭଞ୍ଜୀୟ ପ୍ରେମ ଓ ପ୍ରଣୟର ଚିତ୍ର ଏବର କାବ୍ୟଧାରାରେ ଥିବା ଚିତ୍ର ମଧ୍ୟରେ ଅସ୍ମିତା ଭିନ୍ନ ରୂପ ନେଇ ସାରିଛି । ଉତ୍ତର ଆୟାରଲାଣ୍ଡରେ କ୍ୟାଥଲିକ ଓ ପ୍ରୋଟେଷ୍ଟାଣ୍ଟ ଧର୍ମଧାରଣା ଓ ରାଜନୈତିକ ବିଶ୍ୱାସ ମଧ୍ୟରେ ଚାଲି ଆସିଥିବା ସଂଘର୍ଷର ଭିନ୍ନ ଅସ୍ମିତାର ସ୍ୱର ଦେଖବାକୁ ମିଳେ । ଠିକ ଅନୁରୂପ ଭାବରେ ଓଡ଼ିଶାରେ ଓଡ଼ିଆ ସାହିତ୍ୟରେ କରଣ-ବ୍ରାହ୍ମଣ ବା ପାଣ-କନ୍ଧ ବା ସାନ୍ତାଳୀ-ଅଣସାନ୍ତାଳୀ ସଂଘର୍ଷରେ ମଧ୍ୟ ସେହି ଭିନ୍ନ ଅସ୍ମିତାର ରୂପ ଦେବାକୁ ମିଳୁଛି । ଏପରିକି ନୂଆପଡ଼ାର ପହାରିଆ ଓ ମହାସମୁଦ ଜିଲ୍ଲାର (ଛତିଶଗଡ଼) କମାର ଦୁଇଟି ସ୍ୱତନ୍ତ୍ର ଜାତି ଭାବରେ ଗୃହୀତ ହୋଇଥିଲେ ବି ସେମାନଙ୍କ ଭିତରେ ଥିବା ସାଂସ୍କୃତିକ ଓ ମୌଖିକ ପରମ୍ପରାରେ ଏକ ଅଭିନ୍ନ ଅସ୍ମିତା ଏବେ ବି ଲକ୍ଷ୍ୟ କରାଯାଇ ପାରେ । ଖାଦ୍ୟ ସଂସ୍କୃତିରେ ବି ଅଭଡ଼ା ଯେଉଁ ଅସ୍ମିତା ଜାଗ୍ରତ କରେ, କେକ୍, ପିଜା ସେହି ଅସ୍ମିତା ଜାଗ୍ରତ କରେନାହିଁ । ପଖାଳଖିଆ ଓଡ଼ିଆ ବଂଶଧରମାନେ ସେହି ‘ଓଡ଼ିଆଣୀର ସଙ୍କେତ ତ୍ୟାଗ କରି ସାରିଲେଣି ତେଣୁ ଓଡ଼ିଆମେଣ୍ଢା ଯେଉଁ ଭାବବ୍ୟକ୍ତ କରୁଥିଲା ଏବର ଓଡ଼ିଆ ଅତୀତ ପ୍ରିତି (Nostalgia) ଅସ୍ମିତାକୁ ସମୃଦ୍ଧ କରିପାରେ ନାହିଁ । ଏହା ସାମୟିକ ଭାବରେ ଭାବ ପ୍ରବଣତା ଜନିତ ମନୋଭାବ, କିମ୍ବା ଅହେତୁକ ଇତିହାସ ପ୍ରୀତିର ସ୍ୱାକ୍ଷର ବହନ କରିପାରେ-କିନ୍ତୁ ଏହା ବି ଏକ କାଳର ଅସ୍ମିତା, କଳ୍ପନାର ଅସ୍ମିତା - ବାସ୍ତବତାର ନୁହେଁ । କଳ୍ପନାମୂଳେ କାଳ ଥାଇ ଅସ୍ମିତା ଏକ କଳ୍ପନାର ବିଷୟ ହେଲେ (ସାହିତ୍ୟରେ ତାହା ପଛରେ ଏକ ସମୟ । କାଳ ରହିଛି । ସେହି କାଳକୁ ପ୍ରାଣୀ ବୁଝି ନପାରିଲେ, ଅସ୍ମିତାକୁ ବୁଝିବା ବା ଜାଣିବା ସମ୍ଭବ ନୁହେଁ- ତେଣୁ ଦାର୍ଶନିକ ବ୍ୟାଖ୍ୟା ଏକ ଏକକ ଅସ୍ମିତା’ କଥା କହିଲାବେଳେ ପରିସଂଖ୍ୟାରେ ତ ବ୍ୟାଖ୍ୟା ବହୁ ଅସ୍ମିତାର ରୂପ ଥୋଇଥାଏ । ଏହି ‘ଏକତ୍ୱ’ର ଧାରଣା ଅସ୍ମିତାର ଚର୍ଚ୍ଚା କ୍ଷେତ୍ରରେ ଆଉ ଉନ୍ମାଦନା ସୃଷ୍ଟି କରୁନାହିଁ । ଏବେ ତାହା ବହୁତ୍ୱର ଅନୁସନ୍ଧାନରେ ବ୍ରତୀ । ତେଣୁ ଏବର ଚର୍ଚ୍ଚ|-ବିଶାରଦ ବା ସମୀକ୍ଷକଙ୍କ ମଧ୍ୟର ଭାଷା ଓ ସଂସ୍କୃତିଗତ ଅସ୍ମିତାର ଭିନ୍ନତା ଏକ ‘ତରଳ’ ମନୋଭାବ ସୃଷ୍ଟି କରି ଆସିଛି । ତେଣୁ ଓଡ଼ିଶା ସାହିତ୍ୟର ଗ୍ରନ୍ଥାଗାରରେ ଆଞ୍ଚଳିକ ସାହିତ୍ୟ, ଭାଷା, ବ୍ୟାକରଣ, ସାଙ୍କେତିକତା ଆଦି ବିଶେଷ ଭାବରେ ସୃଷ୍ଟି ପ୍ରକ୍ରିୟାକୁ ଆନ୍ଦୋଳିତ କରୁଥିବାରୁ, ଅତୀତ ଓଡ଼ିଶାର ଅସ୍ମିତା ଏବେ ଅନୁସରଣୀୟ ହୋଇ ପାରୁନାହିଁ- କାଲିର ଆଦର୍ଶ ଆଜିର ଅନାଦର୍ଶରେ ପରିଣତ ହୋଇଛି । ତେଣୁ ଏକ ନିର୍ଦ୍ଦିଷ୍ଟ ସମାଜର ସାହିତ୍ୟ, ଭାବ ସମ୍ପଦ, ଭାଷା ସମୂହ ସମାଜର ଅର୍ଥନୈତିକ ଓ ରାଜନୈତିକ ଅବସ୍ଥାର ଚିତ୍ରକୁ ଅସ୍ୱୀକାର କରି ଦୃଢ଼ ମନୋଭାବ (ଅସ୍ମିତା ସମ୍ପର୍କରେ) ସୃଷ୍ଟି କରିପାରିବ ନାହିଁ । ତେଣୁ ଏବର ସମୀକ୍ଷକମାନଙ୍କ ନିକଟରେ ଅସ୍ମିତା ଏକ ସ୍ଥାୟୀ ସମ୍ପଦ ନୁହେଁ ବରଂ ଅହରହ ପରିବର୍ତ୍ତିତ ଏକ ମାର୍ଗଦର୍ଶୀ ସଂକେତ ମାତ୍ର ।

ଲେବର କଲୋନୀ, ୟୁନିଟ୍-୩, ଭୁବନେଶ୍ୱର

 

***

 

ଛମାଣ ଆଠଗୁଣ୍ଡ ଓ ପରଜାର ତୁଳନାତ୍ମକ ବିଚାର

ମିଥୁନ ଚନ୍ଦ୍ର ଦେ

 

ଛମାଣ ଆଠଗୁଣ୍ଡର ରଚୟିତା ଫକୀରମୋହନ ସେନାପତି ପ୍ରଥମ ଓଡ଼ିଆ ଗାଳ୍ପିକ ତଥା ପ୍ରଥମ ସାମାଜିକ ଔପନ୍ୟାସିକ ଭାବେ ପରିଚିତ ଅଟନ୍ତି । ଉପନ୍ୟାସ ୧୮୯୭-୯୯ ପର୍ଯ୍ୟନ୍ତ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ହୋଇଥିଲା ଏବଂ ୧୯୦୨ ମସିହାରେ ପୁସ୍ତକ ଆକାରରେ ପ୍ରକାଶିତ ହେଲା । ତାଙ୍କର ଅନ୍ୟାନ୍ୟ ଉପନ୍ୟାସଗୁଡ଼ିକ ହେଉଛି- ‘ଲଛମା', ‘ମାମୁ', ଏବଂ “ପ୍ରାୟଶ୍ଚିତ’ ନଟବର ସାମନ୍ତରାୟଙ୍କ ମତରେ ଫକୀରମୋହନଙ୍କ ଚାରୋଟି ଉପନ୍ୟାସ ଦୁଇଶହ ବର୍ଷର ଅର୍ଥାତ୍ ୧୭୨୦ ରୁ ୧୯୨୦ ମସିହା ପର୍ଯ୍ୟନ୍ତ ଓଡ଼ିଶାର ସାମାଜିକ ଚିତ୍ରକୁ ଧାରଣ କରିଛି-। ଫକୀରମୋହନ ପ୍ରଥମ କରି ତାଙ୍କ ଉପନ୍ୟାସରେ ବାସ୍ତବବାଦୀ ଜୀବନଧର୍ମୀର ଚିତ୍ର ପ୍ରଦାନ କରିଛନ୍ତି । ଫକୀରମୋହନଙ୍କ ପରେ ସଫଳ ଔପନ୍ୟାସିକ ଭାବେ ଗୋପୀନାଥ ମହାନ୍ତିଙ୍କୁ ନିଆଯାଏ । ଅବହେଳିତ, ଶୋଷିତ, ଦୀନହୀନ ସରଳ ଆଦିବାସୀମାନଙ୍କ ଜୀବନକୁ କେନ୍ଦ୍ରକରି ଉପନ୍ୟାସ ରଚନାକଲେ ଗୋପୀନାଥ । ଗୋପୀନାଥଙ୍କ ପୂର୍ବରୁ ଗୋପାଳ ବଲ୍ଲଭଙ୍କ ଉପନ୍ୟାସ ‘ଭୀମାଭୁୟାଁ’ରେ ଆଂଶିକଭାବେ ଆଦିବାସୀମାନଙ୍କ ଚିତ୍ରଣ କରାଯାଇଥିଲା । ଗୋପୀନାଥ ପ୍ରଥମ ଔପନ୍ୟାସିକ ଯିଏ ଆଦିବାସୀ ଜୀବନ, ସଂସ୍କୃତି, ଚାଲିଚଳଣକୁ ସଫଳୀକୃତ ଭାବେ ପୂର୍ଣ୍ଣରୂପେ ସ୍ଥାନ ଦେଇଛନ୍ତି ତାଙ୍କ ଉପନ୍ୟାସଗୁଡ଼ିକରେ ।

 

ଓଡ଼ିଆ ସାହିତ୍ୟର ପ୍ରଥମ ସାମାଜିକ ଉପନ୍ୟାସ ଭାବେ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଡ’କୁ ଗ୍ରହଣ କରାଯାଏ । ଓଡ଼ିଆ ସାହିତ୍ୟରେ ଆଦିବାସୀମାନଙ୍କ ସଂସ୍କୃତି, ଚାଲିଚଳଣି, ଆଚାର ବ୍ୟବହାର ଆଦିକୁ ଉପନ୍ୟାସ ମାଧ୍ୟମରେ ଚିତ୍ରଣ କରିଥିବା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ‘ପରଜା’କୁ ଗ୍ରହଣ କରାଯାଏ । ଏ ଉପନ୍ୟାସ ଦ୍ୱୟର ଭାବବସ୍ତୁ ପ୍ରାୟତଃ ସମାନ ଅଟେ । ‘ଛମାଣ ଆଠଗୁଣ୍ଠ’ରେ ଶୋଷକ ରାମଚନ୍ଦ୍ର ମଙ୍ଗରାଜର ନିରୀହ ସାରିଆ ଓ ଭଗିଆର ଜମି ଅକ୍ତିଆର କରିବା ଚିତ୍ର ଥିବାବେଳେ, ‘ପରଜା’ରେ ଶୋଷକ ରାମ ବିଶୋଇର ଶୁକ୍ରୁଜାନିର ଜମି ଓ ଝିଅ ଜିଲି, ବିଲିଙ୍କୁ ଅକ୍ତିଆର କରିବା ଚିତ୍ର ପ୍ରଦତ୍ତ । ଏଣୁ ଏ ଉପନ୍ୟାସ ଦ୍ୱୟ ଜମିକୁ କେନ୍ଦ୍ର କରି ଗଢ଼ି ଉଠିଛି । ଉଭୟ ଉପନ୍ୟାସରେ ଶୋଷକର ଅତ୍ୟାଚାରରେ ସରଳ ଜନତା ଛାରଖାର ହୋଇଯାଇଛି । ଏ ଦୃଷ୍ଟିରୁ ଉଭୟ ଉପନ୍ୟାସର ତୁଳନାତ୍ମକ ବିଚାର କଲେ ଏ ଉପନ୍ୟାସଗୁଡ଼ିକର ଆଭିମୁଖ୍ୟ ସ୍ପଷ୍ଟ ହେବ ।

 

ଶୋଷକ ଚରିତ୍ରଭାବେ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ଏ ଚରିତ୍ରର ସହାୟତା କରିଛି ଚମ୍ପା ଏବଂ ଶୋଷିତ ହୋଇଛନ୍ତି ସାରିଆ, ଭଗିଆ, ଶ୍ୟାମ ମଲ୍ଲ, ଶ୍ୟାମ ଗୋଚ୍ଛାୟତ, ବାଘସିଂହ ବଂଶ ପ୍ରଭୃତି ସରଳ, ନିରୀହ ଗ୍ରାମବାସୀ ବୃନ୍ଦ । ମଙ୍ଗରାଜ ଓ ଚମ୍ପା ଷଡ଼ଯନ୍ତ୍ର କରି ବାଘସିଂହ ବଂଶକୁ ଜାଳିପୋଡ଼ି ଛାରଖାର କରିଦେଇଛନ୍ତି । ଏହାଛଡ଼ା ଶ୍ୟାମ ମଲ୍ଲ ସହରରେ ସଙ୍ଗାତ ମେଳରେ ପିଆଜ ମିଶା କୋବି ତରକାରୀ ଖାଇଥିବାରୁ ତା’ଠୁ ସମସ୍ତ ଜମି ଛଡ଼ାଇନେଇଛନ୍ତି ମଙ୍ଗରାଜେ । ସାରିଆ, ଭଗିଆଙ୍କ ଜମି ଅକ୍ତିଆର କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି ଏବଂ ସାରିଆକୁ ହତ୍ୟାକରି ଭଗିଆକୁ ପାଗଳ କରିଦେଇଛନ୍ତି ଏ ଦୁଇ ଖଳଚରିତ୍ର । ଶୋଷକ ଗୋଷ୍ଠୀ କିପରି ସାଧାରଣ ଗ୍ରାମବାସୀମାନଙ୍କୁ ତଳିତଳାନ୍ତ କରିଛି ତାହାର ଜ୍ଵଳନ୍ତ ଚିତ୍ର ଏହି ଉପନ୍ୟାସରେ ପ୍ରଦତ୍ତ । ଶୋଷକ ଚରିତ୍ରଭାବେ ‘ପରଜା’ ଉପନ୍ୟାସରେ ରାମ ବିଶୋଇଙ୍କୁ ଗ୍ରହଣ କରିଛନ୍ତି ଗୋପୀନାଥ ମହାନ୍ତି ଏବଂ ଶୋଷିତ ଚରିତ୍ର ରୂପେ ଶୁକ୍ରୁଜାନି, ଟିକ୍ରାଜାନି, ମାଣ୍ଡିଆ, ଜିଲି, ବିଲିଙ୍କୁ ନିଆଯାଇଛି । ଉପନ୍ୟାସର ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲ ଦମାନ ହୋଇଛି ଖଳ ଚରିତ୍ର ଏବଂ ଜଙ୍ଗଲ ଦମାନ ମାଧ୍ୟମରେ ହିଁ ଉପନ୍ୟାସର ପ୍ରାରମ୍ଭିକ ଅବସ୍ଥା ଗତିଶୀଳ ହୋଇଛି ଏବଂ ରାମ ବିଶୋଇ ପ୍ରସଙ୍ଗ ଆସିଛି । ଶର୍‍ଶୁପଦର ଗାଁରେ ସୁଜାନି, ଟିକ୍ରାଜାନି, ମାଣ୍ଡିଆ, ଦିଲି, ବିଲିକୁ ନେଇ ଛୋଟ ସଂସାର । ଜଙ୍ଗଲ ଦମାନ ଦିଲିକୁ ଭଲ ପାଇଛି । କିନ୍ତୁ ଦିଲି ରୋକ୍‌ଠୋକ୍ ମନାକରି ଦେଇଛି ତାକୁ । ଜଙ୍ଗଲ ଦମାନ ପ୍ରତିଶୋଧ ପରାୟଣ ହୋଇ ସୁଜାନି ପୋଡ଼ୁଚାଷ କରୁଥିବାବେଳେ ପୁଲିସ୍ ହାତରେ ଧରା ପକାଇଦେଇଛି ଓ ଦଣ୍ଡସ୍ୱରୂପ ୮୦ ଟଙ୍କା ଶିସ୍ତା ଦେବାକୁ ପଡ଼ିଛି । ଏ ଟଙ୍କା ଶୁକ୍ରୁଜାନି ରାମ ବିଶୋଇଠାରୁ ଆଣିଛି ଓ ଏହା ବଦଳରେ ସୁଜାନି ଏବଂ ଟିକ୍ରାଜାନି ଗୋତି ଖଟିଛନ୍ତି । ଏହାପରେ ରାମ ବିଶୋଇର ଅତ୍ୟାଚାର ବଢ଼ିଚାଲିଛି । ଟିକ୍ରାର ଭାଇ ମାଣ୍ଡିଆକୁ ମଧ୍ୟ ଗୋତି ଖଟାଇଛି, ଏମାନଙ୍କର ଜମି ନେଇଛି, ଜିଲିଙ୍କୁ ମଧ୍ୟ ନେଇଛି ଏବଂ ଶେଷରେ କହିଛି ବିଲିକୁ ମଧ୍ୟ ନେଇଯିବ । ଏପରି ଭାବେ ଉଭୟ ଉପନ୍ୟାସରେ ଶୋଷକ ଓ ଶୋଷିତ ଗୋଷ୍ଠୀର ଚିତ୍ର ଅତି ମର୍ମସ୍ପର୍ଶୀ ଭାବେ ଚିତ୍ରିତ ହୋଇଛି ।

 

କୁକର୍ମର ଫଳ ସର୍ବଦା ଧ୍ଵଂସ ଅଟେ । ଏ ସଂସାରରେ ସର୍ବଦା ଧର୍ମର ଜୟ ଓ ପାପର କ୍ଷୟ ହୋଇଛି । ଏ ସତ୍ୟକୁ ଉଭୟ ଔପନ୍ୟାସିକ ତାଙ୍କ ଉପନ୍ୟାସରେ ପ୍ରତିଫଳିତ କରାଇଛନ୍ତି । ‘ଛମାଣ ଆଠଗୁଣ୍ଠ' ଉପନ୍ୟାସରେ ମଙ୍ଗରାଜ ଓ ଚମ୍ପା ଦୁହେଁ, ସରଳ ଲୋକମାନଙ୍କ ଟଙ୍କାପଇସା, ଜମି ହଡ଼ପ କରିଛନ୍ତି ସିନା, ତାକୁ ଭୋଗ କରିପାରିନାହାନ୍ତି । ମଙ୍ଗରାଜ ସାରିଆ ହତ୍ୟା ଅଭିଯୋଗରେ ଜେଲେଦଣ୍ଡ ଭୋଗ କରିଛନ୍ତି । ଜେଲରେ ଆସାମୀମାନଙ୍କ ଦ୍ୱାରା ଆହତ ହୋଇ ନିଜ ଘରେ ମୃତ୍ୟୁବରଣ କରିଛନ୍ତି ଏବଂ ଚମ୍ପାକୁ ଗୋବିନ୍ଦା ନିର୍ମମ ଭାବେ ହତ୍ୟାକରିଛି ଓ ଗୋବିନ୍ଦା ନିଜେ ନୌକା ପାରିହେବା ସମୟରେ ନଈରେ ଡେଇଁପଡ଼ି କୁମ୍ଭୀରର ଆହାରରେ ପରିଣତ ହୋଇଛି । ‘ପରଜା’ ଉପନ୍ୟାସରେ ମଧ୍ୟ କୁକର୍ମର ଫଳ ସ୍ଵରୂପ ରାମ ବିଶୋଇଙ୍କୁ ହତ୍ୟା କରାଯାଇଛି ଶୁକ୍ରୁଜାନିର ପୁଅ ମାଣ୍ଡିଆ ଟିକ୍ରା ହାତରେ । ରାମ ବିଶୋଇ ସରଳ ଶୁକ୍ରୁଜାନିର ଜମି ନେଇଛି, ଜିଲିକୁ ନେଇଛି ମାତ୍ର ଯେତେବେଳେ କହିଛି ବିଲିକୁ ବି ନେବି ତିନିହେଁ ମିଶି ହତ୍ୟା କରିଛନ୍ତି ଏବଂ ଶୁକ୍ରୁ , ଟିକ୍ରା, ମାଣ୍ଡିଆ କରିଥିବା ହତ୍ୟା ଅପରାଧ ସ୍ୱରୂପ ଗୋପୀନାଥ ଏ ତିନିଜଣଙ୍କୁ ନେଇ ଜେଲରେ ଠିଆ କରାଇଛନ୍ତି ।

 

ଭାଷା ହେଉଛି ମଣିଷର ଭାବକୁ ପ୍ରକାଶ କରିବାର ମାଧ୍ୟମ । ଯିଏ ଯେପରି ଭାବେ ଭାଷାକୁ ପ୍ରକାଶ କରିପାରିବ ସେ ସେତେ ବଳଶାଳୀ ଲେଖକ ହୋଇପାରିବ । ଭାଷା ପ୍ରୟୋଗରେ ଫକୀରମୋହନଙ୍କ ସ୍ୱତନ୍ତ୍ରତା ବାରି ହୋଇପଡ଼େ । ‘ଛମାଣ ଆଠଗୁଣ୍ଠ’ରେ ମୁଖ୍ୟତଃ ଚାରି ଜାତୀୟ ଶବ୍ଦ ଦେଖିବାକୁ ମିଳେ । ଏ ଉପନ୍ୟାସ ବହୁ ଗ୍ରାମ୍ୟ ଶବ୍ଦ ବା କଥିତ ଭାଷାର ପ୍ରୟୋଗ କରିଛନ୍ତି ଫକୀରମୋହନ । ଗ୍ରାମ୍ୟ ଶବ୍ଦ ମଧ୍ୟରେ ଡକାପାରି, ଖପା, ପୋଖରୀ ପାଣି, ଗୁହା, ଡାବ, କିରସ୍ତାନ ପ୍ରଭୃତି ଶବ୍ଦଙ୍କୁ ପ୍ରୟୋଗ କରିଛନ୍ତି ଔପନ୍ୟାସିକ । ସେପରି ବୈଦେଶିକ ଶବ୍ଦ ମଧ୍ୟ ବହୁଳ ପ୍ରୟୋଗ କରାଯାଇଛି ଯଥା- ଇଲାମ୍ବର, ଗଫଲିୟତି, ଲାଏକ, ଆଖୁଞ୍ଜି, ଖାନେସେ ପ୍ରଭୃତି । ଏପରି ବହୁ ପଦବୀବାଚକ ଶବ୍ଦ ପ୍ରୟୋଗ କରିଛନ୍ତି ଫକୀରମୋହନ ଯଥା – ପିଆଦା, ଧାନ ଘରିଆ, ପାଞ୍ଜିଆ, ମୁନସୀ, ସାହେବ, ଚୌକିଦାର ପ୍ରଭୃତି ଏବଂ ପରିମାଣ ବାଚକ ଶବ୍ଦ ଭାବେ କୋଡ଼ିଏ ପଳ, ଗୁଡ଼, ଭରଣ, ନଉତି, ଗଉଣୀ, ବାଟି ପ୍ରଭୃତିକୁ ପ୍ରୟୋଗ କରାଯାଇଛି ଏ ଉପନ୍ୟାସରେ ।

 

ଭାଷା ପ୍ରୟୋଗରେ ଗୋପୀନାଥ ମହାନ୍ତି ‘ପରଜା’ରେ ତାଙ୍କର ସ୍ୱତନ୍ତ୍ରତା ପ୍ରକାଶ କରିଛନ୍ତି । ସେ ବହୁ ଆଦିବାସୀମାନଙ୍କ କଥିତ ଭାଷାର ପ୍ରୟୋଗ କରିଛନ୍ତି ଏ ଉପନ୍ୟାସରେ ଯେପରି ଧାଙ୍ଘଡ଼ା, ଧାଙ୍ଗଡ଼ୀ, ଖଟି (କୃପଣ), ମାଇଁନା (ମାଇକିନିଆ), ଜାଗ୍ରତା (ହୁସିଆର) ପ୍ରଭୃତି-। ଏତଦ୍ ବ୍ୟତୀତ ବୈଦେଶିକ ଶବ୍ଦ ରୂପେ ଗାରଦ (ଗାର୍ଡ) ରୋଲା (ରୋଲର), ରିଭିନ୍ୟୁ (ରେଭେନ୍ୟୁ) ଇତ୍ୟାଦି ଏବଂ ପରିମାଣବାଚକ ଶବ୍ଦ ଭାବେ ‘କୋଡ଼ିଏ ଦୁଇଘର’ , ‘ଦିଲାଠି ବେଳ’ ପ୍ରଭୃତିକୁ ବ୍ୟବହାର କରିଛନ୍ତି ।

 

ଭାଷା ଦୁଇପ୍ରକାର ଶୈଳୀରେ ପ୍ରୟୋଗ କରାଯାଏ । ପ୍ରଥମତଃ ସୂଚନାତ୍ମକ ଭାଷା ଏବଂ ଦ୍ୱିତୀୟତଃ ବର୍ଣ୍ଣନାତ୍ମକ ଭାଷା । ଫକୀରମୋହନ ସୂଚନାତ୍ମକ ଭାଷାର ପ୍ରୟୋଗ ବହୁଳ ଭାବରେ କରିଛନ୍ତି । ଅର୍ଥାତ୍ ଅଳ୍ପ କଥାରେ ବେଶୀ ବୁଝାଉଥିବ ଏବଂ ଭିନ୍ନ ଅର୍ଥ ଆରୋପିତ ହେଉଥିବ । ଉଦାହରଣ ସ୍ଵରୂପ-

 

ଲୋକଟି ବଡ଼ ଧାର୍ମିକ

 

କିନ୍ତୁ ଏହାର ପରବର୍ତ୍ତୀ ବର୍ଣ୍ଣନାରୁ ବୁଝାଯାଉଛି ଯେ ମଙ୍ଗରାଜ ଧାର୍ମିକ ନୁହଁନ୍ତି ଅର୍ଥାତ୍ ତାଙ୍କୁ ବ୍ୟଙ୍ଗ କରାଯାଇଛି । ଫକୀରମୋହନ ବର୍ଣ୍ଣନାତ୍ମକ ଭାଷାର ମଧ୍ୟ ପ୍ରୟୋଗ କରିଛନ୍ତି । ଚମ୍ପା, ଅସୁରଦୀଘି, ବୁଢ଼ୀମଙ୍ଗଳା ପ୍ରଭୃତିର ପରିଚୟ ପ୍ରଦାନ ସମୟରେ ବିଶଦ ବ୍ୟାଖ୍ୟା କରିଛନ୍ତି ଫକୀରମୋହନ ।

 

ଭାଷା ପ୍ରୟୋଗରେ ଗୋପୀନାଥ ମହାନ୍ତି ଦ୍ୱିତୀୟ ସ୍ତରର ବର୍ଣ୍ଣନାତ୍ମକ ଭାଷାର ବ୍ୟବହାର କରିଛନ୍ତି । ‘ପରଜା’ରେ କୌଣସି ବ୍ୟକ୍ତି ବା ପ୍ରାକୃତିକ ଘଟଣାର ପରିଚୟ ଦେବାକୁ ଯାଇ ପୃଷ୍ଠା ପରେ ପୃଷ୍ଠା ବର୍ଣ୍ଣନା କରିଛନ୍ତି ଶ୍ରୀ ମହାନ୍ତି । ଉଦାହରଣ ସ୍ୱରୂପ ପରଜାର ଆରମ୍ଭରେ ହିଁ ଏହାର ଉତ୍କୃଷ୍ଟ ପ୍ରମାଣ ମିଳେ ।

 

କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଲକ୍ଷ୍ମୀପୁର ମୋଟେ ଦେଢ଼କୋଶ ଥାଇ ଯେଉଁ ଭୟଙ୍କର ଧର୍ମଦୁଆର ଘାଟିପଡ଼େ, ଏପାଖୁ ଚାଳିଶି ସେପାଖୁ ପଚାଶ ପାହାଡ଼ ଠେଲାଠେଲି ଧକା ଧତି ହୋଇ ମୁହାଁମୁହିଁ ଠିଆ ହୋଇଥାନ୍ତି । ସେହି ଧର୍ମଦୁଆର’ ଘାଟିଠୁ ଉତ୍ତରକୁ କୋଶେ ଦୂରରେ ପଡ଼େ ଗୋଟିଏ ଛୋଟ ଗାଁ – ଶର୍‍ଶୁପଦର, ଗୋଟିଏ ପାହାଡ଼ର ଢାଲୁରେ ଠିକ୍ ଅଣ୍ଟାପାଖେ (୧)-

 

ଭାବବସ୍ତୁ ଅନୁଯାୟୀ ଉପନ୍ୟାସ ଦ୍ୱୟ ସମାନ ସ୍ଥାନ ଅଧିକାର କରିଛି । ଛମାଣ ଆଠଗୁଣ୍ଡର ଭାବବସ୍ତୁ ହେଉଛି-ରାମଚନ୍ଦ୍ର ମଙ୍ଗରାଜର ସାରିଆ, ଭଗିଆର ଜମିକୁ ଅକ୍ତିଆର କରିବା ଏବଂ ପରଜାର ଭାବବସ୍ତୁ ହେଉଛି ରାମ ବିଶୋଇର ଶୁକ୍ରୁଜାନିର ଜମି ଓ ତା ଦୁଇଝିଅକୁ ଅକ୍ତିଆର କରିବା । ଉପନ୍ୟାସ ଦ୍ୱୟ ଜମିକୁ କେନ୍ଦ୍ରକରି ଗତିଶୀଳ ହୋଇଛି ।

 

(୧)- ପରଜା – ମହାନ୍ତି ଗୋପୀନାଥ- ପୃଷ୍ଠା-୧

 

ବର୍ଣ୍ଣନାରେ ଉପନ୍ୟାସ ଦ୍ୱୟରେ ସମାନତା ପରିଲକ୍ଷିତ ହୋଇଥାଏ । ଉଭୟ ଉପନ୍ୟାସ ତୃତୀୟ ପୁରୁଷ ବର୍ଣ୍ଣନା ଶୈଳୀରେ ରଚିତ । କିନ୍ତୁ ଫକୀରମୋହନ ଉପନ୍ୟାସର ମଝିରେ ନିଜେ ପ୍ରବେଶ କରି କେତେକ ବକ୍ତବ୍ୟ ପ୍ରଦାନ କରିଛନ୍ତି । ଯେପରି ଆପଣମାନଙ୍କର ଉପକାର ସାଧନ ନିମନ୍ତେ ସେହି ଫଳ ଦିଓଟିର ନାମ ପ୍ରକାଶ କରୁଛୁ ।

 

ସେ କଥା ଯାଉ, ଆପଣଙ୍କୁ ଆଉ ସନ୍ଦେହରେ ପକାଇ ରଖିବା ଉଚିତ୍ ନୁହେଁ । ଫକୀରମୋହନ ଏହି ଶୈଳୀ ଅନୁସାରେ ଅନୁପ୍ରବିଷ୍ଟକାର ଚରିତ୍ର ବା Instructive characterର ଭୂମିକା ଗ୍ରହଣ କରିଛନ୍ତି । ଏପରି ବହୁ ଉଦାହରଣ ‘ଛମାଣ ଆଠଗୁଣ୍ଡ’ରେ ଦେଖିବାକୁ ମିଳେ । ମାତ୍ର ଗୋପୀନାଥ ଏପରି ଅନୁପ୍ରବିଷ୍ଟକାର ଚରିତ୍ର ଭାବେ ‘ପରଜା’ରେ ଦେଖାଯାଇନାହାନ୍ତି ।

 

ନାରୀ ଚରିତ୍ର ଭାବେ ‘ଛମାଣ ଆଠଗୁଣ’ରେ ସାରିଆ, ଚମ୍ପା, ସାଆନ୍ତାଣୀ ପ୍ରଭୃତିଙ୍କୁ ନିଆଯାଇଛି । ସାରିଆ, ସାଆନ୍ତାଣୀଙ୍କ ମାଧ୍ୟମରେ ସରଳ, ନିରୀହ, କୁଳବଧୂ, ଦୟାଳୁ, ଧାମିକ ନାରୀର ଚିତ୍ର ପ୍ରଦାନ କରାଯାଇଥିବା ବେଳେ; ଚମ୍ପା ମାଧ୍ୟମରେ କୁଳଟା, କୁଟନୀତି ପରାୟଣା, ଦୁଷ୍ଟ ନାରୀର ଚିତ୍ର ପ୍ରଦାନ କରାଯାଇଛି ।

 

ନାରୀ ଚରିତ୍ର ଭାବେ ଗୋପୀନାଥ ଦିଲି, ଜିଲି, କାଦୋଡ଼ି ପ୍ରଭୃତିଙ୍କୁ ଗ୍ରହଣ କରିଛନ୍ତି । ଏମାନେ ସରଳ, ନିରୀହ ନାରୀ ଚରିତ୍ର ଭାବେ ଚିତ୍ରଣ ହୋଇଛନ୍ତି ପ୍ରଥମ ପର୍ଯ୍ୟାୟରେ । ମାତ୍ର ଉପନ୍ୟାସର ଦ୍ୱିତୀୟ ପର୍ଯ୍ୟାୟରେ ଦିଲି, ବିଲି ବନ୍ଦୀ ହୋଇଛନ୍ତି ଫ୍ରଏଡଙ୍କ ମଣିଷର ଯୌନତତ୍ତ୍ୱରେ-। କଣ୍ଟ୍ରାକ୍ଟର ଉପଭୋଗ୍ୟ ହୋଇଛନ୍ତି ଦିଲି, ବିଲି । ଶ୍ରୀ ମହାନ୍ତି ‘ପରଜା’ରେ ନାରୀ ଚରିତ୍ର ଭାବେ ଯେତେ ଚରିତ୍ରର ଅବତାରଣା କରିଛନ୍ତି ସମସ୍ତ ନାରୀଙ୍କୁ ପୁରୁଷ ପ୍ରତି ଆକୃଷ୍ଟ କରାଇଛନ୍ତି । ଏଣୁ ସେ ନାରୀ ଚରିତ୍ରକୁ ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରିନାହାଁନ୍ତି ।

 

ଚରିତ୍ର ଚିତ୍ରଣ ହେଉଛି ଉପନ୍ୟାସର ମୁଖ୍ୟ ଅବୟବ । ଯେଉଁ ଲେଖକ ଯେତେ ପରିମାଣରେ ଚରିତ୍ରକୁ ଜୀବନ୍ତ ଭାବେ ଗଢ଼ି ତୋଳନ୍ତି ସେ ସେତେ ସଫଳ ଲେଖକ ଭାବରେ ପ୍ରତିଷ୍ଠିତ ହୋଇପାରନ୍ତି । ଉଭୟ ଔପନ୍ୟାସିକ ଚରିତ୍ରକୁ ଅତ୍ୟନ୍ତ ଜୀବନ୍ତ ଭାବେ ଚିତ୍ରଣ କରିଥାନ୍ତି । ‘ଛମାଣ ଆଠଗୁଣ୍ଠ’ରେ ମୁଖ୍ୟ ଚରିତ୍ର ଭାବେ ରାମଚନ୍ଦ୍ର ମଙ୍ଗରାଜ, ଚମ୍ପା, ସାରିଆ, ଭଗିଆ, ସାଆନ୍ତାଣୀ ଏବଂ ଗୌଣ ଚରିତ୍ର ଭାବେ ମୁକୁନ୍ଦା, ଗୋବିନ୍ଦା, ସନା ରଣା, ମାରୁଆ, ଗୋପୀ ସାହୁ, ଜଗା ଭଣ୍ଡାରୀ ପ୍ରଭୃତିଙ୍କୁ ଗ୍ରହଣ କରାଯାଇଛି । ମୁଖ୍ୟ ଚରିତ୍ରକୁ ଗତିଶୀଳ କରାଇଥାନ୍ତି ଗୌଣ ଚରିତ୍ର । ଏ ଉପନ୍ୟାସରେ ସାରିଆ, ଭଗିଆଙ୍କୁ ତାଙ୍କ ଜମି ମଙ୍ଗରାଜଙ୍କ ନିକଟରେ ବନ୍ଧା ପକାଇବା ପାଇଁ ଗୌଣ ଚରିତ୍ର ସନାରଣା ଓ ଜଗା ଭଣ୍ଡାରୀ ସାହାଯ୍ୟ କରିଛନ୍ତି । ଏତଦ୍ ବ୍ୟତୀତ ଚମ୍ପାକୁ ଗୋବିନ୍ଦା ପରି ଏକ ଗୌଣ ଚରିତ୍ର ହତ୍ୟା କରିଛି ଏବଂ ମଙ୍ଗରାଜଙ୍କୁ ଜେଲ୍‌ରେ କେତେକ ଗୌଣ ଚରିତ୍ର ମିଶି ଆହତ କରିଛନ୍ତି ଓ ମୁକୁନ୍ଦା ପରି ଚରିତ୍ର ଦ୍ଵାରା ତାଙ୍କ ଘରକୁ ଅଣାଯାଇଛି ।

 

ଚରିତ୍ର ଚିତ୍ରଣରେ ଶ୍ରୀ ମହାନ୍ତି ମଧ୍ୟ ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି ‘ପରଜା’ ଉପନ୍ୟାସରେ । ଏ ଉପନ୍ୟାସରେ ମୁଖ୍ୟ ଚରିତ୍ର ଭାବେ ସୁଜାନି, ଟିକ୍ରାଜାନି, ମାଣ୍ଡିଆ, ଦିଲି, ବିଲି ଓରାମ । ବିଶୋଇଙ୍କୁ ଏବଂ ଗୌଣ ଚରିତ୍ର ଭାବେ ବାଗଲା, କାଦୋଡ଼ି, ଦିଶାରୀ, କାଉ ପରଜା, ଜଙ୍ଗଲ ଦମାନ, ଫାଉଲ ପ୍ରଭୃତିଙ୍କୁ ଗ୍ରହଣ କରାଯାଇଛି, ‘ପରଜା’ରେ ଶୁକ୍ରୁଜାନି ବଂଶ ଓ ଶୋଷକ ରାମ ବିଶୋଇ ମଧ୍ୟରେ ସମ୍ପର୍କ ସ୍ଥାପନ କରାଯାଇଛି ଏକ ଗୌଣ ଚରିତ୍ର ଜଙ୍ଗଲ ଦମାନ ମାଧ୍ୟମରେ ଏବଂ ବାଲା ମାଧ୍ୟମରେ ଦିଲିର, କାଦୋଡ଼ି ମାଧ୍ୟମରେ ମାଣ୍ଡିଆର, ନନ୍ଦିବାଲି ମାଧ୍ୟମରେ ବିଲିର ପ୍ରେମ ପ୍ରକାଶ ପାଇଛି ଓ କଣ୍ଟ୍ରାକ୍ଟର ମାଧ୍ୟମରେ ଦିଲି ଆଉ ବିଲିର ଥିବା ଯୌନ ଲାଳସା ପ୍ରକାଶ ପାଇଛି ।

 

ଚରିତ୍ରର ପ୍ରବୃତ୍ତି ଦୃଷ୍ଟିରୁ ବର୍ତ୍ତୁଳ ଚରିତ୍ର ଓ ସରଳରୈଖିକ ଚରିତ୍ର ଭାବେ ବିଭାଜନ କରାଯାଏ । ଯେଉଁ ଚରିତ୍ରର ଗୁଣ ଉପନ୍ୟାସର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ଥାଏ ସେ ସରଳ ରୈଖିକ ଚରିତ୍ର ଏବଂ ଯେଉଁ ଚରିତ୍ରର ଗୁଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ସେ ବଳ ଚରିତ୍ର ଅଟେ । ‘ଛ ମାଣ ଆଠଗୁଣ୍ଠ’ରେ ସାରିଆ, ସାଆନ୍ତାଣୀ, ଚମ୍ପା ପ୍ରଭୃତି ସରଳରୈଖିକ ଚରିତ୍ର ଅଟନ୍ତି-। ଏବଂ ଭଗିଆ ଓ ମଙ୍ଗରାଜ ଆଂଶିକ ଭାବେ ବର୍ତ୍ତୁଳ ଚରିତ୍ର ଅଟନ୍ତି । କାରଣ ମଙ୍ଗରାଜ ଜୀବନସାରା ଶୋଷଣ, ଅତ୍ୟାଚାର କରିଥିଲେ ମଧ୍ୟ ଶେଷରେ ଶଯ୍ୟାଶାୟୀ ସମୟରେ ଅନାଥଶରଣ ପତିତପାବନ ଭଗବାନଙ୍କ ପବିତ୍ର ନାମ ହୃଦୟ ମଧ୍ୟରେ ଚିନ୍ତା କରିବାକୁ ଲାଗିଲେ । ଆଉ ଭଗିଆ ଜୀବନସାରା କାହାର କିଛି କ୍ଷତି କରିନାହିଁ ହେଲେ ଶେଷରେ ସେ ମଙ୍ଗରାଜଙ୍କୁ ଆହତ କରିଛି ଜେଲରେ ।

 

ସରଳ ରୈଖିକ ଚରିତ୍ର ଭାବେ ‘ପରଜା’ରେ ରାମ ବିଶୋଇଙ୍କୁ ଏବଂ ବର୍ତ୍ତୁଳ ଚରିତ୍ର ଭାବେ ଦିଲି, ବିଲି, ଶୁକ୍ରୁ, ଟିକ୍ରା, ମାଣ୍ଡିଆଙ୍କୁ ଗ୍ରହଣ କରାଯାଉଛି । କାରଣ ଦିଲି, ବିଲି ସରଳ ଚରିତ୍ର ଭାବେ ଚିତ୍ରଣ ହେଲେ ହେଁ ଏମାନେ ଅନୈତିକ ସମ୍ପର୍କ ସ୍ଥାପନ କରିଛନ୍ତି କଣ୍ଟ୍ରାକ୍ଟର ସଙ୍ଗରେ ଏବଂ ଶୁକ୍ରୁ, ଟିକ୍ରା, ମାଣ୍ଡିଆଙ୍କୁ ତିନିହେଁ ଜୀବନ ସାରା ନିରୀହ ଭାବେ ଚିତ୍ରିତ ହୋଇଛନ୍ତି ମାତ୍ର ଶେଷରେ ଏ ତିନିହେଁ ରାମ ବିଶୋଇଙ୍କୁ ହତ୍ୟା କରିଛନ୍ତି ।

 

ଧର୍ମୀୟ ଅନ୍ଧବିଶ୍ୱାସ ଦୁଇଟିଯାକ ଉପନ୍ୟାସରେ ଭରି ରହିଛି । ଛମାଣ ଆଠଗୁଣ୍ଡରେ ଗ୍ରାମବାସୀମାନେ ଅତ୍ୟନ୍ତ ବିଶ୍ୱାସ କରନ୍ତି ମା ବୁଢ଼ୀ ମଙ୍ଗଳାଙ୍କୁ । ମା ବୁଢ଼ୀମଙ୍ଗଳା ଭାରି ପ୍ରତ୍ୟକ୍ଷ ଦେବତା ଅଟନ୍ତି । ତାଙ୍କ ଅନୁଗ୍ରହରୁ ଗ୍ରାମରେ ଆପଦ ବିପଦ ଘଟେ ନାହିଁ । ସାରିଆର ଏଇ ବିଶ୍ୱାସ ଯୋଗୁଁ ହିଁ ତାର ଗାଈ ଜମି ଚାଲିଯାଇଛି ଆଉ ସାରିଆ ମୃତ୍ୟୁ ମୁଖରେ ପଡ଼ିଛି । ‘ପରଜା’ରେ ଶୁକ୍ରୁଜାନି ବିଶ୍ୱାସ କରିଛି ସବୁରି କର୍ତ୍ତା ଗୋଟିଏ ଲେଖାଏଁ ଡୁମା ବା ଭୂତ । ଡୁମା ଏସବୁ ଗଢ଼ିଛି – ଆକାଶ, ଜଙ୍ଗଲ, ସଞ୍ଜ, ରାତି । ଡୁମା ଆଣିଦିଏ ସୌଭାଗ୍ୟ, ଆନନ୍ଦ, ଝଡ ତୋଫାନ, ଦୁଃଖ ଦୁର୍ଦ୍ଦଶା-। ଯାହା ଡୁମାର ଇଚ୍ଛାରେ ଘଟେ । ‘ପରଜା’ରେ ଧର୍ମୀୟ ବିଶ୍ଵାସ ‘ଛମାଣ ଆଠଗୁଣ୍ଠ’ର ଧର୍ମୀୟ ବିଶ୍ଵାସ ଅପେକ୍ଷା ଅଧିକ ପରିମାଣରେ ଅନୁଭୂତ ହୁଏ ।

 

କଥାବସ୍ତୁ ବା plotର ସଂଜ୍ଞାଦେବାକୁ ଯାଇ- E. M. foster ମତ ଦିଅନ୍ତି- 'plot is a chain of events, ମୁଖ୍ୟତଃ କଥାବସ୍ତୁ ଦୁଇ ଭାଗରେ ବିଭକ୍ତ । ଯଥା- ମୁଖ୍ୟ କଥାବସ୍ତୁ ବା Main plot ଓ ଉପ କଥାବସ୍ତୁ ବା sub plot, ମୂଳ ଆଖ୍ୟାନକୁ ପ୍ରକାଶ କରେ ମୁଖ୍ୟ କଥାବସ୍ତୁ ଓ ମୂଳ ଆଖ୍ୟାନର ବିଶେଷ ଦିଗମାନ ପ୍ରକାଶ କରେ ଉପ କଥାବସ୍ତୁ । ଅର୍ଥାତ୍ ଉପ କଥାବସ୍ତୁ ସହଯୋଗର ଭୂମିକା ଗ୍ରହଣ କରେ । ‘ଛ ମାଣ ଆଠଗୁଣ୍ଠ’ରେ ରାମଚନ୍ଦ୍ର ମଙ୍ଗରାଜ ସାରିଆ, ଭଗିଆର ଜମିକୁ ଅକ୍ତିଆର କରିବା ହେଉଛି ମୁଖ୍ୟ କଥାବସ୍ତୁ । ମାତ୍ର ଏହାର ବିଶେଷ ଦିଗ ପ୍ରକାଶ କରୁଛି 'ଅସୁରଦୀଘି ପୋଖରୀ, ମା ବୁଢ଼ୀମଙ୍ଗଳା, ଶ୍ୟାମ ମଲ୍ଲ, ଶ୍ୟାମ ଗୋଚ୍ଛାୟତ ଦ୍ଵାରା ଘଟିଥିବା ଘଟଣାପ୍ରଭୃତି । ‘ପରଜା’ ଉପନ୍ୟାସର ମୁଖ୍ୟ କଥାବସ୍ତୁ ହେଉଛି ରାମ ବିଶୋଇର ଶୁକ୍ରୁଜାନିର ଜମି ଅକ୍ତିଆର କରିବା ଓ ଦିଲି ବିଲିଙ୍କୁ ନେବା ଏବଂ ଉପ କଥାବସ୍ତୁ ହେଉଛି ଜଙ୍ଗଲ ଦମାନର ଦିଲିକୁ ପ୍ରେମ କରିବା, ଶୁକ୍ରୁଜାନିର ପୋଡ଼ୁଚାଷ ଓ ମାଣ୍ଡିଆର ମଦରାନ୍ଧିବା, ଯେଉଁଗୁଡ଼ିକ ମୁଖ୍ୟ କଥାବସ୍ତୁକୁ ଗତିଶୀଳ କରାଇବାରେ ସାହାଯ୍ୟ କରିଅଛି ।

 

ନିତ୍ୟପ୍ରାତ୍ୟହିକ ଜୀବନ ଚିତ୍ର ପ୍ରଦାନ କରାଯାଇଛି ଉଭୟ ଉପନ୍ୟାସରେ । 'ଛମାଣ ଆଠଗୁଣ୍ଠ’ରେ ଅସୁରଦୀଘି ପୋଖରୀ ତୁଠରେ ନିତ୍ୟକର୍ମ ଦୃଶ୍ୟ, ବାଞ୍ଝ ନାରୀ ସାରିଆର ଦୁଃଖ, ଧର୍ମୀୟ ବିଶ୍ଵାସ, ଚୌକିଦାର ଗୋବରା ଜେନାର ଲାଞ୍ଚ ନେବା ଏବଂ ବ୍ରାହ୍ମଣଙ୍କ ମୁଠାକ ଚାଉଳ ପାଇଁ କଳିକୁ ପ୍ରକାଶ କରିଛନ୍ତି ନିତ୍ୟ ପ୍ରାତ୍ୟହିକ ଜୀବନ ଚିତ୍ର ଭାବରେ ଏବଂ ପୋଖରୀ କୂଳରେ ଗାଧୁଆବେଳେ ମାଇକିନାମାନଙ୍କ ଗୁଲିଗପ ଯେମିତି- କାହାଘରେ କ’ଣ ରନ୍ଧା ହୋଇଥିଲା, ଆଜି ରାନ୍ଧଣାର ଆଉ କି ବ୍ୟବସ୍ଥା, କିଏ କେତେବେଳେ ଶୋଇଲା, କାହାକୁ କେତେ ମଶା କାମୁଡ଼ିଲା, କାହା ଘରେ ଲୁଣ ନଥିଲା, କିଏ ତେଲ ଟିକିଏ କାଲି ଆଣିଛି, ରାମା ମା ଘର ନୂଆବୋହୁଟା ବଡ଼ କଳିହୁଡ଼ୀ, କମଳା କେବେ ଶାଶୁ ଘରକୁ ଯିବ (୨) ପ୍ରଭୃତି ଆମ ସମାଜର ପ୍ରତ୍ୟହ ଘଟଣାକୁ ପ୍ରକାଶ କରୁଛି । ‘ପରଜା’ ଉପନ୍ୟାସରେ ଆଦିବାସୀମାନେ କିପରି ରାତିରେ ଧାଙ୍ଗଡା ବସା, ଧାଙ୍ଗଡ଼ୀବସାକୁ ଯାଆନ୍ତି, ସେଠାରେ ହେଉଥିବା ଧାଙ୍ଗଡା, ଧାଙ୍ଗଡୀଙ୍କ ନାଚଗୀତ, ପରଜାର ଗାଧୋଇବା ପଦ୍ଧତି, ପରଜାର ପୋଡ଼ୁଚାଷ, ମଦରନ୍ଧା ପ୍ରଭୃତି ପ୍ରତ୍ୟହ ଘଟଣାକୁ ଉପସ୍ଥାପିତ କରୁଛି । ଶ୍ରୀ ମହାନ୍ତି ଧାଙ୍ଗଡା ଓ ଧାଙ୍ଗଡୀମାନଙ୍କ ବହୁ ଗୀତ ପ୍ରଦାନ କରିଛନ୍ତି ‘ପରଜା’ରେ ଯେପରି-

 

ତଲୁମଲିଗୁଡା ଚିତିରାରୁ ଖାଡ଼ି, ବେଗି . ଦଉବେ ବେଗି କାଚୁବେ,

ଆଁ ଚାକୁଚିରେ ନାନାରାଆଣେ, ବେଗି ନାଚୁବେ ବେଗି ଡେଗାଉଁବେ

ବାଲୀ ଗାଜୁନା ଶାବଡି ଗାଦୁନାଇଁ, ଏଇ ମାମୁ ଗାଓେଁ ଏଇ ଦାଦି ଗାଓେଁ

କି ଚିଲାଦୁ ନାଇଁ କିଚି ଡରୁ ନାଇଁ,

ମାଚୁ ଗିରୁ ନାଇଁ କାଁକ୍ ଡା ଗିତୁ ନାଇଁ ।(୩)

 

ଶୈଳୀ ହେଉଛି ଉପନ୍ୟାସର ଏକ ମୁଖ୍ୟ ପ୍ରସଙ୍ଗ । ଯେଉଁ ଲେଖକ ଯେପରି ଭାବେ ସ୍ୱତନ୍ତ୍ର ଶୈଳୀର ଉପସ୍ଥାପନ କରିବେ ସେ ଲେଖା ସେତେ ପରିମାଣରେ ଉତ୍କୃଷ୍ଟ ଧରଣର ହେବ । ଏକ ଶବ୍ଦ, ଧ୍ଵନିକୁ ବୁଲାଇ ବଙ୍କାଇ ପ୍ରକାଶ କରିବା ହେଉଛି ଶୈଳୀ । ଫକୀରମୋହନ ‘ଛମାଣ ଆଠଗୁଣ୍ଠ’ରେ ଧ୍ଵନିଗତ ଶୈଳୀର ପ୍ରୟୋଗ ଘଟିଛି । ଯେପରି- କସ୍‌ମସ୍, ଧୂ ଧୂ, ଫଟ୍ ଫଟ୍, ମୋଟା ମୋଟା ପ୍ରଭୃତି । ଏ ଉପନ୍ୟାସର ଟାଙ୍ଗୀ ମାଉସୀ ସମ୍ବନ୍ଧରେ ଥିବା ବର୍ଣ୍ଣନାକୁ ନିଆଯାଇପାରେ ହଗୁରା ମା କହିଲା – କଥାଟାରେ ଏକା ମିଠାନାହିଁ ଠୋସ୍, ଠୋସ୍ ମୁତୁରା ମା କହିଲା, ଚାଲିଟା ଧସ୍ ଧସ୍ । ଶୁକ୍ରା କହିଲା- ହଁ ହଁ, ହସଟା ଫସ୍ ଫସ୍ । ଶୁକ୍ରା କହିଲା- ଚାହାଣୀଟା କସ୍ ମସ୍ । (୪) ଏପରି ଭାବେ ଏକ ସ୍ଵତନ୍ତ୍ର ଶୈଳୀର ପ୍ରୟୋଗ କରିଛନ୍ତି ଫକୀରମୋହନ । ଗୋପୀନାଥ ମହାନ୍ତି ମଧ୍ୟ ‘ପରଜା’ରେ ଧୂନିଗତ ଶୈଳୀକୁ ପ୍ରୟୋଗ କରି ଏକ ଭିନ୍ନତା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଯେପରି ସୁଲୁ ସୁଲୁ, ଉଷୁ ଉଷୁ, ମିଶ୍ ମିଶ୍ ,ରୁନ୍ଧିଲା ରୁନ୍ଧିଲା, ଫୁସ୍ ଫୁସ୍, ଝିପରି ଝିପିରି, ଝିମେଇ ଝିମେଇ, ଜୁଳୁ ଜୁଳୁ, ଛପି ଛପି, ଛାଇଏ ଛାଇଏ, ଦୁକୁ ଦୁକୁ, ହେଁ ହେଁ, ଫାଙ୍କା ଫାଙ୍କା, ସାଇଁ ସାଇଁ, ଟୁପଟାପ୍, ଫୁସ୍ ଫାସ୍, ଛନ୍ଦାଛନ୍ଦି, ଧରାଧରି, କେଞ୍ଚାକେଞ୍ଚି ଖୁସ୍ ଖାସ୍, ଝିଁ, ଝିଁ, ଅନୋଉଁ ଅନୋଉଁ ,ଅନାଏଁ, କେତେଠିଁ, ତୋଠିଁ ପ୍ରଭୃତି ଶବ୍ଦର ପ୍ରୟୋଗ ହେତୁ ଏକ ଭିନ୍ନ ଧରଣର ଭାବ ପ୍ରକାଶ କରୁଛି ପରଜା ଉପନ୍ୟାସରେ ।

 

(୨).

ଛମାଣ ଆଠଗୁଣ୍ଠ – ସେନାପତି ଫକୀରମୋହନ – ପୃଷ୍ଠା- ୨୮ (ଗ୍ରନ୍ଥମନ୍ଦିର-ପ୍ରଥମ ମୁଦ୍ରଣ-୨୦୦୦)

(୩).

ପରଜା – ମହାନ୍ତି ଗୋପୀନାଥ- ପୃଷ୍ଠା-୧୩

(୪).

ଛମାଣ ଆଠଗୁଣ୍ଠ – ସେନାପତି ଫକୀରମୋହନ- ପୃଷ୍ଠା-୪୦

 

ବାସ୍ତବ ଜଗତର ଚିତ୍ର ପ୍ରଦାନ କରିବାରେ ଫକୀରମୋହନ ଓ ଗୋପୀନାଥ ଉଭୟ ସିଦ୍ଧ ହସ୍ତତାର ପରିଚୟ ପ୍ରଦାନ କରିଛନ୍ତି । ‘ଛମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜ ଚରିତ୍ର ପ୍ରକୃତରେ ଫକୀରମୋହନ ସେନାପତିଙ୍କ ବଡ଼ ବାପା ପୁରୁଷୋତ୍ତମ ସେନାପତିଙ୍କର ଛାୟାରେ ସୃଷ୍ଟି ହୋଇଛି-। ଚମ୍ପା ଚରିତ୍ରଟି ଫକୀରମୋହନଙ୍କ ପ୍ରଥମ ସ୍ତ୍ରୀ ଲୀଳାବତୀର ଛାୟାରେ ଏବଂ ସାଆନ୍ତାଣୀ ଚରିତ୍ରଟି ଫକୀରମୋହନଙ୍କ ଦ୍ୱିତୀୟ ସ୍ତ୍ରୀ କୃଷ୍ଣକୁମାରୀଙ୍କ ଛାୟାରେ ସୃଷ୍ଟି । ଶ୍ରୀ ମହାନ୍ତି ମଧ୍ୟ ‘ପରଜା’ର ରାମ ବିଶୋଇ ଚରିତ୍ରଟିକୁ ବାସ୍ତବରେ ୧୯୪୨-୪୩ ମସିହାରେ କୋରାପୁଟର ରେଭେନ୍ୟୁ ଇନ୍‍ସପେକ୍ଟର ବ୍ରଜନାଥଙ୍କ ଛାୟାରେ ସୃଷ୍ଟି କରିଛନ୍ତି ।

 

‘ଛମାଣ ଆଠଗୁଣ୍ଠ' ଓ ‘ପରଜା’ ଉପନ୍ୟାସ ଦ୍ୱୟ ମଧ୍ୟରେ ପ୍ରାୟ ପଚାଶ ବର୍ଷର ବ୍ୟବଧାନ ଥିଲେ ମଧ୍ୟ ଏହାର ଭାବବସ୍ତୁ ପ୍ରାୟତଃ ସମାନ ଅଟେ । ଏତତ୍‍ବ୍ୟତୀତ ଉପମା ପ୍ରୟୋଗରେ ଗୀତ ବ୍ୟବହାରରେ ମଧ୍ୟ ବହୁ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଏ । ଫକୀରମୋହନ ତାଙ୍କ ଉପନ୍ୟାସରେ ଶ୍ଳୋକ, ଲୋକଗୀତ (ଡାକବଚନ, ପ୍ରବଚନ) ପୁରାଣର ଅନୁକରଣରେ ସୃଷ୍ଟି ବ୍ୟଙ୍ଗ କବିତା ପ୍ରଭୃତି ଗୀତ ବ୍ୟବହାର କରିଥିବା ବେଳେ ଶ୍ରୀ ମହାନ୍ତି ତାଙ୍କ ଉପନ୍ୟାସରେ ଗୀତକୁ ତିନୋଟି ରୂପରେ ପ୍ରକାଶ କରିଛନ୍ତି । ପ୍ରଥମତଃ ଆଦିବାସୀମାନଙ୍କ ଭାଷାରେ ପ୍ରଦତ୍ତ ଓ ଏହାର ଓଡ଼ିଆ ଅର୍ଥ ପ୍ରଦତ୍ତ, ଦ୍ୱିତୀୟରେ ଓଡ଼ିଆ ଭରସନ୍‍ରେ ଏବଂ ତୃତୀୟତଃ କେବଳ ଆଦିବାସୀ ଭାଷାରେ ପ୍ରଦତ୍ତ । ଏପରି ଭାବେ ଉପନ୍ୟାସ ଦ୍ୱୟରେ ବହୁ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଏ । ଶ୍ରୀ ମହାନ୍ତି ନାରୀ ଚରିତ୍ରକୁ ବିଶେଷ ଭାବରେ ଗୁରୁତ୍ୱ ପ୍ରଦାନ କରିନାହାନ୍ତି ମାତ୍ର ଫକୀରମୋହନ ଯେପରି ଭାବେ ଚମ୍ପା ମାଧ୍ୟମରେ ନାରୀ ଚରିତ୍ରକୁ ବ୍ୟଙ୍ଗ କରିଛନ୍ତି ଅନୁରୂପ ଭାବେ ସାଆନ୍ତାଣୀ ଏବଂ ସାରିଆ ମାଧ୍ୟମରେ ନାରୀ ଚରିତ୍ରର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି । ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ତଥା ସମାଜ ପ୍ରତି ଥିବା ମର୍ମବାଣୀ ଏ ଉପନ୍ୟାସ ଦ୍ଵୟକୁ ବହୁ ଉଚ୍ଚ ସ୍ଥାନ ପ୍ରଦାନ କରେ । ଏତଦ୍ ବ୍ୟତୀତ ଏ ଉପନ୍ୟାସ ଦ୍ୱୟ ହେଉଛି ଓଡ଼ିଆ ଉପନ୍ୟାସ ସାହିତ୍ୟର ଇତିହାସରେ ଅପ୍ରତିଦ୍ୱନ୍ଦୀ ତଥା ଅଦ୍ୱିତୀୟ ଶ୍ରେଷ୍ଠ ଉପନ୍ୟାସ ଅଟେ ।

 

 

ସ୍ନାତକୋତ୍ତର ଦ୍ୱିତୀୟ ବର୍ଷ,

ଓଡ଼ିଆ ବିଭାଗ,

ବିଶ୍ୱଭାରତୀ, ଶାନ୍ତିନିକେତନ

 

***

 

ଇତିହାସର ସର୍ଜନା : ସର୍ଜନାର ସମୀକ୍ଷା

ଫକୀର ଚରଣ ନାୟକ

 

ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ସମାଲୋଚନା ସାହିତ୍ୟରେ ପୂର୍ଣ୍ଣାନନ୍ଦ ଦାନୀଙ୍କ କୀର୍ତ୍ତି ସୁବିଦିତ । ସାହିତ୍ୟ ପାଇଁ ତାଙ୍କର ଜୀବନ ବ୍ୟାପୀ ସାଧନା ବାସ୍ତବିକ ଗୌରବ ମଣ୍ଡିତ । ସାହିତ୍ୟ ଆଲୋଚନା ମଧ୍ୟରେ କେବଳ ‘ ଓଡ଼ିଆ ଐତିହାସିକ ଉପନ୍ୟାସ’ (୧୮୭୮-୧୯୭୮) ପୁସ୍ତକ ତାଙ୍କୁ ଅମର କରି ରଖିଥିବ । ଦୀର୍ଘ ଶହେ ବର୍ଷର ଏକ ବ୍ୟାପକ ଅଧ୍ୟୟନ କ୍ଷେତ୍ରଭାବେ ଓଡ଼ିଆ ଐତିହାସିକ ଉପନ୍ୟାସକୁ ସେ ଗ୍ରହଣ କରିଛନ୍ତି । ଶତବର୍ଷର ଓଡ଼ିଆ ଉପନ୍ୟାସ ମଧ୍ୟରୁ ଅର୍ଦ୍ଧଶତକରୁ ଉର୍ଦ୍ଧ୍ଵ ଐତିହାସିକ ଉପନ୍ୟାସର ପର୍ଯ୍ୟାୟକ୍ରମିକ ଆଲୋଚନାତ୍ମକ ନିବନ୍ଧ ହେଉଛି - ‘ଓଡ଼ିଆ ଐତିହାସିକ ଉପନ୍ୟାସ’ । ଏହି ପୁସ୍ତକ ରଚିତ ହେବା ପୂର୍ବରୁ ଶ୍ରୀମତୀ ଲାବଣ୍ୟ ନାୟକଙ୍କର ଏକ ପ୍ରବନ୍ଧ ଐତିହାସିକ ଉପନ୍ୟାସ ଓ ଶ୍ରୀ ରମେଶ ଚନ୍ଦ୍ର ବିଶ୍ୱାଳକର ଏକ ପ୍ରବନ୍ଧ ‘ଓଡ଼ିଆ ଐତିହାସିକ ଉପନ୍ୟାସ’ରେ ଓଡ଼ିଆ ଐତିହାସିକ ଉପନ୍ୟାସ ସମ୍ପର୍କରେ ଯତକିଞ୍ଚିତ୍ ଆଲୋଚନା ହୋଇଥିଲା । ଏଥିସହିତ ଡ. ନଟବର ସାମନ୍ତରାୟଙ୍କ ‘ଓଡ଼ିଆ ସାହିତ୍ୟର ଇତିହାସ' ( ୧୮୦୩-୧୯୨୦), ଡ. ଶ୍ରୀନିବାସ ମିଶ୍ରଙ୍କର ‘ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ (୧୮୧୧-୧୯୨୦), ଡ, କୃଷ୍ଣଚରଣ ବେହେରାଙ୍କ ‘ଓଡ଼ିଆ ଉପନ୍ୟାସ’ ଓ ଅଧ୍ୟାପକ ପଠାଣି ପଟ୍ଟନାୟକ ଓ ଭୋଳାନାଥ ରାଉତଙ୍କ ଦ୍ଵାରା ସମ୍ପାଦିତ ‘ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ’ ଆଦି ପୁସ୍ତକରେ ‘ଓଡ଼ିଆ ଐତିହାସିକ ଉପନ୍ୟାସ ସମ୍ପର୍କରେ ସାମାନ୍ୟ ଆଲୋକପାତ କରାଯାଇଥିଲା, ମାତ୍ର ତାର ପରିସର ଥିଲା ଖୁବ ସଂକ୍ଷିପ୍ତ ପୂର୍ଣ୍ଣାନନ୍ଦ ଦାନୀଙ୍କ ‘ଓଡ଼ିଆ ଐତିହାସିକ ଉପନ୍ୟାସ’ ପୁସ୍ତକରେ ଓଡ଼ିଆ ଐତିହାସିକ ଉପନ୍ୟାସଗୁଡ଼ିକର ବ୍ୟାପକ ଅଧ୍ୟୟନ ଓ ବିଶ୍ଳେଷଣଧର୍ମୀ ଆଲୋଚନା କରାଯାଇଛି । ବସ୍ତୁତଃ ଏହି ସନ୍ଦର୍ଭରେ ଅଧ୍ୟୟନ ତଥା ବିଶ୍ଳେଷଣର ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଓ ବ୍ୟାପକତା ଦୃଷ୍ଟିରୁ ଏହାକୁ ଓଡ଼ିଆ ଐତିହାସିକ ଉପନ୍ୟାସ ସମ୍ପର୍କରେ ପ୍ରଥମ ମୌଳିକ ଆଲୋଚନା ଗ୍ରନ୍ଥ ରୂପେ ନିର୍ଦ୍ଵନ୍ଦ୍ଵରେ ଗ୍ରହଣ କରାଯାଏ ।

 

ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ଭାବେ ଉମେଶ ଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’ (୧୧୮୮)କୁ ଗ୍ରହଣ କରାଯାଏ । ମାତ୍ର ଏହାର ଦଶବର୍ଷ ପୂର୍ବରୁ ରାମ ଶଙ୍କର ରାୟଙ୍କର ‘ସୌଦାମିନୀ (୧୮୭୮) ପ୍ରକାଶ ପାଇଥିଲା । ଏହା ଅସମ୍ପୂର୍ଣ୍ଣ ହେଲେ ମଧ୍ୟ ଓଡ଼ିଆ ଭାଷାର ଉପନ୍ୟାସ ରଚନା କ୍ଷେତ୍ରରେ ଏକ ପ୍ରାରମ୍ଭିକ ପ୍ରୟାସ ଏବଂ ଐତିହାସିକ ମଧ୍ୟ । ସେଇଥିପାଇଁ ଆଲୋଚକ ‘ଓଡ଼ିଆ ଐତିହାସିକ ଉପନ୍ୟାସ’ର ପ୍ରଥମ ଉପନ୍ୟାସ ଭାବେ ସୌଦାମିନୀ ଓ ସମୟ ସୀମା ୧୮୭୮ରୁ ରଖୁଛନ୍ତି । ‘ସୌଦାମିନୀ’ ପରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉପନ୍ୟାସ ‘ଅନାଥିନୀ’ ୧୮୮୫ ମସିହାରେ ପ୍ରକାଶ ପାଇଥିଲା । ମାତ୍ର ‘ପ୍ରଦୀପ’ର ଅକାଳ ମୃତ୍ୟୁରେ ଏହା ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଗଲା । ଶ୍ରୀ ଛଦ୍ମ ନାମରେ ଏହାକୁ କେହିଜଣେ ରଚନା କରୁଥିଲେ । ତେବେ ଯାହାବି ହେଉ ‘ସୌଦାମିନୀ’ ଓ ‘ଅନାଥନୀ’ ଅସମ୍ପୂର୍ଣ୍ଣ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଉପନ୍ୟାସ ‘ପଦ୍ମମାଳୀ’ ପୂର୍ବରୁ ଏଗୁଡ଼ିକର ରଚନା କରାଯାଇଛି ଏବଂ ଓଡ଼ିଆ ଭାଷାରେ ଐତିହାସିକ ଉପନ୍ୟାସର ଏକ ମୂଳଦୁଆ ନିର୍ମାଣ କରିଛି । ‘ସୌଦାମିନୀ’ର ପ୍ରତ୍ୟେକ ପରିଛେଦରେ ସ୍ଵତନ୍ତ୍ର ଶୀର୍ଷକମାନ ରହିଛି, ଠିକ୍ ଯେପରି ଏହାର ପରବର୍ତ୍ତୀ ଉପନ୍ୟାସ ‘ପଦ୍ମମାଳୀ’ ଓ ଅନ୍ୟାନ୍ୟ ଉପନ୍ୟାସଗୁଡ଼ିକରେ ଦେଖାଯାଏ । ଅତଏବ ଏହା ‘ସୌଦାମିନୀ’ ପରବର୍ତ୍ତୀ ଉପନ୍ୟାସ ପାଇଁ ରାସ୍ତା ନିର୍ମାଣ କରିଛି । ଓଡ଼ିଆ ଐତିହାସିକ ଉପନ୍ୟାସର ଆଲୋଚନା କ୍ରମେ ଏହି ଦୁଇଟି ଉପନ୍ୟାସକୁ ଅସମ୍ପୂର୍ଣ୍ଣ ଭାବି ଆଲୋଚକ ଛାଡ଼ି ଦେଇ ନାହାନ୍ତି । ବରଂ ବୈଜ୍ଞାନିକ ପ୍ରଣାଳୀରେ ପରବର୍ତ୍ତୀ ଉପନ୍ୟାସ ପାଇଁ ଏହାର ଭୂମିକାକୁ ଦର୍ଶାଇଛନ୍ତି । ଅତଏବ ୧୮୭୮ର ‘ସୌଦାମିନୀ’ଠାରୁ ଗୋପୀନାଥ ପଣ୍ଡାଙ୍କର ୧୯୭୮ରେ ପ୍ରକାଶିତ ‘ପାଟଳୀପୁତ୍ରର ନଗରବଧୂ’ ପର୍ଯ୍ୟନ୍ତ ପୂର୍ଣ୍ଣାନନ୍ଦ ଦାନୀଙ୍କର ଆଲୋଚନାର ପରିସର ଲମ୍ବି ଆସିଛି । ଶତବର୍ଷର ସମୟ ପରିଧ ମଧ୍ୟରେ ପ୍ରାୟତଃ ସମସ୍ତ ଐତିହାସିକ ଉପନ୍ୟାସଗୁଡ଼ିକର ତାତ୍ତ୍ୱିକ ବିଶ୍ଳେଷଣ ଏ ପୁସ୍ତକରେ ଖୁବ୍ ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି ।

 

ଐତିହାସିକ ଉପନ୍ୟାସ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଆଲୋଚକ ପ୍ରଥମେ ଇତିହାସ, ଇତିହାସର ପ୍ରଣେତା, ଇତିହାସର ଉପାଦାନ, ଇତିହାସ ପଠନର ଆବଶ୍ୟକତା, ଇତିହାସର କ୍ଷେତ୍ର ଏବଂ ଉପନ୍ୟାସ ସମ୍ପର୍କରେ ବିଭିନ୍ନ ଟୀକା ଟିପ୍ପଣୀ ସହ ଆଲୋଚନା କରିଛନ୍ତି । “ଇତିହାସର ନାମ ଓ ତାରିଖ ବ୍ୟତୀତ ଅନ୍ୟ କୌଣସି କଥା ସତ୍ୟ ନୁହେଁ, କିନ୍ତୁ ଉପନ୍ୟାସରେ ନାମ ଓ ତାରିଖ ବ୍ୟତୀତ ଅନ୍ୟ ସମସ୍ତ ସତ୍ୟ ।”୧ ଐତିହାସିକ ଉପନ୍ୟାସରେ ଇତିହାସ ଯେମିତି ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଔପନ୍ୟାସିକର କଳ୍ପନା ବିଳାସ । ଔପନ୍ୟାସିକ କଳ୍ପନା ବିଳାସୀ ହୋଇଥିଲେ ସାମାନ୍ୟ ଇତିହାସଗତ ତଥ୍ୟକୁ ଆଧାର କରି ଉଚ୍ଚକୋଟୀର ଐତିହାସିକ ଉପନ୍ୟାସ ରଚନା କରିପାରେ । ମାତ୍ର ଔପନ୍ୟାସିକର କଳ୍ପନା ସହିତ ଯେପରି ଇତିହାସର ବିରୋଧାଭାସ ନ ରହେ ସେ ପ୍ରତି ଲେଖକ ଯତ୍ନଶୀଳ ହେବା ବିଧେୟ ।”୨ ଐତିହାସିକ ଉପନ୍ୟାସର କାହାଣୀ ଓ ଚରିତ୍ର ପ୍ରାୟତଃ ସତ୍ୟ । କଳ୍ପନାର ଯାଦୁକରୀ ଶକ୍ତି ମାଧ୍ୟମରେ ଔପନ୍ୟାସିକ ଇତିହାସର ଏହି କାହାଣୀ ଓ ଚରିତ୍ରକୁ କେନ୍ଦ୍ର କରି ଉପନ୍ୟାସ ସୃଷ୍ଟି କରେ, ତାହା ହୋଇଯାଏ ଯଥାର୍ଥ ଐତିହାସିକ ଉପନ୍ୟାସ । ଏଥିରେ ନା କେବଳ ଶୁଷ୍କ, ନୀରସ ଇତିହାସ ଥାଏ ନା କେବଳ କଳ୍ପନା ଥାଏ । ଉଭୟର ଏକ କଳାତ୍ମକ ଉତ୍କର୍ଷ ଏଥିରେ ସାତ ହୁଏ । ଏହି ମର୍ମରେ ଆଲୋଚକ ପୂର୍ଣ୍ଣାନନ୍ଦ ଦାନୀ କହନ୍ତି – “ବସ୍ତୁତଃ ଇତିହାସ ଓ ଉପନ୍ୟାସର ଏକ ମଧୁର ସମନ୍ୱୟ ହେଉଛି ଐତିହାସିକ ଉପନ୍ୟାସ । ଇତିହାସର କଙ୍କାଳ ଉପରେ ଐତିହାସିକ ଉପନ୍ୟାସକାର କଳ୍ପନାର ରକ୍ତମାଂସ ପ୍ରଦାନ କରି, ଉପନ୍ୟାସଗତ ସରସ ଜୀବନ୍ୟାସ ଆରୋପ କରି ଗଢ଼ି ଐତିହାସିକ ଉପନ୍ୟାସ । ଐତିହାସିକ ଉପନ୍ୟାସ ବାସ୍ତବ ଇତିହାସ ନୁହେଁ, ଉପନ୍ୟାସ ମଧ୍ୟ ନୁହେଁ – ଉଭୟର ଏକ ସମ୍ମିଶ୍ରଣ” (ପୂ. ୧୩-୧୪)

 

ପ୍ରଥମ ପରିଚ୍ଛେଦର ତୃତୀୟ ଅଧ୍ୟାୟରେ ଐତିହାସିକ ଉପନ୍ୟାସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏଥିରେ ଇତିହାସ ଓ ଉପନ୍ୟାସ – ସମ୍ପର୍କର ସେତୁ : ଐତିହାସିକ ଉପନ୍ୟାସ ବିଷୟରେ ଆଲୋଚନା କରିବାକୁ ଯାଇ ଇତିହାସର ତଥ୍ୟ ଓ ଉପନ୍ୟାସ କଳାର ସମନ୍ୱୟରେ ଉତ୍ପନ୍ନ ଐତିହାସିକ ଉପନ୍ୟାସ ତଥା ତତ୍ ସମ୍ପର୍କୀୟ ଆତ୍ମିକ ଓ ଆଙ୍ଗିକ ବୈଶିଷ୍ଟ୍ୟର ଆଲୋଚନା ତାତ୍ତ୍ୱିକ ଭାବେ କରାଯାଇଛି । ଓଡ଼ିଆ ଐତିହାସିକ ଉପନ୍ୟାସର ଅଧ୍ୟୟନ ଏବଂ ଅନୁଧ୍ୟାନର ପ୍ରକୃତ ନିଦର୍ଶନ ଉଦ୍ଦେଶ୍ୟରେ ହିଁ ଏହି ପ୍ରଥମ ପରିଚ୍ଛେଦଟି ନିୟୋଜିତ । ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟରେ ଐତିହାସିକ ଉପନ୍ୟାସର ସଂଜ୍ଞା-ସ୍ଵରୂପ ଓ ପ୍ରକୃତି, କିମ୍ବଦନ୍ତୀ-ଜନଶୃତି ଓ କପୋଳ କଳ୍ପିତ କାହାଣୀ, ଐତିହାସିକ ଉପନ୍ୟାସର ପ୍ରକାରଭେଦ, କଥାବସ୍ତୁ, ବିଭିନ୍ନ ଶୈଳୀ, ଚରିତ୍ର-କାଳ ଓ ଭାଷା, ଇତିହାସ ଓ କଳ୍ପନା, ପରିବେଶ ସୃଷ୍ଟି ଏବଂ ଜାତୀୟତାବୋଧ ଆଦି ବିଷୟରେ ବିଶେଷ ଆଲୋକପାତ କରାଯାଇଛି । ଏସବୁଥିରେ ଐତିହାସିକ ଉପନ୍ୟାସର ଶିଳ୍ପରୂପ ସମ୍ପର୍କରେ ଯେଉଁ ଆଦର୍ଶ ଓ ତତ୍ତ୍ୱରୂପ ଗୃହୀତ ହୋଇଛି ତାହା ପରବର୍ତ୍ତୀ ପରିଚ୍ଛେଦମାନଙ୍କରେ ଓଡ଼ିଆ ଐତିହାସିକ ଉପନ୍ୟାସଗୁଡ଼ିକର ପର୍ଯ୍ୟାୟକ୍ରମିକ ଆଲୋଚନାରେ କୃତିଗୁଡ଼ିକର ସାଫଲ୍ୟ ଓ ବୈଫଲ୍ୟ ନିର୍ଦ୍ଧାରିତ ହୋଇଛି । ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ରୋମାନ୍‍ସ ଓ ଐତିହାସିକ କଥାବସ୍ତୁ, ଐତିହାସିକ ଉପନ୍ୟାସର ଉତ୍ସ ଓ ପ୍ରେରଣା ଏବଂ ଐତିହାସିକ ଉପନ୍ୟାସର ବିଶେଷତ୍ୱ ଆଦି ଆଲୋଚିତ । ଐତହିସିକ ଉପନ୍ୟାସର ବିଶେଷତ୍ୱ ଉପରେ ଆଲୋକପାତ କରିବାକୁ ଯାଇ ଆଲୋଚକ କହନ୍ତି – “ଇତିହାସ ସାଧାରଣ ପାଠକ ନିମନ୍ତେ ନୀରସ ମନେ ହୋଇପାରେ । ମାତ୍ର ଇତିହାସ ରୂପକ ପଞ୍ଜରକୁ ଆଧାର କରି ଐତିହାସିକ ଉପନ୍ୟାସ କନାର ରକ୍ତ-ମାଂସ ଦ୍ଵାରା ଦେହଧାରଣ କରେ, କେବଳ ସେତିକି ନୁହେଁ ଐତିହାସିକ ଉପନ୍ୟାସକାରଙ୍କର ପରିକଳ୍ପନା ଦ୍ୱାରା ଏହାର ସମୟ ଜୀବନ୍ତ ମନେ ହୋଇପାରେ । ଫଳରେ ଐତିହାସିକ ଉପନ୍ୟାସ ସାହାଯ୍ୟରେ ପାଠକ ଉଭୟ ଇତିହାସ ଓ ଉପନ୍ୟାସର ସ୍ଵାଦ ପାଏ ।” (ପୂ.୪୫) ଐତିହାସିକ ଉପନ୍ୟାସ ମାଧ୍ୟମରେ ସୁପ୍ତ ରାଷ୍ଟ୍ରବାସୀଙ୍କୁ ଜାଗ୍ରତ, ବିକଶିତ କରାଯାଇପାରେ । କାରଣ ଲୋକଚରିତ୍ର ଚିତ୍ରଣ ହେଉଛି ଐତିହାସିକ ଉପନ୍ୟାସର ଅନ୍ୟତମ ବିଶେଷତ୍ଵ । ଐତିହାସିକ ଉପନ୍ୟାସରେ ଭୂଗୋଳର ମଧ୍ୟ ବିଶେଷତ୍ଵ ରହିଛି-। ଐତିହାସିକ ଉପନ୍ୟାସକାରଙ୍କୁ ଶବ୍ଦ ଚୟନ, ଭାଷା ଓ ଶୈଳୀ ଆଦିର ପ୍ରୟୋଗ କ୍ଷେତ୍ରରେ ସର୍ବଦା ସତର୍କ ହେବାକୁ ପଡ଼ିଥାଏ । ଏହାଦ୍ଵାରା ଐତିହାସିକ ଉପନ୍ୟାସ ହୋଇଥାଏ ଯଥାର୍ଥ ଓ ଜୀବନ୍ତ ।

 

ଓଡ଼ିଆ ଐତିହାସିକ ଉପନ୍ୟାସର ଉଦ୍‍ଭବ, ଉତ୍ତରଣ ଓ ବିକାଶସ୍ତର ଚର୍ଚ୍ଚା ପୂର୍ବରୁ ଆଲୋଚକ ଆନ୍ତର୍ଜାତିକ ସ୍ତରରେ ଏହାର ବିକାଶଧାରା ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରିଛନ୍ତି । ଏହାଦ୍ୱାରା ଓଡ଼ିଆ ଐତିହାସିକ ଉପନ୍ୟାସ ସହିତ ବିଭିନ୍ନ ଭାଷାର ଉପନ୍ୟାସଗୁଡ଼ିକୁ ତୁଳନା କରିବାର ଅବକାଶ ସୃଷ୍ଟି ହୋଇଛି । ପାଶ୍ଚାତ୍ୟ ସାହିତ୍ୟଭାବେ ଫରାସୀ ଓ ଇଂରାଜୀ ସାହିତ୍ୟରେ ଐତିହାସିକ ଉପନ୍ୟାସ ସମ୍ପର୍କରେ ଆଲୋଚିତ ହୋଇଥିବା ସ୍ଥଳେ ଭାରତୀୟ ସାହିତ୍ୟରେ ବଙ୍ଗଳା, ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, ମାଲୟାଲାମ ଓ ଗୁଜୁରାତି ସାହିତ୍ୟରେ ଐତିହାସିକ ଉପନ୍ୟାସର ବିକାଶସ୍ତର ବିଷୟରେ ଆଲୋଚନା ‘ଓଡ଼ିଆ ଐତିହାସିକ ଉପନ୍ୟାସ’ ନିବନ୍ଧଟିକୁ ତାତ୍ପର୍ଯ୍ୟପୂର୍ଣ୍ଣ କରିଛି । ଓଡ଼ିଆ ଐତିହାସିକ ଉପନ୍ୟାସ ଆଲୋଚନା ଅବକାଶରେ ଆନ୍ତର୍ଜାତୀୟ ତଥା ବିଶେଷ କରି ଭାରତୀୟ ଐତିହାସିକ ଉପନ୍ୟାସର ସଂକ୍ଷିପ୍ତ ବିକାଶଧାରା ଏକାନ୍ତ ଅପରିହାର୍ଯ୍ୟ । ଆଲୋଚକ ଯଥା ସମ୍ଭବ ଏହି ବିଷୟକ କିଛି ତଥ୍ୟ ପ୍ରଦାନ କରିଛନ୍ତି, ମାତ୍ର ଏହା ଅତି ସଂକ୍ଷିପ୍ତ । ଯେହେତୁ ‘ଓଡ଼ିଆ ଐତିହାସିକ ଉପନ୍ୟାସ’ ଗ୍ରନ୍ଥର ପାଠକ ପ୍ରାୟତଃ ଉଣାକେ ବଙ୍ଗଳା, ହିନ୍ଦୀ, ମରାଠୀ ଆଦି ଭାଷାର ଏହି ଐତିହାସିକ ଉପନ୍ୟାସକୁ ପାଠ କରି ନଥିବେ ଏବଂ ଏ ସମ୍ପର୍କରେ ଅଧିକ ଜାଣିବାର ଆଶା ପୋଷଣ କରିଥିବେ, ସେହି ଦୃଷ୍ଟିରୁ ଏହି ଅଧ୍ୟାୟଟିକୁ ବିଶେଷ ଭାବେ ଚର୍ଚ୍ଚା କରିବାର ଥିଲା । ଏବଂ ଏହାହିଁ ହୋଇଥାନ୍ତା ଏହି ଗ୍ରନ୍ଥ ପାଇଁ ଆକର୍ଷଣର କେନ୍ଦ୍ର ଓ ନୂତନତା । ତାମିଲ ଭାଷାର ଐତିହାସିକ ଉପନ୍ୟାସ ସମ୍ପର୍କିତ ଆଲୋଚନା କ୍ରମେ ଆଲୋଚକ କୌଣସି ସମୟର ସୂଚନା ଦେଇ ନାହାନ୍ତି, ଯାହାଦ୍ଵାରା ଐତିହାସିକ ଉପନ୍ୟାସ ସମ୍ପର୍କରେ ଏହି ଭାଷାର ପ୍ରାଚୀନତା ଜାଣି ହୁଏ ନାହିଁ । ପୁନଶ୍ଚ ଐତିହାସିକ ଉପନ୍ୟାସର ବିକାଶଧାରା (ଓଡ଼ିଆ ବ୍ୟତୀତ) ପର୍ଯ୍ୟାୟ ପରେ ଆଲୋଚକ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗ, ଓଡ଼ିଆ ଭାଷା ଆନ୍ଦୋଳନ, ଶିକ୍ଷା ବିସ୍ତାର, ପତ୍ର ପତ୍ରିକା ପ୍ରକାଶନ ତଥା ଓଡ଼ିଆ ଉପନ୍ୟାସର ପ୍ରକାଶନ ଉପରେ ଦୀର୍ଘ ଅବତରଣିକା ପ୍ରଦାନ କରିଛନ୍ତି, ଯେଉଁଥିରେ କୌଣସି ନୂତନ ତଥ୍ୟ ବା ବିଶ୍ଳେଷଣ ନାହିଁ । ଏହି ଅଧ୍ୟାୟଟି ଅପ୍ରାସଙ୍ଗିକ ନ ହେଲେ ମଧ୍ୟ ଅତ୍ୟାବଶ୍ୟକ ନ ଥିଲା । ମାତ୍ର ଆବଶ୍ୟକ କ୍ଷେତ୍ର ଭାରତୀୟ ଭାଷା ଯଥା, ବଙ୍ଗଳା, ହିନ୍ଦୀ, ମରାଠୀ, ଅସମୀୟା ଆଦି ଭାଷାରେ ଐତିହାସିକ ଉପନ୍ୟାସର ବିକାଶଦିଗରେ ଆଲୋଚନା ବିସ୍ତୀର୍ଣ୍ଣତାର ଅପେକ୍ଷା ରଖେ । ଏଇଠି ଗବେଷକଙ୍କ ପରିଶ୍ରମ କାର୍ପଣ୍ୟ ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ଓଡ଼ିଆ ଐତିହାସିକ ଉପନ୍ୟାସର ଐତିହାସିକ ପୃଷ୍ଠଭୂମି ପ୍ରସଙ୍ଗରେ ପାଶ୍ଚାତ୍ୟ ତଥା ଦେଶୀୟ ଐତିହାସିକ ଉପନ୍ୟାସର ସ୍ଥିତି ସମ୍ପର୍କରେ ଅବତାରଣା କରାଯିବା ପରିପ୍ରେକ୍ଷୀରେ ଏକ ତୁଳନାତ୍ମକ ଅଧ୍ୟୟନ ତଥା ଓଡ଼ିଆ ଭାଷାରେ ଉପନ୍ୟାସ ସାହିତ୍ୟର ପ୍ରାଥମିକ ପର୍ଯ୍ୟାୟରେ ଐତିହାସିକ ଉପନ୍ୟାସ ସଂଖ୍ୟା ବେଶୀ ଏବଂ ଏହି ତୁଳନାରେ ଅନ୍ୟ ଭାଷାରେ କମ୍ କାହିଁକି ଆଦି ବିଚାର ବିମର୍ଷର ଆବଶ୍ୟକତା ମଧ୍ୟ ଥିଲା, ଯାହା ଏହି ନିବନ୍ଧରେ ବିଶେଷ ଚର୍ଚ୍ଚିତ ହୋଇନାହିଁ ।

 

‘ଓଡ଼ିଆ ଐତିହାସିକ ଉପନ୍ୟାସ’ର ଦ୍ୱିତୀୟ ପରିଚ୍ଛେଦଠାରୁ ପଞ୍ଚମ ପରିଚ୍ଛେଦ ପର୍ଯ୍ୟନ୍ତ ଓଡ଼ିଆ ଐତିହାସିକ ଉପନ୍ୟାସର ବିକାଶଧାରା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସ୍ୱାଧୀନତା ପୂର୍ବବର୍ତ୍ତୀ ଐତିହାସିକ ଉପନ୍ୟାସ ଓ ସ୍ୱାଧୀନତା ପରବର୍ତ୍ତୀ ଐତିହାସିକ ଉପନ୍ୟାସକୁ ଦୁଇଟି ଲେଖାଏଁ ଭାଗରେ ବିଭକ୍ତ କରାଯାଇଛି । ଏହି ବିଭାଗୀକରଣ ଆଲୋଚନାର ସୁବିଧା ଦୃଷ୍ଟିରୁ ନୁହେଁ, ବରଂ ସମୟର ବ୍ୟବଧାନ ଦୃଷ୍ଟିରୁ । ସ୍ୱାଧୀନତା ପୂର୍ବବର୍ତ୍ତୀ ଐତିହାସିକ ଉପନ୍ୟାସକୁ ‘ପ୍ରାଥମିକ ଐତିହାସିକ ଉପନ୍ୟାସ’ ଓ ‘ଫକୀର ମୋହନ ପରବର୍ତ୍ତୀ ଐତିହାସିକ ଉପନ୍ୟାସ’ ଭାବେ ବିଭକ୍ତ କରାଯାଇଛି । ଉମେଶ ଚନ୍ଦ୍ର ସରକାରଙ୍କ ଅସମ୍ପୂର୍ଣ୍ଣ ‘କେନ୍ଦୁଝର ବିଦ୍ରୋହ’ (୧୯୦୭) ରଚନାଠାରୁ ଦୟାନିଧି ମିଶ୍ରଙ୍କ ‘ସଂଯୁକ୍ତା’ (୧୯୨୧) ପର୍ଯ୍ୟନ୍ତ କୌଣସି ଐତିହାସିକ ଉପନ୍ୟାସ ରଚିତ ହୋଇନାହିଁ । ଏହି ସମୟ ବ୍ୟବଧାନ ଦୃଷ୍ଟିରୁ ‘ସଂଯୁକ୍ତା’ (୧୯୨୧)ଠାରୁ ‘ବଳାଙ୍ଗୀ’ (୧୯୩୪) ପର୍ଯ୍ୟନ୍ତ ଅନ୍ୟ ଏକ ବିଭାଗ ସୃଷ୍ଟି କରାଯାଇଛି । ପ୍ରାଥମିକ ଐତିହାସିକ ଉପନ୍ୟାସ ବିଭାଗରେ ମୋଟ ଛଅଗୋଟି ଏବଂ ଫକୀର ମୋହନ ପରବର୍ତ୍ତୀ ଐତିହାସିକ ଉପନ୍ୟାସରେ ଷୋହଳଗୋଟି ଉପନ୍ୟାସ ଚର୍ଚ୍ଚା କରାଯାଇଛି । ଏହିପରି ସ୍ୱାଧୀନତା ପରବର୍ତ୍ତୀ ଐତିହାସିକ ଉପନ୍ୟାସଗୁଡ଼ିକୁ ମଧ୍ୟ ପ୍ରଥମଭାଗ ଓ ଦ୍ୱିତୀୟଭାଗରେ ବିଭକ୍ତ କରାଯାଇଛି । ୧୯୪୮ ମସିହାରେ ‘ରୋଡଙ୍ଗ ବକ୍ସି’, ୧୯୪୬ରୁ ୫୧ ମଧ୍ୟରେ ରୂପାୟିତ ‘ ଅଠରଶହ ସତର’ ପରେ ୧୯୬୪ ମସିହାରେ ଶ୍ରୀ ମୂରଲୀଧର ମଲ୍ଲିକଙ୍କ ‘ରଜନୀ ଯାଇଛି ବିତି’ ରଚିତ ହୋଇଥିଲା । ଏହି ସମୟର ବ୍ୟବଧାନ ପାଇଁ ଦୁଇଟି ଅଧାୟର ପରିକଳ୍ପନା । ପ୍ରଥମ ଭାଗରେ ମାତ୍ର ଦୁଇଟି ଐତିହାସିକ ଉପନ୍ୟାସ ଓ ଦ୍ୱିତୀୟ ଭାଗରେ ପନ୍ଦରଗୋଟି ଉପନ୍ୟାସର ଆଲୋଚନା କରାଯାଇଛି । ସ୍ୱାଧୀନତା ପରବର୍ତ୍ତୀ ସମୟର ସତରଗୋଟି ଉପନ୍ୟାସକୁ କୌଣସି ଭାଗ ନକରି ଆଲୋଚନା କରିଥିଲେ ଅସୁବିଧା ହୋଇ ନ ଥାନ୍ତା । ତଥାପି ଏହି ପର୍ଯ୍ୟାୟକୁ ଦୁଇଭାଗ କରି ନାମକରଣ ପ୍ରଥମଭାଗ ଓ ଦ୍ୱିତୀୟଭାଗ ନିରାପଦ ହୋଇଛି । ମାତ୍ର ସ୍ୱାଧୀନତା ପୂର୍ବବର୍ତ୍ତୀ ଐତିହାସିକ ଉପନ୍ୟାସର ଦ୍ୱିତୀୟଭାଗକୁ ଫକୀର ମୋହନ ପରବର୍ତ୍ତୀ ଐତିହାସିକ ଉପନ୍ୟାସ କରି ଦ୍ୱନ୍ଦ ସୃଷ୍ଟି କରିଛନ୍ତି । ଏହି ବିଭାଗଟିକୁ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ଭାଗ ଭାବେ ରୂପାୟିତ କରାଯାଇଥିଲେ ଅଧିକ ଯୁକ୍ତିସଂଗତ ଓ ପ୍ରମାଦଶୂନ୍ୟ ହୋଇଥାନ୍ତା ।

 

‘ଓଡ଼ିଆ ଐତିହାସିକ ଉପନ୍ୟାସ’ ନିବନ୍ଧର ପଞ୍ଚମ ପରିଛେଦରେ ଇତିହାସ ଆଭାସିତ ଐତିହାସିକ ଉପନ୍ୟାସ ସମ୍ପର୍କରେ ବିଚାର କରାଯାଇଛି । ଏହି ପର୍ଯ୍ୟାୟରେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ‘ମୁକ୍ତା ଗଡ଼ର କ୍ଷୁଧା’ ଓ ‘ଅମର ଚିତା’ ଏବଂ କାହ୍ନୁଚରଣ ମହାନ୍ତିଙ୍କର ‘ହା-ଅନ୍ନ, ‘ସ୍ଵପ୍ନ ନା ସତ୍ୟ’ ଓ ‘ଇତିହ’କୁ ଗ୍ରହଣ କରାଯାଇଛି । ଏହିସବୁ ଉପନ୍ୟାସଗୁଡ଼ିକରେ ଐତିହାସିକ ଚରିତ୍ର ମୁଖ୍ୟ ବା ଗୌଣ ଭୂମିକାରେ ଅବତୀର୍ଣ୍ଣ ହୋଇନାହାଁନ୍ତି କି ଇତିହାସ ସମର୍ଥିତ ଘଟଣା ପ୍ରତ୍ୟକ୍ଷ ଭାବେ ଗୃହୀତ ହୋଇନାହିଁ, ମାତ୍ର କେତେକ ସ୍ଥଳରେ ଗୃହୀତ ବିଷୟବସ୍ତୁ ଆଂଶିକ ଐତିହାସିକ ପଟ୍ଟଭୂମି ଉପରେ ଆଧାରିତ । ‘ମୁକ୍ତାଗଡ଼ର କ୍ଷୁଧା', “ଅମର ଚିତା’ ଓ ‘ହା-ଅନ୍ନ’ ଆଦି ଉପନ୍ୟାସ ଇତିହାସ ସ୍ୱୀକୃତ ୧୮୬୫-୬୬ ମସିହା ନ’ଅଙ୍କ ଦୁର୍ଭିକ୍ଷ ପୃଷ୍ଠଭୂମିର ଅବଲମ୍ବନରେ ଲିଖିତ ହେଲେ ମଧ୍ୟ ଏସମସ୍ତ ପରିକଳ୍ପିତ ବିଷୟବସ୍ତୁ । ଏହାର କୌଣସି ଚରିତ୍ର ବା ଘଟଣା ଇତିହାସ ସମ୍ମତ ନୁହେଁ ।

 

ପରିକଳ୍ପିତ ବିଷୟବସ୍ତୁଗୁଡ଼ିକ କେବଳ ତତ୍‌କାଳୀନ ବାତାବରଣ ମଧ୍ୟରେ ବିକଶିତ ହୋଇଛି ମାତ୍ର । ଠିକ୍ ସେହିପରି ‘ସ୍ଵପ୍ନ ନା ସତ୍ୟ’ର ଚରିତ୍ର ସମୂହ କାଳ୍ପନିକ ଏବଂ ବିଷୟବସ୍ତୁ ପୂର୍ବତନ କେତେକ ଗଡ଼ଜାତରେ ସଂଘଟିତ ଅତ୍ୟାଚାରର ସମ୍ଭାବ୍ୟ ଘଟଣା ଉପରେ ଆଧାରିତ । ସ୍ଵୟଂ ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ‘ଇତିହ’କୁ ଏକ ଐତିହାସିକ ଉପନ୍ୟାସ ଭାବେ କହନ୍ତି । ମାତ୍ର ଏଥିରେ ଚରିତ୍ର ଓ କଥାବସ୍ତୁ ମଧ୍ୟରେ ଇତିହାସର କେବଳ ମାତ୍ର ଆଭାସ ମିଳିଥାଏ । ଅତୀତର ରୋମନ୍ଥନ ମଧ୍ୟରେ ଅଶୋକ କାଳୀନ ଇତିହାସକୁ ଏଥିରେ କେବଳ ସ୍ମରଣ କରାଯାଇଛି-। ସେଇଥିପାଇଁ ଆଲୋଚକ ଏହି ଉପନ୍ୟାସଟିକୁ ଇତିହାସ ଆଭାସିତ ଉପନ୍ୟାସ ଭାବେ ପର୍ଯ୍ୟାୟଭୁକ୍ତ କରିଛନ୍ତି । ଆଲୋଚକଙ୍କ ଏପରି ଶ୍ରେଣୀ ବିଭାଗ ବାସ୍ତବିକ ଏକ ସାହସିକ ପଦକ୍ଷେପ । ଆଲୋଚନାର ପରିଶିଷ୍ଟରେ ଅନୁଦିତ ଓଡ଼ିଆ ଐତିହାସିକ ଉପନ୍ୟାସ ସଂର୍ପକରେ ମଧ୍ୟ ବିଶେଷ ଆଲୋକପାତ କରାଯାଇଛି । ଆଲୋଚନାର ଷଷ୍ଠ ପରିଚ୍ଛେଦ-ଉପସଂହାର ପର୍ଯ୍ୟାୟରେ ଓଡ଼ିଆ ଐତିହାସିକ ଉପନ୍ୟାସର ସ୍ଵରୂପ ଓ ପ୍ରବୃତ୍ତି ଏକ ସଂଶ୍ଳେଷଣାତ୍ମ ବିଚାର ଓ ଓଡ଼ିଆ ଐତିହାସିକ ଉପନ୍ୟାସର ଉପଯୋଗିତା, ବାଣୀ ଓ ଭବିଷ୍ୟତ ସମ୍ଭାବନା ଉପରେ ବିଶ୍ଳେଷଣାତ୍ମକ ମନ୍ତବ୍ୟ ଆଲୋଚନାକୁ କରିଛି ରୁଦ୍ଧିମନ୍ତ ।

 

ଓଡ଼ିଆ ଐତିହାସିକ ଉପନ୍ୟାସଗୁଡ଼ିକ ଆଲୋଚନା କ୍ରମେ ଆଲୋଚକ କଥାବସ୍ତୁ, ପ୍ରକାରଭେଦ, ଐତିହାସିକତା, ପରିବେଶ ସୃଷ୍ଟି, ଚରିତ୍ର ଚିତ୍ରଣ, ରଚନା ଶୈଳୀ, ତ୍ରୁଟି ଓ କାଳ ବିରୋଧ ଦୋଷ ଏବଂ ପ୍ରାନ୍ତ କଥନ ଆଦି ବିଭିନ୍ନ ପର୍ଯ୍ୟାୟଭୁକ୍ତ କରିଛନ୍ତି । ପ୍ରତ୍ୟେକ ଉପନ୍ୟାସଗୁଡ଼ିକ ଏହିସବୁ ପର୍ଯ୍ୟାୟରେ ପରୀକ୍ଷା କରାଯାଇଛି । କଥାବସ୍ତୁରେ ଇତିହାସ ଓ କଳ୍ପନାକୁ ତର୍ଜମା କରାଯାଇଛି । ଆଲୋଚକ ଐତିହାସିକ ଉପନ୍ୟାସକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି । ଐତିହାସିକ ଉପନ୍ୟାସ, ଐତିହାସିକ ରୋମାନ୍ସ ଓ ଯଥାର୍ଥ ଐତିହାସିକ ଉପନ୍ୟାସ । ଉପନ୍ୟାସର ବାସ୍ତବ ଐତିହାସିକ ଘଟଣା ଓ ବ୍ୟକ୍ତି ସମୂହକୁ ନେଇ ଯେଉଁ ଉପନ୍ୟାସ ରଚିତ ହୋଇଛି, ତାହାକୁ ଐତିହାସିକ ଉପନ୍ୟାସ ଭାବେ ଗ୍ରହଣ କରାଯାଇଛି । ଏଥିରେ ଇତିହାସ ମୁଖ୍ୟ ଓ ଅକ୍ଷୁର୍ଣ୍ଣ ଏବଂ କଳ୍ପନା ବିଳାସର ସ୍ଥାନ ନ୍ୟୁନ । ‘ପଦ୍ମମାଳୀ’, ‘କେନ୍ଦୁଝର ବିଦ୍ରୋହ”, “ସଂଯୁକ୍ତା’, ‘ରାଣା ପ୍ରତାପ ସିଂହ’, କଳାପାହଡ଼’, ଅନ୍ନପୂର୍ଣ୍ଣା’, କମଳକୁମାରୀ’, ‘ପଦ୍ୱିନୀ', “ପୀୟୁଷ-ପ୍ରକାର’, ‘ବୀରାଙ୍ଗନା', ‘ରୋଡଙ୍ଗ ବକ୍ସି’ ଆଦି ଐତିହାସିକ ଉପନ୍ୟାସ ଏହି ପର୍ଯ୍ୟାୟଭୁକ୍ତ । ଦ୍ୱିତୀୟରେ ରୋମାନ୍‍ସ ସୃଷ୍ଟି ନିମନ୍ତେ ଐତିହାସିକ ରୋମାନ୍‍ସ ଉପନ୍ୟାସରେ ଆମୋଦ କଳ୍ପେ ଅତୀତକୁ ବ୍ୟବହାର କରାଯାଇଥାଏ । ଏହି ପର୍ଯ୍ୟାୟରେ ଶ୍ରୀଧର ମହାପାତ୍ରଙ୍କର ‘ରକ୍ତ ଗୋଲାପର ରକ୍ତ-ସ୍ରୋତ’ (୧୯୩୩), ମୂରଲୀଧର ମଲ୍ଲିକଙ୍କର ‘ରଜନୀ ଯାଇଛି ବିତି” (୧୯୬୪), ମଙ୍ଗଳେ ଅଇଲା ଉଷା'(୧୯୬୫) ଓ ‘ଅକାଳ କୁହୁଡ଼ି’ (୧୯୬୮) ଆଦି ଆଲୋଚିତ । ତୃତୀୟରେ ଯଥାର୍ଥ ଐତିହାସିକ ଉପନ୍ୟାସରେ ଐତିହାସିକ ଘଟଣାବଳୀ ସହିତ ରୋମାଣ୍ଟିକ୍ କାଳ୍ପନିକତାକୁ ରୂପାୟିତ କରାଯାଇଥାଏ । ଏଥିରେ ବାସ୍ତବ ଐତିହାସିକ ଭିତ୍ତିଭୂମିରେ ଘଟଣା ଓ ଚରିତ୍ର ସମୂହ ହୋଇ ଉଠନ୍ତି କଳ୍ପନା ପ୍ରସୂତ । ଏହି ତୃତୀୟ ପର୍ଯ୍ୟାୟର ଉପନ୍ୟାସ ହିଁ ପ୍ରକୃତ ବା ଯଥାର୍ଥ ଐତିହାସିକ ଉପନ୍ୟାସ । ‘ସୌଦାମିନୀ’, ‘ବିବାସିନୀ’, ଲଛମା', “ଅଭାଗିନୀ, ‘ବୀର ଓଡ଼ିଆ’, ‘ରାଜଦ୍ରୋହୀ, ‘ବନ୍ଦୀର ମାୟା’, ‘ବାଲିରାଜା’, ‘ବଳାଙ୍ଗୀ’, ‘ଅଠର ଶହ ସତର’, ‘ନୀଳ ଶୈଳ’, ‘ଚନ୍ଦ୍ର ଓ ଚମ୍ପା’ ଆଦି ଉପନ୍ୟାସଗୁଡ଼ିକୁ ଏହି ଯଥାର୍ଥ ଐତିହାସିକ ଉପନ୍ୟାସ ପର୍ଯ୍ୟାୟଭୁକ୍ତ କରାଯାଇଛି । ଆଲୋଚନାର ଐତିହାସିକତା ସୋପାନରେ ଉପନ୍ୟାସରେ ଗୃହୀତ ବିଷୟବସ୍ତୁ ସହିତ ପ୍ରକୃତ ଐତିହାସିକ ସତ୍ୟତାକୁ ତର୍ଜମା କରାଯାଇଛି । ଐତିହାସିକ ଉପନ୍ୟାସର ଐତିହାସିକ ଭିତ୍ତି ବିଚାର ପ୍ରସଙ୍ଗରେ ସ୍ଥାନ, କାଳ ଓ ପାତ୍ର ମୂଳକ ଐତିହାସିକ ସତ୍ୟତା ନିମନ୍ତେ ଆଲୋଚକ ଓଡ଼ିଶାର ଇତିହାସ ସମ୍ପର୍କିତ ବହୁ ମୂଲ୍ୟବାନ ଗ୍ରନ୍ଥକୁ ଆଧାର କରିଛନ୍ତି । ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’, ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଓଡ଼ିଶା ଇତିହାସ’, କୃପାସିନ୍ଧୁ ମିଶ୍ରଙ୍କ ‘ଉତ୍କଳ ଇତିହାସ’, ଚକ୍ରଧର ମହାପାତ୍ରଙ୍କ ‘ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧାୟ’, ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦିତ ‘ମାଦଳା ପାଞ୍ଜି ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’, ଡ. ନବୀନ କୁମାର ସାହୁଙ୍କ ‘ଓଡ଼ିଆ ଜାତିର ଇତିହାସ', ଡାକ୍ତର ରାଧାଚରଣ ପଣ୍ଡାଙ୍କ ‘ପ୍ରାଚୀ ନଦୀର ଐତିହାସିକ ବିଭବ’ ଓ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ‘ପାଇକ ବିଦ୍ରୋହ ଓ ଊନବିଂଶ ଶତାବ୍ଦୀର ଓଡ଼ିଶା' ସହିତ ଇଂରାଜୀ ପୁସ୍ତକ 'History of Orissa', 'History of India', 'An Advanced History of India', 'The Sultanate' C 'The Delhi Sultanate' ଆଦି ପୁସ୍ତକର ସହାୟତାରେ ଐତିହାସିକ ଉପନ୍ୟାସଗୁଡ଼ିକର ଐତିହାସିକତା ପ୍ରମାଣିତ ହୋଇଛି । ଐତିହାସିକ ଉପନ୍ୟାସରେ ଐତିହାସିକ ପରିବେଶ-ବାତାବରଣ ସୃଷ୍ଟି କରିବା ସହିତ ଚରିତ୍ର ଚିତ୍ରଣରେ ସତର୍କତା ଅବଲମ୍ବନ ଏକାନ୍ତ ଅପରିହାର୍ଯ୍ୟ । କଳ୍ପିତ ବ୍ୟକ୍ତିମାନଙ୍କର ନାମକରଣ, ରାଜଦରବାର ବାତାବରଣ ସୃଷ୍ଟି, ଦୁର୍ଗ ବା ରାଜବାଟୀର ଅବସ୍ଥିତି, ସାମନ୍ତ ବା ପାଇକମାନଙ୍କ କାର୍ଯ୍ୟକଳାପ, ଯୁଦ୍ଧଯାତ୍ରା, ମନ୍ତ୍ରଣା ଓ ଷଡ଼ଯନ୍ତ୍ର ତଥା ନିର୍ଦ୍ଦିଷ୍ଟ ସ୍ଥାନ ସମ୍ପର୍କରେ ଭୌଗୋଳିକ ଜ୍ଞାନ ସହ ଐତିହାସିକତାର ସ୍ପର୍ଶ ପ୍ରଭୃତି ଦ୍ଵାରା ଔପନ୍ୟାସିକ କିପରି ଚମତ୍କାର ଚରିତ୍ର ଚିତ୍ରଣ ଓ ଐତିହାସିକ ପରିବେଶ ସୃଷ୍ଟି କରିଛନ୍ତି ତାହା ଏହି ପର୍ଯ୍ୟାୟରେ ପରୀକ୍ଷିତ । ରଚନାଶୈଳୀ ପର୍ଯ୍ୟାୟରେ ମଧ୍ୟ ସମସ୍ତ ଐତିହାସିକ ଉପନ୍ୟାସଗୁଡ଼ିକୁ ମୂଲ୍ୟାୟନ କରାଯାଇଛି । ଆଲୋଚକ ଏହି ରଚନାଶୈଳୀକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିଛନ୍ତି । ଯଥା – ଐତିହାସିକ ଶୈଳୀ, ଜୀବନୀମୂଳକ ଶୈଳୀ ଓ ଆତ୍ମଜୀବନୀମୂଳକ ଶୈଳୀ । ଆଲୋଚିତ ପ୍ରତ୍ୟେକ ଐତିହାସିକ ଉପନ୍ୟାସର ଶୈଳୀକୁ ଐତିହାସିକ ଶୈଳୀ (The Historical Form) ଭାବେ ଗ୍ରହଣ କରାଯାଇଛି । ଜାତୀୟତାବୋଧ ଐତିହାସିକ ଉପନ୍ୟାସ ରଚନା ନିମନ୍ତେ ଅନ୍ୟତମ ପ୍ରେରଣା । ଅତୀତର ଗୌରବୋଜ୍ଜ୍ୱଳ ଅଧ୍ୟାୟକୁ ଅତି କଳାତ୍ମକ ଭାବେ ବର୍ତ୍ତମାନ ପରିପ୍ରେକ୍ଷୀରେ ବର୍ଣ୍ଣନା କରାଯାଇ ଭବିଷ୍ୟତର ଆଲୋକ ପାଇଁ, ବର୍ତ୍ତମାନର ଅନ୍ୟାୟ ଅନୀତି ବିରୁଦ୍ଧରେ ସଂଗ୍ରାମଶୀଳ ହେବାପାଇଁ ଐତିହାସିକ ଉପନ୍ୟାସ ଦିଏ ଜାତୀୟତାବୋଧର ପ୍ରେରଣା । ସ୍ୱଜାତି ପ୍ରୀତି ଭାବରୁ ଐତିହାସିକ ସତ୍ୟକୁ ଲୁଚାଇବା ଐତିହାସିକ ଔପନ୍ୟାସିକଙ୍କର ଅକର୍ତ୍ତବ୍ୟ । ସ୍ୱଦେଶ ପ୍ରୀତିରେ ଭାସିଯାଇ ଐତିହାସିକ ସତ୍ୟକୁ ବିକୃତ କରିବା ଅନୁଚିତ । ଏହି ମର୍ମରେ ଆଲୋଚକ ପ୍ରତ୍ୟେକ ଉପନ୍ୟାସର ବିଶ୍ଳେଷଣ କରିଛନ୍ତି । ଐତିହାସିକ ଉପନ୍ୟାସ ରଚନା କରିବା ପୂର୍ବରୁ ଔପନ୍ୟାସିକଙ୍କର ବହୁ ନିର୍ଭୁଲ ତଥ୍ୟ ସଂଗ୍ରହ ଓ ସେଥିରେ କଳ୍ପନା ପ୍ରବଣତାର ସଜୀକରଣ ବେଳେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ନ ହେଲେ ଐତିହାସିକ ଉପନ୍ୟାସ ହାସ୍ୟାସ୍ପଦ ସାମଗ୍ରୀରେ ପରିଣତ ହୋଇଯାଏ । ବିଶେଷକରି ଏହି ଦୃଷ୍ଟିରୁ ଐତିହାସିକ ଉପନ୍ୟାସରେ ତ୍ରୁଟି ଓ କାଳ ବିରୋଧ ଦୋଷ ପ୍ରାୟତଃ ଅଧିକାଂଶ ଐତିହାସିକ ଉପନ୍ୟାସରେ ଦୃଷ୍ଟିଗୋଚର ହୁଏ । ମୁକୁନ୍ଦ ଦାଶଙ୍କ ‘କଳାପାହାଡ଼’ ଉପନ୍ୟାସ ପୃଷ୍ଠଭୂମିର ସମୟ ସୀମା ଷୋଡ଼ଶ ଶତାବ୍ଦୀ ମାତ୍ର । ଏ ଉପନ୍ୟାସରେ ରାଧାନାଥଙ୍କ ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’, କାବ୍ୟାଂଶର ପ୍ରୟୋଗ କାଳ ବିରୋଧ ଦୋଷ ସୃଷ୍ଟି କରିଛି । ବିଭିନ୍ନ ଐତିହାସିକ ଉପନ୍ୟାସର ପୃଷ୍ଠଭୂମି ଭାରତକୁ ଇଂରେଜମାନଙ୍କ ଆଗମନ ପୂର୍ବରୁ ହୋଇଥିଲେ ହେଁ ଏସବୁ ଉପନ୍ୟାସରେ ଇଂରେଜୀ ଶବ୍ଦର ପ୍ରୟୋଗ ଏକ ବିଶେଷ ତୃଟି । ବାଲିରାଜା ଉପନ୍ୟାସରେ ଟେବୁଲ, ପକେଟ୍, ଡିଗ୍ରୀ, ମାଇଲ୍ ଆଦି ବ୍ୟବହାର କରିବା ଔପନ୍ୟାସିକଙ୍କର ତ୍ରୁଟି । ପୁନଶ୍ଚ ଏହି ଉପନ୍ୟାସରେ ‘ମିଶିଯାଏ ଯଥା ଜୀବାତ୍ମା ବିଶ୍ୱଆତ୍ମା ଚରଣେ’ ରାଧାନାଥଙ୍କ କାବ୍ୟାଂଶ ବ୍ୟବହୃତ ହୋଇଛି । ଏହିପରି ପ୍ରାୟତଃ ଅଧକାଂଶ ଉପନ୍ୟାସରେ ତ୍ରୁଟି ଓ କାଳବିରୋଧ ଦୋଷକୁ ଆଲୋଚକ ଦର୍ଶାଇଛନ୍ତି । ଏହା ଭବିଷ୍ୟତ ଐତିହାସିକ ଔପନ୍ୟାସିକମାନଙ୍କ ପାଇଁ ସତର୍କବାଣୀ । ଐତିହାସିକ ଉପନ୍ୟାସ ବିଶ୍ଳେଷଣର ଶେଷତମ ସୋପାନ ଭାବେ ପ୍ରାନ୍ତ କଥନ ସଂଯୋଜିତ । ପ୍ରତ୍ୟେକଟି ଐତିହାସିକ ଉପନ୍ୟାସ କଥାବସ୍ତୁ, ଚରିତ୍ର ଚିତ୍ରଣ, ଐତିହାସିକତା ତଥା ତୁଟି ବିଚ୍ୟୁତିର ସୋପାନରେ ପରୀକ୍ଷିତ ହୋଇ ଶେଷରେ ଏହାର ସାଫଲ୍ୟ ବା ବୈଫଲ୍ୟ ନିର୍ଦ୍ଧାରିତ ହୋଇଛି ଏହି ପ୍ରାନ୍ତ କଥନୀରେ । ପ୍ରତ୍ୟେକଟି ଉପନ୍ୟାସ ସମ୍ପର୍କରେ ଏହା ଏକ ଉପସଂହାର ।

 

‘ଓଡ଼ିଆ ଐତିହାସିକ ଉପନ୍ୟାସ’ (୧୮୭୮-୧୯୭୮) ନିବନ୍ଧର ପରିସର ବ୍ୟାପକ । ଶହେ ବର୍ଷର ଓଡ଼ିଆ ଉପନ୍ୟାସ ମଧ୍ୟରୁ ଐତିହାସିକ ଉପନ୍ୟାସ ସଂଗ୍ରହ କରିବା ମଧ୍ୟ ଅତ୍ୟନ୍ତ କଷ୍ଟକର ପଦକ୍ଷେପ । ଓଡ଼ିଶାରେ ସଯତ୍ନବର୍ଦ୍ଧିତ ଗ୍ରନ୍ଥାଗାରର ଅଭାବଯୋଗୁଁ ବିଭିନ୍ନ ପୁରୁଣା ପୁସ୍ତକ ତଥା ପତ୍ରପତ୍ରିକା ସଂଗ୍ରହ ଏକ ଦୁରୂହ ବ୍ୟାପାର । ତଥାପି ଗବେଷକ ତାଙ୍କର ଏ ବିଶାଳ କାର୍ଯ୍ୟରେ ସଫଳ ହୋଇଛନ୍ତି । ପୁସ୍ତକ ପ୍ରାପ୍ତି ନିମନ୍ତେ ବିଭିନ୍ନ ଗ୍ରନ୍ଥାଗାର ବ୍ୟବହାର ସହିତ ବ୍ୟକ୍ତିଗତ ଭାବେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ପୁସ୍ତକ ସଂଗ୍ରହ ଅଭିଯାନ ତାଙ୍କର ସଫଳ ହୋଇଛି । କେବଳ ପୁସ୍ତକ ସଂଗ୍ରହ କରି ସେ ଏହି ନିବନ୍ଧରେ ତଥ୍ୟଗୁଡ଼ିକ ପ୍ରଦାନ କରିନାହାନ୍ତି ବରଂ ଉପନ୍ୟାସଗୁଡ଼ିକୁ ତନ୍ନ ତନ୍ନ କରି ବୈଜ୍ଞାନିକ ପ୍ରଣାଳୀରେ ବିଶ୍ଳେଷଣ କରିଛନ୍ତି । ପ୍ରତ୍ୟେକ ଉପନ୍ୟାସକୁ ଐତିହାସିକ ଉପନ୍ୟାସର ପାହାଚରେ ତା’ର ସ୍ଥାନ ନିରୂପଣ କରିବାରେ ସଫଳ ହୋଇଛନ୍ତି । ବାସ୍ତବିକ୍ ‘ଓଡ଼ିଆ ଐତିହାସିକ ଉପନ୍ୟାସ’ ଗ୍ରନ୍ଥ ଏକ ଅନବଦ୍ୟ ମୌଳିକ ଆଲୋଚନାତ୍ମକ ଗ୍ରନ୍ଥ, ଏହା ନିଃସନ୍ଦେହ । ସାହିତ୍ୟର ଛାତ୍ର-ଛାତ୍ରୀ, ଶିକ୍ଷକ ଏବଂ ଗବେଷକମାନଙ୍କୁ ଏହା ବହୁ ନିର୍ଭୁଲ ଉପାଦାନ ଯୋଗଇ ବେଶ୍ ଆଦୃତି ଲାଭ କରି ପାରିଛି । ସୁତରାଂ ଓଡ଼ିଆ ଐତିହାସିକ ଉପନ୍ୟାସ ଗ୍ରନ୍ଥ (ଯାହା ତାଙ୍କର ଗବେଷଣା ଲବ୍‍ଧ ସନ୍ଦର୍ଭ) ତ୍ୟକୁ ଓଡ଼ିଆ ଗବେଷଣାତ୍ମକ ସାହିତ୍ୟରେ ଅବିସ୍ମରଣୀୟ କରି ରବ, ଏଥିରେ ସନ୍ଦେହ ନାହିଁ ।

 

ୟୁ.ଜି. ସି. ରିସର୍ଚ୍ଚ ଫେଲୋ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ବିଶ୍ୱଭାରତୀ, ଶାନ୍ତିନିକେତନ, ପଶ୍ଚିମବଂଗ - ୭୩୧ ୨୩୫

***

 

ସିଂଭୂମିର ସାହିତ୍ୟ ଏବଂ ଲୋକସଂସ୍କୃତି

ବିନି ଷଡ଼ଙ୍ଗୀ

 

ଯେ କୌଣସି ଦେଶର ଜାତୀୟ ସଂସ୍କୃତି ସଂପଦକୁ କ୍ଷମତା ବା ଅର୍ଥ ଦେଇ ମାପି ହୁଏନି-। ତା’ର ମୂଲ୍ୟାଙ୍କନ କରାଯାଏ ସଂଗୀତ, କଳା, ନୃତ୍ୟ, ସାହିତ୍ୟ ଏବଂ ଚିତ୍ରକଳା ମାଧ୍ୟମରେ । ସେହି ଦୃଷ୍ଟିରୁ ଦେଲେ ସିଂଭୂମିର ସଂସ୍କୃତି ମୁଖ୍ୟତଃ ଆଦିବାସୀ ଏବଂ ଉତ୍କଳ ଦେଶର ସଂସ୍କୃତି ଦ୍ଵାରା ପ୍ରଭାବିତ । ଧଳରାଜାମାନଙ୍କର ଶାସିତ ଅଞ୍ଚଳ ଧଳଭୂମି ହେବା ଭଳି ସିଂହରାଜାମାନଙ୍କ ଦ୍ଵାରା ଶାସିତ ହେଉଥିବାରୁ ଏହାର ନାମ ସିଂଭୂମି ହେବାର ବିଶ୍ୱାସ କରାଯାଏ । ଏକ ମତବାଦ କହେ – ଆଦିବାସୀ ବିଶେଷ କରି ‘ହୋ’ମାନଙ୍କର ଇଷ୍ଟଦେବୀ ‘ସିଂହବୋଙ୍ଗା’ଙ୍କ ପାଇଁ ସିଂଭୂମି ନାମକରଣ କରାଯାଇଛି । ‘ହୋ’ମାନେ ସିଂଭୂମିର ମୂଳ ଅଧିବାସୀ ନ ଥିଲେ । ମୂଳ ଅଧିବାସୀ ହେଲେ ଭୂୟାଁ । ଏମାନଙ୍କର ମୁଖ୍ୟ ହାତରୁ କ୍ଷମତା ହସ୍ତାନ୍ତରିତ ହୋଇଥିଲା ରାଜାମାନଙ୍କ ହାତକୁ । କେବଳ କ୍ଷମତା ନୁହେଁ ଇଷ୍ଟଦେବୀ ‘ପାଭଡ଼ି ଦେବୀ’ଙ୍କୁ ମଧ୍ୟ ସେମାନେ ପାଇଥିଲେ । ଅନେକ ବର୍ଷ ପରେ କୋହ୍ଳମାନେ ସିଂଭୂମିକୁ ଆସିଥିଲେ । ସିଂଭୂମି ମୂଳତଃ ଏକ ଆଦିବାସୀ ବହୁଳ ଅଞ୍ଚଳ । କୋହ୍ମ, ସାନ୍ତାଳ, ଭୂମିଜ, ଗଣ୍ଡ, ଭୂୟାଁମାନେ ଏହାର ମୂଳ ଅଧିବାସୀ । ଯେଉଁ ଦୁଇଟି ମୁଖ୍ୟ ଜାତି ଏଠାରେ ବସବାସ କରନ୍ତି ସେମାନେ ହେଲେ କୋହ୍ଳ ଓ ସାନ୍ତାଳ । ଅଣଆଦିବାସୀମାନଙ୍କ ଭିତରେ ଓଡ଼ିଆମାନଙ୍କର ସଂଖ୍ୟା ଅଣଓଡ଼ିଆମାନଙ୍କଠାରୁ ବେଶୀ । ଭାଷା ଦୃଷ୍ଟିରୁ ଦେଲେ ସିଂଭୂମିର ସହର ଅଞ୍ଚଳର ଅଧିକାଂଶ ଲୋକ ହେଲେ ଉତ୍ତର ଭାରତୀୟ ହିନ୍ଦୀଭାଷୀ, ବଙ୍ଗଳାଭାଷୀ ଏବଂ ଉତ୍ତର ବିହାରୀ । କିନ୍ତୁ ଗାଁ ଗହଳିରେ ଅଧିକାଂଶ ଲୋକ ଓଡ଼ିଆ ଏବଂ ଆଦିବାସୀ ।

 

ଓଡ଼ିଆମାନଙ୍କର ଇଷ୍ଟଦେବ ପ୍ରଭୁ ଜଗନ୍ନାଥଙ୍କର ସଂସ୍କୃତି ଏକଦା ସୁବର୍ଣ୍ଣରେଖାର ଜନ୍ମସ୍ଥଳୀ ରାଞ୍ଚି ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା । ଏବେ ମଧ୍ୟ ରାଞ୍ଚିରେ ୪୦୦ ବର୍ଷର ପୁରୁଣା ଜଗନ୍ନାଥ ମନ୍ଦିର ରହିଛି ଏବଂ ସେଠାରେ ତିନି ଠାକୁର ପୂଜା ପାଉଛନ୍ତି ।

 

ସିଂଭୂମି ଅବିଭାଜିତ ବିହାରର ଅଂଶ ଥିଲା । ଗତ ୨୦୦୦ ମସିହା ନଭେମ୍ବର ୧୫ ତାରିଖରୁ ଏହା ନୂତନଭାବେ ଗଠିତ ଝାରଖଣ୍ଡ ପ୍ରଦେଶରେ ଅବସ୍ଥିତ । ଇତିହାସ କହେ ଏକଦା ଏହା ଉତ୍କଳର ଅଂଶ ଥିଲା । ସ୍କନ୍ଦ ପୁରାଣର ଉତ୍କଳଖଣ୍ଡର ଷଷ୍ଠ ଅଧାୟ ୨୭ ନଂ ଶ୍ଳୋକରେ ଏହା ପ୍ରମାଣିତ ହୋଇଛି । କାଳିଦାସଙ୍କର ରଚିତ “ରଘୁବଂଶ’ରେ ମଧ୍ୟ ବର୍ଣ୍ଣନା ଅଛି ଯେ ସିଂଭୂମି ଉତ୍କଳ ଦେଶର ଅଂଶବିଶେଷ ଥିଲା । ଶ୍ରୀ ଆର୍.ଡି. ବାନାର୍ଜୀଙ୍କର ‘ହିଷ୍ଟ୍ରି ଅଫ୍ ଓଡ଼ିଶା’ରେ ଧଳଭୂମି ଏବଂ ସିଂଭୂମି ଓଡ଼ିଶାର ଅନ୍ତର୍ଭୁକ୍ତ ବୋଲି ବର୍ଣ୍ଣନା ଅଛି । ଏହାକୁ ‘ଖିଞ୍ଜଳି’ କୁହାଯାଉଥିଲା ।

 

ସିଂଭୂମିର ସଂସ୍କୃତି ଓଡ଼ିଆ ସଂସ୍କୃତି ସହିତ ଓତପ୍ରୋତ ଭାବରେ ଜଡ଼ିତ । ଷଢ଼େଇକଳାର ଛଉନୃତ୍ୟ କେବଳ ଓଡ଼ିଶା ବା ଭାରତବର୍ଷରେ ନୁହେଁ ଭାରତବର୍ଷ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଛଉନୃତ୍ୟ ଓଡ଼ିଆମାନଙ୍କର ସମରନୃତ୍ୟ । ଏହି ନୃତ୍ୟ ସମୟରେ ଓଡ଼ିଶାରେ ପ୍ରଚଳିତ ବାଦ୍ୟ ବାଜିଥାଏ । ଯେଉଁ ଗୀତର ତାଳେ ତାଳେ ଶିଳ୍ପୀମାନେ ନୃତ୍ୟ କରନ୍ତି ତାହା କବିସୂର୍ଯ୍ୟଙ୍କର ରଚିତ ଗୀତ – “କି ହେଲାରେ ସଙ୍ଗାତ କହିତ ନୁହଇ ଭାରତୀରେ । କାଲି ଯା’ ଦୂରରୁ ଦେଖି କଳନା କଲା ମୋ ଆଖି କଳା ଇନ୍ଦିବର ଆରତିରେ ।” ଏହା ଛଡ଼ା ଆଉ ଏକ ନୃତ୍ୟ ହଂସ ନୃତ୍ୟ ନାମରେ ପ୍ରସିଦ୍ଧ । ଯାହାର ଗୀତ ମଧ୍ୟ କବିସୂର୍ଯ୍ୟଙ୍କ ଦ୍ୱାରା ଲିଖିତ – “ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁରେ, ଖରାପ ତୁ ହେଲୁରେ । ଏହାଛଡ଼ା ଗୋପାଳକୃଷ୍ଣଙ୍କର ଗୀତକୁ ନେଇ ମଧ୍ୟ ଛଉନୃତ୍ୟ ଅଭିନୀତ ହୁଏ – “କଦମ୍ବ ମୂଳେ ବଂଶୀ ବାଜିଲାରେ, ରାଧା ଦମ୍ଭ ଶିଖରୀ ଭାଜିଲାରେ” ।

 

ସିଂଭୂମିରେ ପିଲାଟିଏ ଜନ୍ମନେଲେ ତାର ଜନ୍ମ ଜାତକରେ ଗଜପତିଙ୍କର ଅଙ୍କ ଗଣନା ଲିପିବଦ୍ଧ ହୁଏ । ଏହା ଏକାନ୍ତ ଭାବରେ ଓଡ଼ିଆ ପରମ୍ପରା । ଓଡ଼ିଆମାନଙ୍କର ବ୍ରତ, ଉପବାସ ଯାହା ଅଧିକାଂଶ ଉତ୍କଳୀୟ ମାନନ୍ତି ଏବଂ ପାଳନ କରନ୍ତି ସିଂଭୂମିର ଘରେ ଘରେ ତାହା ପ୍ରଚଳିତ । ଯଥା – ପଣାସଂକ୍ରାନ୍ତି, ରଜ, ଶୀତଳଷଷ୍ଠୀ, ଦେବସ୍ନାନ ପୂର୍ଣ୍ଣିମା, ରଥାଯାତ୍ରା, ଚିତଉ ଅମାବାସ୍ୟା, ଗହ୍ମା ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା, କାଳୀପୂଜା, ପଞ୍ଚକ, ରାସ ପୂର୍ଣ୍ଣିମା, ମାଣବସା ଗୁରୁବାର, ସୁଦଶାବ୍ରତ, ମକର ସଂକ୍ରାନ୍ତି, ସମ୍ବର ଦଶମୀ ଇତ୍ୟାଦି ।

 

ସାହିତ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଆ ସାହିତ୍ୟ ଜଗତକୁ ସିଂଭୂମିର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ପୁରାଣ କାବ୍ୟ, ନାଟକ, ସଂଗୀତ, ଚଉଡିଆ, ଯାତ୍ରା ସୁଆଙ୍ଗ ଆଦି କ୍ଷେତ୍ରରେ ସିଂଭୂମିର ଦାନ ଉଲ୍ଲେଖନୀୟ । ସିଂଭୂମିର କବି - କବିଚନ୍ଦ୍ର କାଳିପ୍ରସନ୍ନ କବି ଏକାଧାରରେ ଜଣେ କବି, ଗୀତିକାର, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କର ସାରସ୍ୱତକୃତି - ‘ଅଶ୍ରୁଧାର’, ‘ବୈଜୟନ୍ତୀ’, ‘ଗୋଲାପ ମଞ୍ଜରୀ’ ଆଦି ରଚନା ସ୍ମରଣଯୋଗ୍ୟ । ତାଙ୍କରିପରି ଆଉ ଜଣେ କୃତୀ ସନ୍ତାନ ହେଲେ ଅସିତ କବି । ଜଣେ ସମାଲୋଚକ, ପ୍ରାବନ୍ଧିକ ଓ ଏକାଙ୍କିକା ଲେଖକ ଭାବରେ ସେ ବିଖ୍ୟାତ । ନାଟ୍ୟକାର ହିସାବରେ ଷଢ଼େଇକଳାର ବିଜୟ ପ୍ରତାପ ସିଂ ଦେଓ, ଶରତ ଆଚାର୍ଯ୍ୟଙ୍କ ନାମ ମଧ୍ୟ ଉଲ୍ଲେଖ ଯୋଗ୍ୟ । ଏହାଛଡ଼ା ସିଂଭୂମି କୃତି ସନ୍ତାନ ପଣ୍ଡିତ ଈଶ୍ୱର ଚନ୍ଦ୍ର ହୋତା, କାଳି ପ୍ରସନ୍ନ ଶତପଥୀ, ଈଶ୍ୱରଚନ୍ଦ୍ର ମହାପାତ୍ର, ରାଘବ ଚୌଧୁରୀଙ୍କର ରଚିତ ନାଟକ, ଗୀତିନାଟ୍ୟ ଅତି ଉଚ୍ଚକୋଟୀର । ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କର - ‘ସିଂଭୂମି ଓ ଓଡ଼ିଆ ଜାତିର ଇତିହାସ’, ତାରାପଦ ଷଡ଼ଙ୍ଗୀଙ୍କର ‘ସିଂଭୂମି’ ଏକ ଏକ ଐତିହାସିକ କୃତି’ । ଲକ୍ଷ୍ମୀଧର ନାୟକଙ୍କର ଗଳ୍ପ, ଉପନ୍ୟାସ ‘ସିଂଭୂମିର ଗୋପବନ୍ଧୁ’ ଏବଂ ପତ୍ରିକା ବିଚ୍ଛିନ୍ନା’ କବି ଦିଲୀପ ଷଡ଼ଙ୍ଗୀଙ୍କର ‘କଳ୍ପନା’, ନବ ନାୟକଙ୍କର ‘ସୀମାନ୍ତପ୍ରଭା’ ଓଡ଼ିଆ ପତ୍ରିକା ଜଗତକୁ ସିଂଭୂମିର ଐତିହାସିକ ଅବଦାନ । ତାରାପଦ ଷଡ଼ଙ୍ଗୀଙ୍କ ଦ୍ଵାରା ପ୍ରକାଶିତ ‘ଜନ୍ମଭୂମି’ ଓଡ଼ିଆ ଆନ୍ଦୋଳନର ବାର୍ତ୍ତାବହ ଥିଲା ।

 

ପଣ୍ଡିତ ବୈଦ୍ୟନାଥ ମିଶ୍ରଙ୍କର କବିତା ‘ମାନସୀ’ ଏବଂ ଅନ୍ୟାନ୍ୟ ଆଧ୍ୟାତ୍ମିକ ରଚନା ପାଇଁ ସେ ସ୍ମରଣଯୋଗ୍ୟ । ସେଥିପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା । ଆଧୁନିକ ସମୟରେ ଖରସୁଆଁର ଦିଲୀପ ପଟ୍ଟନାୟକ, ଷଢ଼େଇକଳାର ଅତନୁ କବି, ଜ୍ୟୋତିଲାଲ ସାହୁ, ଦେବଦାସ ଷଡ଼ଙ୍ଗୀ, ଦିଲୀପ ଷଡ଼ଙ୍ଗୀ, ଜଗଦୀଶ ମହାନ୍ତି, ବିଶ୍ୱଜିତ୍ ପାତ୍ରଙ୍କର ସାହିତ୍ୟ କୃତି ବିଶେଷ ଭାବରେ ସ୍ମରଣଯୋଗ୍ୟ ।

 

ଏହାଛଡ଼ା ଷଢ଼େଇକଳାର ନାଟ୍ୟକାର ହିସାବରେ ଆଦିତ୍ୟ ପ୍ରତାପ ସିଂଦେଓ, ସଂଗୀତକାର ଭାବରେ ମଧୁସୂଦନ ମହାନ୍ତି, ଦୟାନି ଭୋଳ, ରାଜକୁମାର ଶୁଭେନ୍ଦ୍ର ନାରାୟଣ ସିଂଦେଓ ପ୍ରଭୃତିଙ୍କୁ ଆଦରର ସହିତ ସ୍ମରଣ କରାଯାଇପାରେ । ସେ ମାଟିର ସନ୍ତାନ ଗଙ୍ଗାରାମ ସିଂହଙ୍କର ତୁଳସୀ ରାମାୟଣ, କବିଚନ୍ଦ୍ର ମହେଶ୍ୱର କବିଙ୍କର କୃଷ୍ଣଲୀଳା, ରାମଲୀଳା ଚଉପଦି, ରାଜା ରୁଦ୍ରପ୍ରତାପଙ୍କର କୁମାର ସମ୍ଭବ କାବ୍ୟ, ମହାରାଜା ଉଦିତ ନାରାୟଣ ସିଂଦେଓଙ୍କର ଭାଷା ରହସ୍ୟ, ବ୍ରହ୍ମାଣ୍ଡ ପୁରାଣ, ସଂଗୀତ ଚିନ୍ତାମଣି ସିଂଭୂମି ମାଟିରୁ ଓଡ଼ିଆ ସାହିତ୍ୟକୁ ଧାରାପ୍ରବାହ । ଧଳଭୂମି ରାଜପରିବାରର ଜଗନ୍ନାଥ ଧଳଙ୍କର ରଚିତ ‘ପ୍ରେମଲତା କାବ୍ୟ’ ଡ. ଖଗେଶ୍ୱର ମହାପାତ୍ରଙ୍କ ଦ୍ଵାରା ତାଳପତ୍ର ପୋଥିରୁ ଆବିଷ୍କୃତ ହୋଇ ବିଶ୍ୱଭାରତୀ ଦ୍ୱାରା ପ୍ରକାଶିତ ହୋଇଛି ।

 

ଖାଦ୍ୟ ଏବଂ ପୋଷାକରେ ମଧ୍ୟ ସିଂଭୂମିରେ ଓଡ଼ିଆ ସଂସ୍କୃତିର ଛାପ ସୃଷ୍ଟ ପରିଲକ୍ଷିତ ହୁଏ । ଖାଦ୍ୟରେ ମୁଢ଼ି, ପଖାଳ, ପିଠାରେ ଆରିସା, କାକରା, ଏଣ୍ଡୁରି, ଚିତଉ, ସରୁ ଚକୁଳି, ପୋଡ଼ପିଠା, ବଡ଼ି, ମୁଗବରା, ବିରିବରା, ପାନ, ଗୁଡ଼ାଖୁ ଆଦି ସିଂଭୂମିରେ ବହୁଳଭାବେ ବ୍ୟବହାର କରାଯାଏ । ସିଂଭୂମି ସ୍ତ୍ରୀଲୋକମାନେ ବହୁଳ ଭାବରେ ଓଡ଼ିଆମାନଙ୍କ ପରି ଶାଢ଼ି ପିନ୍ଧନ୍ତି ତଥା ତାଙ୍କର ମୁଣ୍ଡ ବାନ୍ଧିବାର କଳା ମଧ୍ୟ ଓଡ଼ିଆମାନଙ୍କ ପରି । ଅଳଙ୍କାର ମଧ୍ୟରେ ପାଉଁଜି, କଣ୍ଠିହାର, ଆମ୍ବକଷି ହାର, ଚମ୍ପାକଢ଼ୀ, ବାହୁବନ୍ଧ, ଚନ୍ଦ୍ରହାର, ମୁଦି, ଖୁଣ୍ଟିଆ ଯାହା ଓଡ଼ିଶାରେ ସ୍ତ୍ରୀଲୋକମାନେ ମୁଖ୍ୟତଃ ବ୍ୟବହାର କରନ୍ତି ତାହା ସିଂଭୂମିରେ ପ୍ରଚଳିତ ।

 

ସିଂଭୂମିରେ ପୂଜାପଦ୍ଧତି ତଥା କର୍ମକାଣ୍ଡ ଉତ୍କଳଦେଶର ପୂଜାପଦ୍ଧତି ଭଳି । ଗଦାଧର ପଦ୍ଧତିରେ ପୂଜା ତଥା ପୂଜା ଆରମ୍ଭରେ ସଙ୍କଳ୍ପ – “ଇହ ପୃଥିବ୍ୟାଂ ଜମ୍ବୁଦ୍ୱୀପେ, ଭାରତ ଖଣ୍ଡେ, ଭାରତବର୍ଷେ ଉତ୍କଳଦେଶେ ଗଙ୍ଗା, ବିରଜା ପୁରୁଷୋତ୍ତମ ମଧେ, ମେରୁର ଦକ୍ଷିଣାହଃ, ମହୋଦଧରୁତର ସୁବର୍ଣ୍ଣରେଖା ଖଡ଼କାଇ ନଦୀ ତୀରେ...’’ ଉଭୟ ସଂସ୍କୃତିର ସାମଞ୍ଜସ୍ୟର ସୂଚନା ଦିଏ ଏବଂ ଉଭୟ କ୍ଷେତ୍ରର ସମ୍ପର୍କର ନିଦର୍ଶନ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏଠାରେ ଘରେଘରେ ପୂଜା ପାନ୍ତି ତଥା ବିଭିନ୍ନ ଜାଗାରେ ଆଡ଼ମ୍ବର ସହିତ ପୁରୀ ରଥଯାତ୍ରା ଭଳି ରଥଯାତ୍ରା ପାଳିତ ହୁଏ ।

 

ଅତିବଡ଼ୀ ଜଗନ୍ନାଥ ଦାସଙ୍କର ରଚିତ ଭାଗବତ ଘରେ ଘରେ ପାଠ କରାଯାଏ । ବିହାରର ଡି.ପି.ଆଇ. ଦେବକୀ ନନ୍ଦନ ଗୋଟିଏ ବହି, ପ୍ରକାଶିତ କରିଥିଲେ ଯାହାର ନାଁ ହେଲା ‘କେଇଟି ଅକୁହା କଥା କେଇଟି ଉତଳା ଆଶା’ । ଏହି ପୁସ୍ତକଟି ଲୋକଗୀତର ଏକ ସଙ୍କଳନ ଯାହା ସ୍ପଷ୍ଟ ଭାବେ ସିଂଭୂମିରେ ଓଡ଼ିଆ ସଂସ୍କୃତି ବିଷୟରେ ସୂଚିତ କରେ, ସିଂଭୂମିର ଏକ ଲୋକପ୍ରିୟ ଲୋକକଥା ହେଲା – “ଖରସୁଆଁର ଯାତ୍ରାଘଟ ବ୍ରାହ୍ମଣୀ ଘାଟିର ପାଟ, କେରାର କାଳିକା ଘଟ ଷଢ଼େଇକେଳିଆ ନାଟ ।” ତେଣୁ ଏକ ମୁକ୍ତ କୁଣ୍ଠରେ କୁହାଯାଇପାରେ ଯେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତକୁ ସିଂଭୂମିର ଅବଦାନ କିଛି କମ୍ ନୁହେଁ ।

 

କର୍ମକାଣ୍ଡ ଦୃଷ୍ଟିରୁ ଦେଲେ, ମରିଯାଇଥିବା ବ୍ୟକ୍ତିର ୧୦ ଦିନର ଶ୍ରାଦ୍ଧ ସିଂଭୂମି ଓ ଓଡ଼ିଆ ମାନଙ୍କର ଘରେ ହିଁ ପାଳିତ ହୁଏ । କିନ୍ତୁ ବଙ୍ଗଳାରେ ଏହା ୩୧ ଦିନ ପାଳିତ ହୁଏ । ଏହାଛଡ଼ା ପଣସ ପତ୍ରରେ ପିଣ୍ଡବଢ଼ା ମଧ୍ୟ ଉଭୟ ସଂସ୍କୃତି ଓ ନିୟମର ଅନ୍ତର୍ଭୁକ୍ତ। କିନ୍ତୁ ବଙ୍ଗଳାରେ ଏହା କଦଳୀ ପତ୍ରରେ ଦିଆଯାଏ । ଏହାଛଡ଼ା ହିନ୍ଦୁ ଆଇନ୍‍ର ‘ମିତାକ୍ଷରା’ ନିୟମ ଅନୁସାରେ ଓଡ଼ିଆ ଏବଂ ସିଂଭୂମିରେ ଲୋକେ ପରିଚାଳିତ । କିନ୍ତୁ ବଙ୍ଗଳାରେ ଡାଏ ଭାଗ୍ ନିୟମ ଚଳେ ।

 

ଚାଳଘର ଯାହାକି ଓଡ଼ିଶାରେ (ଗାଁ ଗହଳିରେ) ବହୁଳ ଭାବେ ଦେଖାଯାଏ ତାହା ସିଂଭୂମିରେ ମଧ୍ୟ ଦେଖାଯାଏ । ଏହାଛଡ଼ା ପର୍ବପର୍ବାଣୀରେ ଦିଆଯାଉଥିବା ଝୁଣ୍ଟିର ଢଙ୍ଗ ଆଲପନା (ଯାହା ବଙ୍ଗଳାରେ ଦେଖାଯାଏ) ଠାରୁ ଭିନ୍ନ ।

 

ପୁରାତାତ୍ତ୍ୱିକ ଦୃଷ୍ଟିକୋଣରୁ ମଧ୍ୟ ସିଂଭୂମିର ଗୁହିୟାପାଳ ଓ ବେଣୀ ସାଗର (ମାଛ ଗାଁ ପାଖରେ ଅବସ୍ଥିତ)ର ସ୍ଥାପତ୍ୟ ଓ ମୂର୍ତ୍ତିକଳା ମୟୂରଭଞ୍ଜର ଖିଚିଂ ମନ୍ଦିର ପରି ବହଡ଼ାଗୋଡ଼ା ପାଖରେ ଥିବା ଶିବ ମନ୍ଦିର (ଚିତ୍ରେଶ୍ୱର)ରେ ଓଡ଼ିଆ ଲିପିରେ ଲେଖା ଶିଳାଲେଖ ଥିଲା ଯାହା ମନ୍ଦିରର ପୁନଃନିର୍ମାଣ ସମୟରେ ଧଳଭୂମି ରାଜ ପରିବାର ଦ୍ଵାରା ସଂରକ୍ଷିତ କରାଯାଇଥିଲା । ସିଂଭୂମିର ସବୁ ଅଞ୍ଚଳରୁ ଓଡ଼ିଆରେ ବହୁ ପ୍ରାଚୀନ ତାଳପତ୍ର ପୋଥି ଆବିଷ୍କୃତ ହୋଇଛି । ଅଥର୍ବ ବେଦର ‘ପିପଲ୍ଲାଦି’ ଶାଖାର ଓଡ଼ିଆରେ ଲେଖା ପ୍ରାଚୀନ ତାଳପତ୍ର ପୋଥିକୁ ସିଂଭୂମିର ଗୁହିଆପାଳରୁ ଆବିଷ୍କାର କରି କଲିକତା ସଂସ୍କୃତ କଲେଜର ଅଧ୍ୟାପକ ଦୁର୍ଗା ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ପ୍ରକାଶିତ କରିଥିଲେ ।

 

ପୋଡ଼ାହାଟ, ଧଳଭୂମି ଓ ଷଢ଼େଇକଳା ଖରସୁଆଁର ରାଜାମାନଙ୍କ ଜମିପଟା, ଗାଁ ପଟ୍ଟା ଓ ସରକାରୀ କାଗଜପତ୍ର ଆବହମାନ କାଳରୁ ଓଡ଼ିଆରେ ତାଳପତ୍ରରେ ଲେଖା ଯାଉଥିଲା । ବ୍ରିଟିଶ ଶାସନ ସମୟରେ ଯେତେବେଳେ ଧଳଭୂମିର ଜମିଦାରୀ ରେକର୍ଡରୁ ଓଡ଼ିଆକୁ ଉଠାଇ ଦିଆଗଲା । ତାପରେ ମଧ୍ୟ ୧୯୪୯ ମସିହାରେ ଜମିଦାରୀ ଉନ୍ମଳନ ପର୍ଯ୍ୟନ୍ତ ପ୍ରଥମ ରାଜସ୍ୱ ସଂଗ୍ରହକୁ ‘ସୁନିଆ ଦିନ ତାଳପତ୍ରରେ ଓଡ଼ିଆ ଭାଷାରେ ଲିପିବଦ୍ଧ କରିବାର ପରମ୍ପରା ପାଳିତ ହେଉଥିଲା ।

 

ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଯେ ସିଂଭୂମି ଖାଣ୍ଟି ଓଡ଼ିଆ ଅଞ୍ଚଳ ହେଲେ ମଧ୍ୟ ଏହାକୁ ଓଡ଼ିଶାରେ ରହିବା ପାଇଁ ଦିଆଗଲା ନାହିଁ । ଯାହା ଫଳରେ ଓଡ଼ିଆ ସଂସ୍କୃତିର ତୀବ୍ର ପତ୍ତନ ହେଉଛି । ଇଂରେଜ ଶାସନ କାଳରେ ଯାହା ସ୍ୱୀକାର କରାଯାଇଥିଲା, ସ୍ୱାଧୀନ ଭାରତରେ ତାକୁ ଅସ୍ୱୀକାର କରିବା ଏକ ବିଡ଼ମ୍ବନା । ୧୯୧୯ ଖ୍ରୀଷ୍ଟାବ୍ଦରେ ଛୋଟନାଗପୁରର କମିଶନର Mr. B. Foley, I.C.S ଏକ ରିପୋର୍ଟରେ ଲେଖିଥଲେ, ସିଂଭୂମିକୁ ଓଡ଼ିଶାକୁ ସ୍ଥାନାନ୍ତରିତ କରାଯିବା ଉଚିତ । ରାଜନୀତି ଆଜି ଏ ଖାଣ୍ଟି ଓଡ଼ିଆ ଅଞ୍ଚଳକୁ ଅଣଓଡ଼ିଆ କରିଦେଇଛି । ରାଜନୈତିକ ମିଶ୍ରଣ ତ ଅସମ୍ଭବ କିନ୍ତୁ ଭାଷା ଓ ସଂସ୍କୃତିର ରକ୍ଷା କିପରି ହେବ ତାହା ଚିନ୍ତା କରିବାର ବିଷୟ ।

 

 

ବହଡ଼ାଗୋଡ଼ା, ସିଂଭୂମି

ଝାରଖଣ୍ଡ

***

 

ଶୁଖୁଆଝୋଳରେ ସନ୍ତରଣ

ଅମିୟ ପାଣ୍ଡବ

 

ଆଜିଠୁ ଅନାଦି ମାଙ୍ଗେ ଅନଶନରେ ବସିଛନ୍ତି ଅନିର୍ଦ୍ଦିଷ୍ଟ କାଳ ପାଇଁ । ଅବସରପ୍ରାପ୍ତ ଶିକ୍ଷକ । ବୟସ ୭୦ ବର୍ଷ । ଯିଏ ଯେତେ ବୁଝାଇଲେ ବି କିଛି ଲାଭ ନାହିଁ । କାହା କଥା ଶୁଣିବାକୁ ସେ ପୁରା ନାରାଜ୍ । ସତ କହିଲେ ତାଙ୍କୁ ଓହରାଇ ଆଣିବାର ସାହସ ବା କାହାର ଅଛି ? ସହଜେ ତ ସ୍ୱଭାବରେ ଟିକେ ଟିଙ୍ଗା ଓ ଚିଡ଼ଚିଡ଼ା । ଆଗରୁ ଏପରି ନଥିଲେ ମ’ ବୟସ ବଢ଼ିବାରୁ ଏ ରୋଗଟା ଫୁଟିକି ବାହାରିଛି । କଥା କଥାକେ ଯୁକ୍ତି । କମ୍ପ୍ରମାଇଜ୍ ବା ସାଲିସ୍ କରିବା ତାଙ୍କ ଜାତକରେ ନାହିଁ । ଆଉଟ୍ ସ୍ପୋକନ୍ । ଷ୍ଟ୍ରେଟ୍ ଫରୱାର୍ଡ଼ । ଅନ୍ୟାୟ, ଅନୀତି ବା ଦୁର୍ନୀତିକୁ ଶୁଙ୍ଘି ସହିଯିବା ତାଙ୍କ ଦେଇ ଅସମ୍ଭବ । ମିଛ କହି ମିତ୍ରତା କରିବା ଅପେକ୍ଷା ସତ କହି ଶତ୍ରୁତା ଅର୍ଜିବା ବରଂ ଶହେ ଗୁଣରେ ଭଲ ବୋଲି ବଦ୍ଧମୂଳ ଭାବେ ବାନ୍ଧି ହୋଇଯାଇଛନ୍ତି । ଏଇଟା ତାଙ୍କ ଜୀବନ ଦର୍ଶନ ବୋଧହୁଏ । ବେଳେବେଳେ ସାମାନ୍ୟ ଛୋଟିଆ ଛୋଟିଆ କଥା ବା ଘଟଣାରେ ସେ ନିଜର ଧରାବନ୍ଧା ଆଭିମୁଖ୍ୟ ସକାଶେ ବହୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସିନା କିନ୍ତୁ ତହିଁରୁ ଓହରି ପାରିନାହାନ୍ତି । ସେ କେବେ ନରମି ଯିବାକୁ ଚାହିଁ ନାହାନ୍ତି, ବା ସେଦିଗରେ ଉଦ୍ୟମ କରି ନାହାନ୍ତି । ସେଇ ରୋକ୍‍ଠୋକ୍‍ପଣ ତାଙ୍କ ଆଭୂଷଣ ବି । ଖାସ୍ ସେଇ ଗୁଣ ପାଇଁ ତାଙ୍କର ବେଶ୍ କିଛି ପ୍ରଶଂସକ ବି ଅଛନ୍ତି । ବିଶେଷକରି ଏ ଅଞ୍ଚଳର ବୟସ୍କଲୋକଙ୍କ ପାଖରେ ତାଙ୍କର କାଟ୍‍ତି କାହିଁରେ କ’ଣ । ଅବୁଝା ରଜା କହୁଥିଲେ ବି ଅନେକ ପାଇଁ ୟେ ଜଣେ ଆଦର୍ଶ । ବିରଳ ବ୍ୟକ୍ତିତ୍ୱ । ଅବଶ୍ୟ ଆଜିକାଲିର ପିଲାଏ ବା ନୂଆପିଢ଼ିଙ୍କ ପାଇଁ ସେ ଜଣେ ବେକାରିଆ, ଅଲୋଡ଼ା ମଣିଷ, ଅଛିଣ୍ଡା ଗଣିତ, ଅବୋଧ୍ୟ ସାହିତ୍ୟ । ଜଣେ ଗର୍ବୀ ଅହଂକାରୀ ବଦ୍‌ରାଗୀ ବ୍ୟକ୍ତି ଭାବେ ହାଲ୍‌କା ଦୁର୍ନାମର ପସରା ମୁଣ୍ଡେଇ ଚାଲୁଥିବାବେଳେ ସେ ଆଦୌ ଥକି ପଡ଼ି ନାହାନ୍ତି । ଝୁଣ୍ଟିଛନ୍ତି ହେଲେ ପଥହୁଡ଼ି ନାହାନ୍ତି କି ଶପଥକୁ ଛାଡ଼ି ପାରିନାହାନ୍ତି । ଅନ୍ୟର ଉପକାର କରି ଅସୀମ ଆନନ୍ଦ ପାଉଥିବା ଅନାଦି ସାର୍ ସଦାସର୍ବଦା ସମସ୍ତ ସଂପ୍ରଦାୟର ଓ ସଂକୀର୍ଣ୍ଣତାର ଊର୍ଦ୍ଧ୍ଵରେ ସହଭାଗୀ ହେବାକୁ ଚେଷ୍ଟା କରିଥାଆନ୍ତି । ଏଇଟା ବି ତାଙ୍କର ଗୋଟେ ଭୀଷଣ ବୈଶିଷ୍ଟ୍ୟ । ଜୀବନର ସବାଶେଷ ସୋପାନରେ ପହଞ୍ଚିଥିବା ଲୋକଟା କିଛି ଗୋଟାଏ ରାତି ଅଧିଆ, ଆଖି ଦୃଶିଆ ପରିବର୍ତ୍ତନ ବା ଚମତ୍କାରିତା କିଏ ବା କାହିଁକି ଆଶା କରନ୍ତୁ ଯେ ? ସ୍ପଷ୍ଟ କଥା କାହା ମନରେ କଷ୍ଟ ବା ବ୍ୟଥା ଦେଲେ ତାଙ୍କର ଯାଏ କେତେ ଆସେ କେତେ ? ବିଭିନ୍ନ ପ୍ରଶ୍ନ ଓ ପ୍ରସଙ୍ଗରେ ସେ ସାଧାରଣ ମଣିଷର ସ୍ଵାର୍ଥ ସପକ୍ଷରେ ପକ୍ଷଭୁକ୍ତ ହେବା ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ଜିଦଖୋର ହୋଇ ପଡ଼ନ୍ତି । ନିଜର ଲାଭକ୍ଷତି ପ୍ରତି ନିଘା ହି ନଥାଏ । ସାଢ଼େ ଚାରି ଫୁଟିଆ ବାଙ୍ଗରା ମଣିଷ । ହେଲେ ସବୁ କଥାରେ ମୁଣ୍ଡ ପୁରେଇଦେବେ ଯେ, ତାଙ୍କ ତୁଣ୍ଡ ସାମ୍ନାରେ ଅନ୍ୟ ସମସ୍ତଙ୍କ ସମ୍ମିଳିତ ସ୍ଵର ବି ଆଣ୍ଠେଇ ପଡ଼ିବ । ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ କଥାଟି ଏଇଠି ବିଲକୁଲ ପ୍ରଭାବହୀନ ଜଣାପଡ଼େ । କାରଣ ପ୍ରତିଟି ପ୍ରସଙ୍ଗର ଢେଉ ସେଇ ବାଙ୍ଗରା ମଣିଷ ପାଖେ ଆସି ଆଉଜେ ।

 

ବହୁ ସମ୍ମାନ ଓ ସମ୍ବର୍ଦ୍ଧନାର ଅଧିକାରୀ । ଜଣେ ପ୍ରତିଷ୍ଠିତ ସ୍ଵର ଓ ପରିଚିତ ସ୍ୱାକ୍ଷର । ଅଞ୍ଚଳବାସୀ ତାଙ୍କୁ ପାଇ ଓ ନେଇ ଧନ୍ୟ ମଣନ୍ତି । ଗର୍ବ ଓ ଗୌରବର ପ୍ରୀତି ଉପହାର । ଶିକ୍ଷା ଓ ସର୍ବୋଟତା କ୍ଷେତ୍ରରେ ଗୋଟେ ସମର୍ପିତ ଅନନ୍ୟ ଜୀବନ । ଶିକ୍ଷା ପାଇଁ ତାଙ୍କ ଜୀବନବ୍ୟାପୀ ତ୍ୟାଗ ଓ ସାଧନା ସର୍ବତ୍ର ସ୍ଵୀକୃତ । ଶିକ୍ଷାର ପ୍ରଚାର ପ୍ରସାର ଓ ପ୍ରତିଷ୍ଠା ପାଇଁ ତାଙ୍କ ଅମୂଲ୍ୟ ଅବଦାନ, ସାମଗ୍ରିକ ସମ୍ପୃକ୍ତି, ସର୍ବଶ୍ରେଷ୍ଠ କୃତିତ୍ୱ ତଥା ଉତ୍କର୍ଷ ଏବଂ ଉତ୍ସର୍ଗ ପାଇଁ ତାଙ୍କୁ ମିଳି ପାରିଛି ରାଜ୍ୟପାଳ ପୁରସ୍କାର ।

 

ଭାବୁଥିଲେ ଆତ୍ମହତ୍ୟା କରିବାକୁ । ଆତ୍ମହତ୍ୟା ହିଁ ଅନଶନର ଏକମାତ୍ର ବିକଳ୍ପ ଥିଲା । ବଞ୍ଚି ଥାଉ ଥାଉ ହାରିଯିବା ଅପେକ୍ଷା ଜୀବନ ହାରି ଦେବାକୁ ମନସ୍ଥ କରୁକରୁ ପୁଣି ଚିନ୍ତାକଲେ ଲୋକେ କହିବେ କ’ଣ ? ତାଙ୍କ ପରି ଲୋକ ଯଦି ଏଇମିତି ଗୋଟେ ଝଟକାରେ ଭାଙ୍ଗି ପଡ଼ିବ, ଝଡ଼ିଯିବ, ଲୋକେ ଭାବିବେ କ’ଣ ? ତାଙ୍କ ଟାଣପଣ ରହିବ ତ ?

 

ବହୁ ଭାବିଚିନ୍ତି ଶେଷକୁ ନିଷ୍ପତ୍ତି ନେଲେ ଅନଶନରେ ବସିବେ । ମରିବେ ତ ନିଶ୍ଚୟ ଦିନେ ନା ଦିନେ । ହେଲେ କଳଙ୍କମୁକ୍ତ ହୋଇ ମରିବାକୁ ଚାହିଁଲେ । ସେହେତୁ ଅନଶନରେ ବସିଛନ୍ତି । ଖବରକାଗଜ, ଟିଭି ଚ୍ୟାନେଲ ସବୁଠି ତାଙ୍କ ଫଟୋ ଓ ସମ୍ବାଦ । ସମ୍ବାଦର ସମୁଦ୍ରରେ ଭିଡ଼ ଭିତର ମୁହଁ । ଅନେକ ଏହି ଅଭିନବ ଅନଶନକୁ ସହଜରେ ହଜମ୍ କରି ପାରୁନାହାନ୍ତି । କିଏ କିଏ ଉଦ୍ଭଟ ଓ ଅବାସ୍ତବ କହୁଛନ୍ତି ତ ଆଉ କିଏ ଶଳାବୁଢ଼ାଟା ଅତି ସତୀ ଦେଖେଇ ହଉଛି କହିଲେଣି । ଶସ୍ତା ଲୋକପ୍ରିୟତା ଅର୍ଜନର ମାଧ୍ୟମ ଓ ଉଦ୍ୟମ ବୋଲି ଅଭିଯୋଗ ଶୁଭୁଥିଲା। ବେଳେ ଏଇଟା ବୁଢ଼ାର ସଉକ୍ ବୋଲି ଖୋଦ୍ ଅନାଦି ସାରଙ୍କ ଅତିପ୍ରିୟ ନାତି ଅମିତ୍‍ର ମତ । ନ ହେଲେ ଏ ମୁଣ୍ଡଫଟା ଖରାରେ, ପରିଣତ ବୟସରେ ଏଭଳି ନାଟକ ବା ଫାର୍ସ କ’ଣ ଠିକ୍ ?

 

ଅନାଦି ମାଷ୍ଟ୍ରେ ଅତୀତରେ ଅପଦସ୍ତ ବି ହୋଇଛନ୍ତି । ଅପମାନିତ ହୋଇଛନ୍ତି । ନୂଆନୂଆ ଚାକିରୀ କଲାବେଳେ କଷ୍ଟ ସହିଛନ୍ତି । ରିସ୍କ ବି ନେଇଛନ୍ତି । ସେତେବେଳେ ଆଖପାଖରେ ସ୍କୁଲ ନ ଥିଲା । ପଢ଼ାପଢ଼ି ପ୍ରତି କାହାରି ସେମିତି କିଛି ବିଶେଷ ରୁଚି ବା ଆଗ୍ରହ ନ ଥିଲା । ଝିଅପିଲାଙ୍କ କଥା ଛାଡ଼ । ଅସମ୍ଭବ ବ୍ୟାପାର । ଘର ଘର ବୁଲି, ବାପ ମାଙ୍କୁ ବୁଝାଇ ସୁଝାଇ, ପିଲାଙ୍କୁ ବିଭିନ୍ନ ଆଳରେ ମଙ୍ଗାଇ ବା ମନାଇ ଡାକିହାକି ଆଣିବାକୁ ପଡ଼ିଛି । ଦରମା କଥା ପଛେ । ଆଗେ ହେଲା ପଢ଼ାଇବାର ମୋହ । ଶିକ୍ଷାଦାନର ଦୀକ୍ଷା ସେତେବେଳେ ଏକ ମହାନ୍ ଓ ପବିତ୍ର ବ୍ରତ ଥିଲା । ସହଜ ନ ଥିଲା । ଗୋଟେ ଚ୍ୟାଲେଞ୍ଜ । ଆଉ ଅନାଦି ମାଷ୍ଟ୍ରେ ହାରିବା ମେଟ୍ରିଆଲ ନ ଥିଲେ । ସେତେବେଳେ ପୁଣି ଯୌବନ । ଜିଦିଆ ଯୁବକ । ପିଲାଙ୍କୁ ଆଦର ଯେତିକି ଆକଟ ସେତିକି । ବିଶୃଙ୍ଖଳା ଦେଖିବା ମାତ୍ରେ ବିରକ୍ତ ହୋଇପଡ଼ୁଥିଲେ । ପିଲା ବଦମାସି କଲେ ବୁଝାଉଥିଲେ । ପାଠୁଆ ପିଲାଙ୍କ ପ୍ରତି ଅହେତୁକ ଦୁର୍ବଳତା । ପରୀକ୍ଷାରେ ଭଲ କଲେ ମୁଣ୍ଡରେ ବସାଉଥଲେ । ହେଲେ ଅସଦାଚରଣ ବା ଅଭଦ୍ରାମୀ ଦେଲେ ରାଗି ଲଙ୍କା ପରି ଲାଲ୍ । ବେଧୁଆମୀ ଆଉ ବଦମାସୀକୁ ବରଦାସ୍ତ କରି ନ ପାରି, ଲଗାମଛଡ଼ା, ବେମୁରବୀ ପିଲାଙ୍କୁ ସାଇଜ୍ କରିବାର ମନ୍ତ୍ର ତାଙ୍କୁ ମାଲୁମ୍ ଥିଲା । ଶେଷ ଅସ୍ତ୍ର ପ୍ରୟୋଗ କରି ସେ ଅଡ଼ୁଆରେ ପଡ଼ିଛନ୍ତି । ପିଲାଙ୍କ ପ୍ରରୋଚନାରେ ପଡ଼ି ବାପମା'ମାନେ ତାଙ୍କ ବିରୁଦ୍ଧରେ ବିଶୋଦ୍‌ଗାର କରିଛନ୍ତି । ସ୍କୁଲରେ ତାଲା ଝୁଲାଇ ଦେଇଛନ୍ତି । ମାଷ୍ଟ୍ରଙ୍କ ବଦଳି ହୋଇଯାଇଛି । ପୁଣି ସେଇ ଲୋକମାନେ ନିଜ ଭୁଲ ବୁଝିପାରି ପଶ୍ଚାତାପ କରିଛନ୍ତି । ସେଇ ସ୍କୁଲକୁ ଫେରାଇ ଆଣିବାକୁ କର୍ତ୍ତୃପକ୍ଷଙ୍କଠି ଦାବୀ କରିଛନ୍ତି-। ସମ୍ପର୍କ, ସମ୍ମାନ ଓ ସହାନୁଭୂତିର ସେତୁ ସୁଦୃଢ଼ ହୋଇଛି ।

 

ଅନାଦି ସାର୍‍ଙ୍କ ଛାଟ ପିଠିରେ ନ ବାଜିଲେ ପିଲାଙ୍କ ପାଠ ହେବନି ବୋଲି ଲୋକେ ଧରି ନେଇଛନ୍ତି । ତାଙ୍କ ପାହାର ହିଁ ଜୀବନର ଗତିପଥ ବଦଳାଇ ଦେଇଥାଏ । ଭଲ ମଣିଷଟିଏ ହେବାର ମୂଳଦୁଆ ପକାଏ । ସେ ଦୃଷ୍ଟିରୁ ସାର୍ ଏ ଯାଏ ଅଦ୍ୱିତୀୟ । ଅପ୍ରତିଦ୍ୱନ୍ଦୀ । ତାଙ୍କ ଖ୍ୟାତି ଓ ଖାତିର୍ ଆଜିବି ଅତୁଟ । ସାର୍‍ ତାଙ୍କ ଜୀବନକାଳ ମଧ୍ୟରେ କେବେ ପାଠପଢ଼ାରେ ନାଗା ବା ହେଳା କରିଥିବାର ନଜିର ନାହିଁ । ଶ୍ରମ ଓ ସମୟାନୁବର୍ତ୍ତିତା ସେଇଠ ଆରମ୍ଭ ସେଇଠି ଶେଷ । ଏପିରିକି ଛୁଟି ନେଇ ଗୁଲିଖଟି କରିବା କେହି କେବେ ଦେଖିନାହିଁ ।

 

ଅନାଦି ମାଷ୍ଟ୍ରେ ଅବସର ନେବା ପରେ ଗ୍ରାମବାସୀଙ୍କ ଅନୁରୋଧକୁ ଏଡ଼ାଇ ପାରିନାହାନ୍ତି-। ଦୁଇ ଦୁଇଥର ସରପଞ୍ଚ ହୋଇଛନ୍ତି । ବିନା ପ୍ରତିଦ୍ୱନ୍ଦିତାରେ । ଅନକଣ୍ଟେଷ୍ଟେଡ଼ । ଖୁବ ସ୍ୱାଭିମାନୀ ସେ । ମଧୁବାବୁ ତାଙ୍କ ଆଦର୍ଶ । ନିଜ ପୁଅକୁ ମଧୁବାବୁଙ୍କ ପରି ଓକିଲ କରିବାକୁ ଚାହିଥିଲେ । ଲାଗିପାତି କରାଇ ମଧ୍ୟ ପାରିଛନ୍ତି । ପୁଅର ଇଚ୍ଛା ନ ଥିଲା । ରାଣ ନିୟମ ଖୁଆଇ ତାକୁ ଭଲ ଓକିଲ ହେବାକୁ ପ୍ରବର୍ତ୍ତାଇଲେ । ଯା, ହେଉ ସାର୍ ଲକ୍ଷ୍ୟରେ ସଫଳ ହୋଇଛନ୍ତି । ବେଶ୍ ନାଁ କମାଇଛି ପୁଅଟି ଏଇ ପେଶାରେ । ଖୁବ୍ ଖାତିର୍ । ବାପର ନାଁ ରଖିଛି । ନାମ୍‍ଜାଦା ଓକିଲ ଭାବେ ତାର ପ୍ରତିଷ୍ଠା କିଛି କମ୍ ନୁହେଁ । ବାପାଙ୍କଠାରୁ ପାଇଥିବା ମୂଲ୍ୟବୋଧର ମନ୍ତ୍ର ତା ଜୀବନରେ କାମ ଦେଇଛି । ବାପାଙ୍କ ବ୍ୟକ୍ତିତ୍ୱ ତାକୁ ସହାୟକ ମଧ୍ୟ ହୋଇଛି ପ୍ରତିଷ୍ଠା ହାସଲ କରିବାରେ । ବାର୍ ଆସୋସିଏସନ୍‌ର ଦୁଇ ଦୁଇଥର ସଭାପତି ମଧ୍ୟ ହୋଇପାରିଛି, ସର୍ବସମ୍ମତି ବଳରେ ।

 

ମାଷ୍ଟ୍ରେଙ୍କ ଗୋଟାଏ ବୋଲି ନାତି । ନାତିକୁ ବୁଢ଼ାର ଅସୁମାରୀ ଅଙ୍କକଷା । ଆଖିରେ ଆଖିଏ ସ୍ଵପ୍ନ । ପିଲାଦିନୁ ତାକୁ ଖୁବ୍ ସ୍ନେହ ଶ୍ରଦ୍ଧା ଓ ଆଦର କରିଛନ୍ତି ଅନାଦି ମାଷ୍ଟ୍ରେ । ବୟସର ବାଡ଼ବତା ଓ ବାରଣକୁ ଭୁଲି ଯାଇଛନ୍ତି ତା ସହ ଖେଳିବା ବେଳେ । ଶେଷ ସମ୍ବଳ ରୂପେ ସାଇତା ସନ୍ତକ ଦ୍ଵାରା ଯେତେବେଳେ ଯାହା ମାଗିଛି, ଚାହିଁଛି ବା ଅଳି କରିଛି ନାତି, ଗାଳି ନ ଦେଇ ସବୁ ଯୋଗାଇବାକୁ ସେ ଚେଷ୍ଟା କରିଛନ୍ତି ପ୍ରାଣପଣେ । ତା ବାପ ବି ଜାଣି ପାରିନି ।

 

ଖୁବ ଛୋଟବେଳୁ ନାତିକୁ ନିଜ ଆଦର୍ଶରେ ଗଢ଼ି ତୋଳିବାକୁ ପ୍ରୟାସ କରିଛନ୍ତି । ପୁଅର ଉଦାହରଣ ଦେଇଛନ୍ତି । ବଡ଼ ଲୋକଙ୍କ ଜୀବନୀ, ମହାପୁରୁଷମାନଙ୍କ ତ୍ୟାଗ, ଆତ୍ମୋତ୍ସର୍ଗ, ଦେଶପ୍ରେମ, ସାଧୁତା, ସଚ୍ଚୋଟତା ଓ ସଂଗ୍ରାମର କାହାଣୀ ସବୁ ଶୁଣାଇଛନ୍ତି ଗୋଟିଗୋଟି କରି । ଭଲ ମଣିଷ ହେବାକୁ, ଦୟାବାନ୍, ପରୋପକାରୀ, ଦରଦୀ, ନିଃସ୍ୱାର୍ଥପର ହେବାକୁ ପ୍ରବର୍ତ୍ତାଇଛନ୍ତି । ଗୀତ ଗାଇଛନ୍ତି । ନାତି ବଡ଼ ହେଲେ କଲେକ୍ଟର ବା ହାକିମ ହେବ । ଏତିକି ତାଙ୍କ ଶେଷ ଇଚ୍ଛା । ନିଶ୍ଚୟ ତାଙ୍କ ସ୍ୱପ୍ନ ସାର୍ଥକ ହେବ ବୋଲି ସେ ଦୃଢ଼ ଆଶାବାଦୀ । ସେ ଭରସା ତାଙ୍କର ରହିଛି । ମାଟ୍ରିକ୍ ପରୀକ୍ଷାରେ କମ୍ ନମ୍ବର ରଖ୍ ନାତି ସେକେଣ୍ଡ କ୍ଲାସରେ ପାସ୍ କରିବା ଦେଖି ମଧ୍ୟ ସେ ଦବି ଯାଇ ନାହାନ୍ତି । ତଥାପି ତାଙ୍କ ସ୍ୱପ୍ନ ଅକ୍ଷୁର୍ଣ୍ଣ ରହିଛି ।

 

କଲେଜ ନିର୍ବାଚନରେ ଏ ବର୍ଷ ପ୍ରେସିଡେଣ୍ଟ ହୋଇଛି । ମାଷ୍ଟ୍ରେ ଭାରି ଆନନ୍ଦିତ । ଯା ହେଉ ନାତି ସଫଳତାର ଶିଡ଼ିରେ ସତର୍କତାର ସହ ଆଗକୁ ଉଠୁଛି । ହେଲେ ଏ କ’ଣ ? ଖବର ପାଇବା ପରେ ଅନାଦି ମାଷ୍ଟ୍ରଙ୍କ ବାଲାନସଫେଲ୍ ହୋଇଗଲା ପରି ଜଣା ପଡ଼ୁଛି । ସେ କାହାସହ କଥାବାର୍ତ୍ତା ହେଉ ନାହାନ୍ତି । ତାଙ୍କ ରକ୍ତଚାପ ବୃଦ୍ଧି ପାଇଛି । ମୁଣ୍ଡ ପୁରାଇଛି । ତଳେ ପଡ଼ି ଯାଇଛନ୍ତି-। ପରୀକ୍ଷାରେ କପି କରୁଥିବା ଅବସ୍ଥାରେ ଧରାପଡ଼ିବାରୁ ନାତି ଅମିତ୍ ସ୍କ୍ୱାର୍ଡରେ ଆସିଥିବା ଅଧ୍ୟାପକମାନଙ୍କ ସହ ଗଣ୍ଡଗୋଳ କରିଛି । ତାଙ୍କୁ ମାଡ଼ ମାରି ଜଣଙ୍କ ମୁହଁ ଓ ମୁଣ୍ଡ ଫଟାଇ ଦେଇଛି-। କପି ନିରୀକ୍ଷକ ସ୍ଵତନ୍ତ୍ର ଦଳ ତାକୁ ଏମ୍.ପି କରିଛନ୍ତି ଓ କପି କରିବା ତଥା ନିରୀକ୍ଷକ ଦଳକୁ ଆକ୍ରମଣ କରିବା ଅଭିଯୋଗରେ ପୋଲିସ୍ ତାକୁ ଗିରଫ କରିଛି । କପି କରିବା ସାମ୍ବିଧାନିକ ଅଧିକାର ବୋଲି ଚିତ୍କାର କରି ତାହା ସାବ୍ୟସ୍ତ କରିବାରୁ ତାକୁ କେହି ବଞ୍ଚିତ କରିବାର ଉଦ୍ୟମ କଲେ ଫଳାଫଳ ଭୟାବହ ହେବ ବୋଲି ଧମକ ଦେଇଛି । କପିକୁ ନେଇ ସମଗ୍ର କଲେଜ କମ୍ପମାନ ହୋଇ ଉଠିଛି । ପୁଅର କପି କାରନାମା ଓ ଗିରଫ ଖବର ପାଇ ସହରର ନାମଜାଦା ଓକିଲ ତାକୁ ଏକ ପ୍ରେଷ୍ଟିଜ୍ ଇସ୍ୟୁ ଭାବି, ମୁକୁଳାଇବାକୁ ବେଲ୍ କାଗଜପତ୍ର ଧରି ଥାନାକୁ ଯାଇଛନ୍ତି-। ଆଉ ଅନାଦି ମାଷ୍ଟ୍ରେ ଆଁଟାକରି ଉପରକୁ ଅନାଇଛନ୍ତି । ଯଦିଓ ତାଙ୍କ ମୁଣ୍ଡ ତଳକୁ ଭିଡ଼ି ହୋଇଯାଉଛି ।

 

ଜୀବନ ଯାକର ତପସ୍ୟା ଶୁଖୁଆ ଝୋଳରେ ଗଲା । ଆଉ ଏ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପରିଚୟ ଦରକାର ନାହିଁ । ଅନ୍ତତଃ ଏହାର ସମ୍ମାନରେ କଳଙ୍କ ନ ଲାଗୁ । ସେଇତକ ଫେରାଇ ନେବାକୁ ସେ ମହାମହିମ ରାଜ୍ୟପାଳଙ୍କୁ ଅନୁରୋଧ କରି ଅନଶନରେ ବସିଛନ୍ତି । ରାଜଭବନ ସାମ୍ନାରେ ଥିବା ବୁଢ଼ା ବରଗଛ ତଳେ । ତା’ ଦୁର୍ବଳ ଜରାଜୀର୍ଣ୍ଣ ଛାଇକୁ ଆଶ୍ରୟ କରି । ଦୁଇଦିନ ପରେ ହଠାତ୍ ପଡ଼ୋଶୀ ରାଜ୍ୟର ରାଜ୍ୟପାଳଙ୍କ ଆକସ୍ମିକ ବିୟୋଗରେ ଆମ ରାଜ୍ୟପାଳଙ୍କୁ ସେଠାରେ ଅସ୍ଥାୟୀ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି । ନୂଆକରି ଶପଥ ନେଇଥିବା ରାଜ୍ୟପାଳଙ୍କ ଦାୟିତ୍ୱ ବଢ଼ିଯାଇଛି । ଅନାଦି ମାଷ୍ଟ୍ରଙ୍କ ଆବେଦନ ରିଗ୍ରେଟ୍ ହୋଇଯାଇଛି-। ଥରେ ରିଗ୍ରେଟ୍ ହେଲେ, ରାଜଭବନର ପ୍ରୋଟୋକଲ ଯାହା ସେଥିରେ ତାଙ୍କ କଥା ଶୁଣିବାକୁ ସ୍ୟିଡୁଲରେ ସ୍ଥାନ ମିଳିବା ଅସମ୍ଭବ ପ୍ରାୟ । ଅନାଦି ମାଷ୍ଟ୍ରେ ହତାସ୍ ହୋଇନାହାନ୍ତି । ଅସହ୍ୟ ଗୁଳୁଗୁଳି ଓ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅସୁସ୍ଥ ହୋଇପଡ଼ିଛନ୍ତି ଅନାଦି ମାଷ୍ଟ୍ରେ । ସିଟି ହସ୍‌ପିଟାଲ ଲୋକାରଣ୍ୟ ହୋଇ ପଡ଼ିଛି ଦୁଃସମ୍ବାଦ ବ୍ୟାପିଯିବା ପରେ । ମିଡ଼ିଆ ବାଲାଙ୍କ ସୂତ୍ରରୁ ଜଣା ପଡ଼ିଲା ଯେ ଶବ ସହିତ ଆସିଛି ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କ ସ୍ଵାକ୍ଷର ମୁଦ୍ରିତ ପତ୍ରିଟିଏ ଯେଉଁଥିରେ ଲେଖାଅଛି, “ୱି ଆର୍ ଏକସଟ୍ରିମ୍‍ଲି ସରି ।’’

 

କଳସପୁର, ଆଳି, କେନ୍ଦ୍ରାପଡ଼ା

***

 

ପେରୁର କବିତା

ଅମରେନ୍ଦ୍ର ଖଟୁଆ

 

ଉପୋଦ୍‌ଘାତ

ବିଦେଶୀ ସାହିତ୍ୟ ବୋଇଲେ ସାଧାରଣତଃ ଆମେ ଇଂରାଜୀ ଭାଷାର ସାହିତ୍ୟକୁ ହିଁ ବୁଝିଥାଉଁ । ନଚେତ୍ ଇଂରାଜୀରେ ଅନୁଦିତ ହୋଇଥିବା ଫରାସୀ, ଇଟାଲୀୟ, ଜର୍ମାନ ବା ରୁଷୀୟ ସାହିତ୍ୟ ହିଁ ଆମ ନିକଟରେ ବିଦେଶୀ ସାହିତ୍ୟର ପ୍ରତିନିଧତ୍ୱ କରେ । ମାତ୍ର ଏ ସବୁ ଭାଷା ବାହାରେ ବି ଏକ ବ୍ୟାପକ ସାହିତ୍ୟ ବିରାଜମାନ ସେ ସମ୍ପର୍କରେ ଆମର ଧାରଣା ବିଶେଷ ନାହିଁ । ଆମ ପଡ଼ୋଶୀ ଚୀନ୍ ଭାଷା, ଇରାନୀ ଓ ଆରବୀ ତଥା ଆଫ୍ରିକୀୟ ଭାଷା ସାହିତ୍ୟ ସମ୍ପର୍କରେ ଆମର ପରିଚୟ ଏ ଯାଏଁ ହୋଇନି । କାରଣ ଗୋରାମାନଙ୍କ ଭାଷା ବ୍ୟତୀତ ଅନ୍ୟ ଭାଷାକୁ ଗୋରାମାନେ ଖୁବ୍ କମ୍ ଅନୁବାଦ କରିଥାନ୍ତି ବା ପଢ଼ିଥାନ୍ତି । ବିଶ୍ଵାସ କରନ୍ତୁ ଭାରତୀୟ ଭାଷାମାନଙ୍କ ସମ୍ପର୍କରେ ୟୁରୋପୀୟ ଓ ଆମେରିକୀୟମାନେ ସେତିକି ଜାଣନ୍ତି ଯେତିକି ଆମେ ଚୀନ୍ ବା ଆରବୀ ଭାଷା ସମ୍ପର୍କରେ ଜାଣୁ ।

 

କବି ଅମରେନ୍ଦ୍ର ଖଟୁଆ ଭାରତ ସରକାରଙ୍କ ବିଦେଶ ସେବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏବଂ ସେ କେତେକ ଦକ୍ଷିଣ ଆମେରିକୀୟ ଦେଶମାନଙ୍କରେ ଭାରତର ଉପରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି । ଦକ୍ଷିଣ ଆମେରିକା ମହାଦେଶର ପେରୁ ଏକ ଛୋଟିଆ ଗରିବଦେଶ ଏବଂ ଆଜି ବି ଆମେରିକୀୟ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଘର୍ଷରତ । ସେଇ ଛୋଟିଆ ଗରିବ ଦେଶର ସାହିତ୍ୟ, ବିଶେଷ କରି ତାର କବିତା ଅତି ସମୃଦ୍ଧ । ସେହି ସମୃଦ୍ଧ କବିତାରୁ କିଛି ‘କୋଣାର୍କ’ ମାଧ୍ୟମରେ କବି ଖଟୁଆ ଓଡ଼ିଆ ପାଠକମାନଙ୍କ ନିମନ୍ତେ ଅନୁବାଦ କରିଛନ୍ତି ।

 

କବିତାଗୁଡ଼ିକ ଆପଣଙ୍କ ହୃଦୟକୁ ନିଶ୍ଚୟ ସ୍ପର୍ଶ କରିବ । ଏ ବିଶ୍ୱାସ ଆମର ରହିଛି ।

 

ସମ୍ପାଦକ- ‘କୋଣାର୍କ

କବିତା ସମ୍ପର୍କରେ

ପୃଥିବୀରେ ସବୁଠାରୁ ବେଶୀ ଦେଶରେ ପ୍ରଚଳିତ ଭାଷା ସ୍ପାନିଶ୍ । ସ୍ପେନ୍ ଛଡ଼ା, ଲାଟିନ୍ ଆମେରିକାର ପ୍ରାୟ ସବୁ ଦେଶରେ (ବ୍ରାଜିଲକୁ ଛାଡ଼ି) ଫିଲିପାଇନ୍‌ସ୍‍ରେ, ଜିବ୍ରାଲଟରରେ ଓ ମରୋକୋର କିଛି ଭାଗରେ ସ୍ପାନିଶ୍ ହିଁ ମୁଖ୍ୟ ଭାଷା । ଆମ ଓଡ଼ିଆ ଭାଷା ଭଳି, ସ୍ପାନିଶ୍ କବିତାର ସାମ୍ରାଜ୍ୟ, ପରମ୍ପରା ଓ ବିସ୍ତୁତି ଶେଷହୀନ ଓ ଗହନ ।

 

ପ୍ରତିଟି ସ୍ପାନିଶ୍ ଭାଷାଭାଷୀ ଦେଶର ସାହିତ୍ୟ ପରମ୍ପରା ସ୍ୱୀକୃତ, ପୃଥକ ଓ ପରିଚିତ । ଅନୁବାଦ ମାଧ୍ୟମରେ ଆମକୁ ଗଦଗଦ କରେ ସ୍ପାନିଶ୍ କବିଙ୍କ ଯାଦୁ । ଯେମିତି ପାଜ୍ (ମେକସିକୋ), ନେରୁଦା (ଚିଲି), ଭାୟେଖୋ (ପେରୁ), ଦାରିଓ (ନିକାରାଗୁଆ) । ଉତ୍ତର-ଆଧୁନିକତାର ସମୃଦ୍ଧ କାବ୍ୟିକ ଦିଗନ୍ତକୁ ଅନେକ ଅବଦାନ ଦିଅନ୍ତି ଏଇ ସବୁ ଦେଶର ସମକାଳୀନ କବିମାନେ ।

 

ପେରୁ ଛୋଟିଆ ଦେଶଟିଏ । ଜନସଂଖ୍ୟା ଓଡ଼ିଶାଠୁ କମ୍ । ପାହାଡ଼ ପର୍ବତ ଭର୍ତ୍ତି ଦାରିଦ୍ର୍ୟ ଓ ବାମପନ୍ଥୀ ଗରିଲାମାନଙ୍କ ବିଦ୍ରୋହର କ୍ରାନ୍ତିକାରୀ ଜନତାର ଦେଶ । କବିତା ବହିରୁ ଲାଭ ଖୁବ୍ କମ୍ ମିଳେ, କିନ୍ତୁ ପ୍ରକାଶ ପାଏ ପ୍ରତିବର୍ଷ ହଜାରରୁ ଅଧିକ ସଙ୍କଳନ । ପେରୁର କବିତା ବହି ସ୍ପେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ମେକସିକୋରେ ମଧ୍ୟ ବହୁଳ ପ୍ରକାଶିତ । କବିତାର ପରମ୍ପରା ସମୃଦ୍ଧ ଓ ଶାଣିତ; ବିଦ୍ରୋହର ଭାଷାରେ, ନିଜର ଆଦିବାସୀ ଜୀବନରେ ହଜିଯାଇଥିବା ସରଳପଣ ଓ ଆଜିକାଲିର ସହରୀ ସଭ୍ୟତାର ଅନୁପ୍ରବେଶ ଉପରେ ଓ ଲାଟିନ ଆମେରିକୀୟ ରହସ୍ୟବାଦରେ ନିଜକୁ ଖୋଜୁଥିବାରେ, ଆର୍ନ୍ତଜାତିକ ସାରସ୍ୱତ କ୍ଷେତ୍ରରେ ପରିଚିତ କବିସବୁ ହେଲେ ସେଜାର ଭାୟୋଖୋ, ଏମିଲିଓ ଆଡୋଲଫୋ ୱେଷ୍ଟଫାଲେନ୍, ଭାଲେରା, ବେଣ୍ଡଜୁ ଓ ସିସନେରୋସ୍ ।

 

କେତେଜଣ ଜଣାଶୁଣା ସମକାଳୀନ କବିଙ୍କ କବିତାଂଶର ଅନୁବାଦ ମାଧ୍ୟମରେ ପେରୁର କବିତାକୁ ପାଠକଙ୍କ ସାମ୍ନାରେ ପରିବେଷିତ କରାଯାଉଛି ।

 

* ଖାଭିଏର ହେରଡ୍ (୧୯୪୨-୧୯୬୩)

ଗରିଲା ବିଦ୍ରୋହରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ୧୯୬୩ରେ ଆମାଜନ୍‌ ନଈରେ ଜଳସମାଧିରେ ଶେଷହୁଏ ଏଇ କାବ୍ୟିକ ପରମ୍ପରା । ତିନୋଟି କବିତା ସଙ୍କଳନ ପ୍ରକାଶିତ – ନଈ (୧୯୬୦) ଯାତ୍ରା (୧୯୬୧) ଓ ପୁଣି ଭେଟିବାର ସ୍ଥାନ (୧୯୬୧)

 

ବାର୍ଷିକ ବିବରଣୀ

ମରିବା ଭୟ ଜମା ନଥିଲା ।

ଗଛଭଳି ଲଗେଇ ପାରିଲିନି

ପ୍ରେମକୁ, କେବେନା କେବେ

ଜମିରୁ ଉଠେଇ ନେଇଥାନ୍ତି ।

ପଡ଼ିଥିବା ଫଳକୁ ।

ମରିବି ତ ନିଶ୍ଚୟ ଦିନେ

ଅପରାହ୍ନରେ

ଗଛ ଓ ପକ୍ଷୀଙ୍କ ଗହଣରେ ।

ଏପର୍ଯ୍ୟନ୍ତ ମରିନି ।

କିନ୍ତୁ ଦିନେ ଏକ ଓ ଅନ୍ୟ

ଅପରାହ୍ନ ଭିତରେ ଯେବେ

ନିରବତାର ସୁସୁରୀ ।

ବାଜିବ,

ଖୋଲିଦେବି ମୋ ଛାତିକୁ

ପବନର ଷଡ଼ଯନ୍ତ୍ର

ଓ ଶବ୍ଦଙ୍କ ପାଇଁ ।

ଓ ଗଢ଼ିବି

ଘର ସବୁ ଜମି, ସମୁଦ୍ର

ଗଢ଼ିବି !

ନୂଆ ସୂର୍ଯ୍ୟାଦୟ

ନୂଆ ଦୁଃଖ

ଓ ସବା ଶେଷଥର ପାଇଁ

ଚୁପ୍ ହେବି

ମନେ ପକାଇବାରେ, ବହୁତ ମନେ ପକାଇବାରେ ।

ଏକ ଗରିଲାର କବିତା

 

ଝପାସ୍ କରି ପବନରେ

ଖଣ୍ଡାଭଳି ସୁନ୍ଦରତାରେ

ଏ ଦେଶକୁ ଭଲ ପାଇବା ।

 

ସ୍ଵର୍ଗ ବି ଆମର ।

ଆମର ପ୍ରତିଦିନ ରୁଟି

ଖାଉଥିବାର ।

ହାତରେ ଲଗେଇଥିବା ଗହମ ।

କ୍ଷେତ ଓ ମାଟିରୁ ଫସଲ

ଅମଳ କରିଥିବାର ।

ସବୁ କିଛି ଆମର ।

ଗହମ କ୍ଷେତ ଓ ମାଟି

ଓ ସମୁଦ୍ର

ଓ ପାହାଡ଼ ଓ ପକ୍ଷୀମାନେ

ସବୁ ଆମର ।

 

ସବୁବେଳେ ଆମର ଇ

ହୋଇ ରହିବେ ।

 

ଆଂତୋନିଓ ସିନେରୋସ୍ (୧୯୪୨)

(୨୦୦୦ ଗାବ୍ରିଏଲ ମିଷ୍ଟାଲ ଆର୍ନ୍ତଆମେରିକା ସଂସ୍କୃତି ପୁରସ୍କାର ବିଜେତା, ଅଧ୍ୟାପକ, ସାମ୍ୱାଦିକ, ପ୍ରସିଦ୍ଧ କବି । ବହୁ ଭାଷାରେ ଅନୁଦିତ ଉତ୍ତର ଆଧୁନିକ କବିତାର ତୀକ୍ଷ୍‍ଣ, ମାର୍ଜିତ ଓ ବହୁଚର୍ଚ୍ଚିତ ସ୍ଵର । ବହୁ ଆର୍ନ୍ତଜାତିକ ବିଶ୍ୱବିଦ୍ୟାଳୟ, କବି ସମ୍ମେଳନ ଓ ସାହିତ୍ୟ ସଭାରେ ଅଂଶଗ୍ରହଣ ଓ ପୁରସ୍କୃତ) ।

 

ମୋ ବିବାହ ଉପରେ ଦୁଇଟି କବିତା

-୧-

‘‘ଜାହାଜ ଲଙ୍ଗର ପକେଇଲା

ବନ୍ଦରରେ । ଭର୍ସୁଲା ।

ଓହ୍ଲେଇଲା, ପଛରେ ତାର ଧାଡ଼ି

ବାନ୍ଧି ଓହ୍ଲେଇଲେ ୧୧୦୦୦

ସୁନ୍ଦରୀ, ପୁରୁଷର ମୁହଁ ଦେଖି

ନଥିବା କୁମାରୀସବୁ”,

ଏବଂ ମୁଁ ସାମ୍ନାସାମ୍ନି ହେଲି ତୁମର,

ତମ ଆସିବା ବେଳେ ।

-୨-

X X X X X X

ଆୟାକୁଚୋର ସବୁଠାରୁ ଉଚ୍ଚା ନଣ୍ଡା

ପାହାଡ଼ ଉପରେ ବନେଇଲି ଘର ।

ବାଘ ଓ ଛଞ୍ଚାଣକୁ ଦ୍ଵାରପାଳ ବନେଇଲି,

ଚାରିପାଖରେ ସୁନା ରଙ୍ଗର ନିଆଁର

ଗଡ଼ଖାଇ । ଆଉ କ’ଣ ଥିଲା

ଜିତିବାର ?

X X X X X X

ଏବେ ବିଲକୁଲ ମନ ନାହିଁ ।

ଯେ ଆମ ସମ୍ପର୍କର ଏତେବଡ଼ ଦୁର୍ଗ

କ’ଣ ଆମ ଭୟରେ ଗଢ଼ା ?

୧୯୬୨ ରେ କ୍ଷୁଧାତୁର ସାମୁଦ୍ରିକ ପକ୍ଷୀ ସବୁ ରାଜଧାନୀ ଲିମାରେ ପଶିଆସିବା ପରେ ||

X X X X X X

କେହି ଦେଖିଲେନି ସେମାନଙ୍କୁ

ଚଞ୍ଚୁର ଜଙ୍ଗଲ ନେଇ

ଡେଣାର ଫଡ଼ଫଡ଼ ରାଜପଥ ।

କେମିତି ଡେଇଁଲେ ସେମାନେ ସବୁ

ଧାଡ଼ି ଧାଡ଼ି କାନ୍ଥକୁ । କେହି ବି ।

ମୁହଁ ବାହାର କରି ଦୁଆର ବନ୍ଧ

ସେ ପାଖରୁ, ଝର୍କାରୁ, ଶେଯ ଉପରୁ

କେମିତି ଦେଖିଲାନି ସେମାନଙ୍କ

ପଟୁଆରକୁ ?

X X X X X X

ସାରା ରାତି ଦକ୍ଷିଣରୁ ଏମିତି

ଚାଲିଲେ ପକ୍ଷୀଦଳ ।

କେହି ଜାଣିଲେନି, ଦେଖିଲେନି ।

ମୁଁ ଦେଖୁଥିଲି, ମୋ ସାମ୍ନାରେ

ମୋ ନିଦ୍ରିତ ପତ୍ନୀର ଗୋରା

ମୁହଁ ଓ ମୋ ପତ୍ନୀର ସ୍ଵପ୍ନରେ

ଦଳଦଳ ମାଛ ଗଦାକୁ

ମାରି ତାଙ୍କ ପେଟ ଚିରି ପକାଉଥାଏ

ଶହଶହ ଚଞ୍ଚୁକ ଚିତ୍ର, ପକ୍ଷୀଦଳ

ସାଧାରଣ ଜାଗା

X X X X X X

ଭୁଲ କ’ଣ ମୋର !

ବର୍ଷା ନାଛି ହଉଚି,

ଅଥଚ ମୋରି ଚମଡ଼ା ଇ

ଏ ଆକ୍ରମିତ ସହର ପାଇଁ

ଏକମାତ୍ର କାନ୍ଥ ଭଳି ଥିବାର ।

ଏ ବର୍ଷା ପାଇଁ ସ୍ଥାନ ନଥିବାର

X X X X X X

 

ମିର୍କୋ ଲାଭର୍ (୧୯୪୮)

‘ଲା ରିପବ୍ଲିକା’ର ରାଜନୈତିକ ସଂବାଦଦାତା, ପ୍ରକାଶକ, ରହସ୍ୟ ଉପନ୍ୟାସ ଓ ସମାଲୋଚନା ଲେଖକ, ବହୁ ଅନୁଦିତ କବି

 

ଡଲଫିନ୍‌ଙ୍କ ପାଇଁ

ସମୁଦ୍ରର ଦୃଶ୍ୟରେ ସବୁଠାରୁ ଚମତ୍କାର

ସମୁଦ୍ରର ଏମିତି ଅନବରତ ଢ଼େଉ ଉପରେ

ଯିବା ଆସିବାର,

ଓଦା ଅଥଚ କାନ୍ଦ କାନ୍ଦ ମନ ହଉ ନଥିବାର

 

ତା ଭିତରେ ପାଣିଆ ଅନ୍ଧାର ଓ

ଆଲୋକିତ ଛଟପଟରେ

ପାଣି ଉପରେ କ୍ଷତଚିହ୍ନ ନ ଛାଡ଼ି

X X X X X X

ତୋ କ୍ଷଣିକ ସ୍ଥିତି ଢ଼େଉ ବି, ନିରବତା ବି

ଓ ସମୁଦ୍ରର ଯିବା ଆସିବା ମଧ୍ୟ

 

ସରୀସୃପୀୟ ହୃଦୟ

 

କେମିତି ଏଇ ପବନ ।

ମଙ୍ଗୋଲିଆର ହଳଦିଆ ଧୂଳି

ପେରୁର ସମୁଦ୍ର ତଟରୁ ଓଦା ଫେଣ

ଓ ପିସାରୁ ଲୁହ-

ଏକାଠି କରିପାରେ ଏଇଠି ?

ଏତେ ସ୍ଥାନର ସୁଖ ସବୁ, ଦୁଃଖ ସବୁ

ଏକାଠି ହୁଅନ୍ତି କେମିତି ?

X X X X X X

ନିରବତା ଡେଣା ଖୋଲି

କୋଳକୁ ନିଏ ଓ ଶବଦସବୁ

ପ୍ରେମ ଓ ମୃତ୍ୟୁର ଚିହ୍ନରେ

ଅଙ୍କା ନିଷ୍ଠୁର କାନ୍ଥରେ

ବାଡ଼େଇ ହୁଅନ୍ତି । ଦୁଆର

ଖୋଜି ବୁଲନ୍ତି ଓ ବିଫଳତାର

ଅଙ୍ଗାରରେ କାନ୍ଥ ସାରା ।

ଯାହା ତାହା ଲେଖିପକାନ୍ତି

X X X X X X

ଏବେ ମତେ ଠିକ୍ ଜଣାଥାଏ ।

ଯନ୍ତ୍ରଣା କେମିତି ଲାଗେ ଜିଭ ଉପରେ ।

କେବେ ମତେ ଚିହ୍ନିତ କରିବାକୁ

ହବ ଯନ୍ତ୍ରଣାକୁ । କହିବାକୁ ହବ

ଶବ୍ଦଟିଏ, ବନ୍ଦ ହୋ ।

 

ମାର୍କୋ ମାର୍ତେସ୍

ସାଂବାଦିକ, ସାନ୍ ମାର୍କୋସ୍ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ସମ୍ପାଦକ ।

 

୧।। ପେରୁ ।।

ଇଏ ତମ ଦେଶ ନୁହଁ ।

ତମେ ଏହାର ସୀମାରେଖା ବିଷୟରେ

ପଢ଼ । ଏଠିକାର ଭାଷା କୁହ ।

ତମ ସମ୍ପର୍କୀୟମାନେ ଏଇଠି ମରିଥାଆନ୍ତି ।

ଖାଲି ଏଇଥିପାଇଁ ଇଏ ତମ ଦେଶନୁହଁ ।

 

ଇଏ ତମ ଦେଶ ।

କାରଣ ପୁଣି ଯଦି ତମକୁ ।

ବର ମିଳେ ତମ ସ୍ଵପ୍ନଙ୍କୁ ଗଢ଼ିବା ପାଇଁ

ତମେ ପୁଣି ବର ମାଗିବ ।

ଏଇଠି ସଜାଡ଼ିବାକୁ, ସଜେଇବାକୁ ତମର

ସାମାନ୍ୟ ସ୍ଵପ୍ନଙ୍କୁ । ଏଇଥି ପାଇଁ ।

 

ସୌନ୍ଦର୍ଯ୍ୟ

କହନ୍ତି, କେହି ନ ଦେଖୁ

ଫୁଲଟାଏ ଏମିତି ପାଖୁଡ଼ା

ମେଲେଇବ

ରଙ୍ଗ ଓ ବାସ୍ନାର ବିସ୍ଫୋରଣରେ ।

ମତେ ଲାଗେନା ।

 

ପ୍ରତ୍ୟେକ ଫୁଲ ଏମିତି ରଙ୍ଗରେ

ଝଲସିବ କାହା ସ୍ୱପ୍ନରୁ ।

ସ୍ମରଣରେ ଝାଙ୍କିଲେ ଇ ଖାଲି

ମୋ ମତରେ ।

X X X X X X

କେହି ଦେଖୁ ବା ନଦେଖୁ ।

ଆମ ଗୀତ ସବୁ ଏଇଥିପାଇଁ

ସୁନ୍ଦର ଆମ ସ୍ମୃତିକୁ, ସ୍ଥିତିକୁ

ଗୋପନୀୟତାରେ ଛୁଇଁ ଓ ସଂରକ୍ଷଣ କରି ।

 

ଆବେଲାର୍ଡୋ ସାଂଚେଜ୍ ଲିଓନ୍

(ସମାଜତତ୍ତ୍ୱବିଦ, ଅଧ୍ୟାପକ ଓ କବି)

କବିତା

X X X X X X

ସେମାନେ ତାକୁ ଆମ ହାତରୁ

ଛଡ଼େଇନେବେ

ତାକୁ ଏମିତି ଘଷାଡ଼ିବେ ରାସ୍ତା

ଉପରେ, ଉଚ୍ଚାନିଚ ପାହାଚ

ଉପରେ ।

ସିଏ ଇଆଡ଼େ ସିଆଡ଼େ ଯିବ

ଯୁଆଡ଼େ ତମେ ଯାଅନା

ସିଏ ଏଇ ପୃଥିବୀରେ ରହିବ

ତମ ନଥିବାରେ ବି ।

ସିଏ ଶୋଇବ ଯୋଉଠି

ତମକୁ ନିଦ ନ ଆସୁଥିବ ।

ଏବେ ଜାଣୁଚ । ଆମ ଛାଇ

ଉପରେ ଗଲା ସମୟର

ଝଡ଼ା ପତ୍ର ପଡ଼ିଲାଣି । ମତେ

ଆହୁରି ପାଖରେ ରଖ, ସିଏ ।

ଆମ ଶାରୀରିକତାରୁ, ଝାଳରୁ ।

ବାହାରିଯାଉ

ଓ ରାତିର ଗଂନ୍ଧରେ ତା

ଦେହ ବାସ୍ନାୟିତ ହଉ । ଆମର

ଶିଶୁର ।

X X X X X X

 

ସବୁ କିଛି ଜଣାଉଥାଏ

X X X X X X

କେତେବର୍ଷ ହେଲାଣି, ଏମିତି

କୁଣ୍ଠିତ କବିତାଟିଏର ।

ଲେଖା ଚାଲିଥାଏ । ଦିନ ଏଗାରଟା,

ଶେଜ ଉପରେ ସିଗାରେଟ୍‌ର ପାଉଁଶ,

ଗ୍ଲାସେ ପାଣି, ଝର୍କା ଉପରେ ।

ସୂର୍ଯ୍ୟାଲୋକ ଓ ଚାରିପାଖରେ

ଅନୁପସ୍ଥିତ ଦୃଶ୍ୟ ସବୁ ।

X X X X X X

ସ୍ମୃତି ସିଗାରେଟ୍ ଭଳି, ଏମିତି

ଆସ୍‍ଟ୍ରେରେ ସରିବ ।

କେହି ଆସିବେନି କବାଟ ଧଡ଼

ଧଡ୍ କରି । ଶେଷ କବିତା

ଏମିତି, ଆଖିରେ ଝରୁନଥିବା ଲୁହ

ପରି ଓ ପୁଣି ବାହାରକୁ ନ ଯାଇ

ପାରୁଥିବା ଶରୀର ପରି ।

 

 

ଖୁଲିଓ ଓର୍ଟେଗା

ସଂବାଦପତ୍ରର ସମ୍ପାଦକ, ଏବେ ଯୁକ୍ତରାଷ୍ଟ୍ର ଆମେରିକାର ବ୍ରାଉନ୍

ବିଶ୍ଵବିଦ୍ୟାଳୟର ଲାଟିନ୍ ଆମେରିକା ବିଭାଗର ପ୍ରାଧାପକ

 

ଦେଶାନ୍ତର

ଖୁସି

ଘଣ୍ଟା ଘଣ୍ଟାକୁ ବଦଳାଏ

ନିଃଶ୍ୱାସର ନଈରେ ।

X X X X X X

ସ୍ମୁତିର ବର୍ଷାରେ

ଅସମ୍ଭବ ସମୟର ।

କ୍ଷତଚିହ୍ନକୁ

ଆଖିରେ ଥକାଥକା

ଅନୁଭବ

ଘେରେଇ ନଉଥିବାରେ

X X X X X X

ଏଇ ଦେହ ନଈ ପାଖରୁ

ଏତେ ଦୂରରେ

ଭଙ୍ଗା ନିଃଶ୍ଵାସଙ୍କ ପାଖରୁ

କୁଆଡ଼େ ଦୌଡ଼ିବ ? |

 

ଲଉରାର ମୃତ୍ୟୁରେ

ମୃତ୍ୟୁ ତ ତମ ଶରୀରଠୁ

ଆହୁରି ବଡ଼,

ସ୍ମୃତିର କ୍ଷେତ ଉପରେ

ନାଚୁଥିବା ପବନ ଯେମିତି

X X X X X X

କୋଉଠୁ ଆଣିଥିଲା ତମ ଶରୀର

ସୂର୍ଯ୍ୟ-ଉଷ୍ମ କାରଣ

ଖୋଜିବାରେ ଏତେ ଛୋଟ ଛୋଟ

ସମୟର ଧାଡ଼ି ଧାଡ଼ି ବର୍ଣ୍ଣନା ?

X X X X X X

ତମ ଶରୀର ଚାରିପାଖରେ

ଏବେ ଭିଡ଼

କେତେକ ଆଖିଙ୍କର

ଓ ନିଷ୍ଠୁର ସମୟ ତମର ଆଖି

ବନ୍ଦ କରିଦେଇଥିବାର ।

 

ବ୍ଲାଙ୍କା ଭାରେଲା

(ପରୀକ୍ଷାନିରିକ୍ଷା, ନାରୀ ସ୍ୱାଧୀନତା, ଉତ୍ତର-ଆଧୁନିକତା, ଆର୍ନ୍ତ-ଲାଟିନ୍ ଆମେରିକୀୟ । ପ୍ରୟୋଗବାଦ - ଭାରେଲା ପ୍ରକାଶିକା, କବି, ସମ୍ପାଦିକା ଓ ସମାଜସେବୀ)

 

ଯାଦୁଶକ୍ତି

ଆଖି ବନ୍ଦ କର ।

କୋଉ ସମୟ, କୋଉ ଦିନ

ଫରକ କ’ଣ ?

ପାଦକୁ ଜମି ଉପରେ

ତିନିଥର ବାଡ଼ାଅ ।

 

ଆଖି ଖୋଲ । ଦେଖିବ

ସବୁ କିଛି ସେମିତି ଚାଲିଛି

ଯେମିତି ଚାଲିଥିଲା ।

 

ସମୟ ଶକ୍ତିବାନ

ପ୍ରେମ

ଏକ ଆକ୍ରମଣ ଭଳି

ମତେ

 

ବାଧ୍ୟ କରେ ଶବ୍ଦଙ୍କୁ

ଶବଦ ସହ ଯୋଡ଼ିବାକୁ

X X X X X X

ଛାଇଙ୍କ ସୀମାନ୍ତରୁ ।

ଗୀତଟାଏ

ପେଟେଇ ପେଟେଇ ବଢ଼େ

ମୃତ୍ୟୁ ଆଡ଼େ

 

ଘଣ୍ଟା, ମିନିଟ୍, ସେକେଣ୍ଡ ସବୁ

ଉଜ୍ଜ୍ଵଳ ବିସ୍ଫୋରଣରେ

ଫାଟି ଗଦା ହୁଅନ୍ତି

X X X X X X

ଏମିତିକି କେହିନୁହଁ,

ସମୟ ମଧ୍ୟ ଏଇ

ସମୟକୁ ଚୁପ୍ କରିବାର

ସାହସ ରଖି ନଥାଏ ।

ନା ଜୀବ ନା ମଣିଷ

ନା ପଥର ।

ନା ଫୁଲ ।

ଖାଲି ଅପରାଧଟାଏ ।

X X X X X X

 

ସଡ଼କ

ଝର୍କା ପର୍ଦାର ଅନ୍ଧାରରେ

ଗୀତଟାଏ ପହଁରୁଥାଏ ।

ନିଜର ଅହଂକାରରେ

ଓ ଏମିତି ଚିରନ୍ତନ ଓ ଦୁଃଖ

ଖୋଜୁଥିବାର କୁହୁଡ଼ିରେ

X X X X X X

ଅସମ୍ଭବର ସେପାଖରୁ ଇ

ଯିଏ ପହଞ୍ଚେ

ଯିଏ ଏମିତି ଚାଲିଯାଏ

ଯିଏ ବୁଝିପାରେ

ଯିଏ ପୁଣି ଜନ୍ମ ନିଏ

 

ତାକୁ ତ ଏମିତି ନିରବତାରେ

ଖାଇଯାଏ ଓ ଗୀତହୋଇ ଓହ୍ଲାଏ

ସମୁଦ୍ରରୁ ନଈ ପାଖକୁ, ନଈରୁ

ଆକାଶଆଡ଼େ ଓ ଆକାଶରୁ

ଆଲୁଅ ହୋଇ ଶୂନ୍ୟତା ପର୍ଯ୍ୟନ୍ତ

X X X X X X

ଭାରତୀୟ ବାଣିଜ୍ୟ ଦୂତାବାସ,

ନ୍ୟୁୟର୍କ, ଯୁକ୍ତରାଷ୍ଟ୍ର ଆମେରିକା

***

 

ନିସଙ୍ଗ ବର୍ତ୍ତମାନ

ଚନ୍ଦ୍ରକାନ୍ତ ପଣ୍ଡା

 

କାଲିପରି ମନେଅଛି

ମତେ ପାଖରେ ବସେଇ ଗପ ଶୁଣଉଥିଲା ବୁଢ଼ୀ ମା’

ନଈବନ୍ଧ ଭାଙ୍ଗିଲା ପରି ଅନର୍ଗଳ ଗପୁଗପୁ

ବାଟଚଲା ବାଟୋଇବି ଅଟକି ଯାଉଥିଲା ।

ଶୁଣିବାକୁ ତା ମାଳମାଳ ଗପର ଗାରିମା ।

ଝଡ଼ି, ବଢ଼ି, ମରୁଡ଼ି

କୋଉଥିକି ଖାତିରି ନ ଥିଲା କା’ର

ବଗଡ଼ା ଚାଉଳ, କୋଳଥ ଡାଲି

ବାଡ଼ି କାକୁଡ଼ି, କଖାରୁ ବଡ଼ି

ଶାଗ ମୁଗ ଅଟକାଳିରେ

ହେଣ୍ଡି ମାରୁଥିଲେ ଗାଁଲୋକବାକ ।

ଯେତେ ଋତୁ ସେତେ ଫଳ ।

ଆମ୍ବ, ପଣସ, ସପୁରୀ, ଆତ, ନେଉଆ କଦଳୀ

ନଡ଼ିଆ, ତାଳ ସବୁ ମିଳୁଥିଲା ଭରପୂର ।

 

କଂସାଏ ପାଣି ପିଇଦେଲେ

ଥଣ୍ଡା ହେଉଥିଲା ନାହି ମୁଣ୍ଡା

ଆହାଃ କି ଶାନ୍ତି ଲାଗେ ଜାଣିଛି

ଖାଇଦେଲେ ଦହି ପଖାଳ ଦି’ଗୁଣ୍ଡା ।

 

ତମେ କୁଆଡୁ ଜାଣିବ

ଦକ୍ଷିଣା ପବନରେ ରାମଲୀଳା ଦେଖିବାକୁ

ରୁଣ୍ଡ ହଉଥିଲେ ପାଞ୍ଚ ଖଣ୍ଡି ଗାଁ ।

ସମୟ ସୁଅରେ

ଡଙ୍କେଇ ଯାଉଥିଲା ତା’ କଖାରୁ ଲତା

ଯେତେ ପରବକୁ ସେତେ ପିଠା ପଣା

ଆରିସା, କାକରା, ମଣ୍ଡା, ଏଣ୍ଡୁରି

ଭାରି ସୁଆଦ ଭାରି ମିଠା ।

କଥା ସରିଲା ବେଳକୁ ଖରା ମାଡ଼େ ତେରେଛା

ପାଣି ପାନ ଦେଇ ବାଟୋଇକୁ ।

ଶ୍ରଦ୍ଧାରେ ମେଲାଣି ଦିଏ ବୁଢ଼ୀମା।

ଆଜି ଆଉ ସେ ବେଳ ନାହିଁ ।

ବୁଢ଼ୀମା କେବେଠୁ ଗଲାଣି ।

ମୋ ବୋଉ ବୁଢ଼ୀମା ଆସନ ନେଲାଣି

ଢିଙ୍କି, ଚକି, ଶିଳ ଜାଗାରେ

ନୂଆ ନୂଆ ଜିନିଷ ଆସିଲାଣି ।

ଏଇ ଦିନ କେଇଟାରେ ସବୁ ବିଦାକ

ବଦଳିଗଲାଣି ।

ମୁକୁଳା ମେଘ ପରି

ଯେଝା ବାଟରେ ଯିଏ ।

କାହାକୁ ପଚାରିବ ବା କିଏ।

ସଭିଙ୍କ ପାଖରେ ସେଇ ଅଛିଣ୍ଡା ଅଙ୍କର

ସୂତ୍ର ସମ୍ପର୍କ

ଅଚହଟା ପଳାଶ ଫୁଲର ସ୍ମୃତି

ନିସଙ୍ଗ ବର୍ଭମାନ ।

 

 

ପ୍ଲଟ ନଂ – ୪/୧୩/୯

ବୁଢ଼ାସାଇ ନଗର, ବନସ୍ଥଳୀ ପୁରମ୍

ହାଇଦ୍ରାବାଦ

 

***

 

ଆମନ୍ତ୍ରଣ ଅପେକ୍ଷାରେ

ରାଜୀବ କୁମାର ଷଡ଼ଙ୍ଗୀ।

 

ହତାଶାର ଆକାଶ ତଳେ

ସମୟର ଅନ୍ଧାରି ଡେଣାରେ

ମେଞ୍ଚାଏ ଆଲୁଅ ପରି ହେ ଶ୍ମଶାନ

ଜୀବନର ଅତି ପ୍ରିୟତମ

ତୁମେ ହିଁ ତ ଏକ ।

ଏ ଫୁଲ ପାଖୁଡ଼ା ଦେହେ

ମଳୟର ନୀରବ ଝଙ୍କାର,

କାମନାର ସ୍ତବ୍ଧ ବନାନୀରେ

ବେଳେବେଳେ ମହକ ଚନ୍ଦନ

ଆଉ କେବେ

ଗ୍ରୀଷ୍ମଦଗ୍ଧ ଅଳସ ମଧାହ୍ନ ।

ଭାଷାର ସହରେ ଏବେ

ସମୟର ବାରମ୍ୱାର ଇଙ୍ଗିତ ସକଳ,

ପରାଜିତ ହେବାର ଏ ବେଳ ।

ତୁମେ ଆସ ମୋ ମାନସେ

ଶ୍ରାବଣର ସ୍ମୃତିକୁ ପାଶୋରି

ବୈଶାଖର ଖରାକୁ ନ ଡରି

ସେଥିପାଇଁ ମୁଁ ଚାହେଁ ।

ପ୍ରତିଦିନ – ପ୍ରତି ମୁହୂର୍ତ୍ତରେ

ମିଶିବାକୁ, ହଜିବାକୁ, ହଜେଇଦେବାକୁ ।

ଶ୍ଵାସଟିଏ ହୋଇ ।

ସଂଖ୍ୟାହୀନ ଦୀର୍ଘଶ୍ୱାସ ବାୟୁ ଆତଯାତେ ।

ତୁମେ ହିଁ ତ ଏକମାତ୍ର ନିର୍ଲୋଭୀ ସମ୍ରାଟ,

କରୁଣାର ଭିନ୍ନ ଅବତାର

ଅପେକ୍ଷା କରିଛି ମୁହିଁ ଦୀର୍ଘଦିନୁଁ

ବାରମ୍ବାର ଦେଇ ଦେଇ

ଜୀବନରେ ଯଥାର୍ଥ ଉତ୍ତର ।

ହେ ମୋର ପ୍ରିୟ ସଖା,

ଇନ୍ଦ୍ରଧନୁ ରଙ୍ଗ ମାଖି

 

୧ ୨.୭.୧୯୭୦ ରୁ

୮.୯.୧୯୭୩

ପ୍ରଧାନ ଶିକ୍ଷକ

ଗୁରୁପଡ଼ା ଏମ୍.ଇ. ସ୍କୁଲ, ସମ୍ବଲପୁର

୧୧.୯.୧୯୭୩ ରୁ

୧୦.୯.୧୯୮୬

ଓଡ଼ିଆ ଅଧ୍ୟାପକ

ଲରମ୍ଭା କଲେଜ, ଲରମ୍ଭା, ସମ୍ବଲପୁର

୧୧.୯.୧୯୮୬ ରୁ

୩୦.୬.୧୯୯୫

ଓଡ଼ିଆ ପ୍ରାଧ୍ୟାପକ

ଲରମ୍ଭା କଲେଜ, ଲରମ୍ଭା, ସମ୍ବଲପୁର

୧.୭.୧୯୯୫ ରୁ

୨୭.୮.୧୯୯୭

ଓଡ଼ିଆ ପ୍ରାଧ୍ୟାପକ

ଦେବଗଡ଼ କଲେଜ, ଦେବଗଡ଼

୨୮.୮.୧୯୯୭ରୁ

୩୦.୪, ୨୦୦୩

ଓଡ଼ିଆ ପ୍ରାଧ୍ୟାପକ

ଲରମ୍ଭା କଲେଜ, ଲରମ୍ଭା

 

ସାରସ୍ୱତ ସୃଷ୍ଟି

ଗଳ୍ପ ସଙ୍କଳନ

ନିଶା (୧୯୮୩), ୧୯୮୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ (୧୯୮୬), ବଗିଚାର ଫୁଲମାନେ (୧୯୮୪), କାଳୀୟ ଦଳନ ଓ ଅନ୍ୟାନ୍ୟ ଗଳ୍ପ (୧୯୮୭), ଦର୍ପଣରେ ନିଜ ମୁହଁ (୧୯୮୯), ହଳଦୀ କିଆରୀ (୧୯୯୧)

ସନ୍ଦର୍ଭ ଓ

ସମାଲୋଚନା ଗ୍ରନ୍ଥ

ଓଡ଼ିଆ ଐତିହାସିକ ଉପନ୍ୟାସ (ପ୍ରଥମ ଭାଗ) – ୧୯୮୫, ଓଡ଼ିଆ ଐତିହାସିକ ଉପନ୍ୟାସ (ଦ୍ୱିତୀୟ ଭାଗ) – ୧୯୮୬, ଓଡ଼ିଆ ଗଳ୍ପ ପ୍ରସଙ୍ଗ – ୧୯୮୮

ପୁରସ୍କାର ଓ ସମ୍ମାନ

ପ୍ରଜାତନ୍ତ୍ର ପୁରସ୍କାର ( ୧୪.୪.୧୯୬୯), ଝଙ୍କାର ପୁରସ୍କାର ( ୧୪.୪.୧୯୭୮ ଏବଂ ୧୪.୪.୧୯୯୪), ୧୯୮୬ ମସିହା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର : ( ୧.୨.୧୯୮୯), ବସନ୍ତ ମିଳନ ଅବସରରରେ ଦୈନିକ ହୀରାଖଣ୍ଡ ପକ୍ଷରୁ ସମ୍ମାନିତ ଓ ସଂବର୍ଦ୍ଧିତ (୧୯୯୦), ଗଂଗାଧର ସାହିତ୍ୟ ପରିଷଦ, ବରପାଲି ପକ୍ଷରୁ ଗଂଗାଧର ଜୟନ୍ତୀ ଅବସରରେ ସମ୍ମାନିତ ଓ ସଂବର୍ଦ୍ଧିତ (୧୯୭୮), ବିଜେପୁର ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଅବସରରେ ସମ୍ମାନିତ ଓ ସଂବର୍ଦ୍ଧିତ (୧୯୯୪)

ସାରସ୍ୱତ

ସାଂଗଠନିକ

ସଂପୃକ୍ତି

ସମ୍ପାଦକ, ଓଡ଼ିଆ ଯୁବଲେଖକ ସମ୍ମେଳନ (୧୯୬୯-୭୦) ସମ୍ପାଦକ, କୋଶଳ ସାହିତ୍ୟ ସମାଜ (ସମ୍ବଲପୁର) (୧୯୭୦-୭୨) କାର୍ଯ୍ୟକାରୀ ସଦସ୍ୟ, ଓଡ଼ିଆ ଗବେଷଣା ପରିଷଦ (୧୯୮୦-୧୯୮୬) ଉପସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ (୧.୩.୨୦୦୪ରେ ନିଯୁକ୍ତି ପାଇଥିଲେ । ମାତ୍ର ଗୁରୁତର ଅସୁସ୍ଥତା ହେତୁ ଏକାଡ଼େମୀର ନିଜ ପଦବୀରୁ ୩୧.୮.୨୦୦୪ରେ ଇସ୍ତଫା ପ୍ରଦାନ କରିଥିଲେ)

 

***